ଅତିକର ଅଫିସରୁ ମିଳିଲା ରକ୍ତଭିଜା ଓଢ଼ଣୀ ଓ ରକ୍ତ ଲଗା ଛୁରୀ

ଲକ୍ଷ୍ନୌ: ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦର ମୃତ୍ୟୁ ପରେ ସାମନାକୁ ଆସୁଛି ତାର ବୀଭତ୍ସ ଅପରାଧର ଖୁନୀ ପ୍ରମାଣ । ଅତିକର ଅଫିସରେ ଖୋଳତାଡ଼ ବେଳେ ପ୍ରୟାଗରାଜ ପୋଲିସ ଆଗରେ ହୋଇଛି ଚାଞ୍ଚଲ୍ୟକର ଖୁଲାସା । ଅଫିସର ଶିଡ଼ିରୁ ଛାତ ସବୁଠି ଦେଖିବାକୁ ମିଳିଛି ରକ୍ତଛିଟା । ରକ୍ତଭିଜା ଓଢ଼ଣୀ ଓ ରକ୍ତ ଲାଗିଥିବା ଛୁରୀ ବି ପାଇଛି ପୋଲିସ। ରକ୍ତ କାହାର, ସେନେଇ ସ୍ପଷ୍ଟ ହୋଇନି । ତେବେ ଅତିକର ଅଫିସରେ ଅପରାଧର ଅନେକ କାହାଣୀ ଲୁଚିଥିବା ପୋଲିସ ସନ୍ଦେହ କରୁଛି ।

୨୦୧୭ରେ ଅତିକର ଚକିଆସ୍ଥିତ ଏହି ଅଫିସରେ ପ୍ରୟାଗରାଜ ବିକାଶ ପ୍ରାଧିକରଣ ପକ୍ଷରୁ ବୁଲଡୋଜର ଚଳାଯାଇଥିଲା। ଏହାପରଠୁ ପ୍ରାୟ ଶୂନଶାନ ହୋଇ ଅଫିସ ପଡି ରହିଥିଲା । ତେବେ ଏଠାରୁ ହିଁ ଅତିକ ନିଜ ଗ୍ୟାଙ୍ଗ ଚଳାଉଥିଲା। ଉମେଶ ପାଲ ହତ୍ୟା ପରେ ପୋଲିସ ଏହି ଅଫିସରେ ରେଡ୍ କରି ୭୨ଲକ୍ଷ ଟଙ୍କା ସହ ୬ଟି ମୋବାଇଲ୍ ଫୋନ୍ ଜବତ କରିଥିଲା । ସେପଟେ ଅତିକର ପୁଅ ଅସଦ୍ ମୋବାଇଲରୁ ମିଳିଛି ନିର୍ଯାତନାର ନଗ୍ନ ଭିଡିଓ ।

ବାପା ଭଳି ଡନ୍ ହେବାକୁ ସ୍ବପ୍ନ ଦେଖୁଥିଲା ଅସଦ। କଲେଜରେ ଅସଦର ନାଁ ଡନ୍ ଥିଲା । କଲେଜ ଫେୟାରଓ୍ବେଲ୍ ପାର୍ଟିରେ ଅସଦ ଗାଲରେ ଡନ୍ ଲେଖାଯାଇଥିଲା । ଅସଦ ଫୋନରୁ ଜଣେ ଯୁବକଙ୍କୁ ମାରପିଟର ଭିଡିଓ ବି ମିଳିଛି । ଭିଡିଓଟି ଲକ୍ଷ୍ନୌରେ ଅସଦ ରହୁଥିବା ଏକ ଫ୍ଲାଟର ବୋଲି ଜଣାପଡିଛି । ମାରପିଟ୍ ଭିଡିଓ ଭାଇରାଲ୍ କରି ଭୟ ସୃଷ୍ଟି କରୁଥିଲା ଅସଦ । ୟୁପି ଏସଟିଏଫର ଏନକାଉଣ୍ଟରରେ ଗତ ୧୩ତାରିଖରେ ପ୍ରାଣ ହରାଇଛି ଅସଦ ।