ଭୁବନେଶ୍ୱର: ଭୁବନେଶ୍ବର ୟୁନିଟ୍-୧ ଆଦିବାସୀ ପଡ଼ିଆରେ ଆରମ୍ଭ ହେଲା ରାଜ୍ୟସ୍ତରୀୟ ଆଦିବାସୀ ମେଳା । ମେଳାକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଦିବାସୀ ମହିଳାଙ୍କ ସହ ଫଟୋ ଉଠାଇଥିଲେ । ଷ୍ଟଲ୍ ବୁଲି ଆଦିବାସୀ ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ଦେଖିଥିଲେ ମୁଖ୍ୟମନ୍ତ୍ରୀ । ଏହି ମେଳା ୧୫ ଦିନ ଧରି ଚାଲିବ । ଆଦିବାସୀ ଗ୍ରାମ, ଜନଜାତି ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରକୋଷ୍ଠ, ଆଦିବାସୀ ହାଟ, ଆଦିବାସୀ କଳା ସାମଗ୍ରୀ, ଖାଦ୍ୟ ବଜାର ଆଦି ପ୍ରସ୍ତୁତି କରାଯାଇଛି । ଚଳିତ ଥର ୧୦ଟି ଆଦିବାସୀ ଗ୍ରାମ ସମେତ ୧୨୧ଟି ଷ୍ଟଲରେ ଜନଜାତି ମାନେ ସେମାନଙ୍କ କଳା ସାମଗ୍ରୀ, ଜଙ୍ଗଲଜାତ ଦ୍ରବ୍ୟ ଆଦି ବିକ୍ରି କରିବେ । ମେଳା ପରିସରରେ ଥିବା ସାଂସ୍କୃତିକ ମଞ୍ଚରେ ପ୍ରତିଦିନ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଅପରାହ୍ଣ ସାଢ଼େ ୨ଟାରୁ ରାତି ୯ଟା ଯାଏ ମେଳା ଖୋଲା ରହିବ ।
ଭାରତରେ ନିର୍ବାଚନ କମିଶନଙ୍କୁ ଭାଙ୍ଗି ଦିଆଯାଉ: ଉଦ୍ଧବ ଠାକରେ
ମୁମ୍ବାଇ: ଭାରତର ନିର୍ବାଚନ କମିଶନଙ୍କୁ ଭାଙ୍ଗି ଦିଆଯାଉ । ଲୋକଙ୍କ ଦ୍ବାରା ଇସିଙ୍କୁ ନିର୍ବାଚିତ କରାଯାଉ ବୋଲି ଦାବି କରିଛନ୍ତି ଶିବସେନା ଉଦ୍ଧବ ଗୋଷ୍ଠୀ ନେତା ଉଦ୍ଧବ ଠାକରେ । ଏକନାଥ ସିନ୍ଦେ ଗୋଷ୍ଠୀକୁ ଶିବସେନା ଦଳ ମାନ୍ୟତା ସହ ଧନୁ ଓ ତୀର ଚିହ୍ନ ମିଳିବା ମାମଲାରେ ଏହା କହିଛନ୍ତି ଉଦ୍ଧବ । ଏହି ମାମଲାରେ ସୁପ୍ରିମକୋର୍ଟରେ ଦ୍ବାରସ୍ଥ ହୋଇଥିବା ଉଦ୍ଧବ କହିଛନ୍ତି- କୌଣସି ଏକ ଦଳର ଗୋଟିଏ ଗୋଷ୍ଠୀକୁ ଦଳର ନାମ ଓ ସଙ୍କେତ ସିଧାସଳଖ ଦେବା ଉଦାହରଣ ପୂର୍ବରୁ ବି ଘଟିଛି ।ଗଣତାନ୍ତ୍ରିକ ପ୍ରତିଷ୍ଠାନ ଜରିଆରେ ଗଣତନ୍ତ୍ରକୁ ଧ୍ବଂସ କରିବାରେ ବିଜେପି ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି କହିଛନ୍ତି ଉଦ୍ଧବ ।
ଆଜି ଯାହା ତାଙ୍କ କ୍ଷେତ୍ରରେ ଘଟିଳା ତାହା ଅନ୍ୟ କ୍ଷେତ୍ରରେ ବି ଘଟିବ । ଯଦି ସେହି ପ୍ରକ୍ରିୟା ଜାରି ରହିବ ତେବେ ୨୦୨୪ପରେ ଦେଶରେ କୌଣସି ଗଣତନ୍ତ୍ର ବା ନିର୍ବାଚନ ବ୍ୟବସ୍ଥା ରହିବ ନାହିଁ ବୋଲି ସେ କହିଛନ୍ତି । ନିଜର ପିଟିସନରେ ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ଉପରେ ସ୍ଥଗିତାଦେଶ ଜାରି କରିବା ଲାଗି ପ୍ରାର୍ଥନା କରିଛନ୍ତି ଉଦ୍ଧବ । ପୂର୍ବରୁ ସୁପ୍ରିମକୋର୍ଟରେ ବି ଏହି ମାମଲାରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ସ୍ପଷ୍ଟ ଶୁଣାଣି କରିବା ଲାଗି ଏକ କାଭିଟ ଦାୟର କରିଥିଲେ ଏକନାଥ ସିନ୍ଦେ ।
ନୀତିଶଙ୍କୁ ଉପେନ୍ଦ୍ର କୁଶବାହାଙ୍କ ବାଏ ବାଏ, ଗଠନ କଲେ ନୂଆ ଦଳ
ପାଟନା: ନୀତିଶ କୁମାରଙ୍କ ସହ ଦୀର୍ଘ ଦିନର ମତାନ୍ତର ପରେ ଉପେନ୍ଦ୍ର କୁଶବାହା ଶେଷରେ ଜେଡିୟୁ ଛାଡିଛନ୍ତି । ସେ ଜେଡିୟୁର ଏମଏଲସି ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ସୋମବାର ପାଟନାରେ ସେ ଏନେଇ ଘୋଷଣା କରିଛନ୍ତି । ସେ ନିଜର ନୂଆ ଦଳ ‘ରାଷ୍ଟ୍ରୀୟ ଲୋକ ଜନତା ଦଳ’ ବନାଇବା ନେଇ ମଧ୍ୟ ଘୋଷଣା କରିଛନ୍ତି । ଉପେନ୍ଦ୍ର କୁଶବାହା କହିଛନ୍ତି ଯେ, ଆଜିଠୁ ମୁଁ ନୂଆ ରାଜନୀତି ଇନିଂସର ଆରମ୍ଭ କରୁଛି । ଉପେନ୍ଦ୍ର କୁଶବାହା ଏହି ଅବସରରେ ନୀତିଶ କୁମାରଙ୍କ ଉପରେ ଶାଣିତ ଆକ୍ରମଣ କରି କହିଛନ୍ତି ଯେ, ସେ ତ ପଡୋଶୀଙ୍କ ଘରେ ନିଜର ଉତ୍ତରାଧିକାରୀ ଖୋଜୁଛନ୍ତି ।
କୁଶବାହା ଆରଜେଡି ସହ ମେଣ୍ଟ କରାଯିବା ଉପରେ ମଧ୍ୟ ଆପତ୍ତି ଜଣାଇଛନ୍ତି ଏବଂ କହିଛନ୍ତି ନୀତିଶ କୁମାରଙ୍କ ରାଜନୀତିର ଅନ୍ତ ଖରାପ ରହିଛି । ଉପେନ୍ଦ୍ର କୁଶବାହା କହିଛନ୍ତି ଯେ ନୀତିଶ କୁମାର ବହୁତ ଭଲ କାମ କରିଛନ୍ତି, କିନ୍ତୁ କୁହାଯାଇଥାଏ ଶେଷ ଭଲ ତ ସବୁ ଭଲ । ନୀତିଶ କୁମାର ଏହା କରିପାରିନାହାନ୍ତି । ଅନ୍ତ ବହୁତ ଖରାପ ହୋଇଛି । ଏବେ କଥା ବଦଳି ଯାଇଛି ଶେଷ ଖରାପ ତ ସବୁ ଖରାପ । ସେ ଯେଉଁ ପଥରେ ଏବେ ଯାଉଛନ୍ତି ତାହା ଅତ୍ୟନ୍ତ ଖରାପ । ନା କେବଳ ନୀତିଶଙ୍କ ପାଇଁ ବରଂ ଜନତା ଏବଂ ଦଳ ପାଇଁ ମଧ୍ୟ । ଲାଲୁ ଯାଦବ ଏବଂ ନୀତିଶ କୁମାର ଭଳି ନେତାଙ୍କୁ ଜନତା କ୍ଷମତା ଦେଇଥିଲେ ।
ଲାଲୁ ଯାଦବ ପ୍ରାରମ୍ଭିକ ଦିନକୁ ଛାଡିଦେଲେ ଜନତାଙ୍କ କ୍ଷମତାର ବ୍ୟବହାର ପରିବାରର ହିତରେ କରିବା ଆରମ୍ଭ କରିଦେଇଥିଲେ । ଏହାପରେ ଭରସା ନୀତିଶ କୁମାର ଥିଲେ, ଯିଏକି ୧୯୯୫ରେ ସମତା ଦଳ ଗଠନ ପରେ ନେତୃତ୍ୱ ସମ୍ଭାଳିଥିଲେ । ସେ କହିଛନ୍ତି ଯେ, ବିହାରର ଜନତା ସଙ୍କଟରେ ମଧ୍ୟ ନୀତିଶ କୁମାରଙ୍କୁ ଶକ୍ତି ଦେଇଥିଲେ । ୨୦୦୫ ପରେ କର୍ପୁରୀ ଠାକୁରଙ୍କ ବିରାସତ ତାଙ୍କ ପାଖକୁ ଆସିଯାଇଥିଲା । ସେ ନିଜ ଶାସନରେ ଏହାକୁ ବଢ଼ାଇବାର କାମ ବହୁତ ଭଲରେ କରିଥିଲେ । ସେ ବିହାରକୁ ଏକ ସୁଦୃଢ଼ ରାଜ୍ୟ କରିବା ଦିଗରେ ଅନେକ ଭଲ ପଦକ୍ଷେପ ନେଇଥିଲେ । ୨୦୨୦ ବିଧାନସଭା ନିର୍ବାଚନ ପରେ ଆମେ ତାଙ୍କ ସାଥିରେ ଆସିଥିଲୁ ।
ସେ ସମୟରେ ବିହାର ଜନତାଙ୍କ ଆଦେଶ ନୀତିଶ କୁମାର ଏବଂ ମୋତେ ମିଳିଥିଲା । ମୁଁ ସବୁକିଛି ଛାଡ଼ି ତାଙ୍କ ସାଥ ଦେଇଥିଲି, ହେଲେ ସେ ଜନତାଙ୍କ ହିତରେ କିଛି କରିନଥିଲେ । ସେ ଭୁଲ ବାଟରେ ଚାଲିଥିଲେ । ମେଣ୍ଟ ନେଇ ମଧ୍ୟ ଆମେ ସହମତି ଜଣାଇଥିଲୁ । ଆରଜେଡିର ନେତା ଏକ ଡିଲ କଥା କହିଥିଲେ । ନିଜେ ନୀତିଶ କୁମାର କହିବାକୁ ଲାଗିଥିଲେ ଯେ ବିହାର ପାଇଁ ଆଗାମୀ ଦାୟିତ୍ୱ ତେଜସ୍ୱୀ ଯାଦବଙ୍କୁ ଦେଉଛି । ଏବେ ତ ଆରଜେଡିର ଲୋକମାନେ କହୁଛନ୍ତି ଯେ ତେଜସ୍ୱୀ କେବେ ମୁଖ୍ୟମନ୍ତ୍ରୀ ହେବେ । ନୀତିଶ ପଡିଶା ଘରେ ନିଜର ଉତ୍ତରାଧିକାରୀ ଖୋଜୁଛନ୍ତି ବୋଲି କହିଛନ୍ତି ଉପେନ୍ଦ୍ର ।
ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ବାଲେଶ୍ୱର: ଆଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭବ । ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଆଜି ବାଲେଶ୍ବରରୁ ଋଷିକେଶ ଓ ହରିଦ୍ବାରକୁ ଯାଇଛନ୍ତି ୯୭୦ ଜଣ ବରିଷ୍ଠ ନାଗରିକ । ଏହି ତୀର୍ଥ ଯାତ୍ରୀ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଓ ଯାଜପୁର ଜିଲ୍ଲାରୁ ୯୭୦ ଜଣ ତୀର୍ଥଯାତ୍ରୀ ବାଲେଶ୍ବରରୁ ତୀର୍ଥରେ ଯାଇଛନ୍ତି । ସେମାନଙ୍କ ସହ ୩୦ ଜଣ ଗାଇଡ ମଧ୍ୟ ତୀର୍ଥଯାତ୍ରୀଙ୍କୁ ସହଯୋଗ କରିବାକୁ ଯାଇଛନ୍ତି । ବାଲେଶ୍ବର ଷ୍ଟେସନରେ ତ୍ରୀର୍ଥଯାତ୍ରୀଙ୍କୁ ସ୍ବାଗତ କରାଯାଇଥଇଲା । ତୀର୍ଥ ସମୟରେ କଣ କରିବେ, କଣ ନକରିବେ ସେନେଇ ବରିଷ୍ଠ ନାଗରିକଙ୍କୁ ସୂଚନା ଦିଆଯାଇଛି ।


