spot_img
Home Blog Page 3414

ଭିଜିଲାନ୍ସ ଜାଲରେ ହିନ୍ଦୋଳ ବ୍ଲକ ଶିକ୍ଷାଧିକାରୀ, ଏକକାଳୀନ ୩ଟି ସ୍ଥାନରେ ରେଡ୍

ହିନ୍ଦୋଳ: ଭିଜିଲାନ୍ସ ଜାଲରେ ହିନ୍ଦୋଳ ବ୍ଲକ ଶିକ୍ଷାଧିକାରୀ ଶାନ୍ତନୁ କୁମାର ମଲ୍ଲିକ । ହିନ୍ଦୋଳ ବ୍ଲକ ବ୍ରହ୍ମପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଅଦ୍ୱୈତ ସାମଲଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଛି ଭିଜିଲାନ୍ସ । ଏକକାଳୀନ ୩ଟି ଜାଗାରେ ଚଢ଼ାଉ କରିଛି ଭିଜିଲାନ୍ସ । ଭଦ୍ରକ ସ୍ଥିତି ଘର, ହିନ୍ଦୋଳ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଓ ଖଜୁରିଆକଟା ଭଡ଼ା ଘରେ ରେଡ୍ ହୋଇଛି । ମହଙ୍ଗା ଭତ୍ତା ଓ ମାସିକ ଦରମା ବୃଦ୍ଧି ପାଇଁ ଲାଞ୍ଚ ନେଉଥିଲେ ବିଇଓ । ବିଇଓଙ୍କ ପାଖରୁ ନଗଦ ୯୧ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ ।

କୋରିଅର କମ୍ପାନୀର ତ୍ରୁଟି ପାଇଁ ବିମାନରେ ବଦଳି ଗଲା ଶବ

କଟକ: ବିମାନରେ ବଦଳି ଗଲା ଶବ । କୋରିଅର କମ୍ପାନୀର ତ୍ରୁଟି ପାଇଁ ଆତ୍ମୀୟଙ୍କ ଶବ ସତ୍କାର କରିପାରିଲାନି ପରିବାର । କଟକ ଜିଲ୍ଲା ନେମାଳ କୁଆଁଡୋଲ ଗାଁରେ ଅଭାବନୀୟ ଘଟଣା । ଗ୍ରାମର ବିଳାସ ଭୁୟାଁ ମୁମ୍ବାଇର ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ । ୭ଦିନ ତଳେ ତାଙ୍କର ବ୍ରେନ୍ ଷ୍ଟ୍ରୋକ୍ ହେବା ଯୋଗୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ, ଏକ କୋରିଅର କମ୍ପାନୀ ପକ୍ଷରୁ ବିମାନରେ ବିଳାସଙ୍କ ମୃତଦେହ ଓଡ଼ିଶା ଆସିଥିଲା । ସେହି ବିମାନରେ ରାଜସ୍ଥାନ ଜୟପୁରର ଅନ୍ୟ ଜଣେ ବ୍ୟକ୍ତିଙ୍କର ଶବ ଯାଉଥିବା ବେଳେ କୋରିଆର କମ୍ପାନୀର ତ୍ରୁଟି ଯୋଗୁ ବିମାନରେ ହିଁ ଶବ ଅଦଳବଦଳ ହୋଇଯାଇଥିଲା । ନେମାଳରେ ଶବ ବାକ୍ସ ପହଞ୍ଚିବା ପରେ ମୃତଦେହ ଫୁଲି ଯାଇଥିବାରୁ ପରିବାର ଲୋକ ଚିହ୍ନି ନପାରି ଶେଷସଂସ୍କାର କରାଇ ଦେଇଥିଲେ ।

ମାତ୍ର ରାଜସ୍ଥାନ ଯାଇଥିବା ଶବ ତାଙ୍କର ନୁହେଁ ବୋଲି ଜାଣିବା ସହ ପରିବାର ଲୋକେ କୋରିଆର କମ୍ପାନୀ ସହ ଯୋଗାଯୋଗ କରିଥିଲେ । ଯାଞ୍ଚ ପରେ ବିମାନରେ ଶବ ବଦଳି ଯାଇଥିବା ଘଟଣା ସାମ୍ନାକୁ ଆସିଥିଲା । ନେମାଳ ଆସିଥିବା ଶବ ଜୟପୁରର ଓ ଜୟପୁର ଯାଇଥିବା ନେମାଳର ବିଳାସଙ୍କର ବୋଲି ଜଣାପଡ଼ିଥିଲା । ଜୟପୁର ପରିବାର ନେମାଳକୁ ଶବ ଫେରାଇବାକୁ ବନ୍ଦୋବସ୍ତ କରୁଥିବା ବେଳେ ବିଳାସଙ୍କ ପରିବାର ରଖିଥିବା ଚିତାଭସ୍ମ ସେମାନଙ୍କୁ ଦେବେ ବୋଲି ଜଣାପଡ଼ିଛି । ଘଟଣା ସମ୍ପର୍କରେ ବିଳାସଙ୍କ ପରିବାର ପକ୍ଷରୁ ସୂଚନା ମିଳି ନଥିବା ବେଳେ ଆସନ୍ତାକାଲି ବିଳାସଙ୍କ ମୃତଦେହ ନେମାଳରେ ପହଞ୍ଚିବ ବୋଲି ଜଣାପଡ଼ିଛି ।

ଆଜିଠୁ ପାରାଦୀପରେ ଆରମ୍ଭ ହୋଇଛି ଦୁଇଦିନିଆ ମିଳିତ ସମରାଭ୍ୟାସ ’ସାଗର କବଚ-୨୦୨୩’

ପାରାଦୀପ: ଜଳପଥରେ କେମିତି ଶତ୍ରୁଙ୍କୁ ଦିଆଯିବ ମାତ୍ । ଶତ୍ରୁ ପକ୍ଷ ଆକ୍ରମଣ କଲେ କ’ଣ ରହିବ ରଣକୌଶଳ । ଏଥିପାଇଁ ଆଜିଠୁ ପାରାଦୀପରେ ଆରମ୍ଭ ହୋଇଛି ଦୁଇଦିନିଆ ମିଳିତ ସମରାଭ୍ୟାସ ସାଗର କବଚ-୨୦୨୩ । ସକାଳ ୬ଟାରୁ ସମାରାଭ୍ୟାସ ଆରମ୍ଭ ହୋଇଥିବାବେଳେ ଏଥିରେ ୧୮ଟି ବିଭାଗ ସାମିଲ ହୋଇଛନ୍ତି  ୨୬-୧୧ ମୁମ୍ବାଇ ଆକ୍ରମଣ ଘଟଣା ପରେ ଉପକୂଳବର୍ତ୍ତୀ ଅଞ୍ଚଳର ସୁରକ୍ଷା ପାଇଁ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷାକରି ପ୍ରତି ବର୍ଷ ଏହି ମିଳିତ ସମରାଭ୍ୟାସ କରାଯାଉଛି । ଏଥିରେ ଭାରତୀୟ ନୌସେନା, କୋଷ୍ଟଗାର୍ଡ, ମେରାଇନ ପୋଲିସ, ମତ୍ସ୍ୟ ବିଭାଗ, କଷ୍ଟମ ବିଭାଗ, ପାରାଦୀପ ବନ୍ଦର, ବନ ବିଭାଗ, ଅଗ୍ନିଶମ ବିଭାଗ, ସିଆଇଏସଏଫ, ଇଣ୍ଟେଲିଜେନ୍ସ , ଓଡ଼ିଶା ପୋଲିସ ସମେତ ୧୮ରୁ ଉର୍ଦ୍ଧ୍ବ ବିଭାଗ ସାମିଲ ହୋଇଛନ୍ତି ।

ବିଭିନ୍ନ ବିଭାଗର କର୍ମଚାରୀମାନଙ୍କୁ ନେଇ ରେଡ୍ ଟିମ୍ ସମୁଦ୍ର ଜଳପଥ ଦେଇ ସ୍ଥଳ ଭାଗକୁ ପ୍ରବେଶ କରି ବିଭିନ୍ନ ଜନଗହଳି ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଆକ୍ରମଣ କରିବା ପାଇଁ ପ୍ରୟାସ କରିବେ ଏବଂ ବ୍ଲୁ ଟିମ୍ ସେମାନଙ୍କୁ ଧରିବା ପାଇଁ ପ୍ରୟାସ କରିବେ । ଏହାଦ୍ବାରା ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରାଯିବା ସହିତ ବାହ୍ୟ ଶତ୍ରୁଙ୍କ ମୁକାବିଲା କରିବା ପାଇଁ ଏହା ସହାୟକ ହେବ । କାଲି ସନ୍ଧ୍ୟା ୭ ଟାରେ ସମରାଭ୍ୟାସ ଶେଷ ହେବ ।

ଆଜି ବିଶ୍ବ ଛେନାପୋଡ଼ ଦିବସ, ନୟାଗଡ଼ରୁ ରାଜଧାନୀ ପର୍ଯ୍ୟନ୍ତ ସବୁଠି ବ୍ୟାପକ ବ୍ୟବସ୍ଥା

ଭୁବନେଶ୍ୱର: ଆଜି ବିଶ୍ବ ଛେନାପୋଡ଼ ଦିବସ । ପ୍ରଥମେ ଛେନାପୋଡ଼ ପ୍ରସ୍ତୁତ କରିଥିବା ସ୍ବର୍ଗତ ସୁଦର୍ଶନ ସାହୁଙ୍କ ଜନ୍ମ ଦିବସକୁ ବିଶ୍ବ ଛେନାପୋଡ଼ ଦିବସ ଭାବେ ପାଳନ କରାଯାଉଛି । ଛେନାପୋଡ଼ । ନିଆରା ସ୍ବାଦ, ନିଆରା ଆହ୍ଲାଦ । ଏହାର  ନାଁ ଶୁଣିଲେ ପାଟିରେ ଆପେ ଆପେ ଲାଳ ଓ ମନରେ ଲୋଭ ଆସିଯାଏ । ସବୁଠି, ସମସ୍ତଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ନେଇଛି ନୟାଗଡ଼ ଛେନାପୋଡ଼ । ଏହାକୁ ଆହୁରି ପରିଚିତ କରାଇବାକୁ ରସଗୋଲା ଓ ପଖାଳ ପରି ବିଶ୍ବ ଛେନାପୋଡ଼ ଦିବସ ପାଳନ କରାଯାଉଛି ।

ନୟାଗଡ଼ରୁ ରାଜଧାନୀ ପର୍ଯ୍ୟନ୍ତ ଛେନାପୋଡ଼ ଦିବସ ପାଳନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଇଣ୍ଟର ନ୍ୟାସନାଲ ସେମିନାର ଅନ ସୁଇଟସ୍ ଓ ନମକିନସରେ ଛେନାପୋଡ଼ର ଗଢଣ ଶୈଳୀକୁ ଖୁବ ପ୍ରଂଶସା କରାଯାଇଛି । କେବଳ ଓଡ଼ିଶା ହିଁ ଏହାର ଆଦ୍ୟସ୍ଥଳୀ । ଯାହାର ପ୍ରମାଣ ମଧ୍ୟ ରହିଛି । ଏଣୁ ରସଗୋଲା ପରି ଛେନାପୋଡ଼କୁ ଜିଆଇ ଟ୍ୟାଗ୍ ଦେବାକୁ ଦାବି ହୋଇଛି ।

ଚାକିରି ଲାଗି ଜମି ଦୁର୍ନୀତି ମାମଲା, ଆଜି ତେଜସ୍ବୀ ଯାଦବଙ୍କୁ ଜେରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ପାଟନା: ଚାକିରି ଲାଗି ଜମି ଦୁର୍ନୀତି ମାମଲା । ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ଆଜି ଜେରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏନେଇ ତେଜସ୍ବୀଙ୍କୁ ଜାରି ହୋଇଛି ସମନ । କିଛି ଦିନ ତଳେ ପାଟନା, ମୁମ୍ବାଇ, ଦିଲ୍ଲୀ, ରାଞ୍ଚିର ୨୪ଟି ସ୍ଥାନରେ କରାଯାଇଥିବା ରେଡରୁ ମିଳିଥିଲା ବିପୁଳ ଟଙ୍କା, ସୁନା ଓ ଦସ୍ତାବିଜ । ପୂର୍ବରୁ ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଓ ପତ୍ନୀ ରାବଡି ଦେବୀଙ୍କୁ ବି ପଚରାଉଚରା କରିଥିଲା ସିବିଆଇ ।

ବହୁଚର୍ଚ୍ଚିତ ଏହି ମାମଲାରେ ଲାଲୁ ପ୍ରସାଦ, ରାବଡି ଦେବୀ, ଦୁଇ କନ୍ୟା ମିସା ଭାରତୀ ଓ ଅନ୍ୟମାନଙ୍କ ନାମ ରହିଛି । ସିବିଆଇର ଅଭିଯୋଗ କ୍ରମେ ୨୦୦୪ରୁ ୨୦୦୯ ଲାଲୁ ପ୍ରସାଦ ଯାଦବ ରେଳମନ୍ତ୍ରୀ ଥିବାବେଳେ ଏହି ଦୁର୍ନୀତି ଘଟିଥିଲା । ଏନେଇ ଗତ ମେ ୨୦୨୨ରେ ମାମଲା ରୁଜୁ ହୋଇଥିଲା । ଜମି ବଦଳରେ ୧୨ ଜଣଙ୍କୁ ରେଳବାଇରେ ଚାକିରି ଦିଆଯାଇଥିବା ନେଇ ଅଭିଯୋଗ ହୋଇଥିଲା । ଏହି ମାମଲାରେ ଲାଲୁଙ୍କ ପୂର୍ବତନ ଓଏସଡି ଭୋଲା ଯାଦବଙ୍କୁ ସିବିଆଇ ଗିରଫ କରିସାରିଛି ।

ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଓ୍ବାୟନାଡ ଗସ୍ତ, କର୍ମୀଙ୍କ ସମାବେଶରେ ଦେବେ ଉଦବୋଧନ

ଓ୍ୱାୟନାଡ଼: ଆଜି ଓ୍ୱାୟନାଡ ଯିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ମୋଦି ସରନେମ ମାମଲାରେ ସାଂସଦ ସଦସ୍ୟତା ରଦ୍ଦ ପରେ ଓ୍ୱାୟନାଡ଼ ଗସ୍ତରେ ପ୍ରଥମ ଥର ପାଇଁ ଯିବେ ରାହୁଲ ।  ଓ୍ବାୟନାଡର ପୂର୍ବତନ ସାଂସଦଙ୍କୁ ଭରପୂର ସ୍ବାଗତ କରିବା ଲାଗି ଜୋରଦାର ପ୍ରସ୍ତୁତି କରାଯାଇଛି । ରାହୁଲଙ୍କୁ ସ୍ବାଗତ କରିବା ଲାଗି କଂଗ୍ରେସ, ଆଇୟୁଏମଏଲ, କେରଳ କଂଗ୍ରେସ, କେସି-ଜେ, ଏନସିକେ ଆଦି ଦଳ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି । ଓ୍ବାୟନାଡ ଅନ୍ତର୍ଗତ କାଲପେଟ୍ଟାରେ ସ୍ବାଗତ ସମ୍ବର୍ଦ୍ଧନା ଅବସରରେ ଏକ ସାଧାରଣ ସଭା ଓ ରୋଡ ସୋ’ର ଆୟୋଜନ କରାଯାଇଛି । ସାଧାରଣ ସଭା ଓ ରୋଡ ସୋ’ର ନେତୃତ୍ବ ନେବେ କେରଳ କଂଗ୍ରେସ ସଭାପତି କେ. ସୁଧାକରନ ।

ଏହି ସମାବେଶରେ ବହୁ ଏଆଇସିସି ସଦସ୍ୟ ଓ ରାଜ୍ୟସ୍ତରୀୟ ନେତା ଯୋଗ ଦେବେ । ସାଧାରଣ ସଭାରେ ଓ୍ବାୟନାଡ, କୋଝିକୋଡ, ମାଲାପୁରମ, ପଲକଡ, କାନ୍ନୁର ଓ କାସରଗୋଡ ଜିଲ୍ଲାର ହଜାର ହଜାର କର୍ମୀ ଯୋଗ ଦେବେ । ତେଣେ ରାହୁଲଙ୍କ ଦ୍ବାରା ଲେଖାଯାଇଥିବା ଏକ ଚିଠିକୁ ସାରା ଲୋକସଭା ନିର୍ବାଚନ ମଣ୍ଡଳୀରେ ଘରକୁ ଘର ବଣ୍ଟାଯାଉଥିବା ସୂଚନା ମିଳିଛି । କାହିଁକି ତାଙ୍କର ସଦସ୍ୟତା ଲୋପ ହେଲା, ସଂସଦରେ କ’ଣ ରହିଥିଲା ତାଙ୍କ ସଂଘର୍ଷ, କେନ୍ଦ୍ରର ମନମୁଖି ନୀତି ଆଦି ସମ୍ପର୍କରେ ଚିଠିରେ କରାଯାଇଛି ଉଲ୍ଲେଖ । ବିଜେପି ଓ ଆରଏସଏସ ବିରୋଧରେ ତାଙ୍କ ସଂଗ୍ରାମ ଜାରି ରହିବ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ରାହୁଲ ।

ରାଜ୍ୟରେ ଆରମ୍ଭ ହେଲା ସକାଳୁଆ ସ୍କୁଲ, ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ମର୍ଣ୍ଣିଂ କ୍ଲାସ୍

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଛି ଗ୍ରୀଷ୍ମ ପ୍ରବାହ। ଏହାକୁ ଦୃଷ୍ଟିରେ ରଖି ଆଜିଠୁ ଆରମ୍ଭ ହୋଇଛି ସକାଳୁଆ ସ୍କୁଲ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କର ସକାଳୁଆ କ୍ଲାସ୍ ଆରମ୍ଭ ହୋଇଛି । ଉଭୟ ସରକାରୀ ଓ ଘରୋଇ ସ୍କୁଲରେ ସକାଳ ୭ରୁ ୧୧ଟା ୩୦ ଯାଏ ହେଉଛି ମର୍ଣ୍ଣିଂ କ୍ଲାସ୍ । ସ୍କୁଲରେ ଖରା ଦିନ ପାଇଁ ପଦକ୍ଷେପ ନିଆଯାଇଛି । ପାନୀୟ ଜଳ ସହ ORS, ଫ୍ୟାନ ବ୍ୟବସ୍ଥା କରାଯିବ ।

ହିଟଓ୍ବେଭ୍ ହେଲେ ପଦକ୍ଷେପ ନିଆଯିବ ବୋଲି ପ୍ରାଥମିକ ଶିକ୍ଷା ବିଭାଗ ନିର୍ଦ୍ଦେଶକ କହିଛନ୍ତି। ଖରା ବଢ଼ିଲେ କ୍ଲାସ୍ ସମୟ କମାଇବାର ନିଷ୍ପତ୍ତି ନେବେ ଜିଲ୍ଲାପାଳ । ସେହିପରି ପ୍ଲେ-ସ୍କୁଲ ସମୟ କମାଇବାକୁ ନିବେଦନ କରିଛନ୍ତି ଅଭିଭାବକ । ସେପଟେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କ୍ୟାଲେଣ୍ଡର ପ୍ରକାଶ ପାଇଛି । ମେ ୫ରୁ ଜୁନ୍ ୧୭ ଯାଏଁ ପିଲାଙ୍କ ଖରାଛୁଟି ରହିଛି।

ରାଜ୍ୟରେ ଅସମ୍ଭାଳ ତାତି, ୪୦ ଡିଗ୍ରୀ ଉପରେ ଏକାଧିକ ସହର

ଭୁବନେଶ୍ୱର: ରାଜ୍ୟରେ ଅସମ୍ଭାଳ ତାତି । ଆକାଶରୁ ବର୍ଷୁଛି ନିଆଁ । ଉପାନ୍ତରୁ ଉପକୂଳ ସବୁଠି ଉପରମୁହାଁ ପାରଦ । ଆଜିଠୁ ଆହୁରି ବଢ଼ିବ ତାପମାତ୍ରା । ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରୁ ଓଡ଼ିଶାକୁ ଗରମ ଏବଂ ଶୁଷ୍କ ବାୟୁ ପ୍ରବାହ ବଢ଼ିଛି। ଫଳରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ତାତି ବଢ଼ିଛି । ଆସନ୍ତା ୭ ଦିନ ଯାଏ ଅଧିକାଂଶ ଜିଲ୍ଲାକୁ ଅରେଞ୍ଜ ଏବଂ କିଛି ଜିଲ୍ଲାକୁ ରେଡ୍ ମାର୍କ ଜାରି କରିଛି ପାଣିପାଗ କେନ୍ଦ୍ର । ବଲାଙ୍ଗୀର, ଟିଟିଲାଗଡ଼, ସୋନପୁର, ବୌଦ୍ଧ, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ ଜିଲ୍ଲାକୁ ରେଡ୍ ମାର୍କ ଜାରି କରାଯାଇଛି ।

ଭୁବନେଶ୍ବର ସମେତ ଝାରସୁଗୁଡ଼ା, ବାରିପଦା, ସମ୍ବଲପୁର, ଚାନ୍ଦବାଲି, ହୀରାକୁଦ, ବାଲେଶ୍ବର, କେନ୍ଦୁଝର ଭଳି ସହରରେ ସ୍ବାଭାବିକ ଠାରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିଛି । ଆସନ୍ତା ୧୪ରୁ ୨୦ ତାରିଖ ମଧ୍ୟରେ ସ୍ବାଭାବିକଠାରୁ ୪ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ ବୋଲି ପାଣିପାଗ ବିଜ୍ଞାନୀ ଆକଳନ କରିଛନ୍ତି । ଏପ୍ରିଲ ୧୫ ତାରିଖରୁ ମେ ମାସ ଶେଷ ପର୍ଯ୍ୟନ୍ତ ଅହେତୁକ ଭାବେ ତାପମାତ୍ରା ବୃଦ୍ଧି ହେବ । ଗତକାଲି ୪୦.୪ ଡିଗ୍ରୀ ସହିତ ଝାରସୁଗୁଡ଼ା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଥିଲା ।

ବିମାନ ଭିତରେ ଫଣା ଟେକି ଝୁଲୁଛି ସାପ 

ବିମାନ ଭିତରେ ନାଗସାପ  । ପାଇଲଟ ମୁଣ୍ଡ ଉପରେ ଫଣା ଟେକି ଝୁଲୁଛି ସାପ  । ମଝି ଆକାଶରେ ବିଚଳିତ କଲା ନାଗ ସାପ ।   ଆମେରିକାର ୱୋରସେଷ୍ଟରରୁ ନେଲସପୁଟକୁ ସୋମବାର ଉଡାଣ ଭରିଥିବା କ୍ଷୁଦ୍ର ଏୟାରକାର୍ଫ୍ଟର କକପିଟରେ ଦେଖିବାକୁ ମିଳିଥିଲା ନାଗସାପ । ନାଗସାପ ବାହାରିବା ପରେ ପାଇଲଟ ସତକର୍ତାର ସହ ବିମାନ ଅବତରଣ କରିଥିଲେ  । ଆଉ ମଝିଆକାଶରେ ସାପକୁ ନେଇ ବିଚଳିତ ହୋଇପଡିଥିବା କର୍ମଚାରୀଙ୍କ ମଧ୍ୟରେ ସମୟଉପଯୋଗୀ ବୁଦ୍ଧି ଖଟାଇ  ଚର୍ଚ୍ଚାକୁ ଆସିଛନ୍ତି ପାଇଲଟ ।

ଦକ୍ଷିଣ ଆଫ୍ରିକୀୟ ପାଇଲଟ ରୁଡୋଲ୍ଟ ଇରାସମସଙ୍କୁ ନିଜ ବୁଦ୍ଧିମତା ପାଇଁ ଲୋକେ ପ୍ରଶଂସା କରିବାରେ ଲାଗିଛନ୍ତି  । ବିମାନରେ ମୋଟ ୪ ଜଣ  ଯାତ୍ରୀ ଥିବାବେଳେ ପାଇଲଟ ପଛ ପାଖ ସିଟରେ କେପ୍ କୋବ୍ରା ଦେଖିଥିଲେ  । ସାପର ଆକ୍ରାମଣାତ୍ମକ ରୂପ ଦେଖି  ବିମାନରେ ଆତଙ୍କ ଖେଳିଯାଇଥିଲା  । ସେପଟେ ପାଇଲଟ ଜଣଙ୍କ ବିଚଳିତ ନହୋଇ ସଠିକ ବୃଦ୍ଧି ପ୍ରୟୋଗ କରିଥିଲେ  । ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ପାଇଲଟ ବିମାନର ଜରୁରୀ ଅବତରଣ କରିଥିଲେ  ।

ସୂଚନା ମୁତାବକ ରବିବାର ମଧ୍ୟାହ୍ନରେ ୱେରସେଷ୍ଟର ଏୟାର ଫିଲ୍ଡରେ ବିମାନ ୱିଙ୍ଗତଳେ ବିମାନ କର୍ତ୍ତୁପକ୍ଷ ସାପଟିକୁ ଦେଖିଥିଲେ  । ସାପକୁ ଧରିବା ପାଉଁ ଚେଷ୍ଟା କରିବା ପରେ ସେ ଇଞ୍ଜିନ କାଓଲିଙ୍ଗରେ ପଶିଯାଇଥିଲା  । କର୍ତ୍ତୁପକ୍ଷ ଇଞ୍ଜିନ କାଓଲିଙ୍ଗ ଖୋଲି ଦେକିବା ପରେ ସାପ ସେଠାରେ ମିଳି ନଥିଲା  । ସୋମବାର ବିମାନଟି ଜରୁରୀ ଅବତରଣ କରିବା ପରେ ମଧ୍ୟ ବିମାନ କର୍ତ୍ତୁପକ୍ଷ ସାପଟିକୁ ଖୋଜିଥିଲେ  । କିନ୍ତୁ ସାପଟି ମିଳିନଥିଲା  । ସେପଟେ ବିମାନରେ କିପରି ସାପ ପଶିଲା, ତାକୁ ନେଇ ତନାଘନା ଆରମ୍ଭ ହୋଇଛି  । ବିମାନ ବନ୍ଦରରୁ ସାପଟି ବିମାନରେ ପଶିଥିବା କଥା ଅନୁମାନ କରାଯାଉଛି  । ଯେହେତୁ ବିମାନ ବନ୍ଦରରେ ଅଧିକାଂଶ ବୁଦି ବୁଦିକିଆ ଗଛ ରହିଛି, ତେଣୁ ସାପ ଏହି ଅଞ୍ଚଳରେ ଆଗରୁ ଦେଖିବାକୁ ମିଳିଥାଏ  ।

ମଧୁ ସ୍ମୃତି ପୀଠର ଉନ୍ନତିକରଣ ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ

କଟକ: ସତ୍ୟଭାମାପୁର ମଧୁ ସ୍ମୃତି ପୀଠର ଉନ୍ନତିକରଣ ପାଇଁ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ଆରଡିସି ସୁରେଶ ଚନ୍ଦ୍ର ଦଳେଇ, ସିଡିଏ ଅଧ୍ୟକ୍ଷ ଅନୀଲ ସାମଲ, ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ ଓ ଅନ୍ୟ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ ।

ମୁଖ୍ୟତଃ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କଲାଭଳି ଏକ ସୁବିଧା କେନ୍ଦ୍ର, ରାସ୍ତାର ପ୍ରଶସ୍ତିକରଣ, ପୀଠ ଭିତରେ ବ୍ୟାଟରୀ ଚାଳିତ ଯାନ, ଗାଡି ରହଣୀସ୍ଥଳ, ବିକାଶ ଓ ସୌନ୍ଦର୍ଯ୍ୟକରଣ ଉପରେ ଗୁରୁତ୍ୱ ଦିଆଯାଇ ଆଲୋଚନା କରାଯାଇଥିଲା ।