ମୁଦି ନୁହେଁ ତ ଯେମିତି ହୀରା ଦୋକାନ, ଲାଗିଛି ୫୦ ହଜାର ହୀରା

ମୁମ୍ବାଇ: ଆପଣ ହୀରାର ହାତ ମୁଦି ପିନ୍ଧିଥିବେ । ସାଧାରଣତଃ ଲୋକେ ଗୋଟିଏ ହୀରା ଲାଗିଥିବା ମୁଦି ଆଙ୍ଗୁଠିରେ ପିନ୍ଧିଥାନ୍ତି । କିନ୍ତୁ ଆପଣ କେବେ ୫୦ ହଜାର ହୀରା ଲାଗିଥିବା ମୁଦି ଦେଖିଛନ୍ତି କି? ମୁମ୍ବାଇରେ ଏକ ହୀରା ଦୋକାନୀ ଏପରି ଏକ ମୁଦି ତିଆରି କରି ଗିନିଜ ଓ୍ବାଲ୍ଡ ରେକର୍ଡ କରିଛନ୍ତି । ଏହି ମୁଦି ଦେଖିଲେ ଆପଣ ବିଶ୍ବାସ ବି କରିବେନି ଯେ, ଏଥିରେ ୫୦ ହଜାର ହୀରା ଲାଗିଛି ।

ଗିନିଜ ଓ୍ବାଲ୍ଡ ରେକର୍ଡ ଅନୁସାରେ ଏହି ହୀରା ମୁଦି ତିଆରି କରିଥିବା ହରେ କୃଷ୍ଣ ରପ୍ତାନୀ ଏବଂ ଏଚ କେ ଡିଜାଇନ ନାମକ କମ୍ପାନୀକୁ ସମ୍ମାନୀତ କରିଛନ୍ତି । ଏହି ମୁଦିରେ ୫୦ ହଜାର ୯୦୭ ଖଣ୍ଡ ହୀରା ଖଞ୍ଜା ଯାଇଛି । ଗୋଟିଏ ମୁଦିରେ ଏତେ ହୀରା ଲଗାଇଥିବାରୁ ଏହି କମ୍ପାନୀ ପୁରସ୍କୃତ ହୋଇଛି ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହା ସମ୍ପୂର୍ଣ୍ଣ ରିସାଇକେଲ ମ୍ୟାଟେରିଆଲରୁ ତିଆରି ହୋଇଛି । ଏଥିରେ ଗ୍ରାହକଙ୍କଠାରୁ ମିଳିଥିବା ହୀରା ସହ ସୁନା ବି ଖଞ୍ଜା ଯାଇଛି । ଏହି ମୁଦିରେ ୮ ଟି ଭାଗ ରହିଛି । ୪ ପରସ୍ତ କରି ପାଖୁଡ଼ା ଲଗାଯାଇଛି । ଏବଂ ହୀରାରେ ତିଆରି ହୋଇଥିବା ପ୍ରଜାପତି ବି ଏଥିରେ ଲଗାଯାଇଛି । ଏହାର ମୂଲ୍ୟ ରହିଛି ୭୮୫, ୬୪୫ ଡଲାର ମାନେ ଭାରତୀୟ ମୁଦ୍ରାରେ ଏହା ୬.୪ କୋଟି ଟଙ୍କା । ଏହି ମୁଦି ତିଆରି କରିବାପାଇଁ କାରୀଗରଙ୍କୁ ୯ ମାସ ସମୟ ଲାଗିଥିଲା ।