ଦୁର୍ଗ ବଞ୍ଚାଇବାକୁ ବିଜେପିର ଚେଷ୍ଟା ଜାରି, ସରକାରକୁ ଫେରିବାକୁ ଲଢ଼େଇ କରୁଛି କଂଗ୍ରେସ

ନୂଆଦିଲ୍ଲୀ: ମିଶନ ସାଉଥ, ମୋର୍ଚ୍ଚା ସମ୍ଭାଳୁଛନ୍ତି ତୁଙ୍ଗ ନେତା । ଦକ୍ଷିଣ ଭାରତର ଏକମାତ୍ର ଦୁର୍ଗ ବଞ୍ଚାଇବାକୁ ବିଜେପିର ଚେଷ୍ଟା ଜାରି ରହିଥିବା ବେଳେ ସରକାରକୁ ଫେରିବାକୁ ଲଢ଼େଇ କରୁଛି କଂଗ୍ରେସ । ଷ୍ଟାର ପ୍ରଚାରକଙ୍କ ଘନ ଘନ ରାଲି, ଜନସଭାରେ କମ୍ପୁଛି ପ୍ରଚାର ମୈଦାନ । କଂଗ୍ରେସ ପାଇଁ ପ୍ରିୟଙ୍କା ଗାନ୍ଧୀ ମାରାଥନ ପ୍ରଚାର ଚଳାଇଛନ୍ତି । ପୂର୍ବରୁ ରାହୁଲ ଗାନ୍ଧୀ ତିନି ଦିନ ଧରି କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିବା ବେଳେ ପ୍ରିୟଙ୍କା ଏବେ ମୋର୍ଚ୍ଚା ସମ୍ଭାଳିଛନ୍ତି ।

ଦରଦାମ ବୃଦ୍ଧି, ବେରୋଜଗାରୀ, ରିଜରଭେସନ ଓ କଣ୍ଟ୍ରାକ୍ଟରଙ୍କଠାରୁ ୪୦ ପରସେଣ୍ଟ ଆଦାୟକୁ ନେଇ ବିଜେପି ସରକାରକୁ କଂଗ୍ରେସ ଟାର୍ଗେଟ କରିଛି । ବିଜେପି ନେତାମାନେ ଭିକ୍ଟିମ କାର୍ଡ ଖେଳୁଛନ୍ତି ବୋଲି କହି ଦଳର ଶୀର୍ଷସ୍ତରର ନେତାଙ୍କୁ ଟାର୍ଗେଟ କରିଛନ୍ତି ପ୍ରିୟଙ୍କା ଗାନ୍ଧୀ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ବରିଷ୍ଠ ନେତା ରଣଦୀପ ସୁରଜେଓ୍ବାଲା, କେସି ବେଣୁଗୋପାଳ ପ୍ରମୁଖଙ୍କ ହାଇଭୋଲଟେଜ ପ୍ରଚାର ଜାରି ରହିଛି ।

ସେପଟେ ଜେଡିଏସ ମଧ୍ୟ କିଙ୍ଗ ମେକର ହେବା ଲକ୍ଷ୍ୟରେ ଦଳର ଶୀର୍ଷସ୍ତରର ନେତାଙ୍କୁ ନେଇ ପ୍ରଚାର ମଇଦାନକୁ ଓହ୍ଲାଇଛି । ଆଜି ଜେଡିଏସ ପ୍ରାର୍ଥୀଙ୍କ ପାଇଁ ଦକ୍ଷିଣ କନ୍ନଡ ଜିଲ୍ଲାରେ ପ୍ରଚାର କରିବେ ବରିଷ୍ଠ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡ଼ା । ମାଙ୍ଗାଲୁରୁରେ ମଧ୍ୟ ସେ ମାରାଥନ ରାଲି କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ଏହାସହ ଏକାଧିକ ଜନସଭାରେ ମଧ୍ୟ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ସେପଟେ ବିଜେପି ମଧ୍ୟ ଷ୍ଟାର ପ୍ରଚାରକଙ୍କୁ ଧରି ଜୋରଦାର ପ୍ରଚାର ଚଳାଇଥିବା ବେଳେ ଆଜି ଦଳ ପକ୍ଷରୁ ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି ।