spot_img
Home Blog Page 3404

୭୫ତମ ରାଜଧାନୀ ପ୍ରତିଷ୍ଠା ଦିବସ ଉପଲକ୍ଷେ ସ୍ୱତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ୭୫ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ହୋଇଛି ସ୍ୱତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀ । ଏହି ଫଟୋଚିତ୍ର ପ୍ରଦର୍ଶନୀ  ରାଜଧାନୀର ଗୌରବମୟ ଅତୀତ ଓ ବର୍ତ୍ତମାନକୁ ଏକତ୍ରିତ କରି ଭୁବନେଶ୍ୱରର ପ୍ରାଚୀନ ଐତିହ୍ୟ, ପ୍ରତିଷ୍ଠା, କ୍ରମବିକାଶ ଓ ସମୃଦ୍ଧିର ବାର୍ତ୍ତାବହନ କରିଛି । ମନ୍ଦିରମାଳିନୀ ଭୁବନେଶ୍ୱର ଆଜି ଭାରତର ଏକ ଅତ୍ୟାଧୁନିକ ସହରରେ ପରିଣତ ହୋଇଛି । ଦୀର୍ଘ ୭୫ ବର୍ଷର ଇତିହାସକୁ ଏହି ପ୍ରଦର୍ଶନୀରେ ଯେଉଁଭଳି ସାବଲୀଳ ଢଙ୍ଗରେ ସ୍ଥାନିତ କରାଯାଇଛି । ତାହା ବାସ୍ତବରେ ପ୍ରଶଂସନୀୟ ବୋଲି କହିଛନ୍ତି ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ । ଆଜି ପୂର୍ବାହ୍ନରେ ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ସ୍ୱତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀକୁ ମନ୍ତ୍ରୀ ପ୍ରଦୀପ ଅମାତ ଉଦଘାଟନ କରିବା ସହ ଏହାକୁ ବୁଲି ଦେଖିଥିଲେ । ଏହି ସ୍ୱତନ୍ତ୍ର ଓ ସୁନ୍ର ପ୍ରଦର୍ଶନୀଟି ଆଜିଠାରୁ ୧୫ ତାରିଖ ପର୍ଯ୍ୟନ୍ତ ପୂର୍ବାହ୍ନ ୧୧ ଘଟିକାରୁ ରାତି ୯ ଘଟିକା ଯାଏଁ ସର୍ବସାଧାରଣଙ୍କ ପାଇଁ ଖୋଲାରହିବ ।

ଟ୍ୱିଟର ବିକିବେ ଏଲନ୍ ମସ୍କ! ଖୋଜୁଛନ୍ତି ଉପଯୁକ୍ତ କ୍ରେତା

ନୂଆଦିଲ୍ଲୀ: ଟ୍ୱିଟର କିଣିବା ପରେ କେତେ ଖୁସି ଏଲନ ମସ୍କ। ହେଲେ ତାଙ୍କର ସାକ୍ଷାତକାରରୁ ଲାଗୁଛି ମାଇକ୍ରୋବ୍ଲଗଗିଂ ସାଇଟ୍‌ ଟ୍ଵିଟର କିଣିବା ପରେ ପଶ୍ଚାତାପ କରୁଛନ୍ତି ବିଶ୍ଵର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ ।

ରିପୋର୍ଟ ଅନୁଯାୟୀ, ଏହି ସୋସିଆଲ୍ ମିଡିଆ ସାଇଟକୁ  ଅଧିଗ୍ରହଣ ପରେ ପରିଚାଳନା କରିବା ମସ୍କଙ୍କ ପାଇଁ ବେଶ କଷ୍ଟକର ହୋଇପଡିଲାଣି। କାରଣ ଏକ ଗଣମାଧ୍ୟମରେ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି, ଟ୍ୱିଟର କିଣିବା କୌଣସି ପାର୍ଟି ଭଳି କିମ୍ବା ଖୁସି କଲା ଭଳି କଥା ନୁହେଁ। ଯଦିଓ ଟ୍ୱିଟର ବୋରିଂ ନୁହେଁ । କିନ୍ତୁ ଏହା ଏକ  ରୋଲକୋଷ୍ଟର ରାଇଡ ଭଳି । ବିଗତ କିଛି ମାସ ହେବ ଚିନ୍ତାରେ ରହୁଛି । ଉପଯୁକ୍ତ ଲୋକ ମିଳିଲେ ଟ୍ଵିଟରକୁ ବିକ୍ରି କରିଦେବି ।

ମୁଁ ଟ୍ୱିଟର କିଣିବାକୁ ଚାହୁଁନଥିଲି ବରଂ ଏହାର ସେୟାର କିଣିବାକୁ ଚାହୁଁଥିଲି । କିନ୍ତୁ ପରେ ଟ୍ୱିଟର କିଣିବାକୁ ବାଧ୍ୟ ହେଲି । ଗୋଟେ ସମୟ ଥିଲା ଟ୍ୱିଟର କିଣିବାକୁ ପଛଘୁଞ୍ଚା ଦେଇଥିଲି  ହେଲେ ଟ୍ୱିଟର ପକ୍ଷରୁ ମୋତେ କାଠଗଡ଼ାରେ ଠିଆ କରାଇବା ନେଇ ଧମକ ଦିଆଯାଇଥିଲା । ପରବର୍ତ୍ତୀ ସମୟରେ ବାଧ୍ୟ ହୋଇ ଡିଲ୍ ପୂରା କରିବାକୁ ପଡିଲା ବୋଲି କହିଛନ୍ତି ମସ୍କ।

ଟ୍ୱିଟର କିଣିବା ପରେ ଅନେକ ପରିବର୍ତ୍ତନ କରାଯାଇଥିଲା । ଫଳରେ ମାନସିକ ଚାପ ବଢ଼ି ଯାଇଥିଲା। ଏମିତିକି ଅନେକ ରାତି ଠିକ୍ ସେ ଶୋଇନଥିଲେ । କାମର ଚାପ ଏତେ ଥିଲା ଯେ ବେଳେବେଳେ ଅଫିସ୍‌ରେ ଶୋଇପଡୁଥିଲେ ମସ୍କ। ଟ୍ଵିଟରରେ ଚାଲିଥିବା ଛଟେଇ ପ୍ରକ୍ରିୟାକୁ ସେ ସବୁଠାରୁ କଷ୍ଟକର ସମୟ ବୋଲି ମସ୍କ କହିଛନ୍ତି। ତାଙ୍କ ମତରେ ଟ୍ବିଟରରୁ ୮୦ ପ୍ରତିଶତ କର୍ମଚାରୀଙ୍କୁ ବିଦା କରିବା ଏକ ସହଜ ପ୍ରକ୍ରିୟା ନୁହେଁ। ବର୍ତମାନ କମ୍ପାନୀର କର୍ମଚାରୀ ସଂଖ୍ୟା ୮୦୦୦ରୁ ୧୫୦୦କୁ ହ୍ରାସ କରାଯାଇଛି ।

ବିଦା କରାଯାଇଥିବା କର୍ମଚାରୀଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିବା ସମ୍ଭବନଥିଲା । ଫଳରେ ସେମାନଙ୍କୁଇ-ମେଲ୍ ଜରିଆରେ ଛଟେଇ ନେଇ ଅବଗତ କରାଯାଇଥିଲା। ଏତେ ସଂଖ୍ୟାରେ କର୍ମଚାରୀଙ୍କ ସହ ମୁହାଁମୁହିଁ ଆଲୋଚନା କରିବା ସହଜ ନଥିଲା ବୋଲି କହିଛନ୍ତି ମସ୍କ ।

ତେବେ ଗତବର୍ଷ ଅକ୍ଟୋବର ମାସରେ ଟ୍ଵିଟରକୁ ୪୪ ବିଲିୟନ ଡଲାର ଦେଇ କିଣିଥିଲେ ମସ୍କ । ସେବେଠାରୁ ଟ୍ୱିଟରରେ ବହୁ ପରିବର୍ତ୍ତନ ହୋଇଛି । କମ୍ପାନୀର ବହୁ ସଂଖ୍ୟକ କର୍ମଚାରୀଙ୍କୁ ବିଦା କରାଯିବା ସହିତ ଟ୍ୱିଟରର ନୀତି ଏବଂ ବ୍ୟବସାୟରେ ପରିବର୍ତ୍ତନ ଜାରି ରହିଛି । ନିକଟରେ ଟ୍ୱିଟରର ଲୋଗୋ ନୀଳ ପକ୍ଷୀକୁ ବଦଳାଇ ଡଗି ଲୋଗୋ ରଖାଯାଇଥିଲା।

 

କୋଣାର୍କ ଏକ୍ସପ୍ରେସରେ ବିସ୍ଫୋରକ ସାମଗ୍ରୀ ଠାବ

ଭୁବନେଶ୍ୱର: କୋଣାର୍କ ଏକ୍ସପ୍ରେସରେ ବିସ୍ଫୋରକ ସାମଗ୍ରୀ ଠାବ । ଭୁବନେଶ୍ବର ଷ୍ଟେସନରେ ଟ୍ରେନର ସାଧାରଣ ବଗିରୁ ବିସ୍ଫୋରକ ଠାବ ହୋଇଛି । ସଫେଇ କର୍ମଚାରୀ ଶବ୍ଦ ଶୁଣି ଓ ଧୂଆଁ ବାହାରିବା ଦେଖି GRPକୁ ଖବର ଦେଇଥିଲେ । ୮ଟି ରେଡ୍‌ ପାରାଚ୍ୟୁଟ ସିଗନାଲ, ୧୫ ରକେଟ ପାରାଚ୍ୟୁଟ ଫ୍ଲାୟର ଠାବ ହୋଇଛି । ଗୋଟିଏ ପାଥ୍ ଫାଇଣ୍ଡର ସର୍ଟ ମଧ୍ୟ ଠାବ କରିଛନ୍ତି ସଫେଇ କର୍ମଚାରୀ । ଆବଶ୍ୟକ ସ୍ଥଳେ ବୋମା ନିଷ୍କ୍ରିୟକାରୀ ଦଳର ସହାୟତା ନିଆଯିବ । ସିସିଟିଭି ଯାଞ୍ଚ ସହ କିଏ ଏସବୁ ସାମଗ୍ରୀ ଆଣିଲା ସେ ନେଇ ଖୋଳତାଡ଼ ଜାରି ରହିଛି ।

ପୁଅ ଏନକାଉଣ୍ଟର ଖବର ଶୁଣି ଅଦାଲତରେ କାନ୍ଦିଲା ଅତିକ୍

ଲକ୍ଷ୍ନୗେ: ଉମେଶ ପାଲ ହତ୍ୟାକାଣ୍ଡରେ ୟୁପି ପୋଲିସକୁ ବଡ ସଫଳତା।  ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟାର ଅତିକର ପୁଅ ଅସଦ ଓ ସୁଟର ଗୁଲାମ ମହମ୍ମଦକୁ ଏନକାଉଣ୍ଟର କରାଯାଇଛି । ଏହି ଏନକାଉଣ୍ଟର  ଝାନ୍ସିର ବଡଗାଁଓର ପରିଛା ଡ୍ୟାମ୍ ପାଖରେ ହୋଇଛି ।  ଦୁଇ ଜଣଙ୍କ ଉପରେ ପାଞ୍ଚ ପାଞ୍ଚ ଲକ୍ଷର ପୁରସ୍କାର ରାଶି ଥିବା ବେଳେ ସେମାନଙ୍କ ନିକଟରୁ ବିଦେଶୀ ହତିଆର ମଧ୍ୟ ମିଳିଥିଲା

ଫେବୃଆରୀ ୨୪ ଉମେଶ ପାଲ ହତ୍ୟାକାଣ୍ଡ ପରେ ଦୁହେଁ ଫେରାର ଥିଲେ । ଦୁଇ ଅପରାଧୀଙ୍କୁ ଧରିବା ପାଇଁ STF ଲଗାତାର ଟ୍ରେସ୍ କରୁଥିଲା । ଏନେଇ STF ଡିଆଇଜି ଅନନ୍ତ ଦେବ କହିଛନ୍ତି, ଅସଦ ଓ ମକସୁଦକୁ  ଆମ ଟିମ୍ ଏନକାଉଣ୍ଟର କରିଛି । ସେମାନଙ୍କ ନିକଟରୁ ପିସ୍ତଲ, ରିଭଲବର୍ ଓ ବିଦେଶୀ ହତିଆର ଜବତ ହୋଇଛି।

ଗୋଟିଏ ପଟେ ଉମେଶ ପାଲ ହତ୍ୟାକାଣ୍ଡରେ ଅତିକ ଅହମ୍ମଦ ଓ ଅସରଫକୁ ଆଜି କୋର୍ଟରେ ହାଜର କରାଯାଇଛି  । ଅନ୍ୟପଟେ ପୁଅ ଓ ତା ସହଯୋଗୀକୁ ଏନକାଉଣ୍ଟର କରାଯାଇଛି । ଦିନ ଦ୍ବିପ୍ରହରରେ ଉମେଶ ପାଲଙ୍କୁ ହତ୍ୟା କରିଥିବା ଗୁଲାମଙ୍କୁ ବି ଆଜାଦ୍‌ କରିଛି ୟୁପି ପୋଲିସ  । ତେବେ ପୁଅର  ଏନକାଉଣ୍ଟର ଖବର ଶୁଣି ଅଦାଲତରେ କାନ୍ଦିଲା ଅତିକ୍ । ସେତେବେଳକୁ କୋର୍ଟ ପରିସରରେ ଅତିକ ଅହମ୍ମଦ ମୁର୍ଦାବାଦ ଓ ଉମେଶ ପାଲ ଅମର ରହେ, ନାରାବାଜି ଆରମ୍ଭ ହୋଇଯାଇଥିଲା ।

ଏହି ଘଟଣାରେ ଉମେଶ ପାଲର ମା’ କହିଛନ୍ତି, ମୋ ପୁଅକୁ ବିଚ୍‌ ରାସ୍ତାରା ଗୁଳି ମାରିଦେଇଥିଲେ । ଆଜିର ଘଟଣାରେ ଆମକୁ ଟିକେ ଶାନ୍ତି ମିଳିଛି । ମୋ ପୁଅର ହତ୍ୟାକାରୀଙ୍କୁ ସେମାନଙ୍କ ପାପର ଦଣ୍ଡ ମିଳିଛି । ଅନ୍ୟପଟେ ଶୁଣାଣି ପରେ CJM କୋର୍ଟ ଅତିକ ଓ ଅତିକ ୧୪ ଦିନର ନ୍ୟାୟିକ ହେପାଜତକୁ ପଠାଇ ଦେଇଛି । ଏବେ ଦୁହେଁ ନୈନି ଜେଲରେ ବନ୍ଦ ରହିବେ ।

ଗତ ଫେବୃଆରୀ ୨୪ରେ ପ୍ରୟାଗରାଜରେ ରାଜୁପାଲ ହତ୍ୟାକାଣ୍ଡର ସାକ୍ଷୀ ଉମେଶ ପାଲ୍‌ଙ୍କୁ ବିଚ୍‌ ବଜାରରେ ଗୋଡାଇ ଗୋଡାଇ ଗୁଳି କରି ହତ୍ୟା କରାଯାଇଥିଲା  । ଉମେଶ ପାଲ ସମେତ ତାଙ୍କର ଦୁଇ ସରକାରୀ ଅଙ୍ଗରକ୍ଷୀ ବି ପ୍ରାଣ ହରାଇଥିଲେ।

ଉମେଶ ପାଲ ହତ୍ୟାକାଣ୍ଡରେ ୟୁପି ପୋଲିସ ୪ ଜଣଙ୍କୁ ଏନକାଉଣ୍ଟର କରିସାରିଲାଣି । ୨୭ ଫେବୃଆରୀ ପ୍ରୟାଗରାଜରେ ପ୍ରଥମ ଏନକାଉଣ୍ଟର ହୋଇଥିଲା । ଏହି ଏନକାଉଣ୍ଟରରେ ଅରବାଜର ମୃତ୍ୟୁ ହୋଇଥିଲା । ସେହିପରି ମାର୍ଚ୍ଚ ୬, ୨ୟ ଏନକାଉଣ୍ଟରରେ ଓସ୍ମାନର ପ୍ରାଣବାୟୁ ଉଡିଯାଇଥିଲା । ସେହପିରି ଅତିକର ପରିବାରକୁ ସହଯୋଗ କରୁଥିବା  ୩ ଅଭିଯୁକ୍ତ ଓ ସମ୍ପର୍କୀୟଙ୍କ ଘରେ ବୁଲଡୋଜର ଚଢାଇଥିଲେ ୟୁପି ସରକାର ।

କୋଟିଆ ପ୍ରସଙ୍ଗରେ ରାଜନୀତି କରୁଛି ବିଜେପି, ବର୍ଷିଲେ ସସ୍ମିତ ପାତ୍ର

ଭୁବନେଶ୍ୱର: କୋଟିଆ ପ୍ରସଙ୍ଗରେ ରାଜନୀତି କରୁଛି ବିଜେପି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ୯ ବର୍ଷ କେନ୍ଦ୍ରମନ୍ତ୍ରୀ ଥାଇ ବି ଆପଣ ଏ ପ୍ରସଙ୍ଗ ଉଠାଇଛନ୍ତି କି ? କେନ୍ଦ୍ରକୁ ହସ୍ତକ୍ଷେପ କରିବାକୁ କେବେ ଅନୁରୋଧ କରିଛନ୍ତି କି ? ଆନ୍ତଃ ରାଜ୍ୟ ପରିଷଦ ବୈଠକରେ କେବେ ଏ ପ୍ରସଙ୍ଗ ଉଠାଇଛନ୍ତି କି ବୋଲି ଧର୍ମେନ୍ଦ୍ରଙ୍କୁ ପ୍ରଶ୍ନ କରିଛନ୍ତି ସସ୍ମିତ ପାତ୍ର ।

ସେହିପରି ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ ଆନ୍ଧ୍ରର ରାଜ୍ୟପାଳ ଥିଲେ । ତାଙ୍କ ସହ କେବେ କୋଟିଆ ପ୍ରସଙ୍ଗରେ ଆଲୋଚନା କରିଥିଲେ କି ବୋଲି କହିଛନ୍ତି । ସମସ୍ତେ ଜାଣନ୍ତି ଆପଣ କେବେ ବି କୋଟିଆ ପ୍ରସଙ୍ଗ ଉଠାଇ ନାହାନ୍ତି । କୋଟିଆ ପାଇଁ ଆପଣ କରୁଥିବା ଡ୍ରାମା ସମସ୍ୟାର ସମାଧାନ ନୁହେଁ । ବରଂ କେନ୍ଦ୍ର-ଆନ୍ତଃ ରାଜ୍ୟ ପରିଷଦରେ ସମସ୍ୟାର ସମାଧାନ ହୋଇପାରିବ ।

ଆପଣ ଏଥିପାଇଁ କେନ୍ଦ୍ରକୁ ଥରେ ବି ଅନୁରୋଧ କରିବେ ନାହିଁ । ଗଣମାଧ୍ୟମରେ କେବଳ କୋଟିଆକୁ ନେଇ କେନ୍ଦ୍ରମନ୍ତ୍ରୀ ଡ୍ରାମା କରିବେ ବୋଲି ସସ୍ମିତ ପାତ୍ର କହିଛନ୍ତି । କୋଟିଆ ଓ କୋରାପୁଟବାସୀଙ୍କୁ କେନ୍ଦ୍ରମନ୍ତ୍ରୀ ଭୁଆଁ ବୁଲାଉଛନ୍ତି ବୋଲି କହିଛନ୍ତି ସସ୍ମିତ ପାତ୍ର ।

୨୦୨୩ରେ କ’ଣ ହେବ ରାଜ୍ୟ ରାଜନୀତି, ଓଡ଼ିଆ ନବବର୍ଷକୁ ନେଇ ଜ୍ୟୋତିର୍ବିତଙ୍କ ଭବିଷ୍ୟବାଣୀ

ଭୁବନେଶ୍ୱର: ୨୦୨୩ ଓଡ଼ିଆ ନବବର୍ଷରେ ଦେଶ ଓ ଓଡ଼ିଶାର ସ୍ଥିତି କ’ଣ ରହିବ ? ରାଜନୀତିରେ କିଛି ପରିବର୍ତ୍ତନ ଆସିବ କି ? ଉପନିର୍ବାଚନ ଓ ସାଧାରଣ ନିର୍ବାଚନରେ କାହାକୁ ମିଳିବ ସଫଳତା ? ଓଡ଼ିଆ ନବବର୍ଷ ପୂର୍ବରୁ ଜ୍ୟୋତିର୍ବିଦମାନେ ରାଜ୍ୟର ଭାଗ୍ୟଫଳକୁ ନେଇ କରିଛନ୍ତି ଭବିଷ୍ୟବାଣୀ । ଭୃଗୁ ଜ୍ୟୋତିଷ ପଣ୍ଡିତ ଶ୍ରୀଧର ଆଚାର୍ଯ୍ୟଙ୍କ ଆକଳନ କହୁଛି, ଓଡ଼ିଶା ଶାସନରେ କୌଣସି ପରିବର୍ତ୍ତନ ଘଟିବ ନାହିଁ । ବରଂ ବିଜେଡିର ଲୋକପ୍ରିୟତା ବଢ଼ିବା ସହ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ରାଶି ମିଥୁନ ହୋଇଥିବାରୁ ଏପ୍ରିଲ ୯ ତାରିଖରୁ ଅତ୍ୟନ୍ତ ଶୁଭ ସମୟ ଚାଲିଛି । ରାଜନୈତିକ ଦୃଷ୍ଟିକୋଣରୁ ନବୀନଙ୍କ ଆଗରେ ସବୁ ଫିକା ପଡ଼ିବେ ବୋଲି ଜ୍ୟୋତିର୍ବିଦ ଗଣନା କରିଛନ୍ତି । କେବଳ ସେତିକି ନୁହେଁ, ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡିକୁ ମିଳିବ ବଡ଼ ବିଜୟ । ସେହିପରି ଜାତୀୟ ରାଜନୀତିରେ ବିରୋଧୀ ଶକ୍ତିଶାଳୀ ହେଲେ ମଧ୍ୟ ଓଡ଼ିଶାର ଏହାର ଓଲଟାଫଳ ଦେଖିବାକୁ ମିଳିବ । ସାଧାରଣ ନିର୍ବାଚନରେ ନବୀନ ପୂର୍ବ ତୁଳନାରେ ଅଧିକ ଆସନ ଅକ୍ତିଆର କରିବେ ।

ଓଡ଼ିଆ ନବବର୍ଷ ରାଜ୍ୟ ପାଇଁ ସବୁ କ୍ଷେତ୍ରରୁ ଶୁଭଙ୍କର ରହିବ । ଖରାର ପ୍ରଭାବ କମିବା ସହ ଚଳିତବର୍ଷ ସ୍ବାଭାବିକ ବର୍ଷା ହେବ । ୨୦୨୩ ବର୍ଷରେ ରାଜ୍ୟକୁ ବାତ୍ୟା କି ବନ୍ୟାର ବିପଦ ମଧ୍ୟ ନାହିଁ । କୃଷି ଓ କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶାକୁ ବଡ଼ ସଫଳତା ମିଳିବ । ଜାତୀୟ ସ୍ତରରେ ଓଡ଼ିଶା କ୍ରୀଡ଼ା କ୍ଷେତ୍ରରେ ସୁନାମ ଆଣିବ ବୋଲି କହିଛନ୍ତି ଜ୍ୟୋତିର୍ବିଦ । ରାଜ୍ୟରେ ବଢ଼ି ଚାଲିଛି ବିଜେଡିର ଲୋକପ୍ରିୟତା । ଏପଟେ ନବୀନଙ୍କ ନିର୍ମଳ ଭାବମୂର୍ତ୍ତି, ତ୍ୟାଗ ଓ ରାଜ୍ୟ ପାଇଁ ଉତ୍ସର୍ଗୀକୃତ ସେବା ସାରା ଦେଶରେ ସାଜିଛି ଉଦାହରଣ । ଓଡ଼ିଆ ନବବର୍ଷ ଆହୁରି ଶୁଭଙ୍କର ହେବ ବୋଲି ଜ୍ୟୋତିର୍ବିଦ ଆକଳନ କରିଛନ୍ତି ।

ନିୟମିତ ହେଲେ ଚୁକ୍ତିଭିତ୍ତିକ ଶିକ୍ଷକ ଓ ଶିକ୍ଷୟିତ୍ରୀ, ଉପକୃତ ହେବେ ୧୮ ହଜାରରୁ ଅଧିକ ଗ୍ରୁପ୍-ବି ହାଇସ୍କୁଲ ଶିକ୍ଷକ

ଭୁବନେଶ୍ୱର: ଚୁକ୍ତିଭିତ୍ତିକ ହାଇସ୍କୁଲ ଶିକ୍ଷକଙ୍କୁ ରାଜ୍ୟ ସରକାରଙ୍କ ବଡ଼ ଉପହାର । ନିୟମିତ ହେଲେ ରାଜ୍ୟର ଚୁକ୍ତିଭିତ୍ତିକ ହାଇସ୍କୁଲ ଶିକ୍ଷକ । ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଥିବା ଶିକ୍ଷକ ନିୟମିତ ହୋଇଛନ୍ତି । ୬ ମାସ ପରେ ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ନିୟମିତ କରିଛି ଗଣଶିକ୍ଷା ବିଭାଗ । ଏହାଦ୍ବାରା ଉପକୃତ ହେବେ ୧୮ହଜାରରୁ ଅଧିକ ହାଇସ୍କୁଲ ଶିକ୍ଷକ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ନିୟମିତ କରିବାକୁ ବହୁ ଦିନରୁ ଶିକ୍ଷକମାନେ ଦାବି କରୁଥିଲେ । ମୁଖ୍ୟମନ୍ତ୍ରୀ ଜାପାନ ଗସ୍ତରୁ ଫେରି ସମସ୍ୟା ସମ୍ପର୍କରେ ଆଲୋଚନା କରି ନିୟମିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଦାବି ପୂରଣ ହୋଇଥିବାରୁ ଖୁସି ପ୍ରକାଶ କରି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଶିକ୍ଷକ ।

ନିଶା ନିବାରଣ କେନ୍ଦ୍ରରେ ସୀମା ଟପୁଛି ନିର୍ଯାତନା, ସୁଧାର ଗୃହରେ ପୁଣି ଜଣେ ଅନ୍ତେବାସୀଙ୍କ ମୃତ୍ୟୁ

ଭୁବନେଶ୍ୱର: ନିଶା ଛଡ଼ାଇବା ନାଁରେ ନିର୍ଦ୍ଦୁମ ମାଡ଼ । ମଣିଷଙ୍କୁ ପଶୁଠୁ ହୀନ ବ୍ୟବହାର । ନିୟନ୍ତ୍ରଣରେ ନାହିଁ ନିଶା ନିବାରଣ କେନ୍ଦ୍ର । ଏସଓପି, ଗାଇଡଲାଇନ ଓ ସିସିଟିଭିକୁ ନେଇ ଅନେକ ପ୍ରଶ୍ନ । ଲକ୍ଷ୍ମୀସାଗର ଅଞ୍ଚଳର ୨୩ ବର୍ଷୀୟ ଯୁବକ ବିକ୍ରମ ଲେଙ୍କା ଅତ୍ୟଧିକ ନିଶା ସେବନ କରିବାରୁ ମାସକ ତଳେ ଧଉଳି ଥାନା ଅଧିନ ସରଦେଇପୁରର ଶ୍ରଦ୍ଧା ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ଦିନକ ତଳେ ବାଥରୁମ ଭିତରେ ବେକରେ ଗାମୁଛା ଲାଗିଥିବା ଅବସ୍ଥାରେ ତାଙ୍କର ମୃତଦେହ ମିଳିଥିଲା । କିନ୍ତୁ ଘଟଣା ଘଟିବାର ୧୨ ଘଣ୍ଟା ପରେ ଏ ସମ୍ପର୍କରେ ପରିବାରକୁ ଜଣାଯାଇଥିଲା । ଏପରିକି ଘଟଣା ଘଟିବା ସମୟରେ କିଛି ସମୟ ସିସିଟିଭି ଫୁଟେଜକୁ ମଧ୍ୟ ଡିଲିଟ କରାଯାଇଥିବା ଅଭିଯୋଗ ହୋଇଛି । ତେଣୁ ପୁଅକୁ ପିଟିପିଟି ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକ । ସଂସ୍ଥା ମାଲିକଙ୍କୁ ଗିରଫ କରାଗଲେ ସବୁ ସତ ପଦାକୁ ଆସିବ ବୋଲି ଦାବି କରିଛନ୍ତି ଲକ୍ଷ୍ମୀସାଗର ଗ୍ରାମବାସୀ ।

ସାମାଜିକ ନ୍ୟାୟ ଏବଂ ସଶକ୍ତୀକରଣ ବିଭାଗ ଜରିଆରେ ଏନଜିଓ ଓ ସ୍ୱେଛାସେବୀ ଅନୁଷ୍ଠାନ ଛତୁ ଫୁଟିବା ଭଳି ନିଶା ନିବାରଣ କେନ୍ଦ୍ର ଖୋଲୁଛନ୍ତି । ଠିକ୍ ସମୟରେ ଏସବୁର ତଦାରଖ ମଧ୍ୟ ହେଉ ନାହିଁ । ଅନଭିଜ୍ଞ କର୍ମଚାରୀ, ସୁରକ୍ଷାରେ ଅଭାବ ଓ ସିସିଟିଭି ବ୍ୟବହାରକୁ ଗୁରୁତ୍ୱ ଦିଆଯାଉ ନାହିଁ । ମାସକ ତଳେ ପାଣ୍ଡରା ଅଞ୍ଚଳରେ ଥିବା ସାଇକୃପା ଡିଆଡିକ୍ସନ ସେଣ୍ଟରରେ ସର୍ବେଶ୍ୱର ବେହେରାଙ୍କୁ ପିଟି ପିଟି ମାରିବା ଘଟଣାରେ ୩ ଜଣ ଗିରଫ ହୋଇଥିଲେ । ପୂର୍ବରୁ ପାଣ୍ଡରା ଅଞ୍ଚଳରେ ଥିବା କୃପା ଫାଉଣ୍ଡେସନ ଓ ଉତ୍ତରାରେ ଥିବା ଦିଶା ଫାଉଣ୍ଡେସନରେ ମଧ୍ୟ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ମୃତକଙ୍କ ପରିବାର ।

 

ହରିଶ୍ଚନ୍ଦ୍ର ସହାୟତା ରାଶି ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ହରିଶ୍ଚନ୍ଦ୍ର ସହାୟତା ରାଶି ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏହି ସହାୟତାକୁ ଗ୍ରାମାଞ୍ଚଳ ପାଇଁ ୨ ହଜାରରୁ ୩ ହଜାର ଟଙ୍କା, ସହରାଞ୍ଚଳ ଓ ପୁରୀ ସ୍ୱର୍ଗଦ୍ବାର ପାଇଁ ୩ ହଜାରରୁ ୪ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଏଥିପାଇଁ ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଏକ ରିଭଲଭିଂ ଫଣ୍ଡ ଖୋଲାଯାଇ ଏଥିପାଇଁ ୧୫ ହଜାର ଟଙ୍କା ଲେଖାଏ ଅର୍ଥ ପ୍ରଦାନ କରାଯାଇଛି । ଗରିବ ଲୋକମାନେ ଯେପରି ପ୍ରିୟଜନଙ୍କ ଅନ୍ତ୍ୟେଷ୍ଟିକ୍ରିୟା ସଂପାଦନରେ କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି, ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆରମ୍ଭ କରିଛନ୍ତି ହରିଶ୍ଚନ୍ଦ୍ର ସହାୟତା ଯୋଜନା ।

ଏହି ଯୋଜନାରେ ଅନ୍ତ୍ୟେଷ୍ଟି ପାଇଁ ଗ୍ରାମାଞ୍ଚଳରେ ଦୁଇ ହଜାର ଟଙ୍କା ଓ ସହରାଞ୍ଚଳରେ ତିନି ହଜାର ଟଙ୍କା ସହାୟତା ମିଳୁଥିଲା । ହରିଶ୍ଚନ୍ଦ୍ର ସହାୟତା ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଭରଣା କରାଯାଉଛି । ସାରା ରାଜ୍ୟର ସମସ୍ତ ପଞ୍ଚାୟତର ରିଭଲଭିଂ ଫଣ୍ଡ ପାଇଁ ୧୦ କୋଟି ୧୯ ଲକ୍ଷ ୧୦ ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମଞ୍ଜୁର କରାଯାଇଛି । ଏହି ନୂତନ ପ୍ରକ୍ରିୟାକୁ ତଦାରଖ କରିବା ପାଇଁ ଗ୍ରାମ ପଞ୍ଚାୟତ ଏକ୍ସଟେନସନ୍ ଅଫିସର କିମ୍ବା ଅନ୍ୟ କୌଣସି ବ୍ଲକସ୍ତରୀୟ ଏକ୍ସଟେନସନ୍ ଅଫିସରଙ୍କୁ ଦାୟିତ୍ବ ଦିଆଯାଇଛି । ବର୍ଦ୍ଧିତ ସହାୟତା ପାଇଁ ଯୋଜନାର ସଫ୍ଟୱାରରେ ଆବଶ୍ୟକ ପରିବର୍ତ୍ତନ କରାଯିବା ସହିତ ଜିଲ୍ଲାୱାରୀ ଗ୍ରାମପଞ୍ଚାୟତ ତାଲିକା ପ୍ରସ୍ତୁତ କରାଯାଇଛି ।

ରଥଯାତ୍ରା ପୂର୍ବରୁ ସରିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ, ଅକ୍ଷୟ ତୃତୀୟା ସୁଦ୍ଧା ରଥଖଳା କାର୍ଯ୍ୟ ସାରିବାକୁ ଉଦ୍ୟମ

ପୁରୀ: ପାଖେଇ ଆସିଲାଣି ଘୋଷଯାତ୍ର । ପୁରୀରେ ଜମିବ ଲକ୍ଷାଧିକ ଭକ୍ତଙ୍କ ଭିଡ଼ । ରଥଯାତ୍ରା ପୂର୍ବରୁ ସରିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ବିଶେଷ କାର୍ଯ୍ୟ । ତେଣୁ ଜୋରସୋରରେ କାମରେ ଲାଗିପଡ଼ିଛନ୍ତି ବିଭାଗୀୟ ଅଧିକାରୀ । ଶ୍ରୀଜଗନ୍ନାଥ ଧାମର ବିକାଶ ତଥା ଆଗାମୀ ହଜାର ହଜାର ବର୍ଷ ପାଇଁ ଏହି ଉନ୍ନତି ମୂଳକ କାର୍ଯ୍ୟ ସଭିଏଁ ମନେ ରଖିବେ । ତେଣୁ ଶ୍ରୀକ୍ଷେତ୍ରର ବିକାଶ ଦିଗରେ ସମସ୍ତଙ୍କ ସହଯୋଗ ରହିଥିବା କହିଛନ୍ତି ପ୍ରଶାସନିକ ଅଧିକାରୀ । ତେବେ ଆସନ୍ତା ୨୩ ତାରିଖ ଅକ୍ଷୟ ତୃତୀୟ ରହିଥିବାରୁ ଏହା ପୂର୍ବରୁ ବଡ଼ଦାଣ୍ଡ ରଥଖଳାର କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଶ୍ରୀକ୍ଷେତ୍ରରେ ଚାଲୁଥିବା ବିକାଶମୂଳକ ପଦକ୍ଷେପ ମଧ୍ୟରୁ ଶ୍ରୀମନ୍ଦିର ଐତିହ୍ୟ କରିଡର ହେଉଛି ସର୍ବ ବୃହତ । ଏହି ପ୍ରକଳ୍ପକୁ ରଥଯାତ୍ରା ପୂର୍ବରୁ ସାରିବାକୁ ପରିଚାଳନା ବୈଠକରେ ମତ ପ୍ରକାଶ ପାଇଛି । ତେଣୁ ଯାତ୍ରା ପୂର୍ବରୁ ଶେଷ କରିବାକୁ ପ୍ରଶାନିକସ୍ତରରେ ପଦକ୍ଷେପ ନିଆଯାଉଛି । ଏଥିପାଇଁ ସରକାରୀ ସ୍ତରରେ ମଧ୍ୟ ଗୁରୁତ୍ବ ଦିଆଯାଉଛି । ଯାହାକୁ ପ୍ରଶଂସା କରିଛନ୍ତି ସାଧାରଣ ଜନତା ଓ ବୁଦ୍ଧିଜୀବୀ । ପ୍ରକଳ୍ପ ନିର୍ମାଣ ଘୋଷଯାତ୍ରା ପୂର୍ବରୁ ଶେଷ କରିବା ନେଇ ଟାର୍ଗେଟ ରହିଥିବା ବେଳେ କୋଟି କୋଟି ଭକ୍ତ ଏହାର ସୁବିଧା ଉଠାଇବା ସହ ରଥଯାତ୍ରା ଶୃଙ୍ଖଳିତ ଭାବେ ସମାପନ କରିବାକୁ ସବୁ ସ୍ତରରେ ଆରମ୍ଭ ହୋଇଛି ଉଦ୍ୟମ ।