ଜଳୁଛି ମଣିପୁର, ୮ ଜିଲ୍ଲାରେ କର୍ଫ୍ୟୁ ସହ ଇଣ୍ଟରନେଣ୍ଟ ସେବା ବନ୍ଦ

ଇମ୍ଫାଲ୍: ବଢିଲା ମଣିପୁର ଟେନସନ। ରାଜ୍ୟର ବିଭିନ୍ନ ସ୍ଥାନରେ ସେନା କରିଛି ଫ୍ଲାଗମାର୍ଚ୍ଚ । ରାଜ୍ୟର ୮ଟି ଜିଲ୍ଲାରେ କର୍ଫ୍ୟୁ ଜାରି କରାଯାଇଥିବାବେଳେ ଇମ୍ଫାଲ, ଚୁରାଚାନ୍ଦପୁର ଓ କାଙ୍ଗପୋକପିରେ ସ୍ଥିତି ଅତିଉତ୍ତେଜନାପ୍ରବଣ ରହିଛି। ସାରା ରାଜ୍ୟରେ ଇଣ୍ଟରନେଟ ସେବାକୁ ରଦ୍ଦ କରାଯାଇଛି। ହିଂସା ରୋକିବା ଲାଗି ଆର୍ମି ଓ ଆସାମ ରାଇଫଲସର ଯବାନଙ୍କୁ ମୁତୟନ କରାଯାଇଛି। ସେନା ଶିବିରରେ ପ୍ରାୟ ୪ ହଜାର ବିପନ୍ନଙ୍କୁ ଆଶ୍ରୟ ଦିଆଯାଇଛି।

ଅଣଆଦିବାସୀ ସମ୍ପ୍ରଦାୟ କୁହାଯାଉଥିବା ମେଇତି ସମ୍ପ୍ରଦାୟ ପକ୍ଷରୁ ଆଦିବାସୀ ମାନ୍ୟତା ଦାବି କରାଯିବା ପରେ ତାତିଛି ମଣିପୁରର ନିଖିଳ ଆଦିବାସୀ ଛାତ୍ର ସଂଘ ବା ଏଟିଏସୟୁଏମ । ମଣିପୁରର ମୋଟ ଜନସଂଖ୍ୟାର ୫୩ ପ୍ରତିଶତ ହେଉଛନ୍ତି ମେଇତି ସମ୍ପ୍ରଦାୟ । ମାତ୍ର ସେମାନେ ରାଜ୍ୟର ମୋଟ ୧୦ ପ୍ରତିଶତ ଅଞ୍ଚଳରେ ସୀମାବଦ୍ଧ ରହିଛନ୍ତି। ବେଆଇନ ମିଆଁମାର ଓ ବାଂଲାଦେଶୀ ନାଗରିକଙ୍କ ଅନୁପ୍ରବେଶକୁ ବି ବିରୋଧ କରୁଛନ୍ତି ମେଇତି ସମ୍ପ୍ରଦାୟ । ବର୍ତ୍ତମାନର ନିୟମ ଅନୁସାରେ ରାଜ୍ୟର ପାର୍ବତ୍ୟାଞ୍ଚଳରେ ବସବାସ ଲାଗି ମେଇତିମାନଙ୍କୁ ଅନୁମତି ଦିଆଯାଇନାହିଁ ।

ତେବେ ରାଜ୍ୟର ୯୦ ପ୍ରତିଶତ ଅଞ୍ଚଳରେ ଆଦିବାସୀମାନ ବସବାସ କରୁଥିବାବେଳେ ମେଇତିମାନେ ୬୦ ଆସନ ବିଶିଷ୍ଟ ବିଧାନସଭାରେ ଦୁଇ ତୃତୀୟାଂଶ ଆସନ ହାସଲ କରିଛନ୍ତି । ରାଜ୍ୟରେ ଆଦିବାସୀଙ୍କ ସ୍ବାର୍ଥରକ୍ଷା ଲାଗି ଜୋରସୋରରେ ଲଢେଇ କରୁଛନ୍ତି ନାଗା, ଜୋମି ଓ କୁକି ସମ୍ପ୍ରଦାୟ । ଗତ ବୁଧବାର ମୁଖ୍ୟମନ୍ତ୍ରୀ ଏନ. ବୀରେନ ସିଂଙ୍କ ଏକ ସଭାସ୍ଥଳକୁ ଏହି କାରଣରୁ ଭାଙ୍ଗିଦେଇଥିଲେ ଉତ୍ତ୍ୟକ୍ତ ଜନତା । ଏସଟି ତାଲିକାରେ ମେଇତିମାନଙ୍କୁ ସାମିଲ କରିବା ସକାଶେ ଚିନ୍ତା କରିବା ଲାଗି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଗତମାସରେ ନିର୍ଦ୍ଦେଶ ଦେଇଥିଲେ ।