କୁସ୍ତି ଯୋଦ୍ଧାଙ୍କ ଆନ୍ଦୋଳନ; ଶୁଣାଣି କରିବେନି ସୁପ୍ରିମକୋର୍ଟ, କହିଲେ- ତଳକୋର୍ଟକୁ ଯାଅ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ କୁସ୍ତି ଯୋଦ୍ଧାଙ୍କ କେସ ବନ୍ଦ। ହାଇକୋର୍ଟ କିମ୍ବା ତଳ କୋର୍ଟ ଯିବାକୁ କହିଛନ୍ତି ସର୍ବୋଚ୍ଚ ଅଦାଲତ। ଆଗକୁ ଏହି ମାମଲାରେ ଶୁଣାଣି କରିବାକୁ ବି ସୁପ୍ରିମକୋର୍ଟ କରିଛନ୍ତି  ଅଗ୍ରାହ୍ୟ। ତେଣେ  ଦିଲ୍ଲୀ ପୋଲିସକୁ ପ୍ରଶ୍ନ କରିଛନ୍ତି କୋର୍ଟ । କାହିଁକି ଏଯାଏ ପୀଡ଼ିତାଙ୍କ ବୟାନ ରେରର୍ଡ ହୋଇନାହିଁ ବୋଲି କହିଛନ୍ତି କୋର୍ଟ ।

ତେଣେ ଦିଲ୍ଲୀ ଜନ୍ତରମନ୍ତରରେ କୁସ୍ତି ଯୋଦ୍ଧାଙ୍କ ସହ ଦଙ୍ଗଲ । ଦେଶ ପାଇଁ ମେଡାଲ ଆଣିଥିବା କୁସ୍ତି ଯୋଦ୍ଧାଙ୍କ ଉପରେ ହୋଇଛି ଆକ୍ରମଣ। ଅଧ ରାତିରେ କିଛି ନିଶାସକ୍ତ ପୋଲିସ କର୍ମଚାରୀ ଆସି ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି କୁସ୍ତି ଯୋଦ୍ଧା । ପୋଲିସ କର୍ମଚାରୀ ମାନେ ସେମାନଙ୍କୁ ଧକ୍କା ମାରିବା ସହ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଛନ୍ତି । ଯାହାକୁ ନେଇ ରାତି ତମାମ ଧାରଣାସ୍ଥଳରେ ବସିରହିଥିଲେ କୁସ୍ତି ଯୋଦ୍ଧା ।

ପୋଲିସର ଜୁଲମ, ପୀଡ଼ିତାଙ୍କୁ ନ୍ୟାୟ ବଦଳରେ ଅତ୍ୟାଚର ଯୋଗୁ ଦେଶପାଇଁ ଜିତିଥିବା ମେଡାଲ ଫେରାଇବେ ବୋଲି କହିଛନ୍ତି କୁସ୍ତିଯୋଦ୍ଧା ଭିନେଶ ଫୋଗଟ । ଗତକାଲି ରାତିରେ ଦିଲ୍ଲୀରେ ପ୍ରବଳ ବର୍ଷା ହେବା ପରେ  ଶୋଇବା ପାଇଁ କୁସ୍ତି ଯୋଦ୍ଧାମାନେ ବିଛଣା ଆଣୁଥିବା ବେଳେ ସେମାନଙ୍କୁ ପୋଲିସ ଅଟକାଇଥିଲା । ଯାହାକୁ କୁସ୍ତିଯୋଦ୍ଧା ବିରୋଧ କରିଥିଲେ । ଯକ୍ତିତର୍କ ଭିତରେ ପୋଲିସ କର୍ମଚାରୀମାନେ କୁସ୍ତିଯୋଦ୍ଧାଙ୍କୁ ଠେଲାପେଲା କରିବା ସହ ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିଲେ ।

ଗଣ୍ଡଗୋଳ ପୂର୍ବରୁ ପୋଲିସ କର୍ମଚାରୀମାନେ ଧାରଣାସ୍ଥଳ ନିକଟରେ ମଦ୍ୟପାନ କରିଥିବା ବେଳେ ମହିଳା କୁସ୍ତିଯୋଦ୍ଧା ଓ ସେମାନଙ୍କ ସମ୍ପର୍କୀୟଙ୍କୁ ଧକ୍କା କରିଥିଲେ । ବିନେଶ ଫୋଗଟଙ୍କୁ ଜଣେ ପୋଲିସ କର୍ମଚାରୀ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଏଭଳି ଘଟଣା ପରେ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ବାତୀ ମାଲିଓ୍ବାଲ ଘଟଣା ସ୍ଥଳକୁ ଯାଇଥିଲେ । କୁସ୍ତି ଯୋଦ୍ଧାଙ୍କ ସହ ଆଲୋଚନା କରୁଥିବା ବେଳେ ସ୍ବାତୀଙ୍କୁ ମଧ୍ୟ ଦିଲ୍ଲୀ ପୋଲିସ ଉଠାଇ ନେଇଥିଲା ।

ଏଭଳି ଘଟଣା ପରେ ଆନ୍ଦୋଳନକୁ ଆହୁରି ଜୋରଦାର କରିବା ପାଇଁ ଚେତାବନୀ ଦିଆଯାଇଛି । ଦେଶବାସୀ କୁସ୍ତିଯୋଦ୍ଧାଙ୍କୁ ସମର୍ଥନ କରିବାକୁ ଅପିଲ କରିଛନ୍ତି କୁସ୍ତିଯୋଦ୍ଧା । ସେପଟେ ପୋଲିସ ଜନ୍ତରମନ୍ତରକୁ ଚାରିଆଡୁ ଘେରାଉ କରିଛି । କାହାରିକୁ ଜନ୍ତରମନ୍ତର ଛଡାଯାଉନାହିଁ । ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଭାରତୀୟ କୁସ୍ତି ସଂଘ ସଭାପତି ବ୍ରିଜ ଭୂଷଣ ସିଂଙ୍କ ବିରୋଧରେ କୁସ୍ତି ଯୋଦ୍ଧାଙ୍କ ଧାରଣା ଜାରି ରହିଛି । ନ୍ୟାୟ ଦାବିରେ ଗତ ୧୧ ଦିନ ହେଲା ଧାରଣା ଚାଲିଛି । ଦିଲ୍ଲୀ ପୋଲିସ ବ୍ରିଜ ଭୂଷଣଙ୍କ ନାରେ ଦୁଇଟି ମାମଲା ରୁଜୁ କରି ଚୁପ ବସିଥିବା ବେଳେ କୁସ୍ତି ଯୋଦ୍ଧାଙ୍କ ସହ ଦୁର୍ବ୍ୟବହାରକୁ ନିନ୍ଦା କରାଯାଇଛି ।