ଜନ୍ମମାଟିରେ ମହାମହିମ, ସ୍ବର୍ଗତଃ ଶ୍ୟାମଚରଣ ମୁର୍ମୁଙ୍କୁ ପ୍ରତିମୂର୍ତ୍ତିରେ କଲେ ମାଲ୍ୟାର୍ପଣ

ଗୋଷାଣି: ଜନ୍ମମାଟିରେ ମହାମହିମ। ରାଷ୍ଟ୍ରପତି ହେବା ପରେ ଆଜି ପ୍ରଥମ କରି ମୟୂରଭଞ୍ଜ ଆସିଛନ୍ତି ଦ୍ରୗେପଦୀ ମୁର୍ମୁ। ରାଷ୍ଟ୍ରପତି ଭାବରେ ଓଡ଼ିଶାକୁ ଏହା ତାଙ୍କର ତୃତୀୟ ଗସ୍ତ ହୋଇଥିବାବେଳେ ଜନ୍ମମାଟିକୁ ପ୍ରଥମ ଗସ୍ତ। ବାଦାମପାହାଡ ହେଲିପ୍ୟାଡରେ ମ୍ୟାଡମ ପ୍ରେସିଡେଣ୍ଟ ପହଞ୍ଚିବା ପରେ ତାଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସ୍ବାଗତ କରିଥିଲେ । ମହାମହିମ ସେଠାରୁ ଶାଶୂଘର ଗାଁ ପାହାଡ଼ପୁର ଗସ୍ତ କରିଛନ୍ତି । ସେଠାରେ ସ୍ବର୍ଗତ ଶ୍ୟାମଚରଣ ମୁର୍ମୁଙ୍କୁ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି ରାଷ୍ଟ୍ରପତି ।

ସେଠାରୁ ଗୋଷାଣୀରେ ନାବାର୍ଡ ପକ୍ଷରୁ ଏସଏଲଏସ ଟ୍ରଷ୍ଟ ସ୍କୁଲ ପାଇଁ ନିର୍ମିତ ହେବାକୁ ଥିବା କମ୍ୟୁନିଟି ସେଣ୍ଟରର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏଲ ଆଣ୍ଡ ଟି ଦ୍ବାରା ପ୍ରତିଷ୍ଠା କରାଯାଉଥିବା ଦକ୍ଷତା ବିକାଶ କେନ୍ଦ୍ରର ଶିଳାନ୍ୟାସ କରିବେ। ପରେ ସ୍କୁଲ ଛାତ୍ରଛାତ୍ରୀ ଓ ଗାଁ ଲୋକଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ପରେ ହାତବାଦ୍ରାର ସାତପଉଟିଆରେ ପ୍ରଜାପିତା ବ୍ରହ୍ମକୁମାରୀ କେନ୍ଦ୍ର ପରିଦର୍ଶନ କରି ନିଶାମୁକ୍ତ ଓଡ଼ିଶା କ୍ୟାମ୍ପେନର ଶୁଭାରମ୍ଭ କରିବେ। ପରେ ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ମଧ୍ୟାହ୍ନ ଭୋଜନ ପରେ ବିଶ୍ରାମ ନେବେ ।

ସେଠାରୁ ରାଇରଙ୍ଗପୁର ଯାଇ ସୂନାରାମ ସୋରେନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ବଡବନ୍ଧଠାରେ ଶହେ ଫୁଟ ଉଚ୍ଚତାରେ ଏକ ଜାତୀୟ ପତାକାର ଉତ୍ତୋଳନ କରିବା ପରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ପୌରପରିଷଦ ନାଗରିକ ସମ୍ବର୍ଦ୍ଧନା ସଭାରେ ଯୋଗ ଦେବେ ରାଷ୍ଟ୍ରପତି । ରାତିରେ ମହୁଳଢିହା ବଙ୍ଗଳାରେ ରାତ୍ରୀଯାପନ କରିବା କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ଶିମିଳିପାଳ ଅଭୟାରଣ୍ୟ ପରିଦର୍ଶନ କରିବେ ମହାମହିମ । ସେହିପରି ୬ ତାରିଖରେ ଶ୍ରୀରାମଚନ୍ଦ୍ର ଭଞ୍ଜଦେବ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ମହାମହିମ।