spot_img
Home Blog Page 3368

ଲୋକସେବା ଭବନ ପରିସରରେ ଖୋଲିବ ମିଲେଟ୍ ଶକ୍ତି କାଫେ

ଭୁବନେଶ୍ୱର:  ଆଜିଠୁ ଲୋକସେବା ଭବନ ପରିସରରେ ଖୋଲିବ ମିଲେଟ୍ ଶକ୍ତି କାଫେ । ଅକ୍ଷୟ ତୃତୀୟା ଅବସରରେ ଏହାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକସେବା ଭବନକୁ ଆସୁଥିବା କର୍ମଚାରୀ ଏବଂ ପରିଦର୍ଶକଙ୍କ ମଧ୍ୟରେ ପୁଷ୍ଟିଶସ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟକୁ ଅଧିକରୁ ଅଧିକ ବ୍ୟାପକ କରିବା ପାଇଁ ଓଡ଼ିଶା ମିଲେଟ ମିଶନ ତରଫରୁ ବ୍ୟାପକ ପଦକ୍ଷେପ ନିଆଯାଇଛି।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ସୁନ୍ଦରଗଡ, କେନ୍ଦୁଝର, ପୁରୀ ଗୋଲ୍ଡେନ ବିଚ୍ ଏବଂ କଟକ ବାରବାଟୀ ପ୍ୟାଲେସଠାରେ ମିଲେଟ୍ ଶକ୍ତି କାଫେ ଖୋଲାଯାଇଛି । ଏହାର ଚାହିଦାକୁ ଦୃଷ୍ଟିରେ ରଖି ଏବେ ଲୋକସେବା ଭବନ ପରିସରରେ ଆଉ ଏକ ମିଲେଟ୍ ଶକ୍ତି କାଫେ ସ୍ଥାନ ପାଇବ। ଯେଉଁଠାରେ ପୁଷ୍ଟିଶସ୍ୟ ଭିତ୍ତିକ ଖାଦ୍ୟ ଉପଲବ୍ଧ ହେବ । ଏହାଦ୍ବାରା ଏସଏଚଜି ସଦସ୍ୟା ମଧ୍ୟ ଉପକୃତ ହେବେ  । ଅନ୍ୟପଟେ ଆଜି କୃଷି ସମୀକ୍ଷା କେନ୍ଦ୍ରକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।

ଆତ୍ମସମର୍ପଣ କଲା ଅମୃତପାଲ, ପଞ୍ଜାବ ମୋଗା ପୋଲିସ ନିକଟରେ ଆତ୍ମସମର୍ପଣ

ଚଣ୍ଡିଗଡ଼: ସରିଲା ଲୁଚକାଳି ଖେଳ । ଗିରଫ ହେଲା ଓ୍ବାରିସ ପଞ୍ଜାବ ଦେ ମୁଖ୍ୟ ଅମ୍ରିତପାଲ ସିଂ । ପଞ୍ଜାବ ମୋଗା ପୋଲିସ ନିକଟରେ ଆତ୍ମସମର୍ପଣ କରିଛି ପଳାତକ ଅମ୍ରିତପାଲ । ଗିରଫ ପରେ ତାକୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ବଠିଣ୍ଡାରୁ ଆସାମର ଡିବ୍ରୁଗଡ଼ ଜେଲକୁ ନିଆଯାଉଛି । ଅଜନାଲା କାଣ୍ଡ ପରଠୁ ୩୬ଦିନ ଧରି ଫେରାର ହୋଇଯାଇଥିଲା ଅମ୍ରିତପାଲ ସିଂ।

ଡିବ୍ରୁଗଡ଼ ଜେଲରେ NIA ଓ IB ଟିମ୍ ଅମ୍ରିତପାଲକୁ ପଚରାଉଚୁରା କରିବ । ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କ ତତ୍ତ୍ବାବଧାନରେ ଅମ୍ରିତପାଳକୁ ଧରିବାକୁ ଅପରେସନ ଚଳାଇଥିଲା ପୋଲିସ । ଅପରେସନ ସମ୍ପର୍କରେ ପଞ୍ଜାବ ପୋଲିସ ଲଗାତାର ମୁଖ୍ୟମନ୍ତ୍ରୀଙ୍କୁ ସୂଚନା ଦେଉଥିଲା । ପଳାତକ ଅମୃତପାଲର ଆତ୍ମସମର୍ପଣ ପୂର୍ବର ଏକ ଭିଡ଼ିଓ ସାମ୍ନାକୁ ଆସିଛି । ଯେଉଁଥିରେ ଅମୃତପାଲ ପ୍ରବଚନ ଦେଉଥିବାର ଦେଖିବାକୁ ମିଲିଛି ।

ଉତ୍ତରପ୍ରଦେଶର ଲଖିମପୁର ଖେରୀ ରାସ୍ତା ଦେଇ ନେପାଳ ଖସିଯାଇଥିବା ଚର୍ଚ୍ଚା ହେଉଥିଲା । ଏଥିପାଇଁ ପଞ୍ଜାବ, ହରିୟାଣା, ଦିଲ୍ଲୀ, ଉତ୍ତରାଖଣ୍ଡ ପରେ ନେପାଳରେ ମଧ୍ୟ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିଲା । ୨୦ ମାର୍ଚ୍ଚରେ ଅମୃତପାଳ ହରିୟାଣାରେ ଥିବା ସ୍ପଷ୍ଟ ହୋଇଥିଲା । ପରେ ପରେ ୨୩ ମାର୍ଚ୍ଚରେ ଲଖିମପୁରରେ ମଧ୍ୟ ଅମୃତପାଲ ଟୋପି ପିନ୍ଧି ବୁଲୁଥିବା ଫଟୋ ଭାଇରାଲ ହୋଇଥିଲା ।

ସବୁ ଚର୍ଚ୍ଚାର ଅନ୍ତ ଘଟାଇ ଅମ୍ରିତପାଲ ସରେଣ୍ଡର କରିବା ପରେ ପୋଲିସ ତାକୁ ଗିରଫ କରିଛି । ଅମ୍ରିତପାଲ ସିଂ ଜଣେ ଖଲିସ୍ଥାନୀ ନେତା । ଓ୍ବାରିସ ପଞ୍ଜାବ ଦି ନାମକ ଏକ ସଂଗଠନର ମୁଖିଆ ହେଉଛି ଅମ୍ରିତପାଲ । ଦୀପ ସିନ୍ଧୁଙ୍କ ଅଚାନକ ମୃତ୍ୟୁ ପରେ ୪ ମାର୍ଚ୍ଚ ୨୦୨୨ରେ ପଦ ସମ୍ଭାଳିଥିଲା ଅମ୍ରିତପାଲ । ଅମ୍ରିତପାଲର ଗିରଫଦାରୀ ପରେ ପଞ୍ଜାବରେ ପୋଲିସ ଆଲର୍ଟରେ ରହିଛି । ଗୁଜବ ପ୍ରଚାର ନକରିବାକୁ ଅପିଲ କରାଯାଇଥିବା ବେଳେ ହିଂସା ସୃଷ୍ଟିକାରୀଙ୍କ ଉପରେ କଡ଼ା ନଜର ରଖିଛି ପୋଲିସ । …

ଓଡ଼ିଶା ସ୍କିଲ୍ କନକ୍ଲେଭରେ ବିଶ୍ବ ଦେଖିଲା ଓଡ଼ିଶାର ଦକ୍ଷତା

ଭୁବନେଶ୍ବର: ଏବେ ସଭିଙ୍କ ମୁହଁରେ ଏହି କ୍ୟାଚ ଲାଇନ୍ । ଆଉ ତାହା ହେଲା ସ୍କିଲ ନୁହେଁ, ସ୍କିଲ୍ଡ୍ ଇନ୍ ଓଡ଼ିଶା । ଜମି ଜମା ମ୍ୟାପିଂ ହେଉ କି କୃଷି କ୍ଷେତ୍ର, ଡ୍ରୋନ୍ ଉପଯୋଗ ଦ୍ବାରା ବଞ୍ଚିବ ସମୟ ଓ ଅର୍ଥ । ହାତ ପାଆନ୍ତାରେ ରହିବ ଅପହଞ୍ଚ ଇଲାକା । ବେସିକ୍ ଏଜୁକେସନ୍ ପରେ ବଜାର ଚାହିଦାକୁ ଆଖିରେ ରଖି ସମସ୍ତଙ୍କୁ ଦକ୍ଷତା ଅର୍ଜନ କରିବାକୁ ହେବ । ସମଗ୍ର ବିଶ୍ବକୁ ଓଡ଼ିଶା ଦେଇଛି ଏହି ବାର୍ତ୍ତା । ଏହାସହ ଅଢେଇ ଦିନ ବ୍ୟାପୀ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଓଡ଼ିଶା ସ୍କିଲ୍ କନକ୍ଲେଭ-୨୦୨୩ ସମ୍ପନ୍ନ ହୋଇଛି ।

ଶେଷ ହୋଇଛି  କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଅଢ଼େଇ ଦିନ ବ୍ୟାପୀ ଚାଲିଥିବା ଦକ୍ଷତା ବିକାଶର ମହାକୁମ୍ଭ ଓଡ଼ିଶା ସ୍କିଲ୍ କନକ୍ଲେଭ -୨୦୨୩ । ପ୍ରଥମ ଥର ପାଇଁ ବିଶ୍ବ ଦେଖିଲା ସିଙ୍ଗାପୁର ITEES ଏବଂ ଓଡ଼ିଆ ଛାତ୍ରଛାତ୍ରୀଙ୍କ ଅପୂର୍ବ ସମନ୍ବୟ । ଏକାସାଙ୍ଗେ ଗାଇଲେ ବନ୍ଦେ ଉତ୍କଳ ଜନନୀ । ପରସ୍ପର ଏକ୍ସଚେଞ୍ଜ୍ କଲେ ଆଇଡିଆ । ପଲିଟେକ୍ନିକ୍, ଆଇଟିଆଇ, ଇଞ୍ଜିନିୟରିଂ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଦକ୍ଷତା ବୃଦ୍ଧି ପାଇଁ ସ୍ବାକ୍ଷରିତ ହୋଇଛି ୨୦ଟି ଏମ୍ଓୟୁ । ରାଜ୍ୟର ବିଭିନ୍ନ ଜିଲ୍ଲାର ବୈଷୟିକ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ବାରା ନୂଆ ଉଦ୍ଭାବନ ଓ ଷ୍ଟାର୍ଟଅପମାନେ କିପରି ଆଗକୁ ବଢ଼ିବେ ସେଥିପାଇଁ ପ୍ରସ୍ତୁତ ହୋଇଛି ରୋଡମ୍ୟାପ୍ । ସ୍କିଲ୍ କନକ୍ଲେଭର ଗ୍ରାଣ୍ଡ୍ ସକ୍ସେସ୍ ନେଇ ସମସ୍ତ ଶତମୁଖ ।

ଆଗକୁ ଡ୍ରୋନ୍ ଟେକ୍ନୋଲୋଜିର ହେବ ବ୍ୟାପକ ବ୍ୟବହାର । ବେସାମିରକ ଓ ସାମରିକ ଉଦ୍ଦେଶ୍ୟ ଛଡ଼ା ଡ୍ରୋନକୁ ୧୦୦ରୁ ଅଧିକ ପ୍ରକାର କାମରେ ଲଗାଯାଇପାରିବ । ଯାହାକୁ ଗ୍ରହଣ କରିଛନ୍ତି ବିକଶିତ ରାଷ୍ଟ୍ର । ଓଡ଼ିଶା କୃଷି ଓ ଖଣିଜ ସମ୍ପଦ ଭରା ରାଜ୍ୟ ହୋଇଥିବାରୁ ଡ୍ରୋନ୍ ବ୍ୟବହାର ସରକାରଙ୍କୁ ରାଜସ୍ବ ସଂଗ୍ରହ ଓ ନିର୍ଭୁଲ ତଥ୍ୟ ସଂଗ୍ରହ କରିବାରେ ବିଶେଷ ସହାୟକ ହେବ । କନକ୍ଲେଭର ଶେଷ ଦିନରେ ସରକାରଙ୍କ ସବୁ ବିଭାଗର କ୍ଷେତ୍ରୀୟ ସ୍ତରରେ ଡ୍ରୋନ୍ ବ୍ୟବହାର ନେଇ ମତ ପ୍ରକାଶ ପାଇଛି । ଅପହଞ୍ଚ ଅଞ୍ଚଳରେ ଜମି ଜମାର ସଠିକ୍ ମ୍ୟାପିଂ ସହ କୃଷି କାର୍ଯ୍ୟରେ ବହୁଳ ବ୍ୟବହାର ହୋଇପାରିବ ଡ୍ରୋନ୍ । ଗୋଟିଏ ଏକର ଫସଲରେ କୀଟନାଶକ ସିଞ୍ଜନ ପାଇଁ ୭ ମିନିଟ୍ ସମୟ ନେଇ କାମ ସାରିବ ଡ୍ରୋନ । ଡ୍ରୋନ୍ ଟେକ୍ନୋଲୋଜି ପାଇଁ ୪ଟି ପର୍ଯ୍ୟାୟରେ ଦକ୍ଷ ମାନବସମ୍ବଳର ଆବଶ୍ୟକତା ରହିଛି । ଡ୍ରୋନ୍ ମାନ୍ୟୁଫକ୍ଚରିଂ, ଡ୍ରୋନ୍ ଅପରେସନ୍ ବା ପାଇଲଟିଂ, ଡାଟା ଆନାଲିଷ୍ଟ୍ ଓ ମରାମତି ବା ରକ୍ଷଣାବେକ୍ଷଣ । ଆସନ୍ତାଦିନରେ ଡ୍ରୋନ୍ ଫେଡେରେସନ୍ ଅଫ୍ ଇଣ୍ଡିଆ ଓଡିଶାର ୫ ହଜାର ଛାତ୍ରଛାତ୍ରୀଙ୍କୁ ଡ୍ରୋନ୍ ଜ୍ଞାନକୌଶଳର ପ୍ରଶିକ୍ଷଣ ଦେବ । ଏହାସହିତ ବଲାଙ୍ଗୀର ଓ ଭୁବନେଶ୍ବରରେ ଖୋଲିବ ରିମୋଟ ଅପରେଟେଡ୍ ଡ୍ରୋନ୍ ପାଇଲଟିଂ ଟ୍ରେନିଂ ସେଣ୍ଟର ।

ଓଡ଼ିଶା ପାଲଟିଛି ସ୍କିଲ ହବ୍ । କେବଳ କ୍ଲାସରୁମ୍ ଶିକ୍ଷା ନୁହେଁ, ନିଯୁକ୍ତି ଓ ରୋଜଗାର ପାଇଁ ଯେଉଁ ଦକ୍ଷତା ଦରକାର ଠିକ୍ ସେହିପରି ପ୍ରଶିକ୍ଷଣ ଦିଆଯିବ । ଆଉ ଏଥିରେ ସହାୟତା କରିବେ ଅଟୋମୋବାଇଲ, ଖଣିଜ ଉତ୍ତୋଳନ, ନିର୍ମାଣ, ଜଳ ପରିଚାଳନା, ପୋଷାକ ଓ ଆଇଟି ପରି ୩୭ଟି କ୍ଷେତ୍ରରେ କାମ କରୁଥିବା ସ୍କିଲ୍ କାଉନସିଲ । ଓଡ଼ିଶା ସ୍କିଲ କନକ୍ଲେଭ- ୨୦୨୩ ଦେଶକୁ ଦେଇଛି ନୂଆ ବାର୍ତ୍ତା । ପ୍ରତିବର୍ଷ ଏପରି ଦକ୍ଷତାର ମହାମିଳନ ନେଇ ସ୍କିଲ କନକ୍ଲେଭ ଆୟୋଜନ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।

ସମ୍ବଲପୁରରେ ଶାନ୍ତି ଫେରିବା ଚାହୁଁନି ବିଜେପି: ବିଜେଡି

ଭୁବନେଶ୍ୱର: ସମ୍ବଲପୁରର ସମ୍ବେଦନଶୀଳ ଘଟଣା ପରେ ଲୋକଙ୍କ ସହଯୋଗ ଓ ପୋଲିସ ପ୍ରଶାସନର ଉଦ୍ୟମରୁ ଫେରୁଛି ସ୍ୱାଭାବିକ ସ୍ଥିତି । ହେଲେ ଦୁର୍ଭାଗ୍ୟର କଥା ରାଜ୍ୟ ବିଜେପିର ନେତାମାନେ ସମ୍ବଲପୁରରେ ସ୍ଥିତି ସ୍ୱାଭାବିକ ହେଉ ବୋଲି ଚାହୁଁନାହାନ୍ତି । କାରଣ ସେମାନଙ୍କ ବିବୃତ୍ତି ଏହାକୁ ଇଙ୍ଗିତ କରୁଛି । ସମ୍ବଲପୁର ସ୍ଥିତିକୁ ନେଇ ବିଜେପିକୁ ଏମିତି କହି ଟାର୍ଗେଟ କରିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଏବଂ ଦେବୀ ପ୍ରସାଦ ମିଶ୍ର ।

ବିଜେଡି ପକ୍ଷରୁ କୁହାଯାଇଛି, ସମ୍ବଲପୁରରେ ପ୍ରାରମ୍ଭିକ ପ୍ରୟାସ ବିଫଳ ହେବା ପରେ ରାଜ୍ୟ ବିଜେପି ନେତାମାନେ ବିଭିନ୍ନ ଉପାୟ ମାଧ୍ୟମରେ ଏହି ପ୍ରସଙ୍ଗକୁ ଉସୁକାଇବାକୁ ଚେଷ୍ଟା କରୁଛନ୍ତି । ଏପରି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ରାଜ୍ୟ ବିଜେପି ଦେଇଥିବା ବନ୍ଦ ଡାକରା ଓଡିଶାର ଗରିବ ଲୋକଙ୍କ ଜୀବନଜୀବିକା ଉପରେ ପ୍ରଭାବ ପକାଇଥିଲା । ବର୍ତ୍ତମାନ ସେମାନେ ପୁଣିଥରେ ଏଭଳି କାର୍ଯ୍ୟକଳାପ ମାଧ୍ୟମରେ ଓଡ଼ିଶାର ଶାନ୍ତିପ୍ରେମୀ ଲୋକଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି ।

ଉଭୟ ନେତା ଆଗକୁ କୁହାଯାଇଛି, ଓଡ଼ିଶାବାସୀ ଶାନ୍ତିପ୍ରେମୀ ଓ ଓଡିଶା ଏକ ଶାନ୍ତିପ୍ରିୟ ରାଜ୍ୟ । କିନ୍ତୁ ରାଜ୍ୟ ବିଜେପି ସେମାନଙ୍କୁ ଆଇନବିହୀନ ବୋଲି କହି ଅପମାନିତ କରୁଛି । ଓଡ଼ିଶା ବିଜେପି ସଭାପତି ମନମୋହନ ସାମଲ ଜଣେ ବରିଷ୍ଠ ତଥା ଅଭିଜ୍ଞ ରାଜନେତା ହୋଇଥିବାରୁ ଏହା ତାଙ୍କଠାରୁ ଆଶା କରାଯାଉନାହିଁ । ଓଡିଶାର ଲୋକମାନେ ଶାନ୍ତି ଚାହୁଁଛନ୍ତି ଓ ସମ୍ବଲପୁରର ଲୋକମାନେ ଶୀଘ୍ର ସ୍ଥିତି ସ୍ୱାଭାବିକ ହେବା ଚାହୁଁଛନ୍ତି । ଯାହା ଓଡିଶା ବିଜେପିର ଏଜେଣ୍ଡା ସହ ମେଳ ଖାଉନାହିଁ । ତେଣୁ ସେମାନେ କ୍ରମାଗତ ଭାବରେ ଓଡିଶା ଓ ରାଜ୍ୟର ସାଢ଼େ ୪ କୋଟି ଓଡ଼ିଆଙ୍କୁ ଅପମାନିତ କରିବାକୁ ଚେଷ୍ଟା କରୁଛନ୍ତି ।

ପୁରୀ ଯାଇ ଶ୍ରୀଜିଉଙ୍କ ଦର୍ଶନ କଲେ 5T ସଚିବ

ପୁରୀ: ପୁରୀରେ 5T ସଚିବ ଭିକେ ପାଣ୍ଡିଆନ୍ । ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ କଲେ ଦର୍ଶନ । ପରେ ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କରିଥିଲେ । ଶ୍ରୀମନ୍ଦିର ସମ୍ମୁଖରେ ଚାଲୁଥିବା ପ୍ରକଳ୍ପ ନିର୍ମାଣ ନେଇ ନିର୍ମାଣକାରୀ ସଂସ୍ଥାର ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ଏହାସହ ଗୁଣାବତ୍ତା ସହିତ ଟାର୍ଗେଟ ସମୟରେ କାମ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ

ଶୀଘ୍ର ଗଠନ ହେବ ଡ୍ରାଇଭର କଲ୍ୟାଣ ବୋର୍ଡ 

ଭୁବନେଶ୍ବର: ଡ୍ରାଇଭର ଏକତା ମହାମଞ୍ଚର ଦାବି ନେଇ ଲୋକସେବା ଭବନରେ ବସିଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ନିଷ୍ପତ୍ତି । ଗଠନ ହେବ ଡ୍ରାଇଭର କଲ୍ୟାଣ ବୋର୍ଡ । ଡ୍ରାଇଭର କଲ୍ୟାଣ ବୋର୍ଡରେ କିଏ ସଦସ୍ୟ ରହିବେ, ତାହା ପରିବହନ ବିଭାଗ ସ୍ଥିର କରିବ ।

ଆଜି ପରିବହନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ଉଚ୍ଚସ୍ତରୀୟ ବୈଠକ । ଏଥିରେ ମୁଖ୍ୟ ଶାସନ ସଚିବ, ପରିବହନ ସଚିବ, ଆଇନ ମନ୍ତ୍ରୀ ଓ ଶ୍ରମମନ୍ତ୍ରୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ । ମେ’ ମାସ ପ୍ରଥମ ସପ୍ତାହରେ ଦାବି ପୂରଣ ନେଇ ଡ୍ରାଇଭର ସଂଘକୁ ପ୍ରତିଶ୍ରୁତି ଦିଆଯାଇଥିବା ସୂଚନା ମିଳିଛି । ଧାର୍ଯ୍ୟ ସମୟ ପୂର୍ବରୁ ଦାବି ପୂରଣ ହେବା ନେଇ ଆଶାବାଦୀ ଅଛି ଡ୍ରାଇଭର ସଂଘ । ଏହାସହ ଛୁଟି ସତ୍ତ୍ୱେ ଡ୍ରାଇଭରଙ୍କ ହିତ ପାଇଁ ବୈଠକ କରିଥିବାରୁ ରାଜ୍ୟ ସରକାରଙ୍କୁ ସଂଘ ଧନ୍ୟବାଦ ଦେଇଛି ।

କମ୍ ପିଲା ଥିଲେ ସ୍କୁଲରେ ପଡ଼ିବ ତାଲା

ଭୁବନେଶ୍ବର: କମ୍ ପିଲାଙ୍କୁ ନେଇ ବିଗତ କିଛି ବର୍ଷରୁ ଭୁବନେଶ୍ବରରେ ଚାଲୁଥିବା ସ୍କୁଲର ଚଞ୍ଚକତା ଧରା ପଡ଼ିବା ପରେ ଆକ୍ସନ ମୁଡ଼ରେ ରାଜ୍ୟ ସରକାର । ଏଣିକି କମ୍ ପିଲାରେ ସ୍କୁଲ ଚାଲିଲେ କାର୍ଯ୍ୟାନୁଷ୍ଠାନ ନେବ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଏପରିକି ସ୍କୁଲ ସଂପୂର୍ଣ୍ଣ ଭାବେ ବନ୍ଦ କରାଯିବ । ବିଗତ ବର୍ଷରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ହେବ ଆହୁରି ଅଧିକ ତ୍ବରିତ । ସରକାରୀ ମାନ୍ୟତା ଅପେକ୍ଷାରେ ଥିବା ସ୍କୁଲଗୁଡ଼ିକ ରହିଛନ୍ତି ସ୍କାନରରେ ।

ରାଜଧାନୀରେ ସରକାରୀ ସ୍କୁଲର ଚଞ୍ଚକତା ଧରାପଡ଼ିବା ପରେ ସ୍କାନରେ ଶତାଧିକ ସ୍କୁଲ । ପୂର୍ବରୁ ବନ୍ଦ ହୋଇଛି, ଆହୁରି ବନ୍ଦ ହେବ ସ୍କୁଲ । ରାଜ୍ୟର ଅନେକ ସ୍କୁଲରେ ଆଡମିଶନ ହୋଇଛନ୍ତି କମ୍ ପିଲା । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ନ ଜଣାଇ କ୍ଲାସ୍ ଚାଲିଛି । ନିୟମ ଅନୁସାରେ ୫୦ରୁ ଅଧିକ ପିଲାଙ୍କୁ ନେଇ ସ୍କୁଲ ଚାଲିବା କଥା । ହେଲେ ଏହି ନିୟମକୁ ଖିଲାଫ୍ କରାଯାଉଥିବା ଦେଖିବାକୁ ମିଳିଛି । ଏହିଭଳି ୩୦ରୁ ଅଧିକ ସ୍କୁଲ ବିଗତ ଦିନରେ ବନ୍ଦ କରାଯାଇଛି । ଆଗକୁ ସରକାରୀ ମାନ୍ୟତା ପାଇବାକୁ ଅପେକ୍ଷା କରିଥିବା ୧୯୪ ସ୍କୁଲର ଛାତ୍ରଛାତ୍ରୀ ଉପସ୍ଥାନକୁ କଡ଼ାକଡ଼ି ଭାବେ ଯାଞ୍ଚ କରାଯିବ । ନିୟମ ଖିଲାଫ୍ କରୁଥିଲେ ସରକାରୀ ମାନ୍ୟତା ମିଳିବା ତ ଦୂରର କଥା ସ୍କୁଲରେ ତାଲା ଝୁଲିବ । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ସ୍କୁଲ କର୍ତ୍ତୃପକ୍ଷଙ୍କ ଏପରି ଚଞ୍ଚକତା ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଚାଲିଛି । ୟୁନିଟି-୨ରେ ଚାଲିଥିବା ସରକାରୀ ଉଚ୍ଚ ବିଦ୍ୟାଳୟରେ ନିୟମଠାରୁ କମ୍ ପିଲାଙ୍କ ଉପସ୍ଥାନ ଦେଖିବାକୁ ମିଳିଥିଲା । ଷଷ୍ଠରୁ ଦଶମ ଯାଏଁ ମାତ୍ର ୩୫ ଜଣ ପିଲା ପଢୁଥିଲେ । ୫୩ ବର୍ଷର ଏହି ପୁରାତନ ସ୍କୁଲରେ ନିୟମିତ ଭାବେ ପିଲାଙ୍କ ନାମଲେଖା କମୁଥିଲା । ହେଲେ ଏହାର ପ୍ରତିକାର କରିବା ବଦଳରେ କ୍ଲାସ ଚାଲୁଥିଲା । ଏହି ଖବର ପଦାକୁ ଆସିବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କଡ଼ା ଆଭିମୁଖ୍ୟ ଗ୍ରହଣ କରି ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । କମ୍ ପିଲାଙ୍କୁ ନେଇ କାହିଁକି ସ୍କୁଲ ଚାଲୁଥିଲା, ସେ ସଂପର୍କରେ କିଛି କହିବାକୁ ମନା କରି ଦେଇଥିଲେ ସ୍କୁଲ ଅଧ୍ୟକ୍ଷା । ସ୍କୁଲ ବନ୍ଦ ପରେ କ୍ୟାମ୍ପସ୍ ଯେପରି ଭୂତ କୋଠରୀ ନ ପାଲଟେ, ସେଥିପାଇଁ କୋଠରୀକୁ ବ୍ୟବହାର ପାଇଁ ରାଜ୍ୟ ସରକାର ଯୋଜନା କରୁଛନ୍ତି । ଆବଶ୍ୟକ ପଡ଼ିଲେ, ସ୍କୁଲକୁ ପ୍ରାଥମିକ ନିର୍ଦ୍ଦେଶାଳୟରେ ପରିଣତ କରାଯାଇପାରେ ।

ଓୟୁଏଟି ପରିସରରେ ଅଖିମୁଠି ଅନୁକୂଳ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆସନ୍ତାକାଲି ପବିତ୍ର ଅକ୍ଷୟ ତୃତୀୟା । ଭୁବନେଶ୍ବର ଓୟୁଏଟି ପରିସରରେ ରାଜ୍ୟସ୍ତରୀୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିବେ ଅଖିମୁଠି ଅନୁକୂଳ । ଚାଷୀଙ୍କ ମଙ୍ଗଳ ପାଇଁ ମୁଖ୍ୟମନ୍ତ୍ରୀ ଅଖିମୁଠି ଅନୁକୂଳ ସହ ଏହି ପବିତ୍ର ଦିନରେ ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ । ରାଜ୍ୟର ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ମଜବୁତ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କରିଛନ୍ତି । ଆଗକୁ ଚାଷୀଙ୍କ ଆୟ ଦୁଇଗୁଣା କରିବା ସହ ଏମଏସପି ବୃଦ୍ଧି ଉପରେ ଫୋକସ୍‌ କରିଛନ୍ତି ରାଜ୍ୟ ସରକାର ।

ସୂଚନାଯୋଗ୍ୟ, ଚାଷୀଙ୍କ ପାଇଁ ସଦା ଚେଷ୍ଟିତ ନବୀନ ସରକାର । ସେମାନଙ୍କ ବିକାଶ ପାଇଁ ନିଆଯାଉଛି ବିଭିନ୍ନ ପଦକ୍ଷେପ । ଆସନ୍ତାକାଲି ଅକ୍ଷୟ ତୃତୀୟାରେ ଖରିଫ ଚାଷ ଅନୁକୂଳ ପାଇଁ କିଛିଦିନ ତଳେ ଚାଷୀଙ୍କୁ ରାଜ୍ୟ ସରକାର କାଳିଆ ଯୋଜନାର ଅର୍ଥ ପ୍ରଦାନ କରିଛନ୍ତି । ଅକ୍ଷୟ ତୃତୀୟାରେ ଭୁବନେଶ୍ଵର ଓୟୁଏଟି ପରିସରରେ ରାଜ୍ୟସ୍ତରୀୟ ଭୂମିପୂଜା ଓ ଅଖିମୁଠି ଅନୁକୂଳ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ । କୃଷିର ବିକାଶ ଓ କୃଷକଙ୍କ ଆର୍ଥିକ ମେରୁଦଣ୍ଡକୁ ମଜବୁତ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । ସ୍ଵତନ୍ତ୍ର କୃଷି ବଜେଟ୍‌ ଆଣିବା ସହ ବିଭିନ୍ନ ଯୋଜନାରେ ଚାଷୀଙ୍କୁ ଆର୍ଥିକ ପ୍ରୋତ୍ସାହନ ଦିଆଯାଉଛି । କାଳିଆ ଯୋଜନାରେ ଚାଷୀଙ୍କୁ ରାଜ୍ୟ ସରକାର ବର୍ଷକୁ ଦୁଇଟି କିସ୍ତିରେ ୪ ହଜାର ଟଙ୍କା ଦେଉଛନ୍ତି । ଏଥିରେ ଭୂମିହୀନ, କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପକୃତ ହେଉଛନ୍ତି । ସେହିପରି ବଳରାମ ଓ ଅନ୍ୟ ଯୋଜନାରେ ସହାୟତା ଦିଆଯାଉଛି । ବିନା ସୁଧରେ ଚାଷୀଙ୍କୁ ୧ ଲକ୍ଷ ଟଙ୍କା ଯାଏଁ କୃଷିଋଣ ଦିଆଯାଉଛି । ଏହାସହ ଗଙ୍ଗାଧର ମେହେର ଜଳ ପ୍ରକଳ୍ପ, ଲୋୟର ସୁକତେଲ୍‌ ଓ ବିଭିନ୍ନ କ୍ଷୁଦ୍ର ଜଳପ୍ରକଳ୍ପ ଜରିଆରେ ରାଜ୍ୟ ସରକାର ଜମିକୁ ପାଣି ଯୋଗାଇବା ବ୍ୟବସ୍ଥା କରି ଚାଷୀଙ୍କ ମୁହଁରେ ହସ ଫୁଟାଇଛନ୍ତି ।

ସେହିପରି ଚାଷୀଙ୍କ ଆୟ ଦୁଇଗୁଣା କରିବା ପାଇଁ ରାଜ୍ୟ ସରକାର ପ୍ରୟାସ ଜାରି ରଖିଛନ୍ତି । ଧାନର ଏମଏସପି ୨୯୩୦ ଟଙ୍କା କରିବା ପାଇଁ ବିଧାନସଭାରେ ସର୍ବସମ୍ମତ ପ୍ରସ୍ତାବ ପାରିତ ହୋଇଥିବା ବେଳେ ଏନେଇ କେନ୍ଦ୍ର ପାଖରେ ଦାବି କରାଯାଉଛି । ଚାଷୀଙ୍କ ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ଚାଷୀନେତା ସ୍ବାଗତ କରିଛନ୍ତି । ଚାଷୀଙ୍କ ବିକାଶ ଦ୍ବାରା ରାଜ୍ୟ ଓ ଦେଶର ବିକାଶ ହୋଇପାରିବ ବୋଲି ମତ ପ୍ରକାଶ କରି ରାଜ୍ୟ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରାଯାଇଛି ।

ଖରିଫ ଫସଲ ପାଇଁ କାଳିଆ ଯୋଜନା ମାଧ୍ୟମରେ ଉତ୍କଳ ଦିବସରେ ରାଜ୍ୟ ସରକାର ୪୩ ଲକ୍ଷ ଚାଷୀଙ୍କ ବ୍ୟାଙ୍କଖାତାକୁ ସିଧା ସଳଖ ୨ ହଜାର ଟଙ୍କା ଲେଖାଏଁ ପଠାଇଛନ୍ତି ।

ବର୍ଷାଙ୍କ ପରେ ଦୀପାଳି, ମହିଳାଙ୍କୁ ସମ୍ମାନ ଦେବା ଶିଖିନି ବିଜେପି: ବିଜେଡି

ଭୁବନେଶ୍ବର: ନିର୍ବାଚନ ଆସିଲେ ବଦଳି ଯାଉଛି ରାଜ୍ୟ ବିଜେପିର ତୁଙ୍ଗ ନେତାଙ୍କ ଆଚରଣ ଓ ଉଚ୍ଚାରଣ । ମହିଳାଙ୍କୁ ସମ୍ମାନ ଦେବେ କ’ଣ, ମତିଭ୍ରମ ହେବା ଭଳି ମନ୍ତବ୍ୟ ଦେଇ କରୁଛନ୍ତି ଅପମାନ । ପଦମପୁର ଉପନିର୍ବାଚନ ବେଳେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ବିଜେପିର ବରିଷ୍ଠ ନେତା ଯେଉଁଭଳି ଅପମାନ କରିଥିଲେ ତାହା ସାରା ଓଡ଼ିଶା ଦେଖିଥିଲା । ପଦମପୁରବାସୀ ବି ଏହାର ଜବାବ ଭୋଟରେ ଦେଇଥିଲେ । ଏବେ ଆସିଛି ଝାରସୁଗୁଡ଼ା ଉପନିର୍ବାଚନ । ଏଥର ବିଜେପିର ବରିଷ୍ଠ ନେତାଙ୍କ ଟାର୍ଗେଟରେ ଆଉ ଜଣେ ମହିଳା । ଆଉ ସେ ହେଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ଦଳୀୟ ମୁଖପାତ୍ର ଶ୍ରୀମୟୀ ମିଶ୍ର ବିଜେପିକୁ କଡ଼ା ସମାଲୋଚନା କରିବା ସହ କହିଛନ୍ତି, ‘ବିଜେପିର ଆଚରଣ ଓ ଉଚ୍ଚାରଣରେ ଆସିଛି ପରିବର୍ତ୍ତନ । ଓଡ଼ିଶାରେ ମହିଳାଙ୍କୁ ସମ୍ମାନ ଦିଆଯାଏ । ହେଲେ, ବିଜେପି ମହିଳାଙ୍କୁ ସମ୍ମାନ ଦେବା ଶିଖିନି ।’

ସେ କହିଛନ୍ତି, ‘ପଦମପୁର ଉପନିର୍ବାଚନ ବେଳେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ବିରୋଧରେ ବିଜେପି ନେତୃବୃନ୍ଦ ଷଡଯନ୍ତ୍ର କରିବାକୁ ଚେଷ୍ଟା କରିଥିଲେ । ରାଜନୈତିକ ସ୍ତରରେ ଆକ୍ଷେପ ନକରି ବ୍ୟକ୍ତିଗତ ଆକ୍ଷେପ କରିଥିଲେ । ବିଶେଷ କରି ବିଜେପିର ବରିଷ୍ଠ ନେତା ଜୟନାରାଣ ମିଶ୍ର ଏବଂ ପ୍ରଦୀପ ପୁରୋହୀତ ଝିଅ ବୟସର ବର୍ଷାଙ୍କ ବିରୋଧରେ ଏମିତି ମନ୍ତବ୍ୟ ଦେଇଥିଲେ, ଯାହାକୁ ଓଡ଼ିଶାବାସୀ ଗ୍ରହଣ କରି ନଥିଲେ । ଏହା ଓଡ଼ିଶା ପରମ୍ପରା ଓ ସଂସ୍କୃତିରେ ଗ୍ରହଣୀୟ ନୁହେଁ ।’

ଆଗକୁ ସେ କହିଥିଲେ, ‘ଏବେ ଝାରସୁଗୁଡ଼ା ଉପନିର୍ବାଚନ ହେବାକୁ ଯାଉଛି । ଦୀପାଳି ଦାସ ଆମ ପ୍ରାର୍ଥୀ ହୋଇଛନ୍ତି । ପଦମପୁର ଭଳି ଏବେ ବି ବିଜେପିର ବରିଷ୍ଠ ନେତାଙ୍କ ଆଚରଣ ପଦଳି ଯାଇଛି । ବିଜେପିର ବରିଷ୍ଠ ନେତା ବର୍ଷାଙ୍କ ପରି ଦୀପାଳିଙ୍କୁ ଅପବାଦ ଦେବାକୁ ଚେଷ୍ଟା କରୁଛନ୍ତି ।’

ବରିଷ୍ଠ ବିଜେପି ନେତା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆକ୍ଷେପ କରି ଶ୍ରୀମୟୀ ପ୍ରଶ୍ନ କରିଥିଲେ, ‘ଆପଣଙ୍କ ଘରେ ବି ଝିଅ, ଭଉଣୀ ଓ ମାଆ ଅଛନ୍ତି । ଆପଣଙ୍କ ଘରର ମହିଳାଙ୍କୁ କେହି ଏମିତି ଅପବାଦ ଦେଲେ, ଆପଣ ସହ୍ୟ କରିପାରିବେ ତ ?

ଶ୍ରୀମୟୀ କହିଥିଲେ, ‘ବିଡମ୍ବନାର ବିଷୟ, ରାଜ୍ୟ ବିଜେପିର ବରିଷ୍ଠ ନେତା ମହିଳାଙ୍କୁ ସମ୍ମାନ ଦେବା ଜାଣିନାହାନ୍ତି । ଓଡ଼ିଶାରେ ମହିଳାଙ୍କୁ ପ୍ରତି ଏମିତି ବ୍ୟବହାର ଗ୍ରହଣୀୟ ନୁହେଁ । ଯଦି ମାଆମାନଙ୍କୁ ସମ୍ମାନ ଦେଇ ଜାଣିନାହଁ, ବଦମାନ କରନି । ଏମିତି କିଛି କଥା କୁହନ୍ତୁ ନାହିଁ କି ମିଛ ପ୍ରଚାର କରନ୍ତୁ ନାହିଁ, ଯାହାକୁ ଓଡ଼ିଶାବାସୀ ଗ୍ରହଣ କରିବେ ନାହିଁ କି କ୍ଷମା ଦେବେନି ।’

ଯୁଦ୍ଧର ସପ୍ତାହେ ମଧ୍ୟରେ ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଛି ସୁଦାନ, ଏପର୍ଯ୍ୟନ୍ତ ସୁଦ୍ଧା ୪୦୦ ମୃତ

ଖାର୍ତୁମ: ସୁଦାନ ଗତ ଏକ ସପ୍ତାହ ହେବ ଜଳୁଛି । ଗତ ଏପ୍ରିଲ ୧୫ ତାରିଖରୁ ସେନା ଏବଂ ପାରାମିଲିଟାରୀ ଫୋର୍ସ ମଧ୍ୟରେ ସଂଘର୍ଷ ଜାରି ରହିଛି । ଏହି ସଂଘର୍ଷ କାରଣରୁ ଏପର୍ଯ୍ୟନ୍ତ ସୁଦ୍ଧା ୪୦୦ ଜଣଙ୍କ ମୃତ୍ୟୁ ହୋଇଯାଇଛି । ରାଜଧାନୀ ଖାର୍ତୁମ ସହିତ ସୁଡାନର ଅନେକ ସହର ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଛି । ସୁଦାନରେ ପ୍ରବଳ ମାତ୍ରାରେ ଧନଜୀବନ ହାନି ହୋଇଛି । ଏହା ସତ୍ତ୍ୱେ ଏବେବି ଯୁଦ୍ଧ ଜାରି ରହିଛି । ସୁଦାନରେ ସେନା ପ୍ରମୁଖ ଜେନେରାଲ ଅବଦେଲ ଫତାହ ଅଲ ବୁରହାନ ଏବଂ ଆରଏସଏଫର ପ୍ରମୁଖ ଜେନେରାଲ ମହମ୍ମଦ ହମଦାନ ଦଗାଲେଙ୍କ ମଧ୍ୟରେ କ୍ଷମତାର ଲଢେଇ ଜାରି ରହିଛି । ସୁଦାନରେ ସେନା ଏବଂ ଅର୍ଦ୍ଧସୈନିକ ବଳ ମଧ୍ୟରେ କିଏ ଯୁଦ୍ଧ ଜିତିବ, ଏହି କଥାକୁ ନେଇ ମଧ୍ୟ ଚର୍ଚ୍ଚା ଲାଗି ରହିଛି । ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଅଲ-ବୁରହାନର ସେନା ଆରଏସଏଫ ତୁଳନାରେ ଅଧିକ ମଜବୁତ ରହିଛି ।

ଏପରି ସ୍ଥିତିରେ ଅର୍ଦ୍ଧସୈନିକ ବଳର ବିଜୟର ସମ୍ଭାବନା କମ୍ ଲାଗୁଛି । ଅବଶ୍ୟ ସହରୀ ଅଞ୍ଚଳରେ ଅର୍ଦ୍ଧସୈନିକ ବଳର ଯବାନ ସେନା ଉପରେ ଭାରି ପଡ଼ିବେ । ଅଲଜଜିରାର ଏକ ରିପୋର୍ଟ ଅନୁଯାୟୀ ଜାରି ହିଂସା ଆଁରେ ଆଉ ଅନେକ ସହର ଶୀଘ୍ର ଆସିପାରେ । ସୁଦାନର ରାଜଧାନୀ ଖାର୍ତୁମରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ଓମଡୁରମେନ ଏବଂ ଦାରଫୁର ସମେତ ଅନେକ ସହରକୁ ନିଜ କବଜାରେ ନେଇଛି । ଇଣ୍ଟରନ୍ୟାସନାଲ କ୍ରାଇସିସ୍ ଗ୍ରୁପର କହିବା ଅନୁସାରେ ସେନା ଏବଂ ଅର୍ଦ୍ଧସୈନିକ ବଳ ମଧ୍ୟରେ ଜାରି ଏହି ହିଂସା ଏକ ଯୁଦ୍ଧର ରୂପ ନେଉଛି । ଆଗାମୀ ଦିନରେ ଏହି ଯୁଦ୍ଧର ପ୍ରଭାବ ପଡୋଶୀ ଦେଶଗୁଡ଼ିକ ଉପରେ ମଧ୍ୟ ପଡ଼ିପାରେ । ଭୟଙ୍କର ସ୍ଥିତି ଉତ୍ପନ୍ନ ହୋଇପାରେ । ଗୃହଯୁଦ୍ଧ କାରଣରୁ ସୁଦାନରରେ ଯୌନ ଶୋଷଣ, ବଳାତ୍କାର ଭଳି ଘଟଣା ବହୁତ ବଢ଼ିଯାଇଛି ।