ବିଧାୟକ ଶଶିଭୂଷଣ ବେହେରାଙ୍କ ବୋହୂ ଆଣିଲେ ଯୌତୁକ ନିର୍ଯାତନା ଅଭିଯୋଗ

1 min read

ଭୁବନେଶ୍ୱର: ବିଧାୟକ ଶଶିଭୂଷଣ ବେହେରାଙ୍କ ବୋହୂ ଆଣିଲେ ଯୌତୁକ ନିର୍ଯାତନା ଅଭିଯୋଗ । ଶଶିଭୂଷଣ ବେହେରା ଓ ତାଙ୍କ ପରିବାର ବିରୋଧରେ ବୋହୂ ରୋନାଲି ଶାରୀରିକ ଓ ମାନସିକ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ଏନେଇ ବାଙ୍କୀ ଥାନାରେ ଦେଇଛନ୍ତି ଏତଲା । ଶଶିଭୂଷଣଙ୍କ ପୁଅ ସତ୍ୟପ୍ରକାଶଙ୍କ ସହିତ ରୋନାଲିଙ୍କର ୨୦୨୧ ମସିହା ମାର୍ଚ୍ଚ ୩ ତାରିଖରେ ବାହାଘର ହୋଇଥିଲା । ବାହାଘରର ୧୦-୧୨ ଦିନ ପରେ ଶ୍ୱଶୁର ଘର ଲୋକମାନେ ତାଙ୍କ ଉପରେ ନିର୍ଯାତନା ଆରମ୍ଭ କରିଥିଲେ ବୋଲି ଅଭିଯୋଗ ହୋଇଛି । ବାପଘରୁ ଅଧିକ ସୁନା ଅଳଙ୍କାର ଓ ୪୦ ଲକ୍ଷ ଟଙ୍କା ଆଣିବାକୁ ଶ୍ୱଶୁର ଘର ଲୋକ କହିଥିଲେ ବୋଲି ରୋନାଲି ଅଭିଯୋଗ କରିଛନ୍ତି ।

ତେବେ ବିଧାୟକ ଶଶିଭୂଷଣ ବେହେରା ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, ପୁଅ-ବୋହୂଙ୍କ ମଧ୍ୟରେ କିଛି ମତାନ୍ତର ମନାନ୍ତର ଥାଇପାରେ । ବୋହୂ ଆମଘରେ କିଛି ଦିନ ରହିବା ପରେ ତାଙ୍କ ବାପାଙ୍କ ସହ ବାପଘରକୁ ଯାଇଛନ୍ତି । ଯୌତୁକ ଦାବି ଓ ନିର୍ଯାତନା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ବିଧାୟକ ଶଶିଭୂଷଣ ବେହେରା କହିଛନ୍ତି । ବାଙ୍କୀ ପୋଲିସ ତଦନ୍ତ ଜାରି ରଖିଛି। ବାଙ୍କୀ ଏସଡିପିଓ କହିଛନ୍ତି, ଶଶିଭୂଷଣ ବେହେରାଙ୍କ ବିରୋଧରେ ନିର୍ଦ୍ଦିଷ୍ଟ ଅଭିଯୋଗ ନାହିଁ । ଶ୍ବଶୁର ଘର ଅନ୍ୟମାନଙ୍କ ବିରୋଧରେ ରୋନାଲି ଆଣିଥିବା ଅଭିଯୋଗର ତଦନ୍ତ ଚାଲିଛି ।