ମୂଲ୍ୟବୋଧ ରାଜନୀତି ଓ ସୁରବାବୁ

ସମୟର ସ୍ରୋତରେ ସମାଜରେ ପରିବର୍ତ୍ତନ ଆସିଥାଏ । ପରିବର୍ତ୍ତନକୁ ସ୍ୱୀକାର କରି ନୈତିକ ମୂଲ୍ୟବୋଧ ଓ ମାନବିକତାକୁ ଅତୁଟ ରଖି ନିଜକୁ ସମାଜସେବାରେ ନିୟୋଜିତ କରିଥିବା ଆମ ଓଡ଼ିଶା ମାଟିର ଅନ୍ୟତମ ନୀତିନିଷ୍ଠ, ସାହସୀ ଓ ମହାନୁଭବିନେତା ଶ୍ରୀଯୁକ୍ତ ସୁରେନ୍ଦ୍ରନାଥ ନାୟକ । ସେ ବହୁବାର ଓଡ଼ିଶା ସରକାରଙ୍କ ମନ୍ତ୍ରୀ ପଦ ଅଳଙ୍କୃତ କରିଥିଲେ । ଜନମାନସରେ ସ୍ପଷ୍ଟ, ସ୍ୱଚ୍ଛ ଓ ସରଳ ରାଜନେତା ଭାବରେ ସେ ବେଶ ଜଣାଶୁଣା ବ୍ୟକ୍ତିତ୍ୱ ।  ଜନତା ଜନାର୍ଦ୍ଦନଙ୍କ ସମସ୍ୟାର ଆଶୁ ସମାଧାନ ଓ ରୋଗୀସେବାକୁ ସଦାସର୍ବଦା ସେ ଗୁରୁତ୍ୱ ଦିଅନ୍ତି । ଆଜି (୧୭ ମେ) ତାଙ୍କର ୮୭ତମ ଜନ୍ମ ଦିବସ ।

ବ୍ୟକ୍ତି ବିଶେଷଙ୍କ କର୍ତ୍ତବ୍ୟ ନିର୍ଦ୍ଧାରଣରେ ଦ୍ୱନ୍ଦ୍ୱକୁ ଲକ୍ଷ୍ୟ କରି ଗାନ୍ଧିଜୀ କହିଥିଲେ ଯେ ପ୍ରତ୍ୟହ ପ୍ରାତଃକାଳରେ ତୁମ ଆଖି ଆଗରେ ପଡ଼ୁଥିବା ଦୁଃସ୍ଥଲୋକଟିକୁ ନିରୀକ୍ଷଣ କରି ତୁମେ ଭାବୁଥିବା କାର୍ଯ୍ୟ ସେହି ଦୁଃସ ଲୋକଟିର ମୁହଁରେ ହସ ଫୁଟାଇବାରେ ସହାୟକ ହେବକି ବୋଲି ଚିନ୍ତାକର । ତେବେ ସମାଜର ଦୁଃଖ ଦୂର ହେବା ସହିତ ନିଜେ ସୁଖୀ ହେବ । ତେଣୁ ଗାନ୍ଧିଜୀଙ୍କରଏହି ଉପଦେଶ ସମସ୍ତଙ୍କର ଧ୍ୟେୟ ହେବା ଉଚିତ୍ ।
ଏହି ମର୍ମରେ ବିଶ୍ବାସ କରୁଥିବା ସୁରବାବୁ କହନ୍ତି, ପୁରୀଜିଲ୍ଲା ଅସ୍ତରଙ୍ଗ (କୁହୁଡ଼ି) ଠାରେ ଲବଣ ସତ୍ୟାଗ୍ରହ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଇତିହାସରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ । ଏହା ସବୁଦିନ ଦେଶବାସୀ ବିଶେଷତଃ ଅସ୍ତରଙ୍ଗ ଓ କାକଟପୁରବାସୀଙ୍କୁ ଉଦ୍ବୁଦ୍ଧ କରିଥିବ  । ମୋର ଗର୍ବ ମୋର ଜନ୍ମ ଏହି ମାଟିରେ । ମୋ ମୃତ୍ୟୁ ପରେ ମୋ ଦେହ ଏହି ପବିତ୍ର ମାଟିରେ ମିଶିବ ବୋଲି ଦୃଢ଼ବିଶ୍ୱାସ  ।

ଏହି ବର୍ଷୀୟାନ ନେତା ନିଜ ମନକଥା କହନ୍ତି,  ଯାବତୀୟ ପ୍ରାକୃତିକ ବାଧାବନ୍ଧନ ଓ ଦୁର୍ବିପାକ ସତ୍ତ୍ୱେ ଆମ କାକଟପୁରବାସୀ ଦେଶ ମାତୃକାର ସେବାରେ ଆଗୁଆ ଥିଲୁ ଓ ଆଗୁଆ ରହିବୁ । ମୋର ସୌଭାଗ୍ୟ ମୋ ଅସ୍ତରଙ୍ଗ ଓ କାକଟପୁରବାସୀ ସ୍ନେହଶ୍ରଦ୍ଧା, ଆଦର ଓ ଆଶୀର୍ବାଦ ଯୋଗୁ ମୋ ପରିଜଣେ ଅଳ୍ପଶିକ୍ଷିତ ଲୋକ ପ୍ରବାଦ ପୁରୁଷ ବିଜୁବାବୁ ଓ ନବୀନ ବାବୁଙ୍କ ନେତୃତ୍ୱରେ ରାଜ୍ୟ ତଥା ଦେଶର ବିକାଶମୁଖୀ କାର୍ଯ୍ୟରେ ନିୟୋଜିତ ହୋଇପାରିଛି । ଏହା ମୋର ଗର୍ବ ।ସମସ୍ତ ଭେଦଭାବ ଭୁଲି ଏହି ଅଞ୍ଚଳର ଉନ୍ନତି ପାଇଁ ସମସ୍ତେ କାର୍ଯ୍ୟ କରିବେ ବୋଲି ମୁଁ ଦୃଢ଼ ଆଶାକରୁଛି ।

ସେହି ମହାନୁଭବୀ ବ୍ୟକ୍ତିତ୍ୱଙ୍କର ୮୭ତମ ଶୁଭ ଜନ୍ମଦିବସରେ ଆମ୍ଭେ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରୁଅଛୁ । ତାଙ୍କର ସୁସ୍ଥ ଓ ନିରାମୟ ଜୀବନ ନିମନ୍ତେ ମା’ ମଙ୍ଗଳା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଅଛୁ ।

  – ବାସୁଦେବ ବେହେରା

କମ୍ପାନୀ ସେକ୍ରେଟାରୀ ତଥା ପୁରାତନ ଛାତ୍ର

ସୁରେନ୍ଦ୍ରନାଥ ସରକାରୀ ଉଚ୍ଚ ବିଦ୍ୟାଳୟ

ସୁନ୍ଦର, ଅସ୍ତରଙ୍ଗ, ପୁରୀ