ଅସ୍ତବ୍ୟସ୍ତ କରୁଛି ଗରମ ସାଙ୍ଗକୁ ଗୁଳୁଗୁଳି, ୪୩.୬ ଡିଗ୍ରୀ ସହିତ ସମ୍ବଲପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର: ଗରମ ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଉଛନ୍ତି ଲୋକ । ଦିନ ସାଢେ ଦୁଇଟା ସୁଦ୍ଧା ୪୩.୬ ଡିଗ୍ରୀ ସହିତ ସମ୍ବଲପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର । ଝାରସୁଗୁଡ଼ାରେ ୪୩.୪ ଡିଗ୍ରୀ ପାରଦ ରେକର୍ଡ ହୋଇଥିବାବେଳେ ହୀରାକୁଦରେ ୪୧.୬ ଡିଗ୍ରୀ ତାତି ରେକର୍ଡ ହୋଇଛି । ସେପଟେ ବାୟୁରେ ଆର୍ଦ୍ରତା ବୃଦ୍ଧି ଯୋଗୁ ଗୁଳୁଗୁଳି ବଢୁଛି । ପୁରୀରେ ଆର୍ଦ୍ରତା ୮୨ ପ୍ରତିଶତ ଥିବା ବେଳେ ଗୋପାଳପୁରରେ ୭୫, ବାଲେଶ୍ବର ଓ ପାରାଦୀପରେ ୭୩ ପ୍ରତିଶତ ଲେଖାଏ ଆର୍ଦ୍ରତା ରେକର୍ଡ କରାଯାଇଛି ।

ଖରା ପାଇଁ କାଲି ଆଭ୍ୟନ୍ତରୀଣ ଓଡ଼ିଶାର ୫ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଦିନ ୧୧ଟାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ପିକ୍ ଆଓ୍ବାର ଘୋଷଣା କରାଯାଇଛି । ଏହି ସମୟରେ ବୟସ୍କ ଏବଂ ଶିଶୁ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ସେପଟେ ଆସନ୍ତା ୧୮ ତାରିଖରୁ ରାଜ୍ୟ କାଳବୈଶାଖୀ ପ୍ରଭାବ ଦେଖାଯିବ ବୋଲି ପାଣିପାଗ ବିଜ୍ଞାନୀ ଅନୁମାନ କରିଛନ୍ତି । ଉପକୂଳବର୍ତ୍ତୀ ଜିଲ୍ଲାରେ ଏହାର ପ୍ରଭାବ ପଡ଼ିବ ଏବଂ ଗରମ ଓ ଗୁରୁଗୁଳିରୁ ସାମାନ୍ୟ ଆଶ୍ବସ୍ତି ମିଳିବ ।