ସେନକୋ ଅଳଙ୍କାର ଦୋକାନରୁ ଡକାୟତି ଘଟଣା, ୮ ଜଣିଆ ଟିମ୍‌ ଗଠନ କରି ପୋଲିସର ଛାନବିନ

ଯାଜପୁର: ଯାଜପୁର ବ୍ୟାସନଗର ସହରର ସେନକୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡ ସୁନା ଦୋକାନରୁ ଲୁଟ୍ ଘଟଣାରେ ତନାଘନା । ବଡ଼ ଧରଣର ଡକାୟତି ଘଟଣାରେ ଏପର୍ଯ୍ୟନ୍ତ ଧରା କେହି ପଡିନଥିବା ବେଳେ, ଘଟଣାକୁ ଗୁରୁତର ସହ ନେଇ ତଦନ୍ତକୁ ଜୋରଦାର କରିଛି ପୋଲିସ । ଯାଜପୁର ଏସପି ଭିନିତ୍ ଅଗ୍ରଓ୍ବାଲ ୮ଟି ଟିମ୍ ଗଠନ କରି ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛନ୍ତି । ଏସପିଙ୍କ ତତ୍ବାବଧାନରେ ତଦନ୍ତ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା କିଛି ସିସିଟିଭି ଫୁଟେଜ ପୋଲିସ ହାତରେ ଲାଗିଥିବା ବେଳେ ବିଭିନ୍ନ ଦିଗରୁ ସିସିଟିଭି ଫୁଟେଜ ସଂଗ୍ରହ କରିବାକୁ ପ୍ରୟାସ ଚଳାଇଛି ପୋଲିସ ।

ଡକାୟତି ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କୁ ଧରାଇବାରେ ସାହାଯ୍ୟ କଲେ ସଂପୃକ୍ତ ବ୍ୟକ୍ତିଙ୍କୁ ପୁରସ୍କାର ଦିଆଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଗତକାଲି ଦିନ ଦ୍ବିପ୍ରହରରେ ସୋରୁମକୁ ଗ୍ରାହକ ବେଶରେ ଆସି ୭ ଜଣ ଲୁଟେରା ୧୫ କୋଟିରୁ ଅଧିକ ଟଙ୍କାର ସୁନା ଓ ହୀରା ଅଳଙ୍କାର ଲୁଟି ନେଇଥିଲେ । ଘଟଣାକୁ ଗୁରୁତର ସହ ନେଇ ଯାଞ୍ଚ କରୁଛି ପୋଲିସ । ଅନ୍ୟପଟେ ସାମ୍ନାକୁ ଆସିଛି ଲୁଟ୍ ସମୟର ସିସିଟିଭି ଫୁଟେଜ୍ । ବାଇକରେ ଆସି ଲୁଟେରା କିପରି ଲୁଟ୍ କରି ନେଇଯାଉଛନ୍ତ ତାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।

ସୁନା ଦୋକାନ ସମ୍ମୁଖରେ ଥିବା ଏକ ପେଟ୍ରୋଲ ପମ୍ପରେ ଲାଗିଥିବା ସିସିଟିଭି କ୍ୟାମେରାରେ ଲୁଟେରା ମାନେ ଲୁଟ କରି ଫେରାର ହେଉଥିବାର ଦୃଶ୍ୟ ରହିଛି । ପୋଲିସ ବିଭିନ୍ନ ଦିଗରୁ ସିସିଟିଭି ଫୁଟେଜ ସଂଗ୍ରହ କରି ତଦନ୍ତ କରୁଛି । ଗତକାଲି ଦିନ ୨ଟା ସମୟରେ ୭ ଜଣ ଡକାୟତ ସୋରୁମ୍ ଭିତରକୁ ଗ୍ରାହକ ବେଶରେ ପ୍ରବେଶ କରିଥିଲେ । ପରେ କର୍ମଚାରୀଙ୍କୁ ମାଡ ମାରି ବନ୍ଧୁକ ମୁନରେ ଗହଣା ସବୁ ଲୁଟି ନେବା ସହ ବାହାରୁ ସଟର ପକାଇ ଫେରାର ହୋଇ ଯାଇଥିଲେ । ଆକ୍ରମଣରେ ସୋରୁମର ୨ ଜଣ କର୍ମଚାରୀ ଆହତ ହୋଇଛନ୍ତି ।