spot_img
Home Blog Page 3360

ପରିଚୟ ଦେଲା ଗେଣ୍ଡୁଫୁଲ, ମହିଳାଙ୍କୁ ରୋଜଗାର ସହ ଦେଇଛି ବଞ୍ଚିବାର ରାହା

ସୁନ୍ଦରଗଡ଼: ପରିଚୟ ଦେଲା ଗେଣ୍ଡୁଫୁଲ । ମହିଳାଙ୍କୁ ରୋଜଗାର ସହ ଦେଇଛି ବଞ୍ଚିବାର ରାହା । ସୁନ୍ଦରଗଡ଼ ଜିଲ୍ଲାର ୬ଟି ବ୍ଲକରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଶୀତକାଳୀନ ଗେଣ୍ଡୁ ଫୁଲ ଚାଷ କରି ବେଶ୍ ଲାଭବାନ ହେଉଛନ୍ତି । ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଓ ଓଡ଼ିଶା ଜୀବିକା ମିଶନ ସହଯୋଗରେ ଆର୍ଥିକ ସ୍ତରରେ ଲାଭବାନ ହେଉଛନ୍ତି । ଜିଲ୍ଲାର ୬ଟି ବ୍ଲକରେ ପାଇଲଟ୍‌ ପ୍ରକଳ୍ପ ଭାବେ ଗେଣ୍ଡୁ ଫୁଲ ଚାଷ କରାଯାଉଛି । ସବଡେଗା, କୁତ୍ରା, ରାଜଗାଙ୍ଗପୁର, ବାଲିଶଙ୍କରା, ନୂଆଗାଁ ଏବଂ କୁଆରମୁଣ୍ଡା ବ୍ଲକରେ ୧ ଏକର କରି ମୋଟ ୬ ଏକର ଜମିରେ ଏହି ଗେଣ୍ଡୁଫୁଲ ଚାଷ କରାଯାଇଛି । ଏଥିରେ ୧୮ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ୧୮୦ ଜଣ ସଦସ୍ୟା ଯୋଡ଼ି ହୋଇଛନ୍ତି । ଏଥିପାଇଁ ମହିଳାଙ୍କୁ  ତାଲିମ ମଧ୍ୟ ଦିଆଯାଉଛି । ସୁନ୍ଦରଗଡ଼ ଜିଲ୍ଲାର ୬ଟି ବ୍ଲକ ଅଞ୍ଚଳରେ ଗେଣ୍ଡୁଫୁଲ ଚାଷ ସଫଳ ହେବା ପରେ ଜିଲ୍ଲାର ସମସ୍ତ ୧୭ ବ୍ଲକରେ ଚାଷ ପାଇଁ ଲକ୍ଷ୍ୟ ରଖାଯାଇଛି ।

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଗେଣ୍ଡୁଫୁଲ କିଲୋ ୪୦ ରୁ ୫୦ ଟଙ୍କା ଦରରେ ବିକ୍ରି କରୁଛନ୍ତି । ପ୍ରତି ବ୍ଲକରେ ୩ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ନେଇ ଗୋଟିଏ କ୍ଲଷ୍ଟର ଗଠନ କରାଯାଇଛି । ଓଡ଼ିଶା ଜୀବିକା ମିଶନ ପକ୍ଷରୁ ପ୍ରତି କ୍ଲଷ୍ଟରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦିଆଯାଉଛି । ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ଏଥିପାଇଁ ବୈଷୟିକ ସହାୟତା ଯୋଗାଇ ଦିଆଯାଉଛି ।

 

ଭୁବନେଶ୍ବରରେ ବିମାନରେ ପକ୍ଷୀ ମାଡ଼ ପରେ ଆକ୍ସନ ମୋଡରେ ପ୍ରଶାସନ

ଭୁବନେଶ୍ୱର: ରେଡ୍ ଜୋନରେ ବଢ଼ୁଛି ପକ୍ଷୀଙ୍କ ଚଳପ୍ରଚଳ । ବୃଦ୍ଧି ପାଉଛି ବିମାନ ଦୁର୍ଘଟଣା ଆଶଙ୍କା । ଚିନ୍ତା ପ୍ରକଟ କଲେ ବିମାନ ବନ୍ଦର କର୍ତ୍ତୃପକ୍ଷ । ବିମାନବନ୍ଦର ସଂଲଗ୍ନ ଅଞ୍ଚଳରେ ବ୍ୟାପକ ହେଲା ଉଚ୍ଛେଦ ଅଭିଯାନ । ଭୁବନେଶ୍ବର ବିମାନ ବନ୍ଦରରେ ଅଳ୍ପକେ ଟଳିଲା ବଡ଼ ଧରଣର ବିମାନ ଦୁର୍ଘଟଣା । ଉଡ଼ାଣ ପରେ ପକ୍ଷୀ ସହ ଧକ୍କା ଯୋଗୁଁ ଜରୁରୀ ଅବତରଣ କଲା ଏୟାର ଏସିଆର ଭୁବନେଶ୍ୱରରୁ ପୁନେ ଯାଉଥିବା E9J12E ବିମାନ । ଗୁରୁବାର ଅପରାହ୍ନରେ ଘଟିଛି ଅଘଟଣ । ବିମାନ ବନ୍ଦର ଅଞ୍ଚଳରେ ପକ୍ଷୀଙ୍କ ଅବାଧ ବିଚରଣ ଯୋଗୁଁ ବଢୁଛି ବିମାନ ଦୁର୍ଘଟଣା ଆଶଙ୍କା । ପୂର୍ବରୁ ମଧ୍ୟ ଏପରି ଘଟଣା ଘଟିଥିବାରୁ ଯାତ୍ରୀଙ୍କ ସହ ସମ୍ପୃକ୍ତ ଅଞ୍ଚଳବାସୀ ଆତଙ୍କିତ । ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅବହେଳାରୁ ବଢ଼ିବାରେ ଲାଗିଛି ପକ୍ଷୀଙ୍କୁ ଆକୃଷ୍ଟ କଲାଭଳି ଫୁଡଷ୍ଟଲ । ନିୟମିତ ବ୍ୟବଧାନରେ ଚଢ଼ାଉ କରି ରେଡ୍ ଜୋନ୍ ଅଂଚଳରେ କଟକଣାକୁ କାର୍ଯ୍ୟକାରୀ କରିବାକୁ ଦାବି କରିଛନ୍ତି ଲୋକେ ।

ବିମାନ ବନ୍ଦର ଅଞ୍ଚଳର ସୁରକ୍ଷାରେ ଅବହେଳା ଅକ୍ଷମଣୀୟ ଅପରାଧ । ଏକ୍ଷେତ୍ରରେ ବିମାନ ବନ୍ଦର, ପୋଲିସ ଓ ବିଏମସି କର୍ତ୍ତୃପକ୍ଷଙ୍କ ମଧ୍ୟରେ ସମନ୍ୱୟରେ ଅଭାବ ଅନ୍ୟତମ କାରଣ । ପକ୍ଷୀଙ୍କୁ ଆକୃଷ୍ଟ କରିବା ଭଳି ଖାଦ୍ୟପଦାର୍ଥକୁ ବର୍ଜନ ଦ୍ବାରା ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇପାରେ ବୋଲି କହିଛନ୍ତି ପରିବେଶବିତ୍ । ସେପଟେ ଘଟଣା ପରେ ବିଭିନ୍ନ ବିଭାଗ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି । ବିମାନ ବନ୍ଦର କର୍ତ୍ତୃପକ୍ଷ ବିମାନବନ୍ଦର ସଂଲଗ୍ନ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ବିଏମସି ପକ୍ଷରୁ ଜୋରଦାର ହୋଇଛି ଉଛେଦ ଅଭିଯାନ । ରେଡ୍‌ ଜୋନ ଅଞ୍ଚଳରେ ଫୁଡଷ୍ଟଲ ଓ ଖାଦ୍ୟ ବିକ୍ରିବଟା ଉପରେ ଲାଗିଛି କଟକଣା ।

 

ଆସୁଛି ରଙ୍ଗର ପର୍ବ ହୋଲି, ସବୁଠି ଜମି ଆସୁଛି ଉତ୍ସବର ପରିବେଶ

ଖୋର୍ଦ୍ଧା: ଆସୁଛି ରଙ୍ଗର ପର୍ବ ହୋଲି । ରଙ୍ଗ ଖେଳିବା ଲାଗି ସବୁଠି ଉତ୍ସବର ମାହୋଲ । ଚଳଚଞ୍ଚଳ ହେଲାଣି ହାଟ ବଜାର । ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ଭଳିକି ଭଳି ରଙ୍ଗରେ ରଙ୍ଗୀନ ହେଉଛି ଦୋକାନ । ଗ୍ରାହକଙ୍କୁ ଆକୃଷ୍ଟ କରୁଛି ଆର୍ଗାନିକ ରଙ୍ଗ । ଲୋକଙ୍କ ପ୍ରଥମ ପସନ୍ଦ ପାଲଟିଛି ବିଭିନ୍ନ ଡିଜାଇନର ପିଚକାରୀ ସହ ହୋଲି ଟୋପି । ଚଳିତ ବର୍ଷ ରସାୟନିକ ବଦଳରେ ହର୍ବାଲ ରଙ୍ଗ ପାଲଟିଛି ସମସ୍ତଙ୍କ ପସନ୍ଦ ।

ସେପଟେ ଦୋଳପର୍ବ ପାଇଁ ଚଳଚଞ୍ଚଳ କେନ୍ଦ୍ରାପଡ଼ାର ମହାକାଳପଡ଼ା ଅଞ୍ଚଳ। ଗୋପାଳ ସମ୍ପ୍ରଦାୟଙ୍କ ଦୋଳ ପୂର୍ଣ୍ଣିମା ସବୁଠାରୁ ବଡ଼ ପର୍ବ ହୋଇଥିବାରୁ ସମସ୍ତେ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି । ଫଗୁ ଦଶମୀଠାରୁ ପଞ୍ଚୁଦୋଳ ପର୍ଯ୍ୟନ୍ତ ଏହି ଦୋଳ ପର୍ବ ପାଳନ କରାଯାଇଥାଏ । ପରିବାରର ସମସ୍ତ ସଦସ୍ୟ ନୂତନ ବସ୍ତ୍ର ପରିଧାନ କରିଥାନ୍ତି । ବିଶେଷ କରି ମହାକାଳପଡ଼ା ବ୍ଲକ ବିଭିନ୍ନ ପଞ୍ଚାୟତରେ ଦୋଳପର୍ବକୁ ଧୁମଧାମରେ ପାଳନ କରାଯାଏ ।

ବାରିପଦା ମେଡିକାଲ କଲେଜ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କଲେ 5T ସଚିବ

ମୟୂରଭଞ୍ଜ: ମୟୂରଭଞ୍ଜରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଅନୁଧ୍ୟାନ କରୁଛନ୍ତି 5T ସଚିବ । ବାରିପଦା ମେଡିକାଲ କଲେଜ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କଲେ 5T ସଚିବ ଭି.କେ ପାଣ୍ଡିଆନ । ମେଡିକାଲ କଲେଜ ଛାତ୍ରଛାତ୍ରୀ ଓ ରୋଗୀଙ୍କ ସହ ଆଲୋଚନା କଲେ 5T ସଚିବ । ଏହାପୂର୍ବରୁ ଏମକେସି ହାଇସ୍କୁଲ ଗସ୍ତ କରି ଛାତ୍ରଛାତ୍ରୀଙ୍କ ସହ ବି ସେ କଥା ହୋଇଛନ୍ତି । ସ୍କୁଲ ପରିସର ବୁଲି ଦେଖିବା ସହ ଶ୍ରେଣୀ ଗୃହ, ଲ୍ୟାବ୍ ଓ ଅଡିଟୋରିୟମ ବୁଲି ଦେଖିଛନ୍ତି ।

ଏହା ପୂର୍ବରୁ ବାଲିଡିହା ଡ୍ୟାମ ସ୍ଥଳ ବୁଲିବା ସହ ବୁଢ଼ାବଳଙ୍ଗ ନଦୀର ରିଂ ରୋଡ୍ ବିକାଶ କାର୍ଯ୍ୟର ମଧ୍ୟ ସମୀକ୍ଷା କରିଥିଲେ 5T ସଚିବ । ସକାଳୁ ଦ୍ବାରଶୁଣୀ ଘାଟିରେ ପହଞ୍ଚି ସେଠାରେ ସ୍ଥିତି ଅନୁଧ୍ୟାନ କରିବା ପରେ ପହଞ୍ଚିଥିଲେ ବାରିପଦା ଜଗନ୍ନାଥ ମନ୍ଦିର । ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ ଜଣାଇଥିଲେ ସେବାୟତ । 5T ସଚିବ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ମନ୍ଦିର ଚାରିପାଖର ସୌନ୍ଦର୍ଯ୍ୟକରଣ କାମ ତଦାରଖ କରିଥିଲେ । ଏହାପରେ ବାରିପଦା ଷ୍ଟାଡିୟମ ଯାଇ ସେଠାରେ ସ୍ପୋର୍ଟସ ହଷ୍ଟେଲ ଛାତ୍ରଛାତ୍ରୀଙ୍କ ସହ ଜଳଖିଆ ଖାଇଥିଲେ । ଯାହାକୁ ନେଇ ଖୁସି ବ୍ୟକ୍ତ କରିଥିଲେ ଛାତ୍ରଛାତ୍ରୀ ।

 

ନବ ଦାସ ହତ୍ୟା ମାମଲା, ଅଭିଯୁକ୍ତ ଗୋପାଳକୁ NIMHANS ନେବା ପାଇଁ କ୍ରାଇମବ୍ରାଞ୍ଚ ଆବେଦନ ଖାରଜ

ଝାରସୁଗୁଡ଼ା: ନବକିଶୋର ଦାସଙ୍କୁ ଗୁଳି କରି ହତ୍ୟା ମାମଲା । ଅଭିଯୁକ୍ତ ଗୋପାଳ ଦାସକୁ ବେଙ୍ଗାଲୁରୁସ୍ଥିତ NIMHANS ଯିବା ପ୍ରସଙ୍ଗ । କ୍ରାଇମବ୍ରାଞ୍ଚ ଆବେଦନକୁ ଖାରଜ କଲେ ଝାରସୁଗୁଡା ଜିଲ୍ଲା ଓ ଦୌରାଜଜ୍ । ଗୋପାଳକୁ ବେଙ୍ଗାଲୁରୁସ୍ଥିତ NIMHANS ନେବା ଲାଗି ଗତ ୨୨ ତାରିଖରେ କୋର୍ଟରେ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ । ଆଜି ଏହାର ଶୁଣାଣି କରି ଆବେଦନ ପିଟିସନକୁ ଖାରଜ କରିଛନ୍ତି ଝାରସୁଗୁଡା ଜିଲ୍ଲା ଓ ଦୌରାଜଜ୍ ।

ବରୁଣେଇ ପାହାଡ଼ ତଳେ ଥିବା ପ୍ଲାଷ୍ଟିକ କାରଖାନା ଗୋଦାମରେ ଭୟାବହ ଅଗ୍ନିକାଣ୍ଡ

ଖୋର୍ଦ୍ଧା: ଖୋର୍ଦ୍ଧା ବରୁଣେଇ ପାହାଡ଼ ତଳେ ଥିବା ପ୍ଲାଷ୍ଟିକ କାରଖାନା ଗୋଦାମରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଲିଭା କାର୍ଯ୍ୟରେ ଲାଗିଛି ୧୦ଟି ଅଗ୍ନିଶମ ଗାଡ଼ି । ହେଲେ ନିଆଁର ତୀବ୍ରତା ଅଧିକ ଯୋଗୁ ନିଆଁ ଲିଭାଇବା ଅସମ୍ଭବ ହୋଇ ପଡ଼ିଛି । ଘଟଣାସ୍ଥଳରେ ପୋଲିସ କତୃପକ୍ଷ ମଧ୍ୟ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛନ୍ତି । ଘର ଭିତରୁ ୪ଟି ଜାଳେଣି ଗ୍ୟାସ ଟାଙ୍କି ସୁରକ୍ଷିତ ସ୍ଥାନକୁ ଅଣାଯାଇଛି । ନିଆଁ ଲାଗିବାର କାରଣ ଜଣାପଡ଼ିନଥିବା ବେଳେ ଅଗ୍ନିଶମ ବିଭାଗର ୧୦୦ରୁ ଅଧିକ କର୍ମଚାରୀ ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।

ପ୍ରତି ଗାଁରେ ଖୋଲିବ ପାର୍ଲର ସାଲୁନ, ମେକଅପ୍‌ ଟ୍ରେନିଂ ନେଉଛନ୍ତି ଏସଏଚଜି

ଭୁବନେଶ୍ୱର: ବିଭିନ୍ନ ପାରମ୍ପରିକ କାର୍ଯ୍ୟରୁ ବାହାରି ଅଣପାରମ୍ପରିକ ଓ ବୈଷୟକ କାମ ହାତକୁ ନେଇ ରାଜ୍ୟର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ବିଶେଷ ସଫଳତା ପ୍ରଦର୍ଶନ କରିପାରିଛନ୍ତି। ଏବେ ରାଜ୍ୟର ୪୦ ଜଣ ମିଶନ ଶକ୍ତିର ମା’ ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ‘ଓଡ଼ିଆ ବ୍ରାଇଡାଲ ମେକଅପ୍’ ପାଠ୍ୟକ୍ରମରେ ତାଲିମ ଶେଷ କରି ଗ୍ରାମାଞ୍ଚଳରେ ଏହି ଆଧୁନିକ ପ୍ରସାଧାନ ସେବା ଯୋଗାଇ ଦେବା ପାଇଁ ନିଜକୁ ପ୍ରସ୍ତୁତ କରିଛନ୍ତି।

ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ଅଧୀନରେ ପ୍ରତିଷ୍ଠିତ ୱାର୍ଲଡ ସ୍କିଲ୍ ସେଣ୍ଟର ବା ବିଶ୍ୱ ଦକ୍ଷତା କେନ୍ଦ୍ରରେ ଏହି ୩୦ ଦିନିଆ ତାଲିମ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ମିଶନ ଶକ୍ତି ବିଭାଗର ମିଳିତ ଆନୁକୂଲ୍ୟରେ ପ୍ରସ୍ତୁତ ଏହି ବିଶେଷ ପାଠ୍ୟକ୍ରମ ମାଧ୍ୟମରେ ୧୭ଟି ଜିଲ୍ଲାରୁ ଆସିଥିବା ଏସଏଚଜି ମା’ମାନେ ଯୋଗ ଦେଇଥିଲେ। ସେମାନଙ୍କୁ ଆଧୁନିକ ପ୍ରସାଧାନ ସେବା ଅଧୀନରେ ବେସିକ୍ ଫେସିଆଲ, ବ୍ରାଇଡାଲ ମେକଅପ୍, ସ୍ୟାମ୍ପୁ ଓ ହେଡ୍ ମସାଜ୍, ବେସିକ୍ ହେୟାର କଟିଂ, ପେଡିକିୟୋର ଏବଂ ମ୍ୟାନିକିୟୋର ଆଦି ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା।

ଏହି ପ୍ରଥମ ବ୍ୟାଚ ତାଲିମ କାର୍ଯ୍ୟକ୍ରମ ଶେଷରେ ଗୁରୁବାର ଦିନ ବିଶ୍ୱ ଦକ୍ଷତା କେନ୍ଦ୍ର ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ମିଶନ ଶକ୍ତି ବିଭାଗର ସଚିବ ସୁଜାତା ଆର୍ କାର୍ତ୍ତିକେୟନ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାଲିମ ଶେଷ କରିଥିବା ଏସଏଚଜି ମହିଳାମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ।

‘‘ଏସଏଚଜିକୁ ଏସଏମଇରେ ପରିଣତ କରିବା ହେଉଛି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ। ତେଣୁ ରାଜ୍ୟର ଏସଏଚଜି ମହିଳାମାନଙ୍କୁ ବିଭିନ୍ନ ବିଷୟରେ ଉନ୍ନତ ମାନର ତାଲିମ ଦିଆଯାଉଛି। ଏସଏଚଜି ମା’ମାନେ ଆର୍ଥିକ, ସାମାଜିକ ଆଦି କ୍ଷେତ୍ରରେ କିପରି ପ୍ରତିଷ୍ଠିତ ହୋଇ ସ୍ୱତନ୍ତ୍ର ପରିଚୟ ପାଇବେ ତା’ ଉପରେ ସରକାରଙ୍କ ପକ୍ଷରୁ ବିଶେଷ ଧ୍ୟାନ ଦିଆଯାଉଛି। ଆଗାମୀ ଦିନରେ ବିଶ୍ୱ ଦକ୍ଷତା କେନ୍ଦ୍ର ଏବଂ ଦକ୍ଷତା ବିକାଶ ବିଭାଗର ସହଯୋଗରେ ବ୍ଲକ ସ୍ତରରେ ମହିଳାମାନଙ୍କୁ ବିଭିନ୍ନ ବଜାର-ଉପଯୋଗୀ ବିଷୟରେ ତାଲିମ ଦେବା ପାଇଁ ମଧ୍ୟ ଲକ୍ଷ୍ୟ ରହିଛି’’, କହିଛନ୍ତି ସୁଜାତା ଆର୍ କାର୍ତ୍ତିକେୟନ୍।

‘‘ମିଶନ ଶକ୍ତି ବିଭାଗ ଏବଂ ସ୍କିଲଡ ଇନ ଓଡ଼ିଶାର ମିଳିତ ସହଯୋଗରେ ଏସଏଚଜି ମା’ମାନଙ୍କୁ ବ୍ରାଇଡାଲ ମେକଅପ୍ ଭଳି ଆଧୁନିକ ବିଷୟରେ ତାଲିମ ଦିଆଯାଇଛି। ଏହା ଗ୍ରାମାଞ୍ଚଳ ମହିଳାମାନଙ୍କ କାର୍ଯ୍ୟ ଦକ୍ଷତା ବୃଦ୍ଧି କରିବା ସହ ସେମାନଙ୍କ ଜୀବନକୁ ଏକ ନୂଆ ମୋଡ଼ ଦେଇପାରିବ। ସଶକ୍ତ ଓଡ଼ିଶା ଗଠନ ଦିଗରେ ଏଭଳି ତାଲିମ କାର୍ଯ୍ୟକ୍ରମ ବିଶେଷ ସହାୟକ ହୋଇପାରିବ’’, ଏହି ଅବସରରେ କହିଛନ୍ତି ବିଶ୍ୱ ଦକ୍ଷତା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଳକା ଆରୋରା ମିଶ୍ର।

ଏହି ୩୦ ଦିନିଆ ‘ଓଡ଼ିଆ ବ୍ରାଇଡାଲ ମେକଅପ୍’ ପାଠ୍ୟକ୍ରମକୁ ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ ଉଦଘାଟନ କରିଥିଲେ।

ବର୍ତ୍ତମାନ ବ୍ରାଇଡାଲ ମେକଅପ୍ ଏବଂ ବିଭିନ୍ନ ଆନୁସଙ୍ଗିକ ପ୍ରସାଧାନ ସେବା ମୁଖ୍ୟତଃ ବଡ଼ ବଡ଼ ସହରରେ ସୀମିତ ହୋଇ ରହିଛି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ଏହି ବିଷୟରେ ତାଲିମ ଦିଆଯିବା ଫଳରେ ସେମାନେ ଏବେ ଗ୍ରାମାଞ୍ଚଳରେ ସାଲୁନ୍, ବ୍ୟୁଟି ପାର୍ଲର ଏବଂ ସ୍ପା ଆଦି ଖୋଲି ଏହି ସେବା ଦେଇପାରିବେ। ଫଳରେ ସଂପୃକ୍ତ ମହିଳମାନେ ସ୍ୱାବଲମ୍ବୀ ହେବା ସହ ଆଗାମୀ ଦିନରେ ଅନ୍ୟମାନଙ୍କ ପାଇଁ ଜୀବିକା ସୃଷ୍ଟି କରିପାରିବେ।
ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଶିକ୍ଷାର୍ଥୀମାନଙ୍କୁ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଏକ ଆଧୁନିକ ପରିବେଶ ଭିତରେ ତାଲିମ ଦିଆଯାଇଥିଲା। ସେମାନେ ନିଜ ହାତରେ ମେକଅପ୍, ହେୟାର ଷ୍ଟାଇଲିଂ ଏବଂ ସ୍ପା’ର ବିଭିନ୍ନ ସେବା ଅଭ୍ୟାସ କରିଥିଲେ। ଏଥିପାଇଁ ଆବଶ୍ୟକ ଆଧୁନିକ ଯନ୍ତ୍ରପାତି, ସହାୟକ ସାମଗ୍ରୀ ଆଦି ଯୋଗାଇ ଦିଆଯାଇଥିଲା। ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଏସଏସଚଜି ମା’ମାନଙ୍କ ମାଗଣାରେ ରହିବା, ଖାଇବା ବ୍ୟବସ୍ଥା ଓ ଯାତାୟତ ସୁବିଧା କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ବିଶ୍ୱ ଦକ୍ଷତା କେନ୍ଦ୍ରର ସ୍କୁଲ ଅଫ୍ ସର୍ଭିସେସର ନିର୍ଦ୍ଦେଶକ ସୁଗୁଣା ଶ୍ରୀନିବାସନ, ବିଶ୍ୱ ଦକ୍ଷତା କେନ୍ଦ୍ରର ଅଧ୍ୟକ୍ଷ ସଙ୍ଗରଣ ଗୋପାଳ, ଉପାଧ୍ୟକ୍ଷ ଡକ୍ଟର ସୁଭଙ୍ଗ କୁମାର ଦାସ ତଥା ସିଙ୍ଗାପୁରସ୍ଥିତ ବୈଷୟିକ ସହଯୋଗୀ ଅନୁଷ୍ଠାନ ଆଇଟିଇଇଏସର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

ବିଜେପିକୁ ହରାଇବାକୁ ଟିଏମସି କାଫି: ମମତା ବାନାର୍ଜୀ

କୋଲକାତା: ମେଣ୍ଟ ନୁହେଁ ଏକାକୀ ଲଢ଼ିବ ଟିଏମସି । ୨୦୨୪ ଲୋକସଭା ନିର୍ବାଚନରେ ଟିଏମସି କୌଣସି ଦଳ ସହ ମେଣ୍ଟ କରିବ ନାହିଁ ବୋଲି କହିଛନ୍ତି ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବିରୋଧୀ ଏକତା ପାଇଁ କଂଗ୍ରେସ, ଜେଡିୟୁ ସମେତ ବିଭିନ୍ନ ଦଳ ଆହ୍ୱାନ ଦେଇଥିବା ବେଳେ ମମତା ଏଥିରୁ ଓହରି ଯାଇଛନ୍ତି । ୨୦୨୪ ସାଧାରଣ ନିର୍ବାଚନରେ ଟିଏମସି ଏକା ଲଢ଼ିବ । ଆଗାମୀ ବର୍ଷର ଲୋକସଭା ନିର୍ବାଚନରେ ​​କେବଳ ଲୋକଙ୍କ ସମର୍ଥନରେ ଦଳ ଲଢ଼େଇ କରିବ ବୋଲି ମମତା କହିଛନ୍ତି । ବିଜେପିକୁ ହରାଇବାକୁ ହେଲେ ଟିଏମସିକୁ ଭୋଟ୍ ଦେବା ଜରୁରୀ ବୋଲି ମମତା କହିଛନ୍ତି।

ଚେନ୍ନାଇରେ ଡିଏମକେର ଏକ ସଭାରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଯୋଗଦେଇ ବିରୋଧୀ ଏକାଠି ହୋଇ ନିର୍ବାଚନ ଲଢିବାକୁ ଆହ୍ବାନ ଦେଇଥିଲେ । ସେହିପରି ଜେଡିୟୁ ସୁପ୍ରିମୋ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ବିରୋଧୀଙ୍କୁ ଏକାଠି ହୋଇ ନିର୍ବାଚନ ଲଢ଼ିବାକୁ ପୂର୍ବରୁ ଆହ୍ବାନ କରିଥିଲେ। କିନ୍ତୁ ଏବେ ମମତାଙ୍କ ଏପରି ନିଷ୍ପତ୍ତି ବିରୋଧୀ ଏକତାରେ କେଁ ପୂରାଇପାରେ ବୋଲି ରାଜୈନତିକ ସମୀକ୍ଷକ ମତ ଦେଇଛନ୍ତି ।

୪୦ ଲକ୍ଷ ଲାଞ୍ଚ ନେବା ବେଳେ ବିଜେପି ନେତାଙ୍କ ପୁଅ ଗିରଫ, ପୁଅ ଗିରଫ ପରେ ବିଜେପିରୁ ବାପାଙ୍କ ଇସ୍ତଫା

ବେଙ୍ଗାଲୁରୁ: ୪୦ ଲକ୍ଷ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ କର୍ଣ୍ଣାଟକ ବିଜେପି ବିଧାୟକଙ୍କ ପୁଅ । ଟଙ୍କା ଗଣି ଗଣି ଥକି ଗଲେ ଲୋକାୟୁକ୍ତ ଅଧିକାରୀ । ଘର ଓ ଅଫିସରୁ ୮ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜବତ ହୋଇଥିବା ବେଳେ ଏବେ ବି ଜାରି ରହିଛି ରେଡ୍‌ । କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ପାଇଁ ରାଜନୀତି ସରଗରମ ହୋଇଥିବା ବେଳେ ବିଜେପି ନେତାଙ୍କ ପୁଅଙ୍କ କାରନାମା ସାମ୍ନାକୁ ଆସିଛି । ଯାହାକୁ ନେଇ ଶାସକ ବିଜେପିକୁ ୪୦ ପ୍ରତିଶତ କମିସନ ସରକାର କହି ଟାର୍ଗେଟ କରିଛି କଂଗ୍ରେସ । ରାଜ୍ୟରେ କମିସନ ସରକାର ଚାଲିଛି ବୋଲି କହିଛନ୍ତି କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡି କେ ଶିବକୁମାର । ଲାଞ୍ଚ ନେଇ ଧରାପଡ଼ିବା ପରେ ବିଜେପି ବିଧାୟକ ମଦାଲ ବିରୂପାକ୍ଷପ୍ପାଙ୍କ ପୁଅ ପ୍ରଶାନ୍ତଙ୍କ ଘରୁ ୬ କୋଟି ନଗଦ ଟଙ୍କା ଓ ଅଫିସରୁ କୋଟିଏ ୭୦ ଲକ୍ଷ ଟଙ୍କା ଜବତ ହୋଇଛି ।

ପ୍ରଶାନ୍ତଙ୍କ ବାପା ମଦାଲ ବିରୂପାକ୍ଷପ୍ପା କର୍ଣ୍ଣାଟକ ସୋପସ୍ ଆଣ୍ଟ ଡିଟରଜେଣ୍ଟସ ଲିମିଟେଡର ଅଧ୍ୟକ୍ଷ ଅଛନ୍ତି । ବାପାଙ୍କ ଲାଗି ପୁଅ ଏହି ଟଙ୍କା ଲାଞ୍ଚ ନେଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ବଡ଼କଥା ହେଉଛି ରାଜ୍ୟରେ ଦୁର୍ନୀତି ନିବାରଣକୁ ଅଧିକ ଶକ୍ତିଶାଳୀ କରିବା ଲାଗି କର୍ଣ୍ଣାଟକ ହାଇକୋର୍ଟ ଆଣ୍ଟି କରପସନ୍ ବ୍ୟୁରୋକୁ ଭାଙ୍ଗି ଶକ୍ତିଶାଳୀ ଲୋକାୟୁକ୍ତ ଗଠନ କରିଥିଲେ । ଏହାସତ୍ତ୍ବେ ରାଜ୍ୟରେ ୪୦ ପ୍ରତିଶତ କମିସନ ନେବା ପ୍ରକ୍ରିୟା ଜାରି ରହିଛି ବୋଲି କଂଗ୍ରେସ କହିଛି । ଚଳିତ ବର୍ଷ କର୍ଣ୍ଣାଟକ ନିର୍ବାଚନ ହେବାକୁ ଥିବା ବେଳେ ବିଜେପି ନେତାଙ୍କ ପୁଅଙ୍କ ଏହି କାରନାମା ଦଳ ପାଇଁ ଅଡୁଆ ସ୍ଥିତି ଉପୁଜାଇଛି । ପୁଅ ଲାଞ୍ଚ ନେଇ ଧରାପଡ଼ିବା ପରେ ଇସ୍ତଫା ଦେଇଛନ୍ତି ବିଜେପି ବିଧାୟକ ବିରୂପାକ୍ଷପ୍ପା ।

କିଙ୍ଗ୍ ଖାନଙ୍କ ସୁରକ୍ଷାରେ ତ୍ରୁଟି, ପାଚେରୀ ଡେଇଁ ମନ୍ନତରେ ପଶିଲେ ଦୁଇ ଯୁବକ

ମୁମ୍ବାଇ: କିଙ୍ଗ୍ ଖାନଙ୍କ ସୁରକ୍ଷାରେ ତ୍ରୁଟି । ପାଚେରୀ ଡେଇଁ ମନ୍ନତରେ ପଶିଲେ ଦୁଇ ଯୁବକ । ଗୁରୁବାର ରାତି ପ୍ରାୟ ସାଢ଼େ ୯ଟା ବେଳେ ଦୁଇ ଜଣ ଯୁବକ ପାଚେରୀ ଡେଇଁ ମୁମ୍ବାଇ ବାନ୍ଦ୍ରା ଓ୍ୱେଷ୍ଟସ୍ଥିତ ଶାହାରୁଖଙ୍କ ବଙ୍ଗଳାରେ ପଶିଥିଲେ । ଦୁଇ ଯୁବକ ମନ୍ନତର ଦ୍ୱିତୀୟ ମହଲା ପର୍ଯ୍ୟନ୍ତ ଚାଲିଯାଇଥିବା ବେଳେ ସୁରକ୍ଷାକର୍ମୀ ସେମାନଙ୍କୁ କାବୁ କରିଛନ୍ତି । ପୋଲିସ ଦୁଇ ଯୁବକଙ୍କୁ ଗିରଫ କରିଛି । ଅଭିଯୁକ୍ତ ଦୁଇ ଯୁବକ ଗୁଜରାଟରୁ ଆସିଥିବା ବେଳେ ଶାହାରୁଖ ଖାନଙ୍କୁ ଦେଖା କରିବାକୁ ପାଚେରୀ ଡେଇଁଥିଲେ ବୋଲି ପୋଲିସ କହିଛି ।