ମୋବାଇଲ ଚୋରି ଅଭିଯୋଗ ଲାଗି ପୋର୍ଟାଲ, ଉପଭୋକ୍ତାଙ୍କ ପାଇଁ ଆରମ୍ଭ ହେଲା ସଂଚାର ସାଥୀ ପୋର୍ଟାଲ

1 min read

ନୂଆଦିଲ୍ଲୀ: ଆପଣଙ୍କ ଫୋନ୍ ଚୋରି କିମ୍ବା ହଜିଯାଇଛି କି ? ଏଣିକି ମିଳିଯିବ ଚୋରି ହୋଇଥିବା କିମ୍ବା ହଜିଥିବା ମୋବାଇଲ ଫୋନ୍ । ଫୋନକୁ ଠାବ କରିବା ସହ ବ୍ଲକ୍ ମଧ୍ୟ କରିହେବ । ଯାହାଫଳରେ ଚୋରି ହୋଇଥିବା ଫୋନକୁ କେହି କରିପାରିବେ ନାହିଁ ବ୍ୟବହାର । ମୋବାଇଲ ଚୋରି ଅଭିଯୋଗ ପାଇଁ ଉନ୍ମୋଚନ ହୋଇଛି ସଂଚାର ସାଥୀ ନାମକ ପୋର୍ଟାଲ । ମଙ୍ଗଳବାର କେନ୍ଦ୍ର ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ପୋର୍ଟାଲକୁ ଉନ୍ମୋଚନ କରିଛନ୍ତି ।

ଏହି ପୋର୍ଟାଲରେ ମୋବାଇଲ ଚୋରିର ଅଭିଯୋଗ ଏବଂ ସେହି ଅଭିଯୋଗ ଉପରେ କ’ଣ ପଦକ୍ଷେପ ଗ୍ରହଣ କରାଯାଉଛି ତାହାର ସ୍ଥିତି ଜାଣିହେବ । ଏହି ପୋର୍ଟାଲରେ ଫୋନ୍ ଚୋରି ଅଭିଯୋଗ ଆସିବା ପରେ ଅଭିଯୋଗକର୍ତ୍ତାଙ୍କ ପରିଚୟ ଯାଞ୍ଚ କରାଯିବ । ଏହା ପରେ ଟେଲିକମ୍ ଅପରେଟର ଓ ଆଇନ ପ୍ରଣୟନକାରୀ ସଂସ୍ଥାଙ୍କ ମିଳିତ ଉଦ୍ୟମରେ ଫୋନକୁ ଠାବ କରି ବ୍ଲକ୍ କରିପାରିବେ । ସି-ଡଟ୍‌ ଦ୍ୱାରା ପ୍ରସ୍ତୁତ ଏହି ବ୍ୟବସ୍ଥାକୁ ସର୍ବଭାରତୀୟ ସ୍ତରରେ ଲାଗୁ କରାଯାଇଛି । ଏହି ପୋର୍ଟାଲ ମୋବାଇଲ ଚୋରାଚାଲାଣ ଯାଞ୍ଚ ମଧ୍ୟ କରିବ । ଯଦି କେହି ଫୋନ୍ ଚୋରି କରି ତା’ର IMEI ନମ୍ବର ବଦଳାଇ ଦିଅନ୍ତି ତଥାପି ସେହି ଫୋନକୁ ଠାବ କରିହେବ ।

ଖାଲି ସେତିକି ନୁହେଁ, ଆପଣଙ୍କ ନାଁରେ କେତେ ସଂଖ୍ୟକ ସିମ୍ ରହିଛି, ସେ ସମ୍ପର୍କିତ ତଥ୍ୟ ବି ପାଇପାରିବେ ଏହି ପୋର୍ଟାଲରୁ । ଏମିତିକି ନିଜ ନାଁରେ ଥିବା ଅଣବ୍ୟବହୃତ ସିମ୍ ଓ ଜାଲ୍ ସିମକୁ ବ୍ଲକ୍ ବି କରିପାରିବେ । ଫେକ୍ ସିମ୍ ଜରିଆରେ ହେଉଥିବା ସାଇବର ଅପରାଧ ରୋକିବା ଦିଗରେ ଏହା ବଡ଼ ମାଇଲଖୁଣ୍ଟ ହେବ । ଏଥିରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସକୁ ବ୍ୟବହାର କରି ଜଣେ ବ୍ୟକ୍ତି କେତେ ସଂଖ୍ୟକ ସଂଯୋଗ ନେଇଛି ତାହା ମଧ୍ୟ ଚିହ୍ନଟ କରାଯାଇପାରୁଛି ।

କିଭଳି କରିବେ ଅଭିଯୋଗ ?

Sancharsathi.gov.in ପୋର୍ଟାଲକୁ ଯାଇ ସେଥିରେ ଥିବା ’Block Stolen / Lost Mobile’ ବିକଳ୍ପରେ କ୍ଲିକ୍ କରନ୍ତୁ । ଓ୍ୱେବସାଇଟରେ ମୋବାଇଲ ଓ ନିଜର ସମ୍ପର୍କରେ ମଗାଯାଇଥିବା ବିବରଣୀ ଦିଅନ୍ତୁ । ବିବରଣୀରେ ମୋବାଇଲ ନମ୍ବର, IMEI ନମ୍ବର, ବ୍ରାଣ୍ଡ ନାମ, ଡିଭାଇସ ମଡେଲ, ମୋବାଇଲ କିଣିଥିବା ଇନଭଏସ ଆଦି ତଥ୍ୟ ଦେବାକୁ ପଡ଼ିବ । ମୋବାଇଲ ଚୋରି ହୋଇଥିବା ସ୍ଥାନ, ଚୋରି କିମ୍ବା ହଜିଥିବା ତାରିଖ, ପୋଲିସ ଅଭିଯୋଗ ସଂଖ୍ୟା ଓ ପୋଲିସ ଅଭିଯୋଗର ନକଲ ଦାଖଲ କରିବାକୁ ପଡ଼ିବ । ଏହା ସହିତ ମୋବାଇଲ ମାଲିକଙ୍କ ନାମ, ଠିକଣା, ପରିଚୟ ପ୍ରମାଣପତ୍ର, ଇ-ମେଲ୍ ID, ମୋବାଇଲ ନମ୍ବର ଆଦି ଦେବାକୁ ପଡ଼ିବ । ସବୁ ତଥ୍ୟ ଦେବା ପରେ ସେଲଫ୍ ଡିକ୍ଲାରେସନ୍ ଦେଇ ଫର୍ମକୁ ଦାଖଲ କରିବାକୁ ପଡ଼ିବ । ଏହା ପରେ ଆପଣଙ୍କ ଅଭିଯୋଗର ଏକ ଆଇଡି ଜାରି ହେବ । ସେହି ଆଇଡି ଜରିଆରେ ଜାଣିପାରିବେ ଅଭିଯୋଗର ସ୍ଥିତି । ତେବେ ସଂଚାର ସାଥୀ ଆପ୍ ସାଇବର ଅପରାଧ ରୋକିବା ଦିଗରେ ଆଉ ଏକ ମାଇଲଖୁଣ୍ଟ ହେବ ବୋଲି ଆଶା କରାଯାଉଛି।