ଝରକା ଖୋଲି ଶୋଉଥିଲେ ସାବଧାନ ! ହାଇଟେକ୍‌ ଉପାୟରେ ଚୋରି କରୁଛି ଦେଶୀ ଚୋର

ଭୁବନେଶ୍ବର: ଆପଣ ଝରକା ଖୋଲି ଶୋଉଛନ୍ତି କି । ଯଦି ହଁ ତେବେ ସାବଧାନ ହୋଇଯାଆନ୍ତୁ । କାରଣ ଆପଣ ବି ହୋଇପାରନ୍ତି ହାଇଟେକ୍‌ ଚୋରର ଶିକାର । ଭୁବନେଶ୍ବରରେ ଦେଶୀ ଚୋରର ହାଇଟେକ ମୁଣ୍ଡ । ଚୋରି ପାଇଁ ବ୍ୟବହାର କରୁଥିଲା ହାତ ତିଆରି ଯୋଗାଡ । ଭାକ୍ୟୁମ୍ ମୋବାଇଲ୍ ହୋଲ୍ଡର୍ ଓ ବ୍ଲେଡ୍ ବ୍ୟବହାର କରି କରୁଥିଲା ଦାମୀ ମୋବାଇଲ୍ ଓ ଜିନିଷପତ୍ର ଚୋରି ।

ଦୁଇ ଚୋରଙ୍କୁ ସିସିଟିଭି ଆଧାରରେ ଧରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ମଙ୍ଗୁ ବେହେରା ଓ ବନା ନାୟକ । ସେମାନଙ୍କର ଚୋରି ଶୈଳୀ ଦେଖି ପୋଲିସ ମଧ୍ୟ ଚକିତ ହୋଇଯାଇଛି । ଗତ ୧୪ତାରିଖରେ କୈଳାସ ବିହାର ଅଞ୍ଚଳର ଏକ ଲେଡିସ ହଷ୍ଟେଲର କବାଟ ଖୋଲାଥିବା ବେଳେ ଘରେ ପଶି କେମିକାଲ ସ୍ପ୍ରେ କରିଥିଲେ ଅଭିଯୁକ୍ତ ।

ଦୁଇ ମହିଳା ଓ୍ବାର୍ଡନଙ୍କୁ ଅଚେତ କରି ଘରୁ ନେଇଯାଇଥିଲେ ଦୁଇଟି ମୋବାଇଲ୍ । ଏନେଇ ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ମଙ୍ଗୁ ଏବଂ ବାନା ପାଖରୁ ମିଳିଥିଲା ଦୁଇଟି ଆଙ୍କୁଡ଼ି । ଯେଉଁଥିରେ ଦୁଇ ଜଣ ବ୍ଲେଡ୍ ଓ ଭାକ୍ୟୁମ ମୋବାଇଲ୍ ହୋଲ୍ଡର ଫିକ୍ସ କରିଥିଲେ । ଯାହା ସାହାଯ୍ୟରେ ଘର କବାଟ ଡୋର ସ୍କ୍ରିନ୍ ଏବଂ ଝରକା ଫାଙ୍କରୁ ଝରକାରେ ଲାଗିଥିବା ନେଟଲନ କାଟି ଭାକ୍ୟୁମ ମୋବାଇଲ୍ ହୋଲ୍ଡର ସାହାଯ୍ୟରେ କରୁଥଲେ ଚୋରି । ଦୁଇଟି ଆଙ୍କୁଡ଼ି ଓ ଗୋଟିଏ ମୋବାଇଲ୍ ଜବତ୍ କରିବା ସହ ଦୁଇ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ଚନ୍ଦ୍ରଶେଖର ପୁର ଥାନା ପୋଲିସ । ସେମାନଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି ।