୨୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମଲହରୀ, ପଶ୍ଚିମ ଓଡ଼ିଶାରେ ଅଧିକ ରହିବ ତାପମାତ୍ରା

ଭୁବନେଶ୍ୱର: ପଶ୍ଚିମରେ ତାତି, ଉପକୂଳରେ କାଳବୈଶାଖୀ । ରାଜ୍ୟରେ ଦିନରେ ତାପମାତ୍ରା ବୃଦ୍ଧି ସହିତ ଅପରାହ୍ନରେ କାଳବୈଶାଖୀ ବର୍ଷା ହେଉଛି । ଫଳରେ ସକାଳୁ ଗରମ ସହିତ ଅପରାହ୍ମରେ ଆଶ୍ବସ୍ତି ମିଳୁଛି । ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଖରା ବଢ଼ିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର । ବିଶେଷ କରି ପଶ୍ଚିମ ଓଡ଼ିଶାରେ ତାପମାତ୍ରା ଅଧିକ ରହିବ । କେତେକ ସ୍ଥାନର ତାତି ୪୫ ଡିଗ୍ରୀ ଛୁଇଁପାରେ । ଏବେ କେତେକ ସହରର ତାପମାତ୍ରା ୪୪ ଡିଗ୍ରୀରୁ ଅଧିକ ରହୁଥିବାବେଳେ ୨୦ ଅଧିକ ସହର ୪୦ ଡିଗ୍ରୀ ଉପରେ ରହୁଛି  ।

ଖରା ସମୟରେ ଜରୁରୀ କାମ ନଥିଲେ ଘରୁ ନବାହାରିବାକୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେପଟେ ଉପକୂଳ ଓଡ଼ିଶାରେ କାଳବୈଶାଖୀ ସକ୍ରିୟ ରହିଥିବାରୁ ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ହେଉଛି । ଏହି ସମୟରେ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହୁଛି ।