କେତେବାଟ ଆଗେଇଛି କଳାହାଣ୍ଡିର ବିକାଶ, ଗ୍ରାଉଣ୍ଡ ଜିରୋକୁ ଯାଇ ଅନୁଧ୍ୟାନ କରିବେ 5T ସଚିବ

1 min read

ଭୁବନେଶ୍ୱର: କେତେବାଟ ଆଗେଇଛି କଳାହାଣ୍ଡିର ବିକାଶ । ପ୍ରଗତି ପଥେ କ’ଣ ରହିଛି ସମସ୍ୟା । କ’ଣ ରହିଛି ଲୋକଙ୍କ ଅସୁବିଧା । ଜିଲ୍ଲାର ସାମଗ୍ରିକ ବିକାଶର ଅନୁଧ୍ୟାନ ପାଇଁ ଆଜିଠୁ ଦୁଇଦିନିଆ କଳାହାଣ୍ଡି ଜିଲ୍ଲା ଯାଉଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ଗ୍ରାଉଣ୍ଡରେ ବିକାଶର ଅନୁଧ୍ୟାନ କରିବା ସହ ଲୋକଙ୍କ ସହିତ ଆଲୋଚନା କରି ସମସ୍ୟାର ସମାଧାନ କରିବେ । ସକାଳ ୧୦ଟାରେ ଉତକେଲାରେ ପହଞ୍ଚିବେ 5T ସଚିବ। ସେଠାରୁ ବେଲଖଣ୍ଡି ଶିବ ମନ୍ଦିର ଯାଇ ଦର୍ଶନ କରିବା ପରେ ମନ୍ଦିରର ଉନ୍ନତିକରଣ ସମ୍ପର୍କରେ ପୂଜକ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବେ । ପରେ ଆମ ହସ୍ପିଟାଲରେ ଅଧିନରେ ରୂପାନ୍ତରିତ ହେଉଥିବା ଏମ. ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ଅନୁଧ୍ୟାନ କରିବେ । ସାନ୍ଦୁଲ ଜଳସେଚନ ପ୍ରକଳ୍ପ ନିର୍ମାଣ ଅଗ୍ରଗତୀର ସମୀକ୍ଷା କରିବେ 5T ସଚିବ । ପରେ ନର୍ଲା ମିଶନ ଶକ୍ତି କାଫେ ଓ ମିନି ଷ୍ଟାଡିୟମ ପରିଦର୍ଶନ କରିବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କର ସମସ୍ୟା ଶୁଣିବେ । ଅପରାହ୍ନରେ ଭବାନୀପାଟଣା ପୋଲିସ ହାଇସ୍କୁଲଠାରେ ସମସ୍ୟା ସମ୍ପର୍କରେ ଲୋକଙ୍କ ସହିତ ସିଧାସଳଖ ଆଲୋଚନା କରିବେ ।

ସେଠାରୁ ଆଶା ସାଗର ଯାଇ ଅନୁଧ୍ୟାନ କରିବା ପରେ ଜୁନାଗଡ଼ ବିଜୁ ପଟ୍ଟନାୟକ ଷ୍ଟାଡିୟମ ଓ ମାଆ ଲଙ୍କେଶ୍ବରୀ ମନ୍ଦିର ଯାଇ ଉନ୍ନୟନ କାର୍ଯ୍ୟର ଅନୁଧ୍ୟାନ କରିବେ ଭିକେ ପାଣ୍ଡିଆନ । ପରେ ଭବାନୀପାଟଣା ସରକାରୀ ମେଡିକାଲ କଲେଜ ଓ ଟିଚିଂ ହସ୍ପିଟାଲ ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି । ମେଡିକାଲ କଲେଜ କ୍ୟାମ୍ପସ ଅଡିଟୋରିୟମରେ କଲେଜ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ପରେ ଓୟୁଏଟି କଲେଜ ଅଡିଟୋରିୟମରେ ଲୋକଙ୍କ ସହ ସିଧାସଳଖ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି । ପରେ ଭବାନୀପାଟଣା ଟାଉନ୍ ହଲରେ ଏସଏଚଜିଙ୍କ ସହ ଆଲୋଚନା କରିବେ । ସ୍ପୋର୍ଟ୍ସ ହଷ୍ଟେଲରେ ପିଲାଙ୍କ ସହିତ ଆଲୋଚନା କରିବା ସହ କିଛି ସମୟ ବିତାଇବେ 5T ସଚିବ ।  ଭଟ୍ଟାଙ୍ଗପଦର ଇକୋ ଟୁରିଜମ କପ୍ଲେକ୍ସରେ ରାତ୍ର ରହଣୀ କାର୍ଯ୍ୟକ୍ରମ ରହିଛି ।