ଇମ୍ରାନଙ୍କ ବଢୁଛି ଟେନସନ୍‌, PTIର ଆଉଜଣେ ଟାଣୁଆ ନେତା ଛାଡିଲେ ଦଳ

1 min read

ଇସଲାମାବାଦ: ଅଡୁଆରେ ଇମ୍ରାନ । ଏପଟେ ଗିରଫଦାରୀ ଭୟ, ସେପଟେ ସେନା ଡରରେ ଦଳ ଛାଡୁଛନ୍ତି ନେତା । ପିଟିଆଇର ଆଉ ଜଣେ ଟାଣୁଆ ନେତା ଆମିନ ଅସଲମ ଦଳରୁ ଇସ୍ତଫା ଦେଇଛନ୍ତି । ଇମ୍ରାନ ଓ ତାଙ୍କ ସମର୍ଥକଙ୍କ ସେନା ବିରୋଧୀ ଏଜେଣ୍ଡାରେ ସାମିଲ ହେବାକୁ ଚାହୁଁନଥିବା କହି ଇସ୍ତଫା ଦେଇଛନ୍ତି ଅସଲମ। ଏହା ଇମ୍ରାନଙ୍କ ଟେନସନ ବଢ଼ାଇଛି ।

ପାକିସ୍ତାନରେ ସେନା ଭର୍ସେସ ଇମ୍ରାନ ବିବାଦ ଜାରି ରହିଥିବା ବେଳେ ଦଳ ଭିତରେ ବିଦ୍ରୋହ ଇମ୍ରାନଙ୍କ ପାଇଁ ସଙ୍କଟ ବଢ଼ାଇପାରେ । ସେପଟେ ପଞ୍ଜାବ ସରକାରଙ୍କ ଡେଡଲାଇନ ଶେଷ ହେବା ପରେ ଇମ୍ରାନଙ୍କ ଲୋହୋର ଜମାନ ପାର୍କସ୍ଥିତ ବାସଭବନ ଆଗରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଇମ୍ରାନ ନିଜକୁ ଘରେ ବନ୍ଦ କରିଦେଇଥିବା ବେଳେ ଯେକୌଣସି ମୁହୂର୍ତ୍ତରେ ପୋଲିସ ତାଙ୍କ ଘରେ ପଶିପାରେ। ଇମ୍ରାନଙ୍କ ଘରେ ୩୦ରୁ ୪୦ଜଣ ଆତଙ୍କବାଦୀ ଲୁଚି ରହିଥିବା ପୋଲିସ ଆଶଙ୍କା କରି ସେମାନଙ୍କୁ ହସ୍ତାନ୍ତର କରିବାକୁ ଅଲ୍ଟିମେଟମ ଦିଆଯାଇଥିଲା।

ତେବେ ସମୟ ଶେଷ ହେବା ପରେ ପୋଲିସ ତାଙ୍କ ଘରକୁ ଚାରିଆଡୁ ଘେରି ରହିଥିବା ବେଳେ ଯିବା ଆସିବା ରାସ୍ତାକୁ ମଧ୍ୟ ବନ୍ଦ କରିଦିଆଯାଇଛି । ଅଲ-କାଦୀର ଟ୍ରଷ୍ଟ ଜମି ଦୁର୍ନୀତି ମାମଲାରେ ଆଜି ଇମ୍ରାନଙ୍କୁ NAB ସମନ କରିଥିବା ବେଳେ ସେ ହାଜର ହୋଇ ନଥିଲେ । ସେପଟେ ଏକ ବଦମାସ ଗୋଷ୍ଠୀ ଦେଶକୁ ସମ୍ପୂର୍ଣ୍ଣ କବଜା କରିଛନ୍ତି ବୋଲି ଶେହବାଜ ସରିଫଙ୍କ ସରକାରଙ୍କୁ ଟାର୍ଗେଟ କରି ଟୁଇଟ କରିଛନ୍ତି ଇମ୍ରାନ ଖାନ୍ । ପାକିସ୍ତାନରେ ପ୍ରଳୟଙ୍କରୀ ସ୍ଥିତି ଉପଯିବା ନେଇ ସରକାରଙ୍କୁ ଇମ୍ରାନ ସତର୍କ କରାଇଛନ୍ତି । ଅନ୍ୟପଟେ ଗଣମାଧ୍ୟମକୁ ସମ୍ବୋଧିତ କରି ଇମ୍ରାନଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।