spot_img
Home Blog Page 3333

ଆକାଶରେ ପୁଣି ଶୁଭିଲା ପ୍ରଚଣ୍ଡ ଶବ୍ଦ, ଥରିଲା କୋଠାଘର

ବାଲେଶ୍ବର: ସୁନ୍ଦରଗଡ଼, ବାଲେଶ୍ବର, ଭଦ୍ରକ ଓ କେନ୍ଦୁଝର ଆକାଶରେ ଶୁଭିଛି ଭୟଙ୍କର ଶବ୍ଦ। କୋଠାଘର ଥରିବା ସାଙ୍ଗକୁ କବାଟ ଓ ଝରକା ହଲିବାକୁ ଲାଗିଥିଲା। ଶବ୍ଦ କେଉଁଠୁ ଆସିଲା ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ । ତେବେ ଦୁଇ ସପ୍ତାହ ପୂର୍ବରୁ ଆକାଶରେ ଏହିପରି ପ୍ରଚଣ୍ଡ ଶବ୍ଦ ଶୁଭିଥିଲା ।

ମ୍ୟାଟ୍ରିକ୍ ପରୀକ୍ଷା କେନ୍ଦ୍ର ନିକଟସ୍ଥ ଜେରକ୍ସ ଦୋକାନରେ ଚଢାଉ, ମାଇକ୍ରୋ ଜେରକ୍ସ ହେଉଥିବା ଅଭିଯୋଗ

ଭୁବନେଶ୍ୱର: ମ୍ୟାଟ୍ରିକ ପରୀକ୍ଷା କେନ୍ଦ୍ର ନିକଟ ଜେରକ୍ସ ଦୋକାନରେ ଉପଜିଲ୍ଲାପାଳଙ୍କ ଚଢାଉ। ସମ୍ଭାବ୍ୟ ଉତ୍ତର ମାଇକ୍ରୋ ଜେରକ୍ସ ହେଉଥିବା ଅଭିଯୋଗକୁ ନେଇ ଚଢାଉ କରିଛନ୍ତି ଉପଜିଲ୍ଲାପାଳ। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରପାଳିକାର କେତେକ ମ୍ୟାଟ୍ରିକ୍ ପରୀକ୍ଷା କେନ୍ଦ୍ର ନିକଟ ଜେରକ୍ସ ଦୋକାନ ଗୁଡିକରେ ଉପଜିଲ୍ଲାପାଳ ଓ ଏସଡିପିଓ ମିଳିତ ଚଢାଉ କରିଛନ୍ତି।

ସଂପୃକ୍ତ ଦୋକାନ ଗୁଡିକରେ ପରୀକ୍ଷା ସମୟରେ ସମ୍ଭାବ୍ୟ ପ୍ରଶ୍ନ ଗୁଡିକର ଉତ୍ତର ମାଇକ୍ରୋ ଜେରକ୍ସ କରାଯାଇ ପରୀକ୍ଷାର୍ଥୀଙ୍କୁ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଥିଲା। ଦୋକାନୀଙ୍କୁ ତାଗିଦ୍ କରିବା ସହ ପରୀକ୍ଷା ଦିନ ସଂପୃକ୍ତ ଦୋକାନ ଗୁଡ଼ିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ ପରୀକ୍ଷା କେନ୍ଦ୍ରରେ ଆହୁରି କଡାକଡି ଭାବେ କପି ଚେକିଂ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉପଜିଲ୍ଲାପାଳ ।

ରାଜ୍ୟରେ ବଢିଛି ମୁଣ୍ଡପିଛା ଆୟ, ଋଣ ଭାରରେ ବୁଡ଼ିନି ଓଡ଼ିଶା

ଭୁବନେଶ୍ୱର: ରାଜ୍ୟରେ ଋଣ ଭାର ଭଲ ସ୍ଥିତିରେ ଅଛି। ଋଣ ଭାର ତୁଳନାରେ ମୁଣ୍ଡ ପିଛା ଆୟ ଅଧିକ ରହିଛି। ବିଧାନସଭା ପ୍ରଶ୍ନକାଳରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

୨୦୨୨ ମାର୍ଚ୍ଚ ଶେଷ ସୁଦ୍ଧା ରାଜ୍ୟର ମୁଣ୍ଡ ପିଛା ଋଣ ହାର ୨୨ ହଜାର ୪୨ ଟଙ୍କା ଥିବା ବେଳେ, ମୁଣ୍ଡ ପିଛା ଆୟ ପରିମାଣ ୧ ଲକ୍ଷ ୨୮ ହଜାର ୮୭୩ ଟଙ୍କା ରହିଛି । ୧୯୯୯ ମସିହାରେ କଂଗ୍ରେସ ସରକାର ଥିବା ସମୟରେ ରାଜ୍ୟର ମୁଣ୍ଡ ପିଛା ଋଣ ଭାର ଥିଲା ୪ ହଜାର ୯୧୮ ଟଙ୍କା । ଏଥିସହ ମୁଣ୍ଡ ପିଛା ଆୟ ଥିଲା ୧୩ ହଜାର ୧୨ ଟଙ୍କା ।

ତେବେ ମୁଖମନ୍ତ୍ରୀଙ୍କ ବଳିଷ୍ଠ ପଦକ୍ଷେପ ଓ ସୁଚିନ୍ତିତ ଯୋଜନା ଯୋଗୁ ବିତ୍ତୀୟ ପରିଚାଳନାରେ ଦେଶରେ ଏକ ନମ୍ବର ହୋଇଛି ଓଡ଼ିଶା । ୧୯୯୯ ମସିହା ତୁଳନାରେ ୨୦୨୨ ସୁଦ୍ଧା ରାଜ୍ୟର ମୁଣ୍ଡ ପିଛା ଆୟ ୫.୮ ଗୁଣ ବୃଦ୍ଧି ପାଇଛି । ସରକାରୀ କର୍ମଚାରୀଙ୍କ ଜିପିଏଫ ଉଠାଣରେ କୌଣସି ଅସୁବିଧା ନାହିଁ । ଏଥିପାଇଁ ଇ-ଟ୍ରେଜେରୀ ଓ ଇ-ଭାଉଚର ବ୍ୟବସ୍ଥା ହୋଇଛି ।

ସରକାରୀ କର୍ମଚାରୀଙ୍କ ଜିପିଏଫ ଜମା ଉପରେ ସୁଧ ଦେଉଛନ୍ତି ସରକାର । ରାଜ୍ୟ ସରକାର ଋଣ ଭାର ପୋଷଣୀୟ ସ୍ଥିତି ରଖିଥିବା ବେଳେ, କେନ୍ଦ୍ରର ଋଣ ଭାର ଲକ୍ଷ ଲକ୍ଷ କୋଟିରେ ରହିଛି। କେନ୍ଦ୍ର ବଜେଟର ୨୫ ପତିଶତ ଏବେ ଋଣ ପରିଶୋଧରେ ଖର୍ଚ୍ଚ କରାଯାଉଛି ବୋଲି କହିଛନ୍ତି ନିରଞ୍ଜନ ପୂଜାରୀ।

ମୋବାଇଲ ପାଇଁ ସ୍ବାମୀକୁ ପନିକିରେ ହାଣିଲା ସ୍ତ୍ରୀ

ବଲାଙ୍ଗୀର: ବଲାଙ୍ଗୀର ପୁଇଁତଳା ବ୍ଳକ କେଶେରକେଲା ଗାଁରେ ଅଭାବନୀୟ ଘଟଣା। ମୋବାଇଲ ନଦେବାରୁ ସ୍ବାମୀକୁ ହାଣିଲା ସ୍ତ୍ରୀ I ସ୍ବାମୀକୁ ସନ୍ଦେହ କରି ସ୍ତ୍ରୀ ପନିକିରେ ହାଣିଥିବା ଜଣାପଡିଛି I ସ୍ବାମୀ ଗଣେଶ୍ବର ସୁନା ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି I ଆକ୍ରମଣ ପରେ ସ୍ତ୍ରୀ ଇଶ୍ବରୀ କୁମାରୀ ଫେରାର୍ ଥିବା ଜଣାପଡ଼ିଛି I

ଗତ ୬ ବର୍ଷ ତଳେ କେଷେରକେଲା ଗାଁର ଗଣେଶ୍ବର ସୁନା ଛତିଶଗଡ ବିଳାସପୁରର ଈଶ୍ୱରୀ କୁମାରୀଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ। ସେମାନଙ୍କର ଚାରି ବର୍ଷର ଝିଅ ଟିଏ ମଧ୍ୟ ଅଛିI ଉଭୟ ପରସ୍ପରକୁ ସନ୍ଦେହ କରି ପ୍ରତିଦିନ ମାଡ଼ଗୋଳ ଲାଗୁଥିଲେ। ଗତକାଲି ରାତିରେ ସ୍ବାମୀ କାହା ସହିତ ମୋବାଇଲରେ କଥା ହୋଇଥିଲେ ତାହା ଦେଖି ଈଶ୍ୱରୀ ଗଣେଶ୍ୱରଙ୍କୁ ମୋବାଇଲ ମାଗିଥିଲେ I କିନ୍ତୁ ସ୍ତ୍ରୀକୁ ମୋବାଇଲ ଦେଇନଥିଲେ ଗଣେଶ୍ୱର I

ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା I ବିଳମ୍ବିତ ରାତିରେ ଗଣେଶ୍ୱର ଶୋଇଥିବା ବେଳେ ଈଶ୍ୱରୀ ପନିକରେ ଗଣେଶ୍ବରଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେI ଗଣେଶ୍ବର ପ୍ରତିରୋଧ କରିବାରୁ ତାଙ୍କ ହାତକୁ ମଧ୍ୟ ଆକ୍ରମଣ କରିଥିଲେI ସ୍ବାମୀଙ୍କୁ ଆକ୍ରମଣ କରିବା ପରେ ଝିଅକୁ ଧରି ସ୍ତ୍ରୀ ଫେରାର ମାରିଛି I ପରିବାର ଲୋକ ଗଣେଶ୍ୱରଙ୍କୁ ଉଦ୍ଧାର କରି ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି I

ଭାରତୀୟ ସିନେମାକୁ ଓସ୍କାର; ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ନାଟୁ ନାଟୁ ଗୀତକୁ ଓସ୍କାର ମିଳିବା ପରେ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମ୍ୟୁଜିକ କମ୍ପୋଜର, ଲିରିସିଷ୍ଟ, ନିର୍ଦ୍ଦେଶକ ଓ ପୁରା ଟିମ୍‌କୁ ଶୁଭକାମନା ଜମାଇଛନ୍ତି। ଭାରତୀୟ ଫିଲ୍ମର ପ୍ରଥମ ଓରିଜିନାଲ ଗୀତ ଭାବେ RRR ଫିଲ୍ମର ନାଟୁ ନାଟୁ ଗୀତକୁ ଓସ୍କାର ମିଳିଥିବାରୁ ଏହା ଏକ ଗର୍ବର ମୁହୁର୍ତ୍ତ ବୋଲି କହିଛନ୍ତି ।

ଭାରତୀୟ ଫିଲ୍ମ ନିର୍ମାତାଙ୍କୁ ଏହା ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ନବୀନ । ସେହିପରି ଦ ଏଲିଫ୍ୟାଣ୍ଟ ହ୍ବିସପର୍ସ ଟିମ୍‌କୁ ମଧ୍ୟ ସମ୍ମାନନୀୟ ଏକାଡେମୀ ପୁରସ୍କାର ପାଇଥିବାରୁ ଶୁଭେଚ୍ଛା ଜମାଇଛନ୍ତି ନବୀନ । ସର୍ଟ ଡକ୍ୟୁମେଣ୍ଟାରୀ ଫିଲ୍ମ କାଟାଗୋରୀରେ ଫିଲ୍ମକୁ ମିଳିଛି ଆୱାର୍ଡ।

ଚକା ଫାଟି ଓଲଟିଲା ବସ୍‌, ୩୦ ଯାତ୍ରୀ ଆହତ

ବାରିପଦା: ଚକା ଫାଟି ଓଲଟିଲା ବସ୍‌। ବସ୍‌ରେ ଥିବା ୩୦ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି। ବାରିପଦା ମେଡିକାଲରେ ସମସ୍ତଙ୍କ ଚିକିତ୍ସା ଚାଲିଛି। ଘଟଣା ଘଟିଛି ମୟୂରଭଞ୍ଜ ୧୮ ନମ୍ବର ଜାତୀୟ ରାଜପଥ କୃଷ୍ଣଚନ୍ଦ୍ରପୁରରେ ।

ସୂଚନା ଅନୁଯାୟୀ, ରାଇରଙ୍ଗପୁରରୁ ଭୁବନେଶ୍ୱର ଆସୁଥିଲା ଇନ୍ଦ୍ରାଣୀ ନାମକ ଘରୋଇ ବସ । ୧୮ ନମ୍ବର ଜାତୀୟ ରାଜପଥ କୃଷ୍ଣଚନ୍ଦ୍ରପୁର ଅଞ୍ଚଳରେ ଚକା ଫାଟିଯିବାରୁ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି ।

ଓସ୍କାରରେ ଭାରତର ଜଲୱା; ନାଟୁ ନାଟୁ’କୁ ବେଷ୍ଟ ଅରିଜିନାଲ୍ ସଙ୍ଗ ଆୱାର୍ଡ

ନୂଆଦିଲ୍ଲୀ: ଭାରତୀୟ ଚଳଚ୍ଚିତ୍ର ଜଗତ ପାଇଁ ବଡ଼ ଦିନ। ଓସ୍କାର ଆୱାର୍ଡରେ ଭାରତର ଜଲୱା । ଭାରତୀୟ ଫିଲ୍ମ ‘ଦ ଏଲିଫେଣ୍ଟ ହ୍ବିସ୍‌ପର‘ ପରେ ପରେ ଇତିହାସ ରଚିଲା ଏସ. ରାଜାମୌଲିଙ୍କ RRR। ଏହି ଫିଲ୍ମର ‘ନାଟୁ ନାଟୁ’ ଗୀତ ବେଷ୍ଟ ଅରିଜିନାଲ୍ ଗୀତ ଭାବେ ପାଇଲା ସମ୍ମାନଜନକ ଓସ୍କାର ପୁରସ୍କାର।

ଲସ୍ ଆଞ୍ଜେଲସରେ ଅନୁଷ୍ଠିତ ୯୫ତମ ଓସ୍କାର ଆୱାର୍ଡ ସେରିମନିରେ ନାଟୁ ନାଟୁ ଗୀତକୁ ମିଳିଲା ଷ୍ଟାଣ୍ଡିଂ ଓୱେସନ୍। ନାଟୁ ନାଟୁ ଗୀତକୁ ପୁରସ୍କାର ମିଳିବା ଘୋଷଣା ବେଳକୁ ପୁରା ଡୋଲବୀ ଥିଏଟର ଖୁସିରେ ଝୁମିଯାଇଥିଲା। ଗୀତକୁ ମ୍ୟୁଜିକରେ ସଜାଇଥିବା ନିର୍ଦ୍ଦେଶକ ଏମଏମ କିରୱାନୀ ପୁରସ୍କାର ଗ୍ରହଣ କରିଛନ୍ତି । ଏହି ସମୟରେ ଦେଇଥିବା ମଜାଦାର ସ୍ପିଚ୍ ସମସ୍ତଙ୍କୁ ହସାଇ ହସାଇ ବେଦମ କରିଛି ।

ତେବେ ଗୀତ ଲେଖିଛନ୍ତି ଚନ୍ଦ୍ରାବୋଷ, ଗୀତକୁ ସ୍ବରରେ ସଜାଇଛନ୍ତି ରାହୁଲ ସିପ୍ଲିଗୁଞ୍ଜ ଓ କାଲା ଭୈରଭ। ଜୁନିଅର ଏନଟିଆର ଓ ରାମଚରଣଙ୍କ ଜବରଦସ୍ତ ଡାନ୍ସ ପଛରେ ରହିଛି ପ୍ରେମ ରକଷିଥ୍ ଙ୍କ ଅବଦାନ।

Oscars 2023: ଭାରତୀୟ ଫିଲ୍ମ ‘ଦ ଏଲିଫେଣ୍ଟ ହ୍ବିସ୍‌ପର’କୁ ମିଳିଲା ବେଷ୍ଟ ଡକ୍ୟୁମେଣ୍ଟାରୀ ସର୍ଟ ଫିଲ୍ମ ଆୱାର୍ଡ

ନୂଆଦିଲ୍ଲୀ: ଓସ୍କାରକୁ ନେଇ ସେଲିବ୍ରିଟିଙ୍କ ମଧ୍ୟରେ ଖୁବ୍ ଉତ୍ସାହ ଦେଖିବାକୁ ମିଳିଛି । ଏହି ଆୱାର୍ଡ ଶୋ’ ପାଇଁ ଲସ୍ ଆଞ୍ଜେଲେସ୍ ରେ ପହଞ୍ଚିଛନ୍ତି ବହୁ ହଲିଉଡ୍ ଓ ବଲିଉଡ୍ କଳାକାର । ୯୫ତମ ଓସ୍କାରରେ ହଲିଉଡ୍ ଷ୍ଟାରଙ୍କ ସହ ଦୀପିକା ପାଦୁକୋଣଙ୍କ ଜଲୱା ଦେଖିବାକୁ ମିଳିଛି ।

ଓସ୍କାର ୨୦୨୩ରେ ଭାରତର ସର୍ଟ ଡକ୍ୟୁମେଣ୍ଟ ଫିଲ୍ମ  ‘The Elephant Whisperers’ ଆୱାର୍ଡ ଜିତି ବିଦେଶ ମାଟିରେ ଇତିହାସ ରଚିଛି । ପ୍ରଡ୍ୟୁସର ଗୁନିତ ମୋଙ୍ଗାଙ୍କ ଏହି ଫିଲ୍ମକୁ ଖୁବ୍ ପ୍ରଶଂସା କରାଯାଉଛି । ପୁରସ୍କାର ପାଇବା ପରେ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏତେ ବଡ଼ ଆୱାର୍ଡ ପାଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ।

କାର୍ତ୍ତିକୀ ଗୋନସଲଭେସଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୨୦୨୨ ଡିସେମ୍ବର ୮ ତାରିଖରେ ରିଲିଜ୍ ହୋଇଥିଲା। ଦକ୍ଷିଣ ଭାରତୀୟ ଦମ୍ପତି ବୋମନ ଓ ବିଲ୍ଲୀ କିପରି ଅନାଥ ଛୋଟ ହାତୀକୁ ରଖିଛନ୍ତି  ଏବଂ ତାର ରକ୍ଷଣାବେକ୍ଷଣରେ ନିଜ ଜୀବନ ଅତିବାହିତ କରିଛନ୍ତି, ତା ଉପରେ ଫିଲ୍ମର କାହାଣୀ ପର୍ଯ୍ୟବେଶିତ ।

ଏହାବ୍ୟତୀତ ଅନ୍ୟ ଏକ ଭାରତୀୟ ଫିଲ୍ମ RRR ଇତିହାସ ରଚିବ ଅପେକ୍ଷାରେ। ଚଳିତ ବର୍ଷ ନିର୍ଦ୍ଦେଶକ ଏସଏସ ରାଜମୌଲିଙ୍କ ଫିଲ୍ମ RRR କୁ ବେଷ୍ଟ ଅରିଜନାଲ୍ ସଙ୍ଗ କାଟେଗୋରୀ ପାଇଁ ମନୋନୀତ କରାଯାଇଛି।

ବେଷ୍ଟ ଆନିମେଟେଡ୍ ସର୍ଟ ଫିଲ୍ମ କାଟେଗୋରୀରେ ପୁରସ୍କାର ପାଇଛନ୍ତି ‘ଦ ବୟ’, ‘ଦ ମୋଲ୍’, ‘ଦ ଫକ୍ସ ଆଣ୍ଡ ଦ ହର୍ସ’ । ଫିଲ୍ମ ‘ଅଲ୍ କ୍ୱାଇଟ୍ ଅନ୍ ଦ ୱେଷ୍ଟର୍ନ ଫ୍ରଣ୍ଟ’କୁ ବେଷ୍ଟ ଇଣ୍ଟରନ୍ୟାସନାଲ୍ ଫିଚର ଫିଲ୍ମର ଆୱାର୍ଡ ପାଇଛି । ସେହିପରି ବେଷ୍ଟ ଭିଜୁଆଲ୍ ଇଫେକ୍ଟସ୍ ଆୱାର୍ଡ ପାଇଛି ‘ଅବତାର: ଦ ୱେ ଅଫ୍ ୱାଟର୍’ ।

ବଜେ୍‌ଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ, ସରଗରମ ରହିବ ଗୃହ

ଭୁବନେଶ୍ୱର: ପ୍ରଶ୍ନକାଳ ବାତିଲ, ବାରମ୍ବାର ଗୃହ ମୁଲତବି। ବଜେ୍‌ଟ ଅଧିବେଶନ ଦ୍ବିତୀୟ ପର୍ଯ୍ୟାୟରେ ଏପରି ହଙ୍ଗାମା କରି ଗୃହକୁ ଅଚଳ କରିଛନ୍ତି ବିରୋଧୀ। ଦୁଇଦିନ ଛୁଟି ପରେ ଆଜି ପୁଣି ଥରେ ଗୃହ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି। ଆଜି ମଧ୍ୟ ଗୃହରେ ସମାନ ସ୍ଥିତି ଦେଖିବାକୁ ମିଳିପାରେ।

ଗ୍ୟାସ ଦର ବୃଦ୍ଧି କରି ଗରିବ ଓ ମଧ୍ୟବିତ୍ତଙ୍କ ହାଣ୍ଡିଶାଳ ଉପରେ ପ୍ରହାର କରିଛନ୍ତି କେନ୍ଦ୍ର ସରକାର। ଏନେଇ ଶାସକ ଦଳ ବି ଗୃହରେ ସ୍ବର ଉଠାଇବ। ଅନ୍ୟପଟେ ଆଜିଠାରୁ ଆରମ୍ଭ ହେବ ବିଭାଗୀୟ ଖର୍ଚ୍ଚ ଦାବି ଆଲୋଚନା। ପ୍ରଥମ ଦିନରେ ଅନୁସୂଚିତ ଜାତି, ଜନଜାତି ଓ ସଂଖ୍ୟାଲଘୁ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହୋଇ ଗୃହୀତ ହେବ।

୨୯ ତାରିଖ ପର୍ଯ୍ୟନ୍ତ ଚାଲିବ ବିଭିନ୍ନ ବିଭାଗର ଖର୍ଚ୍ଚଦାବି ଆଲୋଚନା। ତେବେ ଗୃହ କାର୍ଯ୍ୟରେ ବିରୋଧୀ କେତେ ସହଯୋଗ କରୁଛନ୍ତି ତା ଉପରେ ରହିଛି ସମସ୍ତଙ୍କ ନଜର। ପ୍ରଶ୍ନକାଳରେ ଗୃହ, ଅର୍ଥ, ପୂର୍ତ୍ତ, ସ୍ବାସ୍ଥ୍ୟ, ଇସ୍ପାତ ଓ ଖଣି, ସଂସଦୀୟ ବ୍ୟାପାର ଓ ସାଧାରଣ ପ୍ରଶାସନ ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଛି।

ସଂସଦର ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ; ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ

ନୂଆଦିଲ୍ଲୀ: ଆଜି ଠାରୁ ସଂସଦର ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହେବ। ତାପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ନେତୃତ୍ବରେ ବିରୋଧ ଦଳ ବୈଠକ କରିବେ। ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରିବେ । ଏଥର ବି ଆଦାନୀ ଓ ହିଣ୍ଡେନବର୍ଗ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିବେ।

ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ସମୁଦାୟ ୧୭ଟି କାର୍ଯ୍ୟ ଦିବସ ରହିବ । ଏକ ମାସର ବ୍ୟବଧାନ ପରେ ବଜେଟ୍ ଅଧିବେଶନ ପୁଣି ଆରମ୍ଭ ହେବାକୁ ଯାଉଥିବାରୁ ଅଧିବେଶନ କାଳରେ ବିଭାଗୀୟ ସଂସଦୀୟ ସ୍ଥାୟୀ କମିଟି, ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗୀୟ ଅନୁଦାନ ସମ୍ପର୍କିତ ଆଲୋଚନା ହେବ।

ସଂସଦର ବଜେଟ୍ ଅଧିବେଶନ ଗତ ଜାନୁଆରୀ ୩୧ରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସଂସଦର ଉଭୟ ଗୃହର ମିଳିତ ବୈଠକକୁ ସମ୍ବୋଧିତ କରିବା ପରେ ଆରମ୍ଭ ହୋଇଥିଲା। ସଂସଦ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବୃଆରୀ ୧୩ ପର୍ଯ୍ୟନ୍ତ ଚାଲିଥିଲା। ଏହି ଅବଧିରେ ସମୁଦାୟ ୧୦ଟି କାର୍ଯ୍ୟ ଦିବସ ରହିଥିଲା। ପ୍ରଥମେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ଏବଂ କେନ୍ଦ୍ର ବଜେଟ୍ ୨୦୨୩-୨୪ ଉପରେ ଆଲୋଚନା କରାଯାଇଥିଲା।