ଦେଶକୁ ମିଳିଲା ଭବ୍ୟ, ବିଶାଳ ଓ ଅତ୍ୟାଧୁନିକ ସଂସଦ ଭବନ, ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପିତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଲୋକାର୍ପିତ ହେଲା ଦେଶର ନୂଆ ସଂସଦ । ବିରୋଧିଙ୍କ ବୟକଟ ଭିତରେ ନୂଆ ସଂସଦ ଭବନର ଶୁଭ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଷ୍ଟ୍ର ଉଦ୍ଦେଶ୍ୟରେ ସଂସଦ ଭବନକୁ ସମର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ । ଭାରତକୁ ମିଳିଛି ନୂଆ ଭବ୍ୟ, ବିଶାଳ ଏବଂ ଅତ୍ୟାଧୁନିକ ନୂତନ ସଂସଦ ଭବନ । ସକାଳ ପୂଜାର୍ଚ୍ଚନା ପରେ ସଂସଦ ଭବନରେ ପବିତ୍ର ସେଙ୍ଗୋଲ ବା ରାଜଦଣ୍ଡ ସ୍ଥାପିତ ହୋଇଥିଲା । ବାଚସ୍ପତିଙ୍କ ଆସନ ନିକଟରେ ଏହି ରାଜଦଣ୍ଡକୁ ସ୍ଥାପନ କରିଥିଲେ ପ୍ରଧାନମନ୍ତ୍ରୀ । ଏହି ଅବସରରେ ନୂଆ ସଂସଦ ଭବନ ନିର୍ମାଣରେ ନିୟୋଜିତ ଥିବା ଶ୍ରମିକଙ୍କୁ ସମ୍ମାନିତ କରିଥିଲେ ପ୍ରଧାନମନ୍ତ୍ରୀ । ସର୍ବଧର୍ମ ପ୍ରାର୍ଥନାରେ ଗୁଞ୍ଜରିତ ହୋଇଥିଲା ପରିବେଶ । ୬୪ ହଜାର ୫ ଶହ ବର୍ଗମିଟର କ୍ଷେତ୍ରରେ ନିର୍ମିତ ତ୍ରିକୋଣାକାର ନୂଆ ସଂସଦ ଭବନ । ସଂସଦ ସୌଧ ମୁଖ୍ୟ ପ୍ରବେଶ ଦ୍ବାରାରେ ଖୋଦିତ ହୋଇଛି ଅଶୋକ ଚକ୍ର । ତଳେ ଲେଖାଯାଇଛି ସତ୍ୟମେବ ଜୟତେ । ନୂତନ ପାର୍ଲାମେଣ୍ଟ ଗୃହରେ ରହିଛି ୩ଟି ପ୍ରବେଶ ପଥ । ଯାହାର ନାଁ ରଖାଯାଇଛି ଜ୍ଞାନ ଦ୍ବାର, ଶକ୍ତି ଦ୍ବାର ଓ କର୍ମ ଦ୍ବାର । ସ୍ୱତନ୍ତ୍ର ଭାବେ ନିମନ୍ତ୍ରତ ତାମିଲନାଡୁର ୨୧ ଜଣ ସନ୍ଥ ପୂଜାର୍ଚ୍ଚନାରେ ସାମିଲ ହୋଇଛନ୍ତି ।

୪ ମହଲା ବିଶିଷ୍ଟ ନୂତନ ସଂସଦ ଭବନରେ ହୋଇଛି ୧୨ ଶହ ୭୨ ସାଂସଦଙ୍କ ପାଇଁ ବସିବା ବ୍ୟବସ୍ଥା । ଲୋକସଭାରେ ୮୮୮ ସିଟ୍ ଥିବା ବେଳେ, ରାଜ୍ୟସଭାରେ ରହିଛି ୩୮୪ ଆସନ । ପୁରୁଣା ପାର୍ଲାମେଣ୍ଟ ଠାରୁ ନୂଆରେ ପ୍ରାୟ ୫ ଶହ ସିଟ୍ ଅଧିକ । ଜାତୀୟ ପକ୍ଷୀ ମୟୂର ଶୈଳୀରେ ଲୋକସଭା ନିର୍ମିତ ହୋଇଛି । ନୂଆ ସଂସଦରେ ପ୍ରତିଟି ସାଂସଦଙ୍କ ସିଟରେ ରହିଛି ମଲ୍ଟି ମିଡିଆ ଡିସପ୍ଲେ । ଯୋଗାଯୋଗ ପାଇଁ ଅଛି ଅତ୍ୟାଧୁନିକ ବ୍ୟବସ୍ଥା । ବାଚସ୍ପତିଙ୍କ ପୋଡିୟମ ନିକଟକୁ ଆସି ହଟ୍ଟଗୋଳ କରିବା ଭଳି ଘଟଣା ଏଡାଇବାକୁ ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି । ଗୃହ ପରିଚାଳନା ଦାୟିତ୍ୱରେ ଥିବା ବାଚସ୍ପତିଙ୍କ ଆସନ ବହୁ ଉଚ୍ଚରେ ରଖାଯାଇଛି । ପ୍ରାୟ ୧ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଏହି ଅଟ୍ଟାଳିକା । ମାତ୍ର ଅଢେଇ ବର୍ଷରେ ନିର୍ମାଣ ଶେଷ କରିଛି ଟାଟା ପ୍ରୋଜେକ୍ଟସ ଲିମିଟେଡ୍ ।