ଆଜି ଉଦଘାଟିତ ହେବ ଦେଶର ନୂଆ ସଂସଦ, ଭାରତକୁ ମିଳିବ ଭବ୍ୟ, ବିଶାଳ ଏବଂ ଅତ୍ୟାଧୁନିକ ସଂସଦ ଭବନ

ନୂଆଦିଲ୍ଲୀ: ଆଜି ଉଦଘାଟନ ହେବ ଦେଶର ନୂଆ ସଂସଦ । ଭାରତକୁ ମିଳିବ ନୂଆ ଭବ୍ୟ, ବିଶାଳ ଏବଂ ଅତ୍ୟାଧୁନିକ ନୂତନ ସଂସଦ ଭବନ । ୬୪ ହଜାର ୫ ଶହ ବର୍ଗମିଟର କ୍ଷେତ୍ରରେ ନିର୍ମିତ ତ୍ରିକୋଣାକାର ନୂଆ ସଂସଦ ଭବନ । ସଂସଦ ସୌଧ ମୁଖ୍ୟ ପ୍ରବେଶ ଦ୍ବାରାରେ ଖୋଦିତ ହୋଇଛି ଅଶୋକ ଚକ୍ର । ତଳେ ଲେଖାଯାଇଛି ସତ୍ୟମେବ ଜୟତେ । ନୂତନ ପାର୍ଲାମେଣ୍ଟ ଗୃହରେ ରହିଛି ୩ଟି ପ୍ରବେଶ ପଥ । ଯାହାର ନାଁ ରଖାଯାଇଛି ଜ୍ଞାନ ଦ୍ବାର, ଶକ୍ତି ଦ୍ବାର ଓ କର୍ମ ଦ୍ବାର । ସକାଳ ୭ଟାରୁ ଆରମ୍ଭ ହୋଇଛି ସମାରୋହ । ଦୁଇଟି ପର୍ଯ୍ୟାୟରେ ଏହା ଅପରାହ୍ନ ପ୍ରାୟ ସାଢେ ୨ଟା ଯାଏଁ ଚାଲିବ । ପୂଜାର୍ଚ୍ଚନା ଏବଂ ପ୍ରାର୍ଥନାସଭା ସହ ନୂଆ ସଂସଦ ଭବନର ଲୋକାର୍ପଣ ହେବ । ଏଥିପାଇଁ ସ୍ୱତନ୍ତ୍ର ଭାବେ ନିମନ୍ତ୍ରତ ତାମିଲନାଡୁର ୨୧ ଜଣ ସନ୍ଥ ପହଁଚି ସାରିଛନ୍ତି । ଧର୍ମପୁରମ ଅଧିନମର ଏହି ସନ୍ଥ ସମୂହ ସ୍ୱତନ୍ତ୍ର ପୂଜାବିଧି କରିବା ସହ କ୍ଷମତା ହସ୍ତାନ୍ତରର ପ୍ରତୀକ ସେଙ୍ଗୋଲ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରିବେ । ବାଚସ୍ପତିଙ୍କ ଆସନ ନିକଟରେ ଏହାକୁ ସ୍ଥାପନ କରାଯିବ ।

୪ ମହଲା ବିଶିଷ୍ଟ ନୂତନ ସଂସଦ ଭବନରେ ହୋଇଛି ୧୨ ଶହ ୭୨ ସାଂସଦଙ୍କ ପାଇଁ ବସିବା ବ୍ୟବସ୍ଥା । ଲୋକସଭାରେ ୮୮୮ ସିଟ୍ ଥିବା ବେଳେ, ରାଜ୍ୟସଭାରେ ରହିଛି ୩୮୪ ଆସନ । ପୁରୁଣା ପାର୍ଲାମେଣ୍ଟଠାରୁ ନୂଆରେ ପ୍ରାୟ ୫ ଶହ ସିଟ୍ ଅଧିକ । ଜାତୀୟ ପକ୍ଷୀ ମୟୂର ଶୈଳୀରେ ଲୋକସଭା ନିର୍ମିତ ହୋଇଛି । ନୂଆ ସଂସଦରେ ପ୍ରତିଟି ସାଂସଦଙ୍କ ସିଟରେ ରହିଛି ମଲ୍ଟି ମିଡିଆ ଡିସପ୍ଲେ । ଯୋଗାଯୋଗ ପାଇଁ ଅଛି ଅତ୍ୟାଧୁନିକ ବ୍ୟବସ୍ଥା । ବାଚସ୍ପତିଙ୍କ ପୋଡିୟମ ନିକଟକୁ ଆସି ହଟ୍ଟଗୋଳ କରିବା ଭଳି ଘଟଣା ଏଡାଇବାକୁ ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି । ଗୃହ ପରିଚାଳନା ଦାୟିତ୍ୱରେ ଥିବା ବାଚସ୍ପତିଙ୍କ ଆସନ ବହୁ ଉଚ୍ଚରେ ରଖାଯାଇଛି । ପ୍ରାୟ ୧ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଏହି ଅଟ୍ଟାଳିକା । ମାତ୍ର ଅଢେଇ ବର୍ଷରେ ନିର୍ମାଣ ଶେଷ କରିଛି ଟାଟା ପ୍ରୋଜେକ୍ଟସ ଲିମିଟେଡ୍ । ଅତ୍ୟାଧୁନିକ ସୁବିଧାଯୁକ୍ତ ଏହି ସୌଧ ପରିବେଶ ଅନୁକୂଳ ଏବଂ ଭୂକଂପ ପ୍ରତିରୋଧୀ । ନୂତନ ପାର୍ଲାମେଣ୍ଟ ବିଲ୍ଡିଂ ଲୋକାର୍ପଣ ପରେ ପୂରାତନ ସଂସଦ ଗୃହକୁ ଗଣତନ୍ତ୍ରର ସଂଗ୍ରହାଳୟରେ ପରିଣତ କରାଯିବ ।