ପାଗଳ ପ୍ରେମିକର ଉନ୍ମୁକ୍ତ କାଣ୍ଡ, ପ୍ରେମିକା ପରିବାରକୁ ପେଟ୍ରୋଲ ଢ଼ାଳି ଜୀଅନ୍ତା ଜାଳିବାକୁ ଉଦ୍ୟମ

1 min read

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଲାଠୋର ଗାଁରେ ଅଭାବନୀୟ ଘଟଣା । ପାଗଳ ପ୍ରେମିକାର ଉନ୍ମୁକ୍ତ କାଣ୍ଡ । ପ୍ରେମ ସମ୍ପର୍କରେ ଫାଟ ହେବାରୁ ପ୍ରେମିକା ସହ ପୁରା ପରିବାରକୁ ହତ୍ୟା ଉଦ୍ୟମ କରିଛି ପ୍ରେମିକ । ପ୍ରେମିକା ସହ ପ୍ରେମିକାର ଭାଇ ଓ ମାକୁ ପେଟ୍ରୋଲ ଢ଼ାଳି ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି । ପ୍ରେମିକାର ଭାଇ ଓ ମା ଗୁରୁତର ହୋଇଥିବା ବେଳେ ପ୍ରେମିକ ନିଜେ ମଧ୍ୟ ପୋଡ଼ି ଗୁରୁତର ହୋଇଛି । ପ୍ରେମିକ ଜଣକ ହେଲେ ଢେଙ୍କାନାଳ ଅଞ୍ଚଳର ସ୍ଵସ୍ତିକ ଦାସ ।

ଯୁବତୀ ଜଣକ ଲାଠୋର ଥାନା ମାଳପଡା ସ୍ବାସ୍ଥ୍ୟ ଉପ କେନ୍ଦ୍ରରେ କାର୍ଯ୍ୟରତ ଥିବା ବେଳେ ପୂର୍ବରୁ ପ୍ରେମିକ ସହ ଗୋଟିଏ ସ୍ଥାନରେ କାର୍ଯ୍ୟରତ ଥିଲେ । ସେଠାରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପ୍ରେମିକ ମଦ ପିଉ ଥିବାରୁ ପ୍ରେମିକା ତାଙ୍କ ସହ ବିବାହ କରିବାକୁ ମନା କରିଦେଇଥିଲେ I ଏନେଇ ଉଭୟଙ୍କ ମଧ୍ୟରେ ବଚସା ଲାଗି ରହିଥିଲା । ତେବେ ପ୍ରେମିକ ମଦ୍ୟପାନ କରି ପ୍ରେମିକାକୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲା ।

ପ୍ରେମିକା ଠାରୁ 40 ହଜାର ଟଙ୍କା ନେଇ ପଳାଇବା ସହ ମଧ୍ୟାହ୍ନରେ ପ୍ରେମିକା ରହୁଥିବା ଭଡା ଘରକୁ ଆସି ପେଟ୍ରୋଲ ଢ଼ାଳି ନିଆ ଲଗାଇ ଦେଇଥିଲେ । ଲାଠୋର ପୋଲିସ ଘଟଣାସ୍ଥଳରୁ ସମସ୍ତଙ୍କୁ ଉଦ୍ଧାର କରି ନିଆକୁ ଆୟତ କରିଥିଲେ । ଗୁରୁତର ଅବସ୍ଥାରେ ଖପ୍ରାଖୋଲ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ଯୁବତୀ, ଭାଇ ଓ ତାଙ୍କ ମାକୁ ଭୀମଭୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।