spot_img
Home Blog Page 3334

ୱିମେନ୍ସ ପ୍ରିମିୟର ଲିଗ୍ ଫାଇନାଲ୍: ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଚମ୍ପିଆନ୍

ମୁମ୍ବାଇ: ୱିମେନ୍ସ ପ୍ରିମିୟର ଲିଗର ପ୍ରଥମ ସଂସ୍କରଣରେ ଚମ୍ପିଆନ ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ । ପ୍ରଥମ ସଂସ୍କରଣର ପ୍ରଥମ ଟାଇଟଲ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସ ଇତିହାସ ରଚିଛି । ଭାରତୀୟ ଟିମର ଅଧିନାୟକ ହରମନପ୍ରୀତଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଡବ୍ଲୁପିଏଲର ପ୍ରଥମ ଟ୍ରଫି ନିଜ ନାଁରେ କରିନେଇଛି। ମୁମ୍ବାଇର ବ୍ରାବର୍ଣ୍ଣ ଷ୍ଟାଡିୟମରେ ଚାଲିଥିବା ରମୋଞ୍ଚକର ଫାଇନାଲ୍ ମ୍ୟାଚଟିକୁ ମୁମ୍ବାଇ ଇଣ୍ଡିଆନ୍ସ ୭ ୱିକେଟରେ ଜିତିନେଇଛି । ଫାଇନାଲ୍ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ଚମ୍ପିଆନ ହୋଇଛି ମୁମ୍ବାଇ ।

ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ନିଜର ୯ ୱିକେଟ୍ ବିନିମୟରେ ୨୦ ରନ୍ ସଂଗ୍ରହ କରିଥିଲା । ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ନିଜର ୩ ୱିକେଟ୍ ହରାଇ ୧୯.୩ ଓଭରରେ ବିଜୟ ଲକ୍ଷକୁ ହାସଲ କରିନେଇଛି । ବିଜୟ ଲକ୍ଷ୍ୟ ମାତ୍ର ୧୩୨ ଥିଲେ ମଧ୍ୟ ଦିଲ୍ଲୀ କ୍ୟାପିଟାଲ୍ସ କଡ଼ା ଟକ୍କର ଦେଇଥିଲା । ମ୍ୟାଚଟିକୁ ଶେଷ ପର୍ଯ୍ୟନ୍ତ ନେଇଥିଲେ ଦିଲ୍ଲୀ କ୍ୟାପିଟାଲ୍ସର ବୋଲରମାନେ । ହେଲେ ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ବ୍ୟାଟର ନାଟ ସ୍କିଭର ବ୍ରଣ୍ଟଙ୍କ ଅପରାଜିତ ୬୦ ରନ୍ ଦଳକୁ ବିଜୟୀ କରାଇଥିଲା ।

ଆଜିର ମ୍ୟାଚରେ ପ୍ରଥମେ ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଦିଲ୍ଲୀ ପକ୍ଷରୁ ବ୍ୟାଟର ଅଧିନାୟକ ଲାନିଂ ଏବଂ ସେଫାଳି ବର୍ମା ବ୍ୟାଟିଂ ପାଇଁ ପଡ଼ିଆକୁ ଓହ୍ଲାଇଥିଲେ । ମାତ୍ର ସେଫାଳି ବର୍ମା ଭଲ ପ୍ରଦର୍ଶନ କରି ପାରିନଥିଲେ ମାତ୍ର ୧୧ ରନ୍ କରି ପାଭେଲିଅନ୍ ଫେରିଯାଇଥିଲେ । ଏହାପରେ ଅଧିନାୟକ ଲାନିଂ ଦଳୀୟ ସ୍ଥିତିକୁ କିଛି ସମୟ ପାଇଁ ସୁଦୃଢ଼ କରିଥିଲେ । ୨୯ ଟି ବଲରେ ୩୫ ରନ୍ କରି ସେ ରନ୍ ଆଉଟ୍ ହୋଇଯାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାରିଜେନ କପ୍ ୧୮ ରନ୍ କରିଥିଲେ ।

ମଧ୍ୟ ଭାଗର ବ୍ୟାଟରମାନେ ମୁମ୍ବାଇ ଇଣ୍ଡିଆନ୍ସର ଘୋତକ ବୋଲିଂ ଆଗରେ ତିଷ୍ଟି ପାରିନଥିଲେ । ଗୋଟେ ପରେ ଗୋଟେ ୱିକେଟ୍ ଗଳିଥିଲା । ଏପରି ସ୍ଥିତି ଥିଲା ଯେ ଦଳୀୟ ସ୍କୋର ୭୯ ଥିବା ବେଳେ ଦଳ ୯ ଟି ୱିକେଟ୍ ହରାଇଥିଲା । ହେଲେ ଶେଷ ଭାଗରେ ଶିଖା ପାଣ୍ଡେ (୧୭ ବଲରେ ୨୭ ରନ୍) ଏବଂ ରାଧା ଯାଦବ (୧୨ ବଲ୍ ୨୭ରନ୍) ଅପରାଜିତ ରହି ଦଳୀୟ ସ୍କୋରକୁ ୧୩୧ରନରେ ପହଞ୍ଚାଇଥିଲେ । ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ୱଙ୍ଗ୍ ଏବଂ ହାଲି ମାଥ୍ୟୁଜ ୩ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିବା ବେଳେ ମେଲି କେର ୨ଟି ୱିକେଟ୍ ହାସଲ କରିଥିଲେ ।

୧୩୨ରନର ବିଜୟ ଲକ୍ଷ୍ୟ ନେଇ ମୁମ୍ବାଇ ଇଣ୍ଡିଆନ୍ସର ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ହାଲି ମାଥ୍ୟୁଜ ଏବଂ ୟାସ୍ତିକା ଭାଟିଆ କ୍ରୀଜକୁ ଓହ୍ଲାଇଥିଲେ । ହେଲେ ଉଭୟ ବ୍ୟାଟ୍ସମ୍ୟାନ ଦଳକୁ ଭଲ ଆରମ୍ଭ ଦେବାରେ ବିଫଳ ରହିଥିଲେ । ମାଥ୍ୟୁଜ ମାତ୍ର ୧୩ ରନ୍ ଏବଂ ୟାସ୍ତିକା ୪ ରନ୍ କରି ପାଭେଲିଅନ୍ ଫେରିଯାଇଥିଲେ । ଏହାପରେ ଅଧିନାୟକ ହରମନପ୍ରୀତ ଏବଂ ନାଟ ସ୍କାଇଭର ବ୍ରଣ୍ଟ ଦଳୀୟ ସ୍ଥିତିକୁ ସମ୍ଭାଳିଥିଲେ । ଅଧିନାୟକ ହରମନପ୍ରୀତ ୩୯ ଟି ବଲରେ ୩୭ ରନ୍ କରି ୧୬ତମ ଓଭରରେ ରନ୍ ଆଉଟ୍ ହୋଇଯାଇଥିଲେ ।

ଏହାପରେ ନାଟ ସ୍କାଇଭର ଏବଂ ମେଲି କେରଙ୍କ ମଧ୍ୟରେ ଭଲ ପାର୍ଟନରସିପ୍ ରହିଥିଲା । ନାଟ୍ ସ୍କାଇଭର ୫୫ ଟି ବଲରେ ଅପରାଜିତ୍ ୬୦ ରନ୍ କରିଥିଲେ ଏବଂ ମେଲି କେର୍ ୮ ଟି ବଲରେ ୧୪ ରନ୍ କରି ଅପରାଜିତ ରହିଥିଲେ । ଦଳ ୩ଟି ୱିକେଟ୍ ବିନିୟମରେ ୧୯.୩ ଓଭରରେ ୧୩୪ ରନ୍ କରି ବିଜୟୀ ହୋଇଛି । ଦିଲ୍ଲୀ ପକ୍ଷରୁ ରାଧା ଯାଦବ ଏବଂ ଜୋନାସେନ ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ ।

୩୨୬ ନମ୍ବର ଜାତୀୟ ରାଜପଥରେ ବାଇକକୁ ଧକ୍କା ଦେଲା କାର୍

ମାଲକାନଗିରି:  କାଲିମେଳା ୩୨୬ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ ସହ କାର୍ ଧକ୍କା ହେବା ଫଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଦୁଇ ବାଇକ୍ ଆରୋହୀ ହେଲେ ଗମ୍ପାକୋଣ୍ଡା ପଞ୍ଚାୟତ ଇରାଗଣ୍ଡା ଗ୍ରାମର ଗଙ୍ଗା କବାସୀ ଓ ଲଚ୍ଛା ମାଢି । ବାଇକରେ କାଲିମେଳାରୁ ମାଲକାନଗିରି ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ କାର ସହ ମୁହାଁମୁହିଁ ଧକ୍କା ହୋଇଥିଲା ।

ଘଟଣାସ୍ଥଳରେ ହିଁ ଦୁହିଁଙ୍କ ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ପରେ କାର ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକେ ମୃତକଙ୍କୁ ଉଦ୍ଧାର କରି ମେଡିକାଲ ପଠାଇବା ସହ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଓଡ଼ିଶାରେ ଆଲବମ ଅଭିନେତ୍ରୀଙ୍କ ଆତ୍ମହତ୍ୟା

ବଲାଙ୍ଗୀର: ଆଲବମ ଅଭିନେତ୍ରୀଙ୍କ ଆତ୍ମହତ୍ୟା  । ବଲାଙ୍ଗୀର ସୁଦପଡ଼ାରେ ଅଭାବନୀୟ ଘଟଣା । ମୃତକ ହେଲେ ରୁଚିସ୍ମିତା ଗୁରୁ । ନିଜ ଘରେ ସେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଥିବାବେଳେ ତାଙ୍କ ବେକରେ ବ୍ଲୁଟୁଥ୍ ଲାଗିଥିଲା । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଉପାନ୍ତରୁ ଉପକୂଳ ସବୁଠି ଝଡ ପବନ ସହ ବର୍ଷା

ଭୁବନେଶ୍ୱର: ରାଜ୍ୟରେ ସକ୍ରିୟ ହେଲା ପଶ୍ଚିମା ଝଡ । ପ୍ରଭାବରେ ଉପାନ୍ତରୁ ଉପକୂଳ ସବୁଠି ଝଡ ପବନ ସହ ବର୍ଷା ଆରମ୍ଭ ହୋଇଛି । ବିଶେଷ କରି ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା ସମେତ ଉତ୍ତର ଓଡ଼ିଶାର ଜିଲ୍ଲା ଗୁଡିକରେ କାଳବୈଶାଖୀର ପ୍ରଭାବ ଅଧିକ ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଝଡ ପବନ ସହ ବର୍ଷା ନେଇ ୧୩ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବାଲେଶ୍ବର, ମୟୁରଭଞ୍ଜ, କେନ୍ଦୁଝର, ଯାଜପୁର, ଭଦ୍ରକ, ଅନୁଗୁଳ, ଢେଙ୍କାନାଳ, ରାୟଗଡା, କନ୍ଧମାଳ, ଗଞ୍ଜାମ, ଗଜପତି, ନୟାଗଡ ଏବଂ ଖୋର୍ଦ୍ଧା ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ବର୍ଷା ସମୟରେ ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବ ।

କାଲିଠୁ ବର୍ଷାର ପରିମାଣ ଏବଂ ବିସ୍ତୃତି ବଢିବ । ୨୭ ତାରିଖରେ ୩୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ ଉପୂକଳ ଏବଂ ଉତ୍ତର ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ଝଡ ପବନ ପାଇଁ ୧୩ଟି ଜିଲ୍ଲାକୁ ବଜ୍ରପାତ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର । ସେହିପରି ୨୮ ତାରିଖରେ ଉତ୍ତର ଏବଂ ଉପକୂଳ ଓଡ଼ିଶାରେ କାଳବୈଶାଖୀର ସମ୍ଭାବନା ରହିଛି । ବଜ୍ରପାତ ସମୟରେ ବିଲରେ ନ ରହିବାକୁ ପରାମର୍ଶ ଦିଆଯାଇଛି । କିଛି ସ୍ଥାନରେ କୁଆପଥର ବୃଷ୍ଟି ସମ୍ଭାବନା ୟେଲୋ ଆଲର୍ଟ ଜାରି କରାଯାଇଛି ।

ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଟୁଇନ୍ ସିଟି କଟକ-ଭୁବନେଶ୍ବରରେ ମଧ୍ୟାହ୍ନରେ ତାତି ଏବଂ ଅପରାହ୍ନରେ କାଳବୈଶାଖୀ ସମ୍ଭାବନା ରହିଛି । ପାଣିପାଗ କେନ୍ଦ୍ରର ଆଲର୍ଟ ପରେ କାଳବୈଶାଖୀ ମୁକାବିଲା ନେଇ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସ୍ଆରସି । ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ସହ ଲୋକଙ୍କୁ ସଚେତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଗାଁ ସାରା ପୋକ ସାଲୁବାଲୁ, କେଉଁଠୁ ଆସୁଛି ?

ବାଲେଶ୍ୱର: ଚାରିଆଡେ ପୋକ ସାଲୁବାଲୁ । ପାଦ ପକାଇବା ମୁସକିଲ । ଖାଦ୍ୟ ଓ ପାନୀୟ ଜଳରୁ ବାହାରୁଛି ଅଜଣା ପୋକ । ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ ଜମ୍ବେଶ୍ବରପୁରରେ ପୋକକୁ ନେଇ ଆତଙ୍କ । ଇଏ କେଉଁ ପୋକ ? କେଉଁଠୁ ଆସୁଛି ? ତାହା କହାରିକୁ ବି ଜଣାନାହିଁ । ପୋକ ଯୋଗୁ ଲୋକଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇଛି । ଏହାକୁ ନେଇ ପ୍ରଶାସନର ସହାୟତା ନେଇଛନ୍ତି ଗ୍ରାମବାସୀ ।

ଗାଁ ନିକଟସ୍ଥ କ୍ଷେତରୁ ଗାଁ ଭିତରକୁ ପୋକ ଆସୁଥିବା ଅନୁମାନ କରାଯାଉଛି । ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି ଓୟୁଏଟିର କୀଟତତ୍ତ୍ବ ବିଭାଗର ଚାରିଜଣିଆ ଟିମ୍ । ପରୀକ୍ଷଣ ପାଇଁ ପୋକର ନମୁନା ଓୟୁଏଟିକୁ ପଠାଯାଇଛି । ପେଣ୍ଟାଟୋମିଡ ବଗ୍ ପ୍ରଜାତିର ଏହି ପୋକ ବୋଲି କହିଛନ୍ତି ବିଶେଷଜ୍ଞ । ଘର ଚାରିପଟେ କେମିକାଲ ସ୍ପେ କରିବାକୁ ପରାମର୍ଶ ଦିଆଯାଇଛି ।

ବିବାହ ବନ୍ଧନରେ ବାନ୍ଧି ହେବେ କି ପରିଣୀତି ଚୋପ୍ରା ଓ ରାଘବ ଚଢ଼ା ?

ମୁମ୍ବାଇ: ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କୁ ବିବାହ କରିବାକୁ ଯାଉଛନ୍ତି ଆମ୍ ଆଦମୀ ପାର୍ଟିର ଯୁବନେତା ରାଘବ ଚଢ଼ା । ସେମାନଙ୍କ ବିବାହକୁ ନେଇ ଏବେ ଜୋରଦାର ଚର୍ଚ୍ଚା ହେବାରେ ଲାଗିଛି । ଉଭୟଙ୍କୁ ନେଇ ଚର୍ଚ୍ଚା ସେବେ ଆରମ୍ଭ ହୋଇଥିଲା ଯେବେ ଗତ ଦିନରେ ଦୁହେଁ ସାଙ୍ଗ ହୋଇ ମଧ୍ୟାହ୍ନ ଓ ରାତ୍ର ଭୋଜନ କରି ହୋଟେଲରୁ ଫେରିବା ବେଳେ ନଜର ଆସିଥିଲେ। ଡେଟିଂ ଚର୍ଚ୍ଚାକୁ ନେଇ ରାଘବଙ୍କୁ ପ୍ରଶ୍ନ କରାଯାଇଥିଲେ ବି ସେ ପରିଣୀତିଙ୍କ ସହ ସମ୍ପର୍କ ଥିବା ନେଇ ମନା କରିନଥିଲେ କି ସ୍ବୀକାର ମଧ୍ୟ କରିନଥିଲେ । ଯାହାଫଳରେ ଏହି ଚର୍ଚ୍ଚାକୁ ଆହୁରି ବଳ ମିଳିଥିଲା ।

ତେବେ ତାଙ୍କର ଜଣେ ସମ୍ପର୍କୀୟଙ୍କ କହିବା ଅନୁଯାୟୀ ପରିଣୀତି ଏବଂ ରାଘବ ଜଣେ ଅନ୍ୟଜଣଙ୍କୁ ଡେଟ୍ କରୁଛନ୍ତି । ଏବେ ଲାଟେଷ୍ଟ ସୂଚନାନୁଯାୟୀ, ଖୁବଶୀଘ୍ର ହିଁ ସେମାନଙ୍କ ବିବାହ ନେଇ ଘୋଷଣା ହୋଇପାରେ । ରିପୋର୍ଟ ମୁତାବିକ, ପରିଣୀତି ଏବଂ ରାଘବ ୟୁକେରେ ପାଠ ପଢ଼ା ସମୟରେ ଜଣେ ଅନ୍ୟଜଣଙ୍କୁ ଜାଣିଥିଲେ । ପରିଣୀତି ମଞ୍ଚେଷ୍ଟର ବିଜନେସ୍ ସ୍କୁଲରୁ ପାଠ ପଢ଼ିଥିବା ବେଳେ ରାଘବ ଲଣ୍ଡନ ସ୍କୁଲ୍ ଅଫ ଇକୋନମିକ୍ସରୁ ପାଠ ପଢ଼ିଛନ୍ତି । ଚଳିତ ବର୍ଷ ଜାନୁଆରୀରେ ଲଣ୍ଡନରେ ଆୟୋଜିତ ୟୁକେ ଆଉଟଷ୍ଟାଣ୍ଡିଂ ଆଚିଭର୍ସରେ ମଧ୍ୟ ପରିଣୀତି ଏବଂ ରାଘବ ସାମିଲ ହୋଇଥିଲେ ।

ଏହି ଇଭେଣ୍ଟରେ ସେହି ଭାରତୀୟ ଛାତ୍ରଛାତ୍ରୀଙ୍କ ଉପଲବ୍ଧିକୁ ସେଲିବ୍ରେଟ କରାଯାଇଥିଲା ଯେଉଁମାନେ ବିଶ୍ୱବିଦ୍ୟାଳୟରୁ ପଢା ସାରିଥିଲେ । ପରିଣୀତି ଏବଂ ରାଘବଙ୍କୁ ଏହି ଅବସରରେ ସମ୍ମାନ ମଧ୍ୟ ମିଳିଥିଲା । ଆଉ ଏକ ରିପୋର୍ଟ ଅନୁସାରେ ସେମାନଙ୍କ ପରିବାର ଲୋକେ ବିବାହ ପାଇଁ କଥାବାର୍ତ୍ତା ମଧ୍ୟ ଆରମ୍ଭ କରିଦେଇଛନ୍ତି ଏବଂ ଖୁବଶୀଘ୍ର ନିର୍ବନ୍ଧ ନେଇ ଘୋଷଣା ହୋଇପାରେ । ଉଭୟଙ୍କ ପରିବାର ବିବାହକୁ ନେଇ ଚର୍ଚ୍ଚା କରିଥିଲେ ଯାହାପରେ ସେମାନେ ନିକଟରେ ଡିନରରେ ଏକାଠି ନଜର ଆସିଥିଲେ । ସେମାନେ ଜଣେ ଅନ୍ୟଜଣଙ୍କୁ ଜାଣିଥିଲେ ।

ଜଣେ ଅନ୍ୟଜଣଙ୍କୁ ପସନ୍ଦ କରୁଛନ୍ତି ଏବଂ ସେମାନଙ୍କ ମଧ୍ୟରେ ଅନେକ ସମାନତା ରହିଛି । ଏମଧ୍ୟରେ ଏବେ ଦୁହିଁଙ୍କ ବିବାହକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କୁହାଯାଉଛି ଯେ, ଦୁହିଁଙ୍କ ପରିବାର ବିବାହ ଯୋଜନା ବିଷୟରେ ଆଲୋଚନା କରିବା ଆରମ୍ଭ କରିଛନ୍ତି। ଚର୍ଚ୍ଚା ହେଉଛି ଯେ, “ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ସମାରୋହ ହୋଇନାହିଁ। କିନ୍ତୁ ଦୁହିଁଙ୍କ ପରିବାର ଏହା ଉପରେ ଆଲୋଚନା କରୁଛନ୍ତି ଏବଂ ଖୁବ୍ ଶୀଘ୍ର ବିବାହ ହେବ। ଦୁହେଁ ଏକାଠି ଥିବାରୁ ଉଭୟଙ୍କ ପରିବାର ଖୁସି। କିନ୍ତୁ ଉଭୟ ନିଜ ନିଜ କାମରେ ବ୍ୟସ୍ତ ଥିବାରୁ କୌଣସି ସମାରୋହ ପାଇଁ ତାରିଖ ସ୍ଥିର କରାଯାଇପାରିନାହିଁ।” ପରିଣୀତିଙ୍କ ସହ ଭେଟଘାଟ ପରେ ଯେବେ ରାଘବ ଚଢ଼ା ଦିଲ୍ଲୀ ପହଞ୍ଚିଥିଲେ ତେବେ ଗଣମାଧ୍ୟମ ପ୍ରତିନିଧି ପରିଣୀତିଙ୍କୁ ନେଇ ତାଙ୍କୁ ପ୍ରଶ୍ନ ପଚାରିଥିଲେ ।

ଏହା ଉପରେ ସେ କହିଥିଲେ ଯେ, ଆପଣ ମୋତେ ରାଜନୀତି ସହ ସମ୍ବନ୍ଧିତ ପ୍ରଶ୍ନ ପଚାରନ୍ତୁ । ପରିଣୀତିଙ୍କୁ ନେଇ ପ୍ରଶ୍ନ କରନ୍ତୁନି । ଯେବେ ତାଙ୍କୁ ପଚରାଯାଇଥିଲା ଯେ କଣ ସେ ବିବାହ କରିବାକୁ ଯାଉଛନ୍ତି ତେବେ ସେ କହିଥିଲେ ଯେ ଯେବେ ହେବ ତେବେ ଆପଣଙ୍କୁ ଜଣାଇଦେବୁ । ଏବେ ଏଥିରୁ ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି ଯେ ଉଭୟଙ୍କ ମଧ୍ୟରେ କିଛି ଚାଲିଛି । ଏବଂ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବରରୁ ଜଣାଯାଉଛି ଯେ ଏବେ ସେମାନେ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ।

ତେବେ ଜଣେ ଅଭିନେତା ଅଭିନେତ୍ରୀଙ୍କୁ ଡେଟ୍ କରିବା ଘଟଣା କିଛି ନୂଆ ନୁହେଁ । ଏହା ପୂର୍ବରୁ ଅନେକ ରାଜନେତା ଅଭିନେତ୍ରୀଙ୍କୁ ଡେଟ୍ କରିଥିବାର ଖବର ଚର୍ଚ୍ଚାରେ ରହିଥିଲା । ଏବଂ ପରବର୍ତ୍ତି ସମୟରେ ସେମାନେ ବିବାହ କରିଥିବାର ଅନେକ ନଜିର ରହିଛି । ଯେମିତିକି ନିକଟରେ ବଲିଉଡ ଅଭିନେତ୍ରୀ ସ୍ବରା ଭାସ୍କର ଏବଂ ସମାଜବାଦୀ ପାର୍ଟି ନେତା ଫରହାଦ ମହମ୍ମଦ ଡେଟ କରି ବିବାହ କରିଛନ୍ତି । ଅଭିନେତ୍ରୀ ଆୟେସା ଟାକିଆ ମଧ୍ୟ ସମାଜବାଦୀ ପାର୍ଟି ନେତା ଫରହାନ ଆଜମିଙ୍କୁ ବିବାହ କରିଛନ୍ତି । ଏବେ ପରିଣୀତି ଏବଂ ରାଘବ ମଧ୍ୟ ବିବାହ ବନ୍ଧନରେ ବନ୍ଧିହେବେ ବୋଲି ଚର୍ଚ୍ଚା ଜୋର ଧରିଛି ।

ସ୍ୱାମୀ କରିଥିଲେ ସଂଙ୍କଳ୍ପ, ବ୍ରତ ଭାବେ ପାଳନ କରୁଛନ୍ତି ସ୍ତ୍ରୀ

ନୂଆପଡ଼ା: ସ୍ୱାମୀ କରିଥିଲେ ସଂଙ୍କଳ୍ପ । ଏବେ ସ୍ବାମୀଙ୍କ ସଂଙ୍କଳ୍ପକୁ ବ୍ରତ ଭାବେ ପାଳନ କରୁଛନ୍ତି ସ୍ତ୍ରୀ । ସ୍ବାମୀ ଆରପାରିକୁ ଚାଲିଗଲାପରେ ସେ ସୃଷ୍ଟି କରିଥିବା ଜଙ୍ଗଲର ନିଃସ୍ଵାର୍ଥପର ଭାବେ ସୁରକ୍ଷା କରୁଛନ୍ତି । ନିଛାଟିଆ ଜଙ୍ଗଲରେ ବୁଲି ଗଛଗୁଡିକୁ ବିପଦରୁ ରକ୍ଷା କରୁଛନ୍ତି । ବିନା ସରକାରୀ ସହାୟତାରେ ଦୀର୍ଘ ୩୦ ବର୍ଷ ହେଲା ବନ ସୁରକ୍ଷାରେ ଲାଗିପଡିଛନ୍ତି ମହିଳା । ଦେଖିବା ଏହି ଏହି ସ୍ବତନ୍ତ୍ର ରିପୋର୍ଟ ଜଙ୍ଗଲ ରାଣୀଙ୍କ ଜୀବନ କାହାଣୀ

ଜଙ୍ଗଲ ହିଁ ଜୀବନ । ପରିବେଶ ସନ୍ତୁଳନରେ ବୃକ୍ଷ ଲତାଙ୍କ ରହିଛି ଗୁରୁତ୍ବ । ଏହାକୁ ବୋଧେ ହୃଦୟଙ୍ଗମ କରିପାରିଛନ୍ତି ଆଦିବାସୀ ମହିଳା ହିରାଦେଇ ମାଝୀ । ଦୀର୍ଘ ୩୦ ବର୍ଷ ହେବ ନିରବଚ୍ଛିନ୍ନ ଭାବେ ବନ ସୁରକ୍ଷାରେ ଲାଗିପଡିଛନ୍ତି । ପିଲା ଛୁଆ ଭଳି ଗଛ ଗୁଡିକର ଲାଳନପାଳନ କରୁଛି । ଦିନ ତମାମ ନିଃସ୍ଵାର୍ଥପର ଭାବେ ବନକୁ ବିପଦରୁ ରକ୍ଷା କରୁଛନ୍ତି । ଏହି ମହତ କାର୍ଯ୍ୟପାଇଁ ସେ ସବୁଠି ଜଙ୍ଗଲ ରାଣୀଭାବେ ପରିଚିତ ହୋଇଛନ୍ତି । ନୂଆପଡା ଜିଲ୍ଲା ସିନାପାଲି ବ୍ଲକ କାପସି ଗାଁର କରାଡୁଙ୍ଗରୀ ଜଙ୍ଗଲକୁ ନିଜ ପରିବାର ଭଳି ଜତ୍ନ ନେଉଛନ୍ତି ହିରାଦେଇ ମାଝୀ ।

ଅନେକ ବାଧାବିଘ୍ନ ଆସିଛି ହିରାଦେଇଙ୍କ ଜୀବନରେ । ହେଲେ ସେ ନିଜ କର୍ତ୍ତବ୍ୟରୁ କେବେ ଓହରି ନାହାନ୍ତି । ହିରାଦେଇଙ୍କ ଏଭଳି କାର୍ଯ୍ୟକୁ ପ୍ରକୃତି ପ୍ରେମୀ ଭୁରି ଭୁରି ପ୍ରଶଂସା କରିଛନ୍ତି । ତାଙ୍କ ଅକ୍ଳାନ୍ତ ଉଦ୍ୟମ ଓ ଉତ୍ସାହକୁ ନେଇ ବନବିଭାଗ ଶହ ବିଭିନ୍ନ ଅନୁଷ୍ଠାନ ତାଙ୍କୁ ପୁରସ୍କୃତ ମଧ୍ୟ କରିଛନ୍ତି। ଗୋଟିଏ ପଟେ ପରିବାର ପ୍ରତିପୋଷଣ , ଅନ୍ୟ ପଟେ ଅତି ଆପଣାର ଜଙ୍ଗଲର ସୁରକ୍ଷା ଭିତରେ ଆସିଛି ଅନେକ ବାଧାବିଘ୍ନ । ହେଲେ କୌଣସିବି ସ୍ଥିତିରେ ହାର ମାନିନାହାଁନ୍ତି ହିରାଦେଇ । ହିରାଦେଇଙ୍କ ସ୍ଵାମୀ ଅଙ୍ଗଦ ମାଝୀ ୧୧ ଏକରରୁ ଉର୍ଦ୍ଧ୍ବ ଅଞ୍ଚଳରେ ବ୍ୟାପ୍ତ ଏହି ଜଙ୍ଗଲର ସୁରକ୍ଷା ପାଇଁ ସଂକଳ୍ପ କରିଥିଲେ । ସେହିଦିନ ଠାରୁ ଉଭୟ ସ୍ଵାମୀ ସ୍ତ୍ରୀ ବିନା ସରକାରୀ ସହାୟତାରେ କରାଡୁଙ୍ଗରୀରେ ଚାରା ଲଗାଇ ଜଙ୍ଗଲ ସୁରକ୍ଷା କରୁଥିଲେ ।

କାଳକ୍ରମେ ଆରପାରିକୁ ଚାଲିଗଲେ ଅଙ୍ଗଦ । ହେଲେ ହିରାଦେଇ ସ୍ବାମୀଙ୍କ ସଙ୍କଳ୍ପକୁ ବ୍ରତ ଭାବେ ପାଳନ କରୁଛନ୍ତି । ପରିଣତ ବୟସରେ ମଧ୍ୟ ଥକିନାହାନ୍ତି ହିରାଦେଇ । କାନ୍ଧରେ ଟାଙ୍ଗିଆ, ଅଣ୍ଟାରେ ଗାମୁଛା ବାନ୍ଧି ପ୍ରତିଦିନ ଜଙ୍ଗଲ ଅଭିମୁଖେ ବାହାରି ଯାଆନ୍ତି ହିରାଦେଇ । ଜଙ୍ଗଲ ସୁରକ୍ଷାକୁ ନିଜର ଲକ୍ଷ୍ୟ ଓ ବ୍ରତ ରୂପେ ଗ୍ରହଣ କରିନେଇଛନ୍ତି ହିରାଦେଇ । ତାଙ୍କ ଏହି ମହତ କାର୍ଯ୍ୟ ଜନସମାଜକୁ ନୂତନ ଶିକ୍ଷା ପ୍ରଦାନ କରିପାରିଛି ।

ସଲମାନଙ୍କୁ ଦେଉଥିଲେ ହତ୍ୟା ଧମକ, ଶେଷରେ ଗିରଫ ହେଲେ

ମୁମ୍ବାଇ: ଦିନେ ବଲିଉଡ ଅଭିନେତା ସଲମାନ ଖାନଙ୍କୁ ହତ୍ୟା ଧମକ ଦେଇଥିଲେ । ଆଜି ଗିରଫ ହେଲେ । କିଛି ଦିନ ହେବ କେହିଜଣେ ଅଜଣା ବ୍ୟକ୍ତି ସଲମାନ ଖାନଙ୍କୁ ହତ୍ୟା ଧମକ ଦେଇଥିଲା । ଏ ନେଇ ସଲମାନଙ୍କ ପକ୍ଷରୁ ପୋଲିସରେ ଅଭିଯୋଗ ହୋଇଥିଲା । ବାନ୍ଦ୍ରା ଥାନାରେ ଅଭିଯୋଗ କରିଥିଲେ ସଲମାନ । ଏହି ଅଭିଯୋଗ ଆଧାରରେ ମୁମ୍ବାଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଏବେ ଏହି ଅଭିଯୁକ୍ତ ଗିରଫ ହୋଇଛି । ରାଜସ୍ଥାନରୁ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ୍ । ଗିରଫ ହୋଇଥିବା ଅଭିଯୁକ୍ତର ନାଁ ହେଉଛି ଧାକଡ ରାମ ବିଷ୍ଣୋଇ । ଏହି ଅଭିଯୁକ୍ତ ଜଣଙ୍କ ଇ-ମେଲ ଜରିଆରେ ସଲମାନଙ୍କୁ ବାରମ୍ବାର ଧମକ ଦେଉଥିଲା । ଅଭିଯୁକ୍ତର ବୟସ ୨୧ ବର୍ଷ ।

ବରିରେ କେନ୍ଦ୍ରମନ୍ତ୍ରୀଙ୍କୁ କଳାପତାକା ଦେଖାଇଲେ କଂଗ୍ରେସ କର୍ମୀ

ଯାଜପୁର: କେନ୍ଦ୍ର ଆଦିବାସୀ କଲ୍ୟାଣ ଓ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ କଳାପତକା ପ୍ରଦର୍ଶନ । ଯାଜପୁର ବରିରେ ବିରୋଧ ପ୍ରଦର୍ଶନ କଲେ ଯୁବ କଂଗ୍ରେସ କର୍ମୀ । କଳାମାଟିଆ ମୁଖ୍ୟ ରାସ୍ତାର ଗାନ୍ଧୀ ଛକରେ ବିରୋଧ କରିବା ସହ କଳା ପତାକା ଦେଖାଇଥିଲେ କଂଗ୍ରେସ କର୍ମୀ ।

ଶହ ଶହ ବିଜେପି କର୍ମୀ ଓ ପୋଲିସର କଡା ସୁରକ୍ଷା ମଧ୍ୟରେ ବି କଂଗ୍ରେସ କର୍ମୀ ମନ୍ତ୍ରୀଙ୍କ ଗାଡି ଆଗକୁ ଯାଇ କଳା ପତକା ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି । ଦୁଇ ଦିନିଆ ଯାଜପୁର ଗସ୍ତରେ ଥିବା କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ଆଜି ଥିଲା ବରୀ ଗସ୍ତ କାର୍ଯ୍ୟକ୍ରମ ।

ଦିନିକିଆ ବିଶ୍ୱକପ୍ ଉପରେ ଟିମ୍ ଇଣ୍ଡିଆର ନଜର, ଦ୍ୱିପାକ୍ଷିକ ଦିନିକିଆ ମ୍ୟାଚକୁ ନେଇ ଅଚାନକ୍ ପ୍ଲାନ୍ ବଦଳାଇଲା ବିସିସିଆଇ

ନୂଆଦିଲ୍ଲୀ: ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଭାରତରେ ଦିନିକିଆ ବିଶ୍ୱକପ୍ ଖେଳାଯିବ । ଯେହେତୁ ଘରୋଇ ମାଟିରେ ଖେଳ ହେଉଛି ଭାରତୀୟ ଟିମ୍ ନିଜ ନାଁରେ ଏହି କପ୍ କରିବା ପାଇଁ ଜୋରଦାର ପ୍ରସ୍ତୁତି କରୁଛି । ଭାରତ ଗତଥର ୨୦୧୧ରେ ହିଁ ଘରୋଇ ମାଟିରେ ୨୮ ବର୍ଷର ଅପେକ୍ଷା ପରେ ବିଶ୍ୱକପ୍ ଜିତିଥିଲା । ଏପରି ସ୍ଥିତିରେ ଟିମ୍ ଇଣ୍ଡିଆ ଚଳିତଥର ମଧ୍ୟ ଏହି ଇତିହାସ ଦୋହରାଇବାକୁ ଚାହିଁବ । ଏଥିପାଇଁ ବିସିସିଆଇ ନିଜ ସ୍ତରରେ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଆଇପିଏଲ ୨୦୨୩ ପରଠୁ ହିଁ ଭାରତୀୟ କ୍ରିକେଟ-ର ସିଡ୍ୟୁଲ ବହୁତ ବ୍ୟସ୍ତ ରହିବ ।

ଭାରତକୁ ଜୁନରେ ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲ ଖେଳିବାର ଅଛି । ଏହାପରେ ଅଗଷ୍ଟ-ସେପ୍ଟେମ୍ବରରେ ଏସିଆ କପ୍ ଏବଂ ଏହାପରେ ଦିନିକିଆ ବିଶ୍ୱକପରେ ଖେଳାବାକୁ ଅଛି । କିନ୍ତୁ ବିସିସିଆଇ ଆଇପିଏଲ ପରଠୁ ହିଁ ଟିମ ଇଣ୍ଡିଆର ସିଡ୍ୟୁଲରେ ବଡ଼ ପରିବର୍ତ୍ତନ କରିଛି । ଆଇପିଏଲ ୨୦୨୩ ପରେ ଟିମ୍ ଇଣ୍ଡିଆକୁ ଜୁଲାଇ-ଅଗଷ୍ଟରେ ୱେଷ୍ଟଇଣ୍ଡିଜ ଗସ୍ତରେ ଯିବାର ଅଛି । ପ୍ରଥମେ ଏହି ଟୁରରେ ୨ଟି ଟେଷ୍ଟ, ୩ଟି ଦିନିକିଆ ଏବଂ ୩ଟି ଟି-୨୦ ମ୍ୟାଚ୍ ଖେଳାଯିବା ନେଇ ଯୋଜନା ଥିଲା । କିନ୍ତୁ ଏବେ ଏଥିରେ ପରିବର୍ତ୍ତନ କରାଯାଇଛି । କ୍ରିକବଜର ରିପୋର୍ଟ ଅନୁଯାୟୀ ଏବେ ୱେଷ୍ଟଇଣ୍ଡିଜ ଗସ୍ତରେ ଭାରତୀୟ କ୍ରିକେଟ ଟିମ୍ ୧୦ ଟି ମ୍ୟାଚ୍ ଖେଳିବ ।

ଏହି ଗସ୍ତ ସମୟରେ ଉଭୟ ଦେଶ ମଧ୍ୟରେ ଏବେ ୩ଟି ବଦଳରେ ୫ ଟି ଟି-୨୦ ମ୍ୟାଚ୍ ଖେଳାଯିବ । ବିସିସିଆଇ ଏନେଇ ବର୍ତ୍ତମାନ ସୁଦ୍ଧା ଅଧିକାରିକ ଘୋଷଣା କରିନାହିଁ । କ୍ରିକବଜର ରିପୋର୍ଟ ଅନୁଯାୟୀ, ଆଇପିଏଲ ୨୦୨୩ ଏବଂ ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲ୍ ପରେ ବିସିସିଆଇ ଆଫଗାନୀସ୍ତାନ ବା ଶ୍ରୀଲଙ୍କା ସହ ୩ଟି ଦିନିକିଆ ଘରୋଇ ସିରିଜର ଆୟୋଜନ କରିବା ନେଇ ଯୋଜନା କରୁଛି । ଅବଶ୍ୟ ଏବେ ବି କିଛି ପକ୍କା ହୋଇନାହିଁ । ଯଦି କ୍ରିକେଟ ବୋର୍ଡ ମଧ୍ୟରେ ଏହାକୁ ନେଇ ସହମତି ହୁଏ ତେବେ ଜୁନ ମଧ୍ୟ ଭାଗରେ ଏହି ସିରିଜ୍ ଖେଳାଯିବ ।

ପ୍ରକାଶ ଥାଉକି ଭାରତକୁ ୭ରୁ ୧୧ ଜୁନ ମଧ୍ୟରେ ଓଭାଲରେ ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲ୍ ଖେଳିବାର ଅଛି । ଫାଇନାଲରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ଭେଟିବ ଭାରତ । ଏହାପରେ ଜୁଲାଇ-ଅଗଷ୍ଟରେ ଭାରତକୁ ୱେଷ୍ଟଇଣ୍ଡିଜ ଏବଂ ଏହାପରେ ୩ଟି ଟି-୨୦ ସିରିଜ ପାଇଁ ଆୟରଲ୍ୟାଣ୍ଡ ଯିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ସେପ୍ଟେମ୍ବରରେ ଏସିଆ କପ୍ ଏବଂ ପରେ ଘରେ ହିଁ ଭାରତୀୟ ଟିମ୍ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ଅଷ୍ଟ୍ରେଲିଆକୁ ଭେଟିବ । ଏହାପରେ ଅକ୍ଟୋବର-ନଭେମ୍ବରରେ ଦିନିକିଆ ବିଶ୍ୱକପ୍ ଖେଳାଯିବ ।

ଏସିଆ କପ୍‌କୁ ଛାଡ଼ିଦେଲେ, ଭାରତ ପାଖରେ ଦ୍ୱିପାକ୍ଷିକ ଦିନିକିଆ ସିରିଜ୍‌ର ୬ ଟି ମ୍ୟାଚ୍ ଖେଳିବା ପାଇଁ ରହୁଥିଲା । ହେଲେ ଯଦି ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦୁଇଟି ମ୍ୟାଚ୍ ଏବଂ ଶ୍ରୀଲଙ୍କା କିମ୍ବା ଆଫଗାନୀସ୍ତନ ବିପକ୍ଷରେ ତିନୋଟି ମ୍ୟାଚ୍ ବିସିସିଆଇ ଆୟୋଜନ କରୁଛି ତେବେ ମୋଟ୍ ମ୍ୟାଚ୍ ସଂଖ୍ୟା ୧୧କୁ ବୃଦ୍ଧି ପାଇବ । ଦିନିକିଆ ବିଶ୍ୱକପ୍ ପୂର୍ବରୁ ଏହି ୧୧ଟି ମ୍ୟାଚ୍ ଭାରତୀୟ ଦଳକୁ ଆହୁରି ମଜଭୁତ କରିବା ସହ ଅଭିଜ୍ଞତା ଦେବ । ପ୍ରତିଭାଶାଳୀ ଯୁବ ଖେଳାଳିଙ୍କୁ ନେଇ ପରୀକ୍ଷାନିରୀକ୍ଷା କରାଯିବା ବି ଜରୁରୀ । ଯାହାଫଳରେ ଭାରତ ଚଳିତ ବର୍ଷ ବିଶ୍ୱକପ୍ ବିଜୟୀ ହୋଇପାରିବ ।