ସମ୍ବଲପୁରରେ ବିକାଶ କାର୍ଯ୍ୟର 5T ସମୀକ୍ଷା, ମହାନଦୀ ରିଭର ଫ୍ରଣ୍ଟ୍ ଭ୍ୟୁ କାମ ସାରିବାକୁ ନିର୍ଦ୍ଦେଶ

1 min read

ସମ୍ବଲପୁର: ସମ୍ବଲପୁରରେ ବିକାଶମୂଳକ କାମର 5T ସମୀକ୍ଷା । କେତେବାଟ ଆଗେଇଛି ପଶ୍ଚିମ ଓଡ଼ିଶାବାସୀଙ୍କ ଆଶା ଓ ବିଶ୍ବାସର କେନ୍ଦ୍ରସ୍ଥଳୀ ମା ସମଲେଶ୍ବରୀଙ୍କ ପୀଠର ବିକାଶ କାମ । ଅଗ୍ରଗତିର ସମୀକ୍ଷା କରିଛନ୍ତି 5T ସଚିବ । ନବନିର୍ମିତ  ପୂର୍ବଦ୍ବାର ଦେଇ ପ୍ରଥମେ ମା ସମଲେଶ୍ବରୀଙ୍କୁ ଦର୍ଶନ କରିଥିଲେ । ପରେ ମନ୍ଦିରର ଉନ୍ନତିକରଣ ନେଇ ସେବାୟତ ଓ ନିର୍ମାଣକାରୀ ସଂସ୍ଥା ସହିତ ଆଲୋଚନା କରିଥିଲେ 5T ସଚିବ । ମନ୍ଦିର ରୂପାନ୍ତରଣ କାମର ଅନୁଧ୍ୟାନ କରିଛନ୍ତି । ଚଳିତବର୍ଷ ମନ୍ଦିରର ନବକଳେବର ସାରିବାକୁ ଲକ୍ଷ୍ୟ ରଖାଯାଇଛି । ରିଂ ରୋଡଠାରୁ ଆରମ୍ଭ କରି ନୂତନ ମନ୍ଦିର ବେଢା ନିର୍ମାଣ, ପାର୍କିଂସ୍ଥଳୀ, ସୁଇମିଂ ପୁଲ ଓ ମନ୍ଦିର ଚାରିପାଖକୁ ସୌନ୍ଦର୍ଯ୍ୟକରଣ କରାଯାଉଛି । ସେସବୁ କାମର ତଦାରଖ କରିଛନ୍ତି 5T ସଚିବ ।

ଏହାପରେ ପଶ୍ଚିମ ଦ୍ବାର ଦେଇ ମହାନଦୀର ରିଭର୍ ଫ୍ରଣ୍ଟ ଭ୍ୟୁ ବୁଲି ଦେଖିବା ସହ କାମ କିଭଳି ଭାବେ ଶେଷ ହେବ ସେନେଇ ଆଲୋଚନା କରିଥିଲେ । ବର୍ତମାନ ସୁଦ୍ଧା ସମଲେଇ ପ୍ରକଳ୍ପର ୪୦ ରୁ ୪୫ ପ୍ରତିଶତ କାମ ଶେଷ ହୋଇଥିବା ସୂଚନା ଦେଇଛନ୍ତି ସମଲେଶ୍ବରୀ ମନ୍ଦିରର ଟ୍ରଷ୍ଟବୋର୍ଡ ସଭାପତି ସଂଜୟ ବାବୁ । ଏହି ଅବସରରେ ପ୍ରବଳ ଜନସମାଗମ ହୋଇଥିଲା । 5T ସଚିବଙ୍କୁ ପାଖରେ ପାଇ ନିଜ ଦାବି ପତ୍ର ଦେଇଥିଲେ ଲୋକ । ଦାବିପତ୍ରକୁ ସାଦରେ ଗ୍ରହଣ କରି ଖୁବଶୀଘ୍ର ଦାବି ପୂରଣ କରାଯିବ ବୋଲି ପ୍ରତିଶରୁତି ଦେଇଛନ୍ତି ଭି.କେ ପାଣ୍ଡିଆନ ।