ମୟୂରଭଞ୍ଜରେ ପୋଲିସ ଓ ବନ ବିଭାଗର ମିଳିତ ଚଢ଼ାଉ, ୨ ଶିକାରୀ ଗିରଫ

ମୟୂରଭଞ୍ଜ: ମୟୂରଭଞ୍ଜ ଉଦଳାର ଫୁଲବାଡିଆ ଅଞ୍ଚଳରେ ପୋଲିସ ଓ ବନ ବିଭାଗର ମିଳିତ ଚଢ଼ାଉ । ୨ ଶିକାରୀଙ୍କୁ ଗିରଫ କରାଯାଇଥିବା ବେଳେ, ୩ଟି ବନ୍ଧୁକ ଜବତ ହୋଇଛି । ଶିବ ସିଂ ଏବଂ ବାସୁଦେବ ସିଂ ନାମକ ୨ ଶିକାରୀଙ୍କୁ ଗିରଫ କରାଯାଇଛି । ଶିକାରୀମାନେ ଦେଶୀ ବନ୍ଧୁକ ଏବଂ ଶିକାର ସାମଗ୍ରୀ ନିଜ ଘରେ ଲୁଚାଇ ରଖିଥିଲେ । ପୋଲିସ ସେମାନଙ୍କ ନିକଟରୁ ୩ଟି ଗୁଳି ଭର୍ତ୍ତି ଦେଶୀ ବନ୍ଧୁକ ଜବତ କରିବା ସହିତ ଫାଶ, ଧନୁ, ଧନୁତୀର ଆଦି ଜବତ କରିଛି । ଜବତ ସାମଗ୍ରୀ ମଧ୍ୟରେ ଗୋଟିଏ ଭଙ୍ଗା ଦେଶୀ ବନ୍ଧୁକ ମଧ୍ୟ ରହିଛି ।

ଦୁଇ ଦିନ ପୂର୍ବରୁ ବନ ବିଭାଗ ପୋଲିସ ମିଳିତ ଭାବେ କପ୍ତିପଦା ରେଞ୍ଜ ଅଞ୍ଚଳରେ ଚଢ଼ାଉ କରି ୨ ଜଣ ଶିକାରୀଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ୪ ବନ୍ଧୁକ, ବଜ୍ରକାପ୍ତା କାତି ସହିତ ଜଙ୍ଗଲୀ ମାଂସ ଜବତ କରିଥିଲା । ଶିମିଳିପାଳରେ ଶିକାରୀ ଗୁଳିରେ ଫରେଷ୍ଟ ଗାର୍ଡ ମୃତ୍ୟୁ ଘଟଣା ପରେ ବନ ବିଭାଗ ଓ ପୋଲିସର ନିଦ ଭାଙ୍ଗିଛି । ଯାହାକୁ ନେଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି ।