spot_img
Home Blog Page 3313

ବୋହୂଙ୍କୁ ବଞ୍ଚାଇବାକୁ ଯାଇ ପୁଅ ହାତରୁ ଗୁଳି ଖାଇଲେ ବାପା

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଚିନାଜୁରି ଗାଁରେ ଅଭାବନୀୟ ଘଟଣା । ବୋହୂଙ୍କୁ ବଞ୍ଚାଇବାକୁ ଯାଇ ପୁଅ ହାତରୁ ଗୁଳି ଖାଇଲେ ବାପା । ଗୁରୁତର ବାପା ହେଲେ ଗଙ୍ଗାଜଳ ମେହେର । ତାଙ୍କୁ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁସାରେ ପୁଅ ଓ ବୋହୂଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା । ଏହି ଝଗଡ଼ାରେ ପୁଅ ରାଗିଯାଇ ସ୍ତ୍ରୀକୁ ଗୁଳି କରିବାକୁ ଚେଷ୍ଟା କରିଥିଲା । ସେହି ସମୟରେ ବାପା ଗଙ୍ଗାଜଳ ବୋହୂକୁ ରକ୍ଷା କରିବା ପାଇଁ ସାମ୍ନାକୁ ଚାଲି ଆସିଥିଲେ । ଫଳରେ ଗୁଳିଟି ତାଙ୍କ ଦେହରେ ବାଜିଥିଲା ଓ ସେ ଗୁରୁତର ଆହତ ହୋଇଛନ୍ତି । ଘଟଣାକୁ ନେଇ ଡୁଙ୍ଗୁରିପାଲି ଥାନାରେ ଏକ ମାମଲା ରୁଜୁ ହୋଇଛି ।

ଆଜି IPLରେ ଖେଳାଯିବ ଦୁଇଟି ମ୍ୟାଚ୍, ସନ୍ଧ୍ୟାରେ ମୁହାଁମୁହିଁ ହେବେ ରୋହିତ-କୋହଲି

ବାଙ୍ଗାଲୋର: ଜମୁଛି ଆଇପିଏଲ ଲଢେଇ । ଆଜି ସୁପର ସଣ୍ଡେରେ ଆଇପିଏଲରେ ଖେଳାଯିବ ଦୁଇଟି ମ୍ୟାଚ୍ । ଆଜି ପ୍ରଥମ ମ୍ୟାଚରେ ଗତ ବର୍ଷର ରନର୍ସ ଅପ୍ ଦଳ ରାଜସ୍ଥାନକୁ ଭେଟିବ ସନରାଇଜର୍ସ ହାଇଦ୍ରାବାଦ । ଘରୋଇ ଦର୍ଶକଙ୍କ ସମର୍ଥନରେ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଚେଷ୍ଟା କରିବ ସନରାଇଜର୍ସ ହାଇଦ୍ରାବାଦ । ଅନ୍ୟପକ୍ଷରେ ହାଇଦ୍ରାବାଦରେ ସନରାଇଜର୍ସକୁ ପରାସ୍ତ କରି ନିଜର ବିଜୟ ଅଭିଯାନ ଆରମ୍ଭ କରିବାକୁ ଚେଷ୍ଟା କରିବ ରାଜସ୍ଥାନ ରୟାଲ୍ସ ।

ସେହପରି ଆଜି ଆଇପିଏଲର ଦ୍ୱିତୀୟ ମ୍ୟାଚରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଏହି ମ୍ୟାଚ ସନ୍ଧ୍ୟା ୭.୩୦ରେ ବାଙ୍ଗାଲୋରର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ । ୩ ବର୍ଷ ପରେ ଘରୋଇ ଷ୍ଟାଡିୟମରେ ମ୍ୟାଚ ଖେଳାଯାଉଥିବାରୁ ଆରସିବି ଦର୍ଶକଙ୍କ ଉତ୍ସାହ ବେଶ୍ ରହିଛି । ଆଇପିଏଲର ବିଗତ ୩ଟି ସିଜିନରେ ଆରସିବି ପ୍ଲେ ଅଫକୁ ଯାଇଥିଲା । ତେଣୁ ଚଳିତ ସିଜିନରେ ଆରସିବି ପ୍ଲେ ଅଫକୁ ଯିବା ସହ ଫାଇନାଲରେ ନିଜ ସ୍ଥାନ ପକ୍କା କରିବାକୁ ଚେଷ୍ଟା କରିବ । ଅନ୍ୟପକ୍ଷରେ ଆଇପିଏଲ ଇତିହାସରେ ସବୁଠୁ ସଫଳ ଦଳ ହେଉଛି ମୁମ୍ବାଇ ଇଣ୍ଡିଆନ୍ସ । ରୋହିତ ଶର୍ମାଙ୍କ ନେତୃତାଧୀନ ମୁମ୍ବାଇ ଆଇପିଏଲରେ ୫ ଥର ବିଜୟ ମୁକୁଟ ପିନ୍ଧିସାରିଛି । ତେବେ ଗତ ସିଜିନରେ ମୁମ୍ବାଇ ଭଲ ପ୍ରଦର୍ଶନ କରିପାରିନଥିଲା । ତେଣୁ ଚଳିତ ସିଜିନରେ ମୁମ୍ବାଇ ଭଲ ଆରମ୍ଭ କରିବାକୁ ଚେଷ୍ଟା କରିବ ।

ଟ୍ରକକୁ ପଛରୁ ଧକ୍କା ଦେଲା ବସ୍, ଦୁର୍ଘଟଣାରେ ୭ ଆହତ

ଭଦ୍ରକ: ରାଜପଥରେ ଠିଆ ହୋଇଥିବା ଟ୍ରକକୁ ପଛରୁ ଧକ୍କା ଦେଲା ବସ୍ । ଦୁର୍ଘଟଣାରେ ୫ରୁ ୭ ଜଣ ଆହତ ହୋଇଛନ୍ତି । ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ବୀଣା ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା ଘଟିଛି । ଶୁଭଲଷ୍ମୀ ନାମକ ଏକ ବସ୍ ଭୁବନେଶ୍ବରରୁ କୋଲକାତା ଅଭିମୁଖେ ଯାଉଥିବା ବେଳେ ଭଦ୍ରକ ବୀଣା ପେଟ୍ରୋଲ ପମ୍ପ ନିକଟରେ ଏକ ଟ୍ରକକୁ ପଛ ଆଡ଼ୁ ଧକ୍କା ଦେଇଥିଲା । ବସର ବାମ ପାର୍ଶ୍ବରେ ବସିଥିବା ଯାତ୍ରୀଙ୍କ ମଧ୍ୟରୁ ୭ ଜଣଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନେକ ଯାତ୍ରୀ ମେଡିକାଲରୁ ପ୍ରାଥମିକ ଚିକିତ୍ସା ପରେ ଫେରିଥିବା ସୂଚନା ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ବସର ଡ୍ରାଇଭର ଓ ଅନ୍ୟ କର୍ମଚାରୀ ଫେରାର ଥିବା ସୂଚନା ମିଳିଛି ।

ପୁରୀରେ ଦୁର୍ବୃତ୍ତଙ୍କ ଗୁଣ୍ଡାରାଜ, ସାହିଯାତ ଦେଖି ଫେରିବା ବେଳେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ପୁରୀ: ପୁରୀରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ସାହିଯାତ ଦେଖି ଫେରିବା ବେଳେ ଆକ୍ରମଣର ଶିକାର ହୋଇଛନ୍ତି ଯୁବକ । ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣକ ହେଲେ କାଳିକାଦେବୀ ସାହିର କିଷନ ରଣା ଓରଫ ଜଗା । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି । ଜଗାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ବିହାରର ନାଳନ୍ଦା ଜିଲ୍ଲାରେ ପୁଣି ସଂଘର୍ଷ, ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ଗୁଳିଚାଳନା

ପାଟନା: ବିହାରର ନାଳନ୍ଦା ଜିଲ୍ଲାର ବିହାରସରିଫରେ ପୁଣି ସଂଘର୍ଷ । ରାମନବମୀ ଅବସରରେ ହୋଇଥିବା ସାମ୍ପ୍ରଦାୟିକ ସଂଘର୍ଷ ପରେ ଏବେ ସ୍ଥିତି ନିୟନ୍ତ୍ରଣରେ ଥିବା ପୋଲିସ କହୁଥିଲେ ବି ପୁଣି ସଂଘର୍ଷ ଦେଖାଦେଇଛି । ସାସାରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ଗୁଳିଚାଳନା ହୋଇଥିଲା । ଘଟଣା ପରେ ପୂରା ଅଞ୍ଚଳରେ ଇଣ୍ଟରନେଟ ବନ୍ଦ କରାଯାଇଥିବା ବେଳେ ୧୪୪ ଧାରା ଜାରି କରାଯାଇଛି  । ଗୁଳିମାଡ଼ରେ କିଛି ଲୋକ ଆହତ ହୋଇଛନ୍ତି । ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ୍ ଟିମ୍ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଛି ।

ସୂଚନା ଅନୁସାରେ ଏଭଳି କିଛି ଗୋଷ୍ଠୀ ସଂଘର୍ଷ ଘଟିପାରେ ବୋଲି ପୋଲିସ ପାଖରେ ସୂଚନା ଥିଲା । ଯେଉଁଥିପାଇଁ ପୋଲିସ ସତର୍କ ରହିଥିଲା । ଏହା ସତ୍ତ୍ୱେ ଅନେକ ସ୍ଥାନରେ ସଂଘର୍ଷ ହୋଇଛି । ଏହି ଅଞ୍ଚଳରେ ଯେପରି ସ୍ଥିତି ଆହୁରି ଖରାପ ନ ହୁଏ ସେଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି । ରାମନବମୀରେ ପଶ୍ଚିମବଙ୍ଗ ଓ ଗୁଜରାଟରେ ହିଂସା କାଣ୍ଡ ଘଟିବା ପରେ ବିହାରର ସାସାରାମରେ ମଧ୍ୟ ସାମ୍ପ୍ରଦାୟିକ ଉତ୍ତେଜନା ପ୍ରକାଶ ପାଇଥିଲା । ଦୁଇ ଗୋଷ୍ଠୀ ମଧ୍ୟରେ ପଥରମାଡ଼ ବ୍ୟତୀତ କେତେକ ଘରେ ନିଆଁ ଲଗାଇବାର ଘଟଣା ମଧ୍ୟ ଘଟିଥିଲା ।

ନକଲି ସିମ୍ କାର୍ଡ ପକାଉଥିଲେ ସାବଧାନ, ବ୍ଲକ ହୋଇଯିବ ଫୋନ୍ । ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ:  ନକଲି ସିମ୍ ବ୍ୟବହାର କରୁଥିଲେ ହୋଇଯାନ୍ତୁ ସାବଧାନ । ବ୍ଲକ ହୋଇଯିବ ଆପଣଙ୍କ ଫୋନ୍ । ଦେଶରେ ସାଇବର ଠକେଇ ହେଉ କିମ୍ୱା ଅପରାଧୀକ ଘଟଣା ଘଟାଇବା ପାଇଁ ନକଲି ସିମ୍ କାର୍ଡର ବହୁଳ ଭାବରେ ବ୍ୟବହୃତ ହେଉଛି। ସିମ୍ କାର୍ଡରେ ହେଉଥିବା ଠକେଇ ଉପରେ ରୋକ୍ ଲଗାଇବାକୁ ସରକାର ଅଣ୍ଟା ଭିଡି ଥିବା ବେଳେ ବର୍ତ୍ତମାନ ଏହାର ଉପାୟ ମିଳିଛି । ତେବେ ଚାଲନ୍ତୁ ଜାଣିବା କିପରି ରୋକା ଯାଇପାରିବ ନକଲି ସିମର ବ୍ୟବହାର । ତେବେ କ’ଣ ରହିଛି ଏହାର ନିୟମ ।

ସୂଚନା ଅନୁଯାୟୀ, ପୂର୍ବରୁ ଅନ୍ୟର ଡକ୍ୟୁମେଣ୍ଟ ଦ୍ୱାରା ନକଲି ସିମ ଆକ୍ଟିଭ୍ ହୋଇଯାଉଥିଲା । କିନ୍ତୁ ଏବେ ଆକ୍ଟିଭ୍ ସିମ୍ ପକାଇବା ଦ୍ୱାରା ବନ୍ଦ ହୋଇପାରେ ଆପଣଙ୍କ ପୋନ୍ । ଏନେଇ ସରକାର ନୂଆ ନିୟମ ଆଣିଛନ୍ତି । ଯେଉଁଥିରେ ସରକାର ଏକ ନୂତନ AI (ଆର୍ଟିଫିସିଆଲ୍ ଇଣ୍ଟାଲିଜେନ୍ସ) ଆଧାରିତ ବ୍ୟବସ୍ଥା ପ୍ରଣୟନ କରିଛନ୍ତି, ଯାହା ନକଲି ସିମ୍ କାର୍ଡ ଯାଞ୍ଚ କରିବ। ଆର୍ଟିଫିସିଆଲ୍ ଇଣ୍ଟାଲିଜେନ୍ସଙ୍କ ସହାୟତାରେ ସରକାର ନକଲି ସିମ୍ କାର୍ଡ ଚିହ୍ନଟ କରି ତାକୁ ଅବରୋଧ କରିବାରେ ସକ୍ଷମ ହେବେ। ଯଦି ଆପଣ ଆଗରୁ ସିମ୍ କାର୍ଡକୁ ଆକ୍ଟଭି କରିଛନ୍ତି, ତେବେ ସେହି ସିମ୍ କାମ କରିବା ବନ୍ଦ କରିଦେବ । ନୂଆ ନିୟମ ଅନୁଯାୟୀ, ସିମକୁ ଫୋନରେ ପକାଇ ସାରିବା ପରେ ସିମଟି ଆକ୍ଟଭି ହେବ। କିନ୍ତୁ ଏଥିପାଇଁ ଆପଣଙ୍କୁ କିଛି ବ୍ୟକ୍ତିଗତ ତଥ୍ୟ ଦେବାକୁ ପଡିବ। ଏହାପରେ ଆପଣ ଦେଇଥିବା ତଥ୍ୟକୁ ଆଧାର କରି ଯାଞ୍ଚ କରାଯିବ ପରେ ସିମ୍ ଆକ୍ଟିଭ୍ ହେବ ।

ଏନେଇ ସରକାରଙ୍କ ପକ୍ଷରୁ ନୂଆ ସିମ୍ କାର୍ଡ ଆବେଦନ କରିଥିବା ଗ୍ରାହକଙ୍କ ଆବେଦନ ଫର୍ମକୁ ଭଲଭାବରେ ସ୍କାନ କରାଯାଉଛି । ଏହି କାର୍ଯ୍ୟରେ ଚେହେରା ଚିହ୍ନିବା ଟେକ୍ନୋଲୋଜି ଡିଭାଇସର ବ୍ୟବହାର କରାଯାଉଛି। ଏହା ଦ୍ୱାରା ନକଲି ଡକ୍ୟୁମେଣ୍ଟ ଦେଖାଇ ସିମ୍ କାର୍ଡ କିଣିଥୁବା ଗ୍ରାହକଙ୍କୁ କଷ୍ଟକର ହୋଇପଡିବ। ଯଦି ଆପଣ ନକଲି ଡକ୍ୟୁମେଣ୍ଟ ଦ୍ୱାରା ସିମକୁ କିଣିବାରେ ସକ୍ଷମ ହେଉଛନ୍ତି । ତେବେ ତାକୁ ଫୋନରେ ପକାଇଲେ ତାହା ଚାଲିବ ନାହିଁ । ସିଧାସଳଖ ଫୋନ ବ୍ଲକ ହୋଇଯିବ ।

ପିଛା ଛାଡ଼ୁନି ବର୍ଷା, ଆଜି ସକ୍ରିୟ ହେବ ଆଉ ଏକ ପଶ୍ଚିମା ଝଡ଼

ଭୁବନେଶ୍ୱର: ପିଛା ଛାଡ଼ୁନି ପଶ୍ଚିମା ଝଡ଼ । ଆଜି ପୁଣି ଏକ ପଶ୍ଚିମା ଝଡ଼ ସକ୍ରିୟ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବ କେତେ ରହିବ ସେନେଇ ସ୍ପଷ୍ଟ ହୋଇନଥିବାବେଳେ ଉପକୂଳ ସମେତ ଉତ୍ତର ଏବଂ ଆଭ୍ୟନ୍ତରୀଣ ଓଡ଼ିଶା ପ୍ରଭାବିତ ହେବାର ଅଧିକ ସମ୍ଭାବନା ରହିଛି । ସେପଟେ ଆଜିଠୁ ବର୍ଷାର ପରିମାଣ କମିବ । ସକାଳ ସାଢେ ଆଠଟା ପର୍ଯ୍ୟନ୍ତ ପ୍ରଚଣ୍ଡ ଘଡ଼ଘଡ଼ି ବିଜୁଳି ସହ ବର୍ଷା ନେଇ ଉପକୂଳ, ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାର ୧୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ଏହାପରେ କୌଣସି ଜିଲ୍ଲାକୁ ଅରେଞ୍ଜ କିମ୍ବା ୟେଲୋ ଆଲର୍ଟ ଜାରି ହୋଇନି । ଦିନରେ ତାପମାତ୍ରା ବଢିବାର ସମ୍ଭାବନା ରହିଛି  । ମଧ୍ୟାହ୍ନରେ ତାତି ବଢିବା ସହିତ ଅପରାହ୍ନରେ କାଳବୈଶାଖୀ ରଚିବ ତାଣ୍ଡବ । ଉପକୂଳ ଓ ଉତ୍ତର ଓଡ଼ିଶାରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିବ  । ଘଡ଼ଘଡ଼ି ବିଜୁଳି ସହିତ କେତେକ ସ୍ଥାନରେ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ସମୟରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ ବୋଲି ଆକଳନ କରାଯାଇଛି ।ଏଥିପାଇଁ ଉପକୂଳ ଓ ଉତ୍ତର ଓଡ଼ିଶାର ସବୁ ଜିଲ୍ଲାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

୬୦ ବର୍ଷର ରେକର୍ଡ ଭାଙ୍ଗିଲା ପାକିସ୍ତାନର ଆର୍ଥିକ ଅବସ୍ଥା, ଆକାଶ ଛୁଆଁ ଅତ୍ୟାବଶ୍ୟକ ସାମଗ୍ରୀ

ଇସଲାମାବାଦ: ୬୦ ବର୍ଷର ରେକର୍ଡ ଭାଙ୍ଗିଲା ପାକିସ୍ତାନର ଆର୍ଥିକ ଅବସ୍ଥା । ଗତ ବର୍ଷେ ହେଲା ଜାରି ରହିଥିବା ଆର୍ଥିକ ମାନ୍ଦାବସ୍ଥା ଗତ ମାର୍ଚ୍ଚରେ ୩୫.୩୭ ପ୍ରତିଶତରେ ପହଞ୍ଚିଛି । ଏଭଳି ସ୍ଥିତିରେ ଆଇଏମଏଫର ସର୍ତ୍ତ ମାନିବାକୁ ନାରାଜ ପାକିସ୍ତାନ । ଆଇଏମଏଫର ସର୍ତ୍ତ ମାନିନଥିବାରୁ ସେଠାରୁ ମଧ୍ୟ କୌଣସି ଆର୍ଥିକ ସହାୟତା ମିଳିନାହିଁ । ପାକିସ୍ତାନର ବୈଦେଶିକ ମୁଦ୍ରା ଭଣ୍ଡାର ଖାଲି ହେବାକୁ ଯାଉଥିବା ବେଳେ ବାହାର ଦେଶରୁ ଆବଶ୍ୟକୀୟ ସାମଗ୍ରୀ ଆମଦାନୀ ମଧ୍ୟ ହୋଇପାରୁନାହିଁ । ବିଶ୍ବ ବ୍ୟାଙ୍କ ଦେଶର ବିକାଶ ଦରକୁ ନେଇ ଋଣ ଦେଉଥିବା ବେଳେ ସେ କ୍ଷେତ୍ରରେ ମଧ୍ୟ ପାକିସ୍ତାନ ବହୁ ପଛରେ ରହିଛି । ଏଭଳି କ୍ଷେତ୍ରରେ ଚୀନ ଓ ଆମେରିକା ଉପରେ ଆଶା ବାନ୍ଧି ବସିଛି ପାକିସ୍ତାନ ।

ଚୀନ୍ ଆର୍ଥିକ ସହାୟତା ଘୋଷଣା କରିଥିଲେ ବି ବର୍ତ୍ତମାନ ପର୍ଯ୍ୟନ୍ତ କ୍ରେଡିଟ୍‌ ହୋଇନାହିଁ । ସେପଟେ ଦୈନନ୍ଦିନ ଖାଦ୍ୟ ସାମଗ୍ରୀଗୁଡିକ ମଧ୍ୟ ଆକାଶ ଛୁଆଁ ଦର ହେଲାଣି । ଦୁଇ ଦିନ ତଳେ ଅଟା ପାଇଁ ଲୋକଙ୍କ ଭିତରେ ଗଣ୍ଡଗୋଳ ହୋଇଥିଲା । ଦଳଚକଟାରେ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା । ପ୍ରଧାନମନ୍ତ୍ରୀ ସେହେବାଜ ସରିଫଙ୍କ ଉପରେ ରାଜନୈତିକ ଚାପ ବୃଦ୍ଧି ହେଉଥିବା ବେଳେ ଏହି ସମସ୍ୟାରୁ ମୁକୁଳିବା ପାଇଁ ତୁରନ୍ତ କିଛି ପଦକ୍ଷେପ ନିଅନ୍ତୁ ବୋଲି ଦାବି କରାଯାଉଛି ।

 

ଏପ୍ରିଲ ୩ରୁ ମାଟ୍ରିକ ଖାତାଦେଖା, ମାସ ଶେଷକୁ ରେଜଲ୍ଟ !

ଭୁବନେଶ୍ବର: ଏଥର ଜୁଲାଇ ନୁହେଁ, ଚଳିତମାସ ଶେଷ ସୁଦ୍ଧା ପ୍ରକାଶ ପାଇ ପାରେ ମାଟ୍ରିକ ପରୀକ୍ଷା ଫଳ । ସୁରୁଖୁରୁରେ ସରିଛି ମାଟ୍ରିକ ପରୀକ୍ଷା । ଆସନ୍ତା ସୋମବାରରୁ ଆରମ୍ଭ ହେବ ଖାତାଦେଖା । ୧୩ ଦିନ ଭିତରେ ସରିବ ଖାତା ଦେଖା । ପରୀକ୍ଷା ଫଳ ବାହାରିବା ପରେ ଜୁନ୍ ଦ୍ବିତୀୟ ସପ୍ତାହରୁ ଏକାଦଶ କ୍ଲାସ ଆରମ୍ଭ ହେବାର ସମ୍ଭାବନା ରହିଛି ।

ଏପ୍ରିଲ ୩ରୁ ଆରମ୍ଭ ହୋଇ ଏପ୍ରିଲ ୧୫ ସୁଦ୍ଧା ସରିବ ମାଟ୍ରିକ ଖାତା ଦେଖା । ଏଥିପାଇଁ ୫୬ଟି ମୂଲ୍ୟାୟନ କେନ୍ଦ୍ର ବଛାଯାଇଛି । କଡ଼ା ସୁରକ୍ଷା ବଳୟ ଭିତରେ ଖାତାଦେଖା ହେବ । ନିର୍ଦ୍ଧାରିତ ସମୟରେ ମାଟ୍ରିକ ଖାତାଦେଖା ହେଉଥିବାରୁ, ଶୀଘ୍ର ଫଳାଫଳ ପ୍ରକାଶ ମଧ୍ୟ ହୋଇପାରେ । କୋଭିଡ ସମୟର ପରୀକ୍ଷା ଦ୍ବନ୍ଦ୍ବକୁ ସଫଳତାର ସହ ସାମ୍ନା କରିଥିଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । କୋଭିଡ ପରବର୍ତ୍ତୀ ସମୟରେ ବି ପରୀକ୍ଷା ପରିଚାଳନାର ବଡ଼ ସଫଳତା ପାଇଛନ୍ତି ରାଜ୍ୟ ସରକାର । ଏପ୍ରିଲ ୧୫ ସୁଦ୍ଧା ମୂଲ୍ୟାୟନ ସରିବାର ଅର୍ଥ ହେଉଛି, ଚଳିତମାସ ଶେଷ ସୁଦ୍ଧା ଫଳ ପ୍ରକାଶ । ପୂର୍ବରୁ ଜୁଲାଇ ଯାଏଁ ଫଳାଫଳ ପାଇଁ ଅପେକ୍ଷା କରିବାକୁ ପଡ଼ିଥିଲା । ହେଲେ ଏଥର ମାଧ୍ୟମିକ ଶିକ୍ଷା ବୋର୍ଡ ସହ ଆଲୋଚନା କରି ଶୀଘ୍ର ମାଟ୍ରିକ ଫଳ ପ୍ରକାଶ କରିବା ଦିଗରେ ସଙ୍କେତ ଦେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।

ଏପ୍ରିଲ ଶେଷ ସୁଦ୍ଧା ଯଦି ଫଳ ପ୍ରକାଶ ପାଏ, ଜୁନ୍ ମାସରୁ ଏକାଦଶ କ୍ଲାସ ଆରମ୍ଭ ହେବ । ଏହା ଭିତରେ ଫର୍ମ ଫିଲଅପ୍ କରି ପରୀକ୍ଷା ଦେଇ ନଥିବା ୧୩ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଇଁ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ । ଏପରି ହେଲେ, ଜୁଲାଇ ସୁଦ୍ଧା ଫଳ ପ୍ରକାଶ ପରେ ଛାତ୍ରଛାତ୍ରୀ ଏକାଦଶକୁ ଉତ୍ତୀର୍ଣ୍ଣ ହେବେ ।

କୋଭିଡ ପାଇଁ ଶିକ୍ଷା ବ୍ୟବସ୍ଥା ସମାନ୍ୟ ପଛକୁ ଚାଲି ଯାଇଥିଲା । ହେଲେ ରାଜ୍ୟ ସରକାର ଶିକ୍ଷାଦାନରେ କୋଭିଡକୁ ଚ୍ୟାଲେଞ୍ଜ ଭାବେ ନେଇ ସଫଳତା ପାଇଥିଲେ । ଚଳିତ ଥର ଯଦି ଠିକ୍ ସମୟରେ ଫଳାଫଳ ପ୍ରକାଶ ପାଏ, ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ବିକାଶରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ ।

୨୦୩୬ରେ ଓଡ଼ିଶାର ଚିତ୍ର କିପରି ହେବ, ପ୍ରସ୍ତୁତ ହେଉଛି ଖସଡ଼ା

ଭୁବନେଶ୍ବର: ଭାଷା ଭିତ୍ତିରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ । ରାଜ୍ୟବାସୀ ଆଜି ୮୮ତମ ଜୟନ୍ତୀ ପାଳୁଥିବା ବେଳେ ଜନ୍ମ ଶତବାର୍ଷିକୀ ୨୦୩୬କୁ ନଜରରେ ରଖି ନେଇ ସରକାର ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରୁଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ସୂଚନା ପ୍ରଯୁକ୍ତି, ଅର୍ଥନୀତି କ୍ଷେତ୍ରରେ ରାଜ୍ୟ କେତେ ଆଗେଇଛି, କୃଷି, ଶିଳ୍ପରେ କେଉଁଠି ପହଞ୍ଚିଛି, ତାକୁ ନେଇ ଚର୍ଚ୍ଚା ଆଲୋଚନା ଚାଲିଛି । ୧୦୦ ବର୍ଷରେ ଓଡ଼ିଶାର ଚିତ୍ର କିପରି ହେବ, ତାର ଖସଡ଼ା ବି ପ୍ରସ୍ତୁତ ହେଉଛି । ବିକାଶଶୀଳ ରାଜ୍ୟ ଭାବେ ଜାତିସଂଘ ଦ୍ୱାରା ସ୍ଥିରୀକୃତ ନିରନ୍ତର ବିକାଶ ଲକ୍ଷ୍ୟ ବା ଏସଡିଜି ୨୦୩୦ର ମାପଦଣ୍ଡ କେତେ ପୂରଣ କରିଛି ଓଡ଼ିଶା, ଆଉ କ’ଣ ହାସଲ କରିବାକୁ ବାକି ଅଛି, ତା’ର ବି ତର୍ଜମା ହେଉଛି । ଓଡ଼ିଶାରେ ଲଗାତାର ଚାଲିଥିବା ନବୀନ ସରକାର ଖାଦ୍ୟ ନିରାପତ୍ତା, ପ୍ରାକୃତିକ ବିର୍ପଯ୍ୟୟ ମୁକାବିଲାରେ ବିଶ୍ୱଗୁରୁ ସାଜିଥିବା ବେଳେ ଶିଳ୍ପାୟନ, ପୁଞ୍ଜିନିବେଶ ସହ ସାମଗ୍ରୀକ ବିକାଶ କ୍ଷେତ୍ରରେ ରାଜ୍ୟକୁ ଅନେକ ଆଗକୁ ନେଇଛି । ସ୍ୱତନ୍ତ୍ର ରାଜ୍ୟ ଗଠନର ଉଦ୍ଦେଶ୍ୟ ସାକାର ହେବାରେ ଲାଗିଛି ।

୧୯୩୬ରୁ ୨୦୨୩ । ଭାଷା ଭିତିରେ ଜନ୍ମ ନେଇଥିବା ଓଡ଼ିଶା ୮୭ ବର୍ଷ ଅତିକ୍ରମ କରିଛି । ୨୦୩୬ରେ ଜନ୍ମ ଶତବାର୍ଷିକୀ ପାଳନ କରିବ ରାଜ୍ୟ । ସ୍ୱତନ୍ତ୍ର ରାଜ୍ୟ ଗଠନ ପାଇଁ ବରପୁତ୍ରଙ୍କ ଅବଦାନକୁ ଓଡ଼ିଆ ଜାତି ମନେ ପକାଉଥିବା ବେଳେ ରାଜ୍ୟର ସାମଗ୍ରୀକ ବିକାଶ କଥା ମଧ୍ୟ ଉଠିଛି । ଦୀର୍ଘ ୨୩ ବର୍ଷ ଧରି ଶାସନରେ ଥିବା ନବୀନ ପଟ୍ଟନାୟକଙ୍କ ସରକାର ଏସବୁ ଦିଗରେ ସବୁଠାରୁ ଅଧିକ ସଫଳ ହୋଇଛି । ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ସହ ଏହାକୁ ସରକାରୀ ଭାଷା ଭାବେ ବ୍ୟବହାର କରିବାକୁ ସରକାର ଆଇନ ଆଣିଛନ୍ତି । ଓଡ଼ିଆ ଭାଷାକୁ ଅନାଦର କଲେ ଦଣ୍ଡର ବ୍ୟବସ୍ଥା ହୋଇଛି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନର ଭିତ୍ତିଭୂମିରେ ଅନେକ ଆଖିଦୃଶିଆ ପରିବର୍ତ୍ତନ ହୋଇଛି । ବିଶ୍ୱସ୍ତରୀୟ ହସ୍ପିଟାଲ ସାଙ୍ଗକୁ ମାଗଣା ଚିକିତ୍ସା ପାଇଁ ବିଜୁ ସ୍ୱାସ୍ଥ୍ୟ କାର୍ଡ ହେଉ କି ଫାଇଭ-ଟି ନୀତିରେ ବିଦ୍ୟାଳୟର ରୂପାନ୍ତରଣ ସାଙ୍ଗକୁ ଗୁଣାତ୍ମକ ଶିକ୍ଷାରେ ଉନ୍ନତି ଆସିଛି । ବିଜୁ ଏକ୍ସପ୍ରେସ ୱେ, ବିଜୁ ସେତୁ ଯୋଜନା, ମୁଖ୍ୟମନ୍ତ୍ରୀ ସଡ଼କ ଗାଁ ଗଣ୍ଡାକୁ ଗମନାଗମନର ଧାରା ବଦଳାଇଛି । ୧୦୦ ବର୍ଷରେ ଓଡ଼ିଶା କିପରି ହେବା ଉଚିତ ତା’ପାଇଁ ସରକାର କେବଳ ଖସଡ଼ା ପ୍ରସ୍ତୁତ କରିନାହାନ୍ତି, ବରଂ ତାହା ହାସଲ କରିବାକୁ କାମ ମଧ୍ୟ ଆରମ୍ଭ କରିଛନ୍ତି ।

ପ୍ରାକୃତିକ ସମ୍ପଦରେ ଭରା ଓଡ଼ିଶା ଆଜି ସାରା ବିଶ୍ୱରେ ଶିଳ୍ପାୟନ ପାଇଁ ପୁଞ୍ଜିନିବେଶର ହଟସ୍ପଟ ପାଲଟିଛି । କେବଳ ଖଣିଜ ଶିଳ୍ପ ନୁହେଁ, କୃଷି, ମାନୁଫାକ୍ଚରିଂ, ଟେକ୍ସଟାଇଲ କ୍ଷେତ୍ରରେ ମଧ୍ୟ ଆଗେଇଛି । ଭୁବନେଶ୍ୱର ଆଇଟି କ୍ଷେତ୍ରରେ ଦେଶର ବଡ଼ ବଡ଼ ସିଲିକନ ସିଟିକୁ ପଛରେ ପକାଇଲାଣି । ହକି, ଫୁଟବଲ, ଟେନିସ ସହ ଆଥଲଟିକ କ୍ଷେତ୍ରରେ ନୂଆ ଭିତ୍ତିଭୂମି ସହ କ୍ରୀଡ଼ାକୁ ପ୍ରୋତ୍ସାହନ ଯୋଗୁଁ ଓଡ଼ିଶା ଦେଶର ସ୍ପୋର୍ଟସ କ୍ୟାପିଟାଲ ଭାବେ ଉଭା ହୋଇଛି । ସଂସ୍କୃତି, ପରମ୍ପରା, ପର୍ବପର୍ବାଣୀ ସହ ଜଡ଼ିତ ଓଡ଼ିଶା ଐତିହ୍ୟ ବିକାଶ କ୍ଷେତ୍ରରେ ଅନେକ ଆଗକୁ ଗଲାଣି । ଦିନେ ସ୍ୱପ୍ନ ଭଳି ଲାଗୁଥିବା ଟ୍ୟାପ ଯୋଗେ ୨୪ ଘଣ୍ଟିଆ ବିଶୁଦ୍ଧ ଜଳ ଯୋଗାଣ ବି ସମ୍ଭବ ହୋଇଛି । ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ମିଶନ ଜିରୋ କାଜୁଆଲିଟି ନୀତି ଆପଣାଇ ଜଗତ ସାରା ପ୍ରଶଂସା ସାଉଁଟୁଛି ଓଡ଼ିଶା । ନିଅଣ୍ଟିଆ ରାଜ୍ୟରୁ ବଳକା ରାଜ୍ୟ ହେବା ସହ ଅନ୍ୟ ରାଜ୍ୟକୁ ଖାଦ୍ୟ ଯୋଗାଉଛି ଓଡ଼ିଶା ।

ମହିଳା ସଶକ୍ତୀକରଣ କ୍ଷେତ୍ରରେ ଓଡ଼ିଶା ଗୋଟିଏ ପରେ ଗୋଟିଏ ରେକର୍ଡ କରି ଚାଲିଛି । ମିଶନ ଶକ୍ତି ୭୦ ଲକ୍ଷ ମହିଳାଙ୍କୁ ସାମାଜିକ, ରାଜନୈତିକ, ଅର୍ଥନୈତିକ ସ୍ୱାଧୀନତା ଦେଇଛି । ଅର୍ଥନୀତି କ୍ଷେତ୍ରରେ ସାରା ଦେଶ ପାଇଁ ଉଦାହରଣ ସାଜିଛି । ଏଭଳି ଧାରା ଜାରି ରହିଲେ ୨୦୩୦ ସୁଦ୍ଧା ଜାତିସଂଘର ଏସଡିଜି ଲକ୍ଷ୍ୟ ହାସଲ ହେବାରେ ଅସୁବିଧା ନାହିଁ ।

୧୦୦ ବର୍ଷର ଓଡ଼ିଶା କିପରି ହେବା ଉଚିତ, ସେଥିପାଇଁ ରାଜ୍ୟ ସରକାର ସମସ୍ତଙ୍କ ସହଭାଗିତାରେ ଭିଜନ ୨୦୩୬ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବା ଏହାକୁ ବାସ୍ତବ ରୂପ ଦେବା ପାଇଁ ଯୋଜନା କରିଛନ୍ତି । ସମସ୍ତଙ୍କୁ ସମ୍ମାନର ସହ ବଂଚିବାର ଅଧିକାର ପାଇଁ ଜାତିସଂଘର ଏସଡିଜି ୨୦୩୦ କେବଳ ସଭା ସମିତିରେ ସୀମିତ ନ ରହି ଗ୍ରାଉଣ୍ଡ ଜିରୋରେ ବାସ୍ତବ ରୂପ ନେବା ଆରମ୍ଭ କଲାଣି ।