ଦେବସ୍ନାନ ପୂର୍ଣ୍ଣିମା: ସ୍ନାନବେଦୀରେ ତିନି ଠାକୁର, ବଡ଼ଦାଣ୍ଡରେ ଆଧ୍ୟାତ୍ମିକ ପରିବେଶ

ପୁରୀ: ଆଜି ଶ୍ରୀଜିଉଙ୍କ ଦେବସ୍ନାନ ପୂର୍ଣ୍ଣିମା । ସ୍ନାନବେଦୀରେ ୧୦୮ ଗଡୁ ସୁବାସିତ ଜଳରେ ସ୍ନାନ କରିବା ପରେ ଦୁର୍ଲ୍ଲଭ ହାତୀବେଶରେ ଦର୍ଶନ ଦେବେ ମହାପ୍ରଭୁ । ଏଥିପାଇଁ ଶ୍ରୀକ୍ଷେତ୍ରରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼ ।

ପ୍ରଥମେ ବଡ଼ ଠାକୁର ଶ୍ରୀବଳଭଦ୍ର ପହଣ୍ଡିରେ ଆସିଥିଲେ । ଏହାପରେ କାଳିଆ ସାଆଁନ୍ତ ଟାହିଆ ଝୁଲାଇ ଝୁଲାଇ ଶ୍ରୀମନ୍ଦିରରୁ ବାହାରି ଆସିଥିଲେ । ଗୋଟି ପହଣ୍ଡିରେ ଆସିବା ବେଳେ ରହି ରହି ଭକ୍ତଙ୍କ ଆଡ଼କୁ ଚାହିଁ ଦେଉଥିଲେ ମହାପ୍ରଭୁ । ଏହାପରେ ପହଣ୍ଡିରେ ଆସିଥିଲେ ଦେବୀ ସୁଭଦ୍ରା । ପରେ ପ୍ରଭୁ ମଦନମୋହନ ସ୍ନାନବେଦୀକୁ ବିଜେ କରିଥିଲେ ।

ମହାପ୍ରଭୁଙ୍କ ଏହି ଦିବ୍ୟ ସ୍ନାନଯାତ୍ରା ଦେଖିବାକୁ ଶ୍ରୀକ୍ଷେତ୍ରରେ ଲାଗିଛି ଭକ୍ତଙ୍କ ଗହଳି । ଲିଳା କରିବାକୁ ଶ୍ରୀଜିଉ ଶ୍ରୀମନ୍ଦିରରୁ ବାହାରି ଆସିଥିବା ବେଳେ ବଡ଼ଦାଣ୍ଡରେ ଲାଗିଛି ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼ ।

ଏପଟେ ଭକ୍ତ ଓ ଭଗବାନଙ୍କ ମିଳନ ଶ୍ରୀକ୍ଷେତ୍ରରେ ସୃଷ୍ଟି କରିଛି ଆଧ୍ୟାତ୍ମିକ ପରିବେଶ । କିଏ ସଂକୀର୍ତ୍ତନ କରୁଛି ତ କିଏ ବଂଶୀ ବଜାଇ ଶ୍ରୀଜିଉଙ୍କୁ ନିଜର ପ୍ରଣତି ଜଣାଉଛି । ବଡ଼ଦାଣ୍ଡରେ ହାତ ଟେକି ଦେଇ ଶ୍ରଦ୍ଧାଳୁ ଦେଉଛନ୍ତି ଭକ୍ତିର ପ୍ରଣତି । ଢୋଲ, ମୃଦଙ୍ଗ, ଘଣ୍ଟ, ଝାଞ୍ଜ, ଖଞ୍ଜଣିରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡ । ନାଚଗୀତରେ ଉଛୁଳୁଛି ବଡ଼ଦାଣ୍ଡ ।

ଭୋର ସାଢ଼େ ୩ଟାରେ ମଙ୍ଗଳାର୍ପଣ ହୋଇଥିବା ବେଳେ ୪ଟାରୁ ୬ଟା ମଧ୍ୟରେ ଡୋର ଲାଗି ପୁଷ୍ପାଞ୍ଜଳି ପରେ ପହଣ୍ଡି ଆରମ୍ଭ ହୋଇଥିଲା । ସ୍ନାନବେଦୀରେ ଦୈନନ୍ଦିନ ନୀତିକାନ୍ତି ଚାଲିଛି । ୧୨ଟା ୧୫ରୁ ୧୨ଟା ୪୫ ଛେରା ପହଁରା କରାଯିବ । ୧୨ଟା ୪୫ରୁ ୨ଟା ୩୦ରେ ହେବ ହାତୀବେଶ । ଦୁର୍ଲଭ ହାତୀବେଶରେ ସଜ୍ଜିତ ହୋଇ ସ୍ନାନ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ସନ୍ଧ୍ୟା ୬ଟାରୁ ରାତି ସାଢେ ୯ଟା ସାହାଣ ମେଲା ଦର୍ଶନ, ରାତି ୧୦ଟାରେ ପୁଷ୍ପାଞ୍ଜଳି ଓ ଡୋର ଲାଗି ହୋଇ ୧୦ଟାରୁ ଗୋଟାଏ ମଧ୍ୟରେ ବାହୁଡ଼ା ପହଣ୍ଡି ହେବ । ରାତି ସାଢେ ଗୋଟାଏ ସୁଦ୍ଧା ସ୍ନାନ ନିତୀ ଓ ରାହୁ ରେଖା ମଇଲମ କରାଯିବାକୁ ସ୍ଥିର ହୋଇଛି । ଏନେଇ ପ୍ରଶାସନିକ ସ୍ତରରେ ସମସ୍ଥ ବ୍ୟବସ୍ଥା ହୋଇଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହାତୀବେଶକୁ ଶୃଙ୍ଖଳିତ କରିବା ନେଇ ନୀତି ଚୂଡାନ୍ତ ହୋଇଛି ।