spot_img
Home Blog Page 3314

ଏପ୍ରିଲ ୩ରେ ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ, ଆସିବ ବଡ଼ ନିବେଶ

ଭୁବନେଶ୍ବର: ଜାପାନରୁ ଆସିବ ବଡ଼ ନିବେଶ । ଏପ୍ରିଲ ୩ରେ ଜାପାନ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗସ୍ତ ସମୟରେ ଓଡ଼ିଶାରେ ଜାପାନର ବଡ଼ ବଡ଼ କମ୍ପାନୀ କିପରି ପୁଞ୍ଜିନିବେଶ କରିବେ ସେ ନେଇ ଗୁରୁତ୍ବ ଦିଆଯିବ । ବିଶେଷ କରି ଜାପାନର ମେଟାଲ, ଖାଦ୍ୟ ପ୍ରକ୍ରିୟାକରଣ, ଆଇଟି କ୍ଷେତ୍ରକୁ ଫୋକସ କରିବେ ମୁଖ୍ୟମନ୍ତ୍ରୀ । ଜାପାନରୁ ଓଡ଼ିଶାକୁ ଏସବୁ କ୍ଷେତ୍ରରେ ଅଧିକ ପୁଞ୍ଜି ଆଣିବାକୁ ନିବେଶକାରୀଙ୍କ ସହ ଓ୍ବାନ ଟୁ ଓ୍ବାନ ଆଲୋଚନା ଓ ରୋଡ୍ ଶୋ’ କରି ଆକୃଷ୍ଟ କରାଯିବ । ବିଦେଶରୁ ପୁଞ୍ଜି ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦମ୍ୟକୁ ପ୍ରଶଂସା କରିଛନ୍ତି ବିଶେଷଜ୍ଞ ।

ରୋମ ,ଦୁବାଇ ପରେ ଜାପାନ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ୩ ତାରିଖରେ ମୁଖ୍ୟମନ୍ତ୍ରୀ ଜାପାନ ଗସ୍ତ କରି ନିବେଶ ସମ୍ମିଳନୀରେ ସାମିଲ ହେବା ସହ ରୋଡ୍ ଶୋ’ କରିବେ । ଦୁବାଇରୁ ୨୧ ହଜାର କୋଟି ଟଙ୍କାର ପୁଞ୍ଜି ଆସିବା ପରେ ଜାପାନରୁ ଅଧିକ ପୁଞ୍ଜି ଆଣିବା ପାଇଁ ପ୍ଲାନ୍ ରହିଛି । ଜାପାନର ବିଭିନ୍ନ ମେଟାଲ, ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ସହ ଆଇଟି ସେକ୍ଟର ପରିଦର୍ଶନ କରିବେ ଶିଳ୍ପ ବିଭାଗର ଟିମ୍ । ନିବେଶକାରୀଙ୍କ ସହ ଓ୍ବାନ ଟୁ ଓ୍ବାନ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ନୂଆ ଶିଳ୍ପନୀତି ଓ ଶିଳ୍ପାୟନ ପାଇଁ ରାଜ୍ୟ ସରକାର ଯୋଗାଇଥିବା ଓ୍ବାନ ପ୍ଲସ ସୁବିଧା ସମ୍ପର୍କରେ ନିବେଶକାରୀଙ୍କୁ ବୁଝାଇବେ । ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ ଦ୍ବାରା ଅଧିକ ପୁଞ୍ଜି ଆସିବାର ଆଶା ରଖିଛି ଶିଳ୍ପ ବିଭାଗ ।

ଜାପାନ ସହ ଓଡ଼ିଶାର ବାଣିଜ୍ୟ ଓ ସାଂସ୍କୃତିକ ସୁସମ୍ପର୍କକୁ ଆହୁରି ମଜବୁତ କରିବ ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ । ପୂର୍ବରୁ ୨୦୧୮ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଜାପାନର ପ୍ରତିନିଧିମାନେ ସାମିଲ ହୋଇ ଓଡ଼ିଶା ସହ ବାଣିଜ୍ୟ ସମ୍ପର୍କ ମଜଭୁତ କରିଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ ବିଦେଶରୁ ବଡ଼ ପୁଞ୍ଜି ଆଣିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି । ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ରୋମ୍ ଓ ଦୁବାଇ ଗସ୍ତ ପରେ ବିଦେଶରୁ ପୁଞ୍ଜିର ସୁଅ ଛୁଟିଥିଲା । ବିଦେଶରୁ ପୁଞ୍ଜି ଆଣିବାରେ ଦେଶର ଟପ୍ ୩ ରାଜ୍ୟରେ ଓଡ଼ିଶା ରହିଛି । ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ ବେଶ ସଫଳ ହେବ ବୋଲି ବିଶେଷଜ୍ଞ ଆଶା ରଖିଛନ୍ତି ।

ଓଡ଼ିଶା ଏବେ ଶିଳ୍ପର ହବ ପାଲଟିଛି । ପ୍ରାକୃତିକ ସମ୍ପଦରେ ଭାରତର ଟପ୍ ୧୧ଟି ଆଇଟିଆଇ ସଂସ୍ଥା ଓଡ଼ିଶାରେ ରହିଛି । ଏଡିବି ଓ ସିଙ୍ଗାପୁରର ଆଇଟିଇଇଏସ ଓ ଓଡ଼ିଶା ସରକାରଙ୍କ ସହଭାଗିତାରେ ଭୁବନେଶ୍ବରରେ ବିଶ୍ବ ଦକ୍ଷତା କେନ୍ଦ୍ର ପ୍ରତିଷ୍ଠା ହୋଇଛି । ଓଡ଼ିଶାର ଦକ୍ଷ ମାନବ ସମ୍ବଳ ମଧ୍ୟ ପୁଞ୍ଜିନିବେଶ ଲାଗି ସହାୟକ ହୋଇଛି । ଏବେ ଜାପାନର ୫୨ଟି କମ୍ପାନୀ ରାଜ୍ୟର ବିଭିନ୍ନ ସେକ୍ଟରରେ ବାଣିଜ୍ୟ କାରବାର କରୁଛନ୍ତି । ଆଗକୁ ଏହି ଧାରା ଅଧିକ ତ୍ବରାନ୍ବିତ ହେବ ବୋଲି ରାଜ୍ୟ ସରକାର ଆଶା ରହିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଦୀପାଳି ଦାସ, ନେଲେ ଆଶୀର୍ବାଦ

ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଦୀପାଳି ଦାସଙ୍କୁ ବିଜେଡି ପ୍ରାର୍ଥୀ ଘୋଷଣା କରିବା ପରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଦୀପାଳି । ନବୀନ ନିବସ ଆସି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ସହ ତାଙ୍କ ପାଖରୁ ଆଶୀର୍ବାଦ ନେଇଛନ୍ତି ।

ସାକ୍ଷାତ ପରେ ଦୀପାଳି କହିଛନ୍ତି, ‘ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ପାଇଁ ଆସିଥିଲି । ବିଜେଡି ଏକ ଦକ୍ଷ ଦଳ । ବାପା ନବକିଶୋର ଦାସଙ୍କ ପରେ ବିଜେଡି ମୋ ଉପରେ ଭରସା କରିଥିବାରୁ ବହୁତ ଖୁସି । ଏଥର ଆମେ ଝାରସୁଗୁଡ଼ାରେ ବହୁ ଭୋଟରେ ଜିତିବୁ । ବାପାଙ୍କ ପ୍ରତି ଜନସାଧାରଣଙ୍କ ଭଲ ପାଇବା ଓ ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶ ଏବଂ କାର୍ଯ୍ୟଧାରା ସବୁବେଳେ ଲୋକଙ୍କ ହିତ ସାଧନ କରିଛି । ଏଣୁ ଆମେ ବହୁ ଭୋଟରେ ବିଜୟୀ ହେବୁ ।’

ବାପା ଝାରସୁଗୁଡା ପାଇଁ ଦେଖିଥିବା ସ୍ବପ୍ନକୁ ପୂରଣ କରିବି । ବାପାଙ୍କ ଦେହାନ୍ତ ପରେ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ରହିଛି । ବିଜେଡିର ପ୍ରାର୍ଥୀ ହୋଇଥିବାରୁ ମୁଁ ଗର୍ବିତ । ଲୋକମାନେ ବିଜେଡିକୁ ସମର୍ଥନ କରୁଛନ୍ତି । ଲୋକମାନେ ହିଁ ବିଜୟୀ ହେବେ ବୋଲି ଦୀପାଳି କହିଛନ୍ତି ।

ଦୁବାଇକୁ ବିମାନ ଉଡାଣ ପାଇଁ ଟିକେଟ ବିକ୍ରିର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆକାଶ ପଥରେ ଆରମ୍ଭ ହେବ ଓଡ଼ିଶାର ସ୍ବର୍ଣ୍ଣିମ ଅଧ୍ୟାୟ । ଭୁବନେଶ୍ବରରୁ ଦୁବାଇକୁ ସିଧା ଉଡ଼ିବ ବିମାନ । ଏଥିପାଇଁ ଟିକେଟ ବିକ୍ରିର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ୮ଟି ଟିକେଟ ମିଶନଶକ୍ତି ମହିଳା, କ୍ରୀଡ଼ାବିତ, ଆଦିବାସୀ ନେତା ଓ ଦକ୍ଷ କଳାକାରଙ୍କୁ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସୁନ୍ଦରଗଡ ଏସଡିସି ଚେୟାରମ୍ୟାନ୍ ବିନୟ କୁମାର ଟପ୍ପୋ, କେନ୍ଦୁଝର ଏସଡିସି ଚେୟାରମ୍ୟାନ୍ ଲକ୍ଷ୍ମୀ ନାୟକ, କୋରାପୁଟ ଡିଏଲଏଫ ସଭାପତି ଜ୍ୟୋତିରେଖା ଚେତୀ, ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ, ଫୁଟବଲ ତାରକା ଅନୁରାଧା ବିଶ୍ବାଳ, ସୁଟର ଶ୍ରୀୟାନକା ସାଦାଙ୍ଗୀ ପ୍ରମୁଖଙ୍କୁ ଟିକେଟ ହସ୍ତାନ୍ତର କରିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ସଂଯୋଗୀକରଣ ହେଉଛି ବିକାଶର ଚାବିକାଠି । ଦୁବାଇ ସହିତ ସିଧାସଳଖ ସଂଯୋଗ ବିଶ୍ବକୁ ବିକାଶର ଗେଟ ଓ୍ବେ ସାଜିବ । ଆଇଟି, ଉତ୍ପାଦନ, ପର୍ଯ୍ୟଟନରେ ଓଡ଼ିଶାର ବିକାଶରେ ଏହା ପ୍ରଭାବ ପକାଇବ । ଦୁବାଇ ସବୁଠୁ ବଡ ଟ୍ରାଭେଲ ହବ୍ ମଧ୍ୟରୁ ଅନ୍ୟତମ । ସିଧାସଳଖ ବିମାନ ସଂଯୋଗ ଦ୍ବାରା ପୁଞ୍ଜି ବିନିଯୋଗ, ବାଣିଜ୍ୟ ଓ ପର୍ଯ୍ୟଟନ ପାଇଁ ନୂତନ ରାସ୍ତା ଖୋଲିବ । ଓଡ଼ିଶାକୁ ଆସିବାକୁ ଚାହୁଁଥିବା ପର୍ଯ୍ୟଟକଙ୍କ ପାଇଁ ମଧ୍ୟ ସୁବିଧା ହେବ ।’

ଏବେ ସବସିଡି ରାଶିରେ ଟିକେଟ୍ ମୂଲ୍ୟ ୧୦ ହଜାର ଟଙ୍କା ରହିଛି । ମେ’ ୧୫ରୁ ଭୁବନେଶ୍ୱରରୁ ଡାଇରେକ୍ଟ ଦୁବାଇକୁ ଉଡ଼ିବ ବିମାନ । ଏହାର ଦୁଇ ସପ୍ତାହ ମଧ୍ୟରେ ସିଙ୍ଗାପୁର ଏବଂ ବ୍ୟାଙ୍କକକୁ ଅନ୍ତର୍ଜାତୀୟ ବିମାନ ଉଡାଣ ଆଣମ୍ଭ ହେବ ।

ପ୍ରସ୍ତାବିତ ମେଟ୍ରୋ ଟ୍ରେନ ପ୍ରୋଜେକ୍ଟକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ବର: ଓଡ଼ିଶାରେ ଆରମ୍ଭ ହେବ ମେଟ୍ରୋ ଯୁଗ । କଟକରୁ ପୁରୀ ପର୍ଯ୍ୟନ୍ତ ପ୍ରସ୍ତାବିତ ମେଟ୍ରୋ ଟ୍ରେନ ପ୍ରୋଜେକ୍ଟକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରାଥମିକ ପର୍ଯ୍ୟାୟରେ ଏହା ଭୁବନେଶ୍ବର ଏୟାରପୋର୍ଟ ଛକରୁ କଟକ ନେତାଜୀ ବ୍ରିଜ ତ୍ରିଶୁଳିଆ ପର୍ଯ୍ୟନ୍ତ ଗଡ଼ିବ ।  ପରବର୍ତ୍ତୀ ସମୟରେ ଖୋର୍ଦ୍ଧା ଓ ପୁରୀକୁ ସଂଯୋଗ କରିବ । ରାଜ୍ୟ ନିଜ ଖର୍ଚ୍ଚରେ ଏହି ପ୍ରକଳ୍ପକୁ ପୂରା କରିବ । ଆଗାମୀ ଦିନରେ ମେଟ୍ରୋ ପ୍ରୋଜେକ୍ଟ ନୂଆ ଓଡ଼ିଶାର ମାଇଲଖୁଣ୍ଟ ସାଜିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ବର୍ଷ ବର୍ଷର ଦାବି ଥିଲା । ଲକ୍ଷ ଲକ୍ଷ ଲୋକଙ୍କର ଆଶା ଥିଲା । ସେଥିରେ ପରିପୂର୍ଣ୍ଣତାର ସ୍ବାକ୍ଷର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିଲ୍ଲୀ, ମୁମ୍ବାଇ ହାଇଦ୍ରାବାଦ, ଚେନ୍ନାଇ ଭଳି ଓଡ଼ିଶାରେ ବି ଆରମ୍ଭ ହେବ ମେଟ୍ରୋ ଯୁଗ । କୌଣସି କେନ୍ଦ୍ରୀୟ ସହାୟତାରେ ନୁହେଁ, ନିଜ ଖର୍ଚ୍ଚରେ ଓଡ଼ିଶାବାସୀଙ୍କୁ ମେଟ୍ରୋ ସେବା ଯୋଗାଇବେ ରାଜ୍ୟ ସରକାର । ସିଲଭର ସିଟିରୁ ସ୍ମାର୍ଟ ସିଟି ହୋଇ ଶ୍ରୀକ୍ଷେତ୍ରକୁ ଗଡ଼ିବ ବହୁପ୍ରତୀକ୍ଷିତ ମେଟ୍ରୋ ଟ୍ରେନ । ଏହା ଖୋର୍ଦ୍ଧା ଜିଲ୍ଲାକୁ ମଧ୍ୟ ସଂଯୋଗ କରିବ । ଗର୍ବ ଓ ଗୌରବର ଦିନ ପବିତ୍ର ଉତ୍କଳ ଦିବସରେ ରାଜ୍ୟବାସୀଙ୍କୁ ଏ ଖୁସି ଖବର ଦେବା ସହିତ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରାଥମିକ ପର୍ଯ୍ୟାୟରେ ଏହା ଭୁବନେଶ୍ବର ଏୟାରପୋର୍ଟରୁ କଟକ ନେତାଜୀ ବ୍ରିଜ ତ୍ରିଶୁଳିଆ ପର୍ଯ୍ୟନ୍ତ ଗଡ଼ିବ । ଏୟାରପୋର୍ଟ ଛକରୁ ରାଜମହଲ, ମାଷ୍ଟର କ୍ୟାଣ୍ଟିନ, ବାଣୀବିହାର, ଜୟଦେବ ବିହାର, ପଟିଆ, ନନ୍ଦନକାନନ ହୋଇ ତ୍ରିଶୂଳିଆ ପର୍ଯ୍ୟନ୍ତ ମେଟ୍ରୋ ଚାଲିବ । ପରବର୍ତ୍ତୀ ସମୟରେ ଖୋର୍ଦ୍ଧା ଆଉ ପୁରୀକୁ ସଂଯୋଗ କରାଯିବ । ମେଟ୍ରୋ ଚଳାଚଳ ନିଷ୍ପତ୍ତି ସଶକ୍ତ ଓ ନୂଆ ଓଡ଼ିଶା ପାଇଁ ଭିତ୍ତି ପକାଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ପ୍ରସ୍ତାବିତ ମେଟ୍ରୋ ଟ୍ରେନ ପାଇଁ ଫିଲ୍ଡ ଭିଜିଟ୍ କରି ସବୁ ଦିଗରୁ ସରଜମିନ ଅନୁଧ୍ୟାନ କରିଛନ୍ତି ସଚିବ ସ୍ତରୀୟ କମିଟି । 5T ସଚିବ ଭି.କେ ପାଣ୍ଡିଆନଙ୍କ ସମେତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ମନୋଜ ମିଶ୍ର ପ୍ରମୁଖ ଭୁବନେଶ୍ବରରୁ କଟକ ପର୍ଯ୍ୟନ୍ତ ସମୀକ୍ଷା କରିଛନ୍ତି । ଟ୍ବିନସିଟିରେ ମେଟ୍ରୋ ଟ୍ରେନ ଚଳାଚଳ ହେଲେ, କେଉଁଠି କି ପ୍ରକାର ସମସ୍ୟା ରହିବ, ତାହାର କିଭଳି ସ୍ଥାୟୀ ପ୍ରତିକାର କରାଯିବ, ସରକାରୀ ଜମି କେତେ ଅଛି, କେତେ ଜମି ଅଧିଗ୍ରହଣ କରିବାକୁ ହେବ, ଟ୍ରାଫିକ ସମସ୍ୟା କିଭଳି ଉପୁଜିବ ନାହିଁ, ସେଥିପାଇଁ କେଉଁ କେଉଁ ସ୍ଥାନରେ ଅଣ୍ଡର ଗ୍ରାଉଣ୍ଡ ବ୍ୟବସ୍ଥା କରିବାକୁ ହେବ, ସମ୍ପୂର୍ଣ୍ଣ ମେଟ୍ରୋ ବ୍ୟବସ୍ଥା କେତେ ଦୂରତା ବିଶିଷ୍ଟ ହେବ, ସେ ସମସ୍ତ ଦିଗକୁ ନେଇ ମ୍ୟାପ ସହ ଆଲୋଚନା କରିଛନ୍ତି 5T ସଚିବ ।

ଓଡ଼ିଶାରେ ମେଟ୍ରୋ ଟ୍ରେନ କେବଳ ଗମନାଗମନର ସ୍ବର୍ଣ୍ଣିମ ଅଧ୍ୟାୟ ନୁହେଁ । ସମୃଦ୍ଧ ଓଡ଼ିଶାର ପ୍ରଗତି ପଥରେ ଆଉ ଏକ ମାଇଲଖୁଣ୍ଟ । ରାଜ୍ୟ ସରକାର ନିଜ ଖର୍ଚ୍ଚରେ ଓଡ଼ିଶାବାସୀଙ୍କୁ ବିଶ୍ବସ୍ତରୀୟ ଯାତାୟତ ସୁବିଧା ଯୋଗାଇ ଦେବେ । ରାଜ୍ୟର ଅର୍ଥନୈତିକ ଅଗ୍ରଗତିରେ ଏହା ସହାୟକ ହେବ । ପୁଞ୍ଜିନିବେଶର ହବ ହେବାକୁ ଯାଉଥିବା ଓଡ଼ିଶା ନିବେଶକଙ୍କୁ ମଧ୍ୟ ଆକୃଷ୍ଟ କରିବ ।

ଏପ୍ରିଲ ୧୧ରୁ ସକାଳୁ ସ୍କୁଲ

ଭୁବନେଶ୍ବର: ଏପ୍ରିଲ ୧୧ରୁ ସକାଳୁଆ ସ୍କୁଲ । ସକାଳ ୭ଟାରୁ ସାଢେ ୧୧ଟା ପର୍ଯ୍ୟନ୍ତ ଚାଲିବ ପାଠପଢା । ଶିକ୍ଷାବର୍ଷ ୨୦୨୩-୨୪ରେ ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ଆରମ୍ଭ ହେବ । ଆସନ୍ତା ୩ ତାରିଖରୁ ଆରମ୍ଭ ହେବ ପାଠପଢା । ଗ୍ରୀଷ୍ମ ଋତୁ ପାଇଁ ଆସନ୍ତା ଏପ୍ରିଲ ୧୧ରୁ ବିଦ୍ୟାଳୟଗୁଡ଼ିକର ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ସକାଳ ୭ଟାରୁ ଆରମ୍ଭ ହୋଇ ଦିନ ୧୧ଟା ୩୦ ପର୍ଯ୍ୟନ୍ତ ଚାଲିବ ।

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନେ ସେମାନଙ୍କ ଜିଲ୍ଲାର ସ୍କୁଲରେ ସମୟ ନିର୍ଘଣ୍ଟକୁ ପରିବର୍ତ୍ତନ କରିପାରିବେ । ଆଗାମୀ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟଗୁଡିକରେ ସ୍ୱଚ୍ଛ ପାନୀୟ ଜଳ ଓ ଅନ୍ୟାନ୍ୟ ସୁବିଧା ଯୋଗେଇ ଦେବା ପାଇଁ ସମସ୍ତ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ପୁରୀରେ ଉନ୍ନୟନ କାମର ଅଗ୍ରଗତି ସମୀକ୍ଷା କଲେ 5T ସଚିବ

ପୁରୀ: ପୁରୀରେ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ସମୀକ୍ଷା କଲେ 5T ସଚିବ ଭିକେ ପାଣ୍ଡିଆନ । ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରିବା ସହ ପୁରୀ ପେଣ୍ଠକଟା ସ୍ଥିତ ନବ ନିର୍ମିତ ଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ବୁଲି ଦେଖିଥିଲେ । ଷ୍ଟାଡିୟମ ଭିତରେ ଥିବା ଜିମନାଷ୍ଟିକ କେନ୍ଦ୍ର ବୁଲିବା ସହ ଆଥେଲେଟ୍ସଙ୍କ ସହ ଆଲୋଚନା କରିଥିଲେ । ଖେଲୋ ଇଣ୍ଡିଆ ଓ ଜାତୀୟସ୍ତରରେ ଖେଳିଥିବା ପିଲାଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ଭବିଷ୍ୟତ ନେଇ ପରାମର୍ଶ ଦେଇଥିଲେ ।

ପରେ ମାର୍କେଟ ଛକରେ ନିର୍ମାଣ ହେଉଥିବା ମ୍ୟୁନିସିପାଲିଟି ମାର୍କେଟ କମ୍ପ୍ଲେକ୍ସର ନିର୍ମାଣ କାର୍ଯ୍ୟ ବୁଲି ଦେଖିବା ସହିତ ଅନୁଧ୍ୟାନ କରିଥିଲେ । ପରିକ୍ରମା ମାର୍ଗ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତିର ଅନୁଧ୍ୟାନ କରିବା ସହ ପୁରୀ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଅନ୍ୟାନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ପ୍ରକଳ୍ପ କାର୍ଯ୍ୟ ସମ୍ପର୍କରେ ଫାଇଭ-ଟି ସଚିବଙ୍କୁ ବୁଝାଇଥିଲେ ଜିଲ୍ଲାପାଳ । ଖୁବଶୀଘ୍ର ନିର୍ମାଣ କାର୍ଯ୍ୟ ଶେଷ ପାଇଁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ଭିକେ ପାଣ୍ଡିଆନ । ଶ୍ରୀମନ୍ଦିରରେ ସେ ଓ ତାଙ୍କ ଧର୍ମ ପତ୍ନୀ ତଥା ମିଶନ ଶକ୍ତି ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ ପାଖାପାଖି ୪୦ ମିନିଟ ପର୍ଯ୍ୟନ୍ତ ଅତିବାହିତ କରିଥିଲେ ।

ଜାତି ନନ୍ଦିଘୋଷ କନକ୍ଲେଭ: ୮ ଜଣଙ୍କୁ ନନ୍ଦିଘୋଷ ସମ୍ମାନ

ଭୁବନେଶ୍ବର: ଜାତି ନନ୍ଦିଘୋଷ କନକ୍ଲେଭରେ ୮ ଜଣ ପ୍ରତିଭାଙ୍କୁ ନନ୍ଦିଘୋଷ ସମ୍ମାନରେ ସମ୍ମାନିତ କରାଯାଇଥିଲା । ସେମାନେ ହେଲେ- କ୍ରୀଡାବିତ ବାପି ହାଂସଦା, ଡାକ୍ତରୀ ଛାତ୍ର ଇଫୁ ମଲ୍ଲିକ, ଅଙ୍ଗଦାତା ସ୍ବର୍ଗତା ସିଦ୍ଧି ସମ୍ରୁଦ୍ଧି, ଏସଏଚଜି ସଦସ୍ୟା ଚନ୍ଦ୍ରମା ସାହୁ, ଦମନ ପ୍ରଯୋଜକ ଦୀପେନ୍ଦ୍ର ସାମଲ, ଶିକ୍ଷାବିତ୍ ଗୁରୁକୁଳର ଅଧ୍ୟକ୍ଷ ସାରଦା ମିଶ୍ର, ଉଦ୍ୟୋଗବିତ୍ ବ୍ରହ୍ମାନନ୍ଦ ମେହେର, ସାଂସଦ ତଥା ଅଭିନେତା ପ୍ରଶାନ୍ତ ନନ୍ଦ ।

ସ୍ଥିର ସରକାର ଯୋଗୁଁ ଓଡ଼ିଶାରେ ପ୍ରଗତି ହୋଇଛି 

ଭୁବନେଶ୍ବର: ଜାତି ନନ୍ଦିଘୋଷ କ୍କ୍ଲେଭର ଦ୍ବିତୀୟ ଅଧିବେଶନରେ ‘ମୋ ସ୍ବପ୍ନର ଓଡ଼ିଶା ୨୦୩୬’ ଉପରେ ଆଲୋକପାତ କରିଥିଲେ ବକ୍ତା । ଅତୀତର ଓଡ଼ିଶା ଓ ବର୍ତ୍ତମାନର ଓଡ଼ିଶା ମଧ୍ୟରେ ରହିଛି ଫରକ । ଆସିଛି ବୈପ୍ଳବିକ ପରିବର୍ତ୍ତନ । ସାମାଜିକ, ଅର୍ଥନୈତିକ କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆସିଛି ବୋଲି କହିଛନ୍ତି ବକ୍ତା ।

ଆଲୋଚନାରେ ଭାଗ ନେଇ ବକ୍ତା କହିଥିଲେ- ଓଡିଶାରେ ସୁନେଲି ପରିବର୍ତ୍ତନ ଆସିଛି । ଏକ ସ୍ଥିର ସରକାର ଯୋଗୁଁ ଓଡ଼ିଶାରେ ପ୍ରଗତି ହୋଇଛି । ସବୁକ୍ଷେତ୍ରରେ ବିକାଶ ଜାରି ରହିଛି । ଏହା ସତ୍ତ୍ବେ ଏହି ସବୁ କ୍ଷେତ୍ରରେ ଯଥେଷ୍ଟ ଆଗକୁ ଯିବାକୁ ପଡିବ । ଆଗାମୀ ୧୩ ବର୍ଷରେ ଓଡ଼ିଶା ଦେଶର ଏକ ଅଗ୍ରଗଣ୍ୟ ରାଜ୍ୟ ହୋଇପାରିବ ଓ ଏଥିପାଇଁ ସରକାରଙ୍କ ଉଦ୍ୟମ ଜାରି ରଖିଛନ୍ତି ବୋଲି ମତ ପ୍ରକାଶ ପାଇଛି ।

କନକ୍ଲେଭରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ବିଶିଷ୍ଟ ସାହିତ୍ୟିକ ବିଭୂତି ପଟ୍ଟନାୟକ, ସାଂସଦ ତଥା ଅଭିନେତା ପ୍ରଶାନ୍ତ ନନ୍ଦ ଓ ବରିଷ୍ଠା ସ୍ବମ୍ବାଦିକ ପ୍ରଦୋଷ ପଟ୍ଟନାୟକ ପ୍ରମୁଖ । ବର୍ତ୍ତମାନ ବିକାଶ ପ୍ରକ୍ରିୟା ଜାରି ରହିଛି । ତଥାପି ଅଧିକ ଅଗ୍ରଗତି ଲାଗି ସାମୂହିକ ଉଦ୍ୟମ କରିବାକୁ ସେମାନେ ଆହ୍ବାନ ଦେଇଥିଲେ । ନାରୀ ଶକ୍ତି ହିଁ ଶ୍ରେଷ୍ଠ ଶକ୍ତି ବୋଲି ବକ୍ତାମାନେ କହିଥିଲେ ।

ଜାତି ନନ୍ଦିଘୋଷ କନକ୍ଲେଭରେ ସମୃଦ୍ଧ ରାଜ୍ୟ ଗଠନର ଆହ୍ବାନ

ଭୁବନେଶ୍ବର: ଅନୁଷ୍ଠିତ ହୋଇଯାଇଛି ନନ୍ଦିଘୋଷ ଟିଭିର ‘ଜାତି ନନ୍ଦିଘୋଷ କନକ୍ଲେଭ-୨୦୨୩’ । ପ୍ରଦୀପ ପ୍ରଜ୍ବୋଳନ କରିବା ପରେ ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ…’ ଗାନ କରାଯାଇଥିଲା । ସୁନାମଧନ୍ୟ କଣ୍ଠଶିଳ୍ପୀ ସୁବାସ ଦାସ ଏବଂ ତୃପ୍ତି ଦାସ ରାଜ୍ୟ ସଙ୍ଗୀତ ଗାନ କରିଥିଲେ ।

କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ଦେଶର ଜଣାଶୁଣା ସାମ୍ବାଦିକ ସୁମିତ ଅବସ୍ତି ଏବଂ ବରିଷ୍ଠ ସାମ୍ବାଦିକ ମିହିର ରଞ୍ଜନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ନନ୍ଦିଘୋଷ ଟିଭି ସିଓଓ ଜାବର ସିଂ ପନଓ୍ବର ସ୍ବାଗତ ଭାଷଣ ଦେଇଥିବା ବେଳେ ନନ୍ଦିଘୋଷ ଟିଭି ମୁଖ୍ୟ ସମ୍ପାଦକ ଶିଶିର ଭଟ୍ଟମିଶ୍ର ସମ୍ପାଦକୀୟ ପାଠ କରିଥିଲେ ।

ମଞ୍ଚରେ କଣ୍ଠଶିଳ୍ପୀ ସୁବାସ ଦାସ ଏବଂ ତୃପ୍ତି ଦାସଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ । ନନ୍ଦିଘୋଷ ଟିଭି ପରିବାର ମୁଖ୍ୟ ମାନସ ରଞ୍ଜନ ମଙ୍ଗରାଜ ଉପସ୍ଥିତ ରହି ଅତିଥିମାନଙ୍କ ସହ ପ୍ରଦୀପ ପ୍ରଜ୍ବୋଳନ କରିଥିଲେ ।

୨୦୩୬ ବେଳକୁ ଶ୍ରେଷ୍ଠ ୫ ରାଜ୍ୟ ମଧ୍ୟରେ ରହିବ ଓଡ଼ିଶା

ନନ୍ଦିଘୋଷ ଟିଭି ଓ ଦୈନିକ ସକାଳ ପକ୍ଷରୁ ଆୟୋଜିତ ଜାତି ନନ୍ଦିଘୋଷ କନକ୍ଲେଭରେ ଯୋଗଦେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଥିଲେ, ‘ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଓଡ଼ିଶା ବିକାଶ ପଥରେ ଆଗେଇ ଚାଲିଛି । ଆଗାମୀ ଦିନରେ ରାଜ୍ୟକୁ ନ୍ୟାଯ୍ୟ ସ୍ଥାନରେ ପହଞ୍ଚାଇବାକୁ ହେବ । ୨୦୩୬ ବେଳକୁ ଦେଶର ୩ରୁ ୫ ରାଜ୍ୟ ମଧ୍ୟରେ ଓଡ଼ିଶା ରହିବ । ଗରିବ ରାଜ୍ୟ ଭାବେ ଅତୀତରେ ପରିଗଣିତ ହେଉଥିବା ଓଡିଶାର ବର୍ତ୍ତମାନ ବାର୍ଷିକ ବଜେଟ ହେଲାଣି ୨ ଲକ୍ଷ ୩୦ ହଜାର କୋଟି ଟଙ୍କା । ରାଜ୍ୟ ୭ଟି ବାତ୍ୟା ଦେଖିଲାଣି । ମାତ୍ର ସବୁଥିରେ ଜିରୋ କାଜୁଆଲିଟି ରହିଛି । ପ୍ରାକୃତିକ ବିପର୍ଯ୍ୟୟକୁ ସଫଳ ଭାବେ ମୁକାବିଲା କରିଛନ୍ତି ସରକାର । ଖାଦ୍ୟ ସୁରକ୍ଷା, ମିଲେଟ ମିସନ ଆଦିକୁ ବିଶ୍ବ ପ୍ରଶଂସା କରିଛି । ୨୦୩୬ ବେଳକୁ ଶିଳ୍ପର ଦିଶା ପରିବର୍ତ୍ତନ କରି ଗ୍ରୀନ ଟେକ୍ନୋଲୋଜିକୁ ଆପଣାଇବାକୁ ପଡିବ । ଯୁବବର୍ଗର ଦକ୍ଷତା ବୃଦ୍ଧି କରିବାକୁ ହେବ । ପ୍ରାଥମିକ ଓ ଉଚ୍ଚଶିକ୍ଷା ଅନୁଷ୍ଠାନକୁ ଗୁରୁତ୍ବ ଦେବାକୁ ହେବ । ଅଟୋମେଟେଡ ସିଷ୍ଟମ ପରିପ୍ରେକ୍ଷୀରେ ଟ୍ରାଞ୍ଜିସନ ଇକୋନୋମିକୁ ଗୁରୁତ୍ବ ଦେବାକୁ ହେବ । ଓଡିଶା ଏବେ ଚାଉଳ ରପ୍ତାନି କରୁଛି । କମ ଜମି ଓ କମ ପାଣିରେ କିପରି ଚାଷ କରିବାକୁ ସେଥିଲାଗି ଗୁରୁତ୍ବ ଦେବାକୁ ଆହ୍ବାନ ଦେଇଥିଲେ ମୁଖ୍ୟଶାସନ ସଚିବ ।

ଆଞ୍ଚଳିକ ଚ୍ୟାନେଲ ଭଲ କଣ୍ଟେନ ଦେଉଛନ୍ତି

ଭାଷାଠାରୁ ଊର୍ଦ୍ଧ୍ବରେ ରହି ଖବର ପରିବେଷଣ କଲେ ତାହା ଦୁନିଆରେ ଆଦୃତ ହେବ । ଦର୍ଶକ ସର୍ବଦା ସନ୍ତୁଳିତ ଖବର ଚାହାଁନ୍ତି ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ ମିହିର ରଞ୍ଜନ । ଜାତି ନନ୍ଦିଘୋଷ କନକ୍ଲେଭରେ ଯୋଗଦେଇ କହିଛନ୍ତି- ନ୍ୟାସନାଲ ଚାନେଲଠାରୁ ଆଞ୍ଚଳିକ ଚାନେଲ ଭଲ କରନ୍ତି । ଆଞ୍ଚଳିକ ପ୍ରସଙ୍ଗ ଉପରେ ବର୍ତ୍ତମାନ ଗୁରୁତ୍ବ ଦିଆଯାଉଛି । ଟିଆରପି ଦୌଡ଼ରେ ନଦୌଡ଼ି ବାସ୍ତବ ଖବର ପ୍ରସାରଣ ଦିଗରେ ବ୍ରତୀ ନନ୍ଦିଘୋଷ ଟିଭି । ଆସନ୍ତା ଦିନରେ ଏହା ଓଡ଼ିଶାର ନମ୍ବର ଓ୍ବାନ ଚାନେଲ ହେବାର ଆଶା ରହିଛି ।

ଗଣମାଧ୍ୟମ ନୈତିକତା ଭୁଲିଯିବା ଉଚିତ ନୁହେଁ

ଜାତି ନନ୍ଦିଘୋଷର ଅନ୍ୟତମ ଅତିଥି ବିଶିଷ୍ଟ ସାମ୍ବାଦିକ ସୁମିତ ଅବସ୍ତି କହିଥିଲେ- ଟିଭିରେ ପ୍ରସାରିତ ହେଉଥିବା କିଛି ଖବର ଦେଖି ଦର୍ଶକ ବ୍ୟତିବ୍ୟସ୍ତ ହୋଇଥାନ୍ତି । ଏଥିଲାଗି ମିଡିଆକୁ ସତର୍କ ହେବାକୁ ପଡିବ । ଗଣମାଧ୍ୟମ ନୈତିକତା ଭୁଲିଯିବା ଉଚିତ ନୁହେଁ । ଟାଇମ ମ୍ୟାଗାଜିନରେ ମୟୂରଭଞ୍ଜ ସ୍ଥାନ ପାଇଥିବା ପ୍ରସଙ୍ଗ ଉଲ୍ଲେଖ କରିବା ସହ ନିଜ ଅଞ୍ଚଳର ଖବରର ପ୍ରସାରଣକୁ ପ୍ରାଧାନ୍ୟ ଦେଇଥିଲେ ସୁମିତ ।

ସ୍ବାଗତ ଅଭିଭାଷଣ ଦେଇ ନନ୍ଦିଘୋଷ ଟିଭି ସିଓଓ ଜବର ସିଂ ପନଓ୍ବର କହିଥିଲେ- ଗତ ୩ ବର୍ଷ ଧରି ନନ୍ଦିଘୋଷ ଟିଭି ନିଜର ଗୌରବମୟ ଯାତ୍ରା ଜାରି ରଖିଛି । ଏକ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଏହି କନକ୍ଲେଭ ନୂତନ ଦିଶା ଦେବ ।

ନନ୍ଦିଘୋଷ ଟିଭି ମୁଖ୍ୟ ସମ୍ପାଦକ ଶିଶିର ଭଟ୍ଟମିଶ୍ର କହିଥିଲେ, ‘ଶୁଣାକଥାରେ କିମ୍ବା ବ୍ୟକ୍ତିଗତ ସ୍ବାର୍ଥରେ ଖବର ପରିବେଷଣ କରିବା ଅନୁଚିତ । ପ୍ରତିଷ୍ଠା ଆରମ୍ଭରୁ ନନ୍ଦିଘୋଷ ଟିଭି ସର୍ବଦା ସତ୍ୟର ପଥ ଅନୁସରଣ କରିଆସିଛି । ଯାହା ଠିକ, ତାହା ପ୍ରସାରଣ କରି ଆମେ ଆଜି ଘରେ ଘରେ ପ୍ରିୟ ହୋଇପାରିଛୁ । ଏମିତି ଶହେ ଉଦାହରଣ ରହିଛି, ଯେଉଁଠି ସମସ୍ତ ଗଣମାଧ୍ୟମ ଗୋଟିଏ ପଟେ ଥିବା ବେଳେ ନନ୍ଦିଘୋଷ ଟିଭି ସତ୍ୟ ପଥରେ ଛିଡା ହୋଇଛି । ୩ ବର୍ଷ ପରେ ଆତ୍ମସମୀକ୍ଷା କଲେ ଲାଗୁଛି, ଆମେ ଲକ୍ଷ୍ୟ ଦିଗରେ ଆଗକୁ ବଢିଛୁ । ଆଗକୁ ଆହୁରି ବହୁତ ବାଟ ଯିବାକୁ ବାକି ଅଛି । ଆପଣମାନଙ୍କ ଆଶୀର୍ବାଦରେ ବାକି ପଥ ଅତିକ୍ରମ କରିପାରିବୁ ।’

ଏହି ଅବସରରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ସାମ୍ବାଦିକ ମିହିର ରଞ୍ଜନ ଓ ସୁମିତ ଅବସ୍ତିଙ୍କୁ ନନ୍ଦିଘୋଷ ନେଟଓ୍ବର୍କ ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ।

୩ ଜଣଙ୍କୁ ଲାଇଫ୍ ଟାଇମ ଆଚିଭ ମେଣ୍ଟ ସମ୍ମାନ

ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ, ଔପନ୍ୟାସିକ କଥା ଗାଳ୍ପିକ ଡକ୍ଟର ବିଭୂତି ପଟ୍ଟନାୟକ ଓ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କୁ ଜାତି ନନ୍ଦିଘୋଷ ଜୀବନ ବ୍ୟାପୀ ସାଧନା ସମ୍ମାନ ପ୍ରଦାନ କରାଯାଇଥିଲା । ପ୍ରଣବଙ୍କ ଅନୁପସ୍ଥିତିରେ ତାଙ୍କ ସମ୍ମାନ ଗ୍ରହଣ କରିଥିଲେ ପତ୍ନୀ କସ୍ତୁରିକା ପଟ୍ଟନାୟକ ।

ବିଶ୍ବର ଶ୍ରେଷ୍ଠ ସ୍ଥାନରେ ମୟୂରଭଞ୍ଜ ରହିଛି, ଏକଥା ସମସ୍ତଙ୍କୁ ଜଣାଇବା ଦରକାର: ମିହିର

ଭୁବନେଶ୍ବର: ଜାତି ନନ୍ଦିଘୋଷ କନକ୍ଲେଭରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବରିଷ୍ଠ ସାମ୍ବାଦିକ ମିହିର ରଞ୍ଜନ ମୟୂରଭଞ୍ଜର ପର୍ଯ୍ୟଟନ ସ୍ଥଳ କଥା ଉଲ୍ଲେଖ କରି ଏହା ବିଶ୍ବର ୫୦ ସ୍ଥାନ ମଧ୍ୟରେ ଗୋଟିଏ କହିଥିଲେ । ନନ୍ଦିଘୋଷ ଟିଭିର ଖବର ପ୍ରସାରଣକୁ ପ୍ରଶଂସା କରିଥିଲେ । ଓଡ଼ିଶା ସମ୍ପର୍କରେ ଏମିତି ଖବର ଦେଖାଅ, ଯାହାକୁ ଜାତୀୟ ଚ୍ୟାନେଲ କେବଳ ଦେଶ ନୁହେଁ, ବିଶ୍ବକୁ ଜଣାଇବାକୁ ବାଧ୍ୟ ହେବେ ।

ଜାତୀୟ ଚ୍ୟାନେଲ ଓ ଆଞ୍ଚଳିକ ଚ୍ୟାନଲ ମଧ୍ୟରେ ପ୍ରଭେଦକୁ ସମ୍ପର୍କରେ କହିବା ବେଳେ, ମିହିର ରଞ୍ଜନ ମୟୂରଭଞ୍ଜ କଥା ଉଲ୍ଲେଖ କରିଥିଲେ । ସେ କହିଥିଲେ, ‘ଜାତୀୟ ଚ୍ୟାନେଲଙ୍କ ଧାରଣା କୌଣସି ପ୍ରାନ୍ତରେ କିଛି ଘଟିଲେ ତାହା ନ୍ୟୁଜ୍ ହେବ । ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ । ଏଠି କିଛି ଘଟୁନି କ’ଣ ଦେଖାଇବୁ । ଜାଣିଲେ ଆଶ୍ଚର୍ଯ୍ୟ ହେବେ କିଛିଦିନ ପୂର୍ବେ ଟାଇମ୍ସ ମ୍ୟାଗେଜିନରେ ବିଶ୍ବର ୫୦ଟି ଦର୍ଶନୀୟ ସ୍ଥାନକୁ ନେଇ ରିପୋର୍ଟ ପ୍ରକାଶ ପାଇଥିଲା । ଏଥିରେ ଭାରତର ଦୁଇଟି ସ୍ଥାନ ଥିଲା । ଗୋଟିଏ ଲେହ ଲଦାଖ ଓ ଅନ୍ୟଟି ମୟୂରଭଞ୍ଜର ଶିମିଳିପାଳ । ଦିଲ୍ଲୀରେ ବସିଥିବା ଲୋକ ଏକଥା ବୁଝି ପାରିବନି । ଆପଣଙ୍କୁ ଏହାକୁ ସେମାନଙ୍କ ପାଖରେ ପହଞ୍ଚାଇବାକୁ ପଡ଼ିବ ।  ବାରମ୍ବାର ପହଞ୍ଚାଇବାକୁ ପଡ଼ିବ । ଯାହାଦ୍ବାରା ସେମାନେ ଏହାକୁ ଅଗ୍ରାଧିକାର ଦେବାକୁ ବାଧ୍ୟ ହେବେ ।’

ନନ୍ଦିଘୋଷ ଟିଭିକୁ ପ୍ରଶଂସା

ନନ୍ଦିଘୋଷ ଟିଭି ବିଜୟ ଯାତ୍ରକୁ ମିହିର ରଞ୍ଜନ ପ୍ରଶଂସା କରିଥିଲେ । ନନ୍ଦିଘୋଷ ଟିଭି ଆରମ୍ଭ ହେବାର ୧୦ ଦିନ ପରେ ଦେଶରେ ଲକଡାଇନ ଲାଗିବାକୁ ମନେ ପକାଇ କହିଥିଲେ, ଏହି ସମୟରେ ଚ୍ୟାନେଲ କେମିତି ନିଜକୁ ପ୍ରତିଷ୍ଠା କରାଇବା ଓ ୩ ବର୍ଷ ମଧ୍ୟରେ ଯେଉଁ ସ୍ଥାନରେ ପହଞ୍ଚିଛି ତାହା ନିଶ୍ଚିତ ପ୍ରଶଂସା ଯୋଗ୍ୟ । ଚ୍ୟାନେଲକୁ ଏହି ସ୍ଥାନରେ ପହଞ୍ଚାଇଥିବାରୁ ନେତୃବୃନ୍ଧ ଓ କର୍ମଚାରୀଙ୍କୁ ଧନ୍ୟବାଦ ।’

ଆଗକୁ ସେ କହିଥିଲେ, ‘ଏଠାକୁ ଆସିବାକୁ ନିମନ୍ତ୍ରଣ ପାଇବା ପରେ ବନ୍ଧଉମାନଙ୍କୁ ଚ୍ୟାନେଲ ସମ୍ପର୍କରେ ପଚାରିଥିଲି । ସମସ୍ତଙ୍କର ଗୋଟିଏ ରାୟ ଥିଲା, ନନ୍ଦିଘୋଷ ଟିଭି ଏକ ବାଲାନ୍ସଡ ଚ୍ୟାନେଲ । ଏଠି ସରକାର, ବିରୋଧୀ, ଅନ୍ୟ ଦଳଙ୍କ ଖବର ସହ ଅନ୍ୟ ଖବର ବି ପାଇବେ । ହେଲେ ଅନ୍ୟ ଚ୍ୟାନେଲରେ ଏମିତି ଦେଖିବାକୁ ମିଳିନଥାଏ । ଏପରି କାମ କରିବା ଆପଣମାନଙ୍କ ସବୁଠାରୁ ବଡ଼ ଉପଲବ୍ଧି ।’

ସେ ଆହୁରି କହିଥିଲେ, ଆଜିକାଲି ଜାତୀୟ ଚ୍ୟାନେଲମାନଙ୍କ ଠାରୁ ଭଲ କଣ୍ଟେନ ଆଞ୍ଚଳିକ ଚ୍ୟାନେଲ ଦେଉଛନ୍ତି । ଯଦି ଆପଣ ଭଲ କଣ୍ଟେନ ଦେଉଛନ୍ତି ଲୋକ ନିଶ୍ଚିତ ଦେଖିବେ । ଲୋକେ ଏବେ ଲୋକାଲ ନୁହେଁ, ଛୋଟ ସ୍ଥାନରେ ଖବର ଦେଖିବାକୁ ଚାହୁଁଛନ୍ତି । ଯେଉଁଥିରେ ସେମାନେ ନିଜକୁ ଦେଖିବାକୁ ଚାହୁଁଛନ୍ତି । ଯାହା ନନ୍ଦିଘୋଷ ଟିଭି ଭଲ ଭାବେ କରୁଛି । ୩ ବର୍ଷରେ ଲୋକ କହୁଛନ୍ତି ନନ୍ଦିଘୋଷ ଟିଭି ବାଲାନ୍ସଡ ଚ୍ୟାନେଲେ । ଆଗାମୀ ୧୦ ପରେ ଲୋକେ କହିବେ ନନ୍ଦିଘୋଷ ଓଡ଼ିଶାର ଏକ ନମ୍ବର ଚ୍ୟାନେଲ ।’