ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା: ମୃତକଙ୍କ ପରିବାରକୁ ୫ ଲକ୍ଷ, ଗୁରୁତର ଆହତଙ୍କୁ ୧ ଲକ୍ଷ ଟଙ୍କା

ଭୁବନେଶ୍ବର: ବାହାନଗାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ମୃତାହତଙ୍କ ପାଇଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତକଙ୍କ ପାଇଁ କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ମୃତକଙ୍କ ପରିବାରକୁ ମିଳିବ ୫ ଲକ୍ଷ ଟଙ୍କାର କ୍ଷତିପୂରଣ । ସେହିପରି, ଗୁରୁତର ଆହତଙ୍କ ପାଇଁ ୧ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି । ଏହାସହ ସମସ୍ତ ଆହତଙ୍କ ଚିକିତ୍ସା ମାଗଣାରେ କରାଯିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ଦୁର୍ଘଟଣାରେ ମୃତାହତ ଓଡ଼ିଶାର ଲୋକଙ୍କ ପାଇଁ ଏହି ସହାୟତା ରାଶି ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଏହା ପ୍ରଦାନ କରାଯିବ । ଏହାସହ ମୃତକଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଶୁକ୍ରବାର ରାତିରେ ଘଟିଥିବା ଭୟଙ୍କର ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ଘଟିଛି । ଏବେବି ଅନେକ ଲୋକ ସଂକଟାପନ୍ନ ଅଛନ୍ତି । ରାଜ୍ୟ ବିଭିନ୍ନ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ ୧୧ଶହ ୭୫ ଆହତଙ୍କ ଚିକିତ୍ସା ଚାଲିଛି । ଏଯାଏଁ ୭୯୩ରୁ ଅଧିକ ଆହତଙ୍କୁ ଡିସଚାର୍ଜ କରାଯାଇଛି । ସମସ୍ତଙ୍କୁ ଅତ୍ୟାଧୁନିକ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର ।