ଭୁବନେଶ୍ବରରେ ପହଞ୍ଚିଲେ ସ୍ବତନ୍ତ୍ର ଡାକ୍ତରୀ ବିଶେଷଜ୍ଞ ଟିମ୍

ଭୁବନେଶ୍ବର: ବାହାନଗା ଟ୍ରେନ ଦୁର୍ଘଟଣାରେ ଆହତଙ୍କ ଜୀବନ ବଞ୍ଚାଇବାକୁ ଚାଲିଛି ସମସ୍ତ ପ୍ରକାର ଚେଷ୍ଟା । ଦିଲ୍ଲୀ ଏମ୍ସ ସମେତ ବିଭିନ୍ନ ପ୍ରତିଷ୍ଠାନରୁ ବିଶେଷଜ୍ଞ ଡାକ୍ତରୀ ଟିମ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି ।

ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟ । ସେ କହିଛନ୍ତି, ‘ଦିଲ୍ଲୀ ଏମ୍ସ, ଲେଡି ହାର୍ଡିଂସ ତଥା ଅନ୍ୟାନ୍ୟ ପ୍ରତିଷ୍ଠାନର ବିଶେଷଜ୍ଞମାନେ ଅତ୍ୟାଧୁନିକ ଯନ୍ତ୍ରପାତି ସହ ଭୁବନେଶ୍ବରରେ ପହଞ୍ଚି ସାରିଛନ୍ତି । ବିଶେଷଜ୍ଞ ଟିମ ସହ ସବିଶେଷ ଆଲୋଚନା ହୋଇଛି । କେଉଁ ସ୍ଥାନରେ କେଉଁ ବିଶେଷଜ୍ଞ ଡାକ୍ତର ନିୟୋଜିତ ହେବେ ତାହାର ନିର୍ଦ୍ଧାରଣ କରାଯାଇଛି । ଏଥିଲାଗି ଓ୍ବାର୍କିଂ ପ୍ଲାନ ମଧ୍ୟ କରାଯାଇଛି ।’

ଆଗକୁ ସେ କହିଛନ୍ତି, ‘୧୦୦ରୁ ଅଧିକ ଆହତଙ୍କ ଲାଗି କ୍ରିଟିକାଲ କେୟାର ବ୍ୟବସ୍ଥା ଜରୁରୀ ହୋଇଛି । ଅଧିକରୁ ଅଧିକ ଲୋକଙ୍କ ଜୀବନ ରକ୍ଷା ଲାଗି ଶତଚେଷ୍ଟା କରାଯାଉଛି ।’