ଟ୍ରେନ ଦୁର୍ଘଟଣାକୁ ନେଇ ମୋଦିଙ୍କ ସହ ଫୋନରେ କଥା ହେଲେ ନବୀନ, ଜଣାଇଲେ ବର୍ତ୍ତମାନର ସ୍ଥିତି

1 min read

ଭୁବନେଶ୍ବର: ବାହାନଗା ଟ୍ରେନ ଦୁର୍ଘଟଣା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଲେ ମୁଖ୍ୟମନ୍ତ୍ରୀ । କହିଲେ- ପ୍ରତିଟି ଜୀବନ ବଞ୍ଚାଇବାକୁ ସମସ୍ତ ପ୍ରକାର ଚେଷ୍ଟା କରାଯାଉଛି । ଆହତଙ୍କ ଚିକିତ୍ସାରେ ଡାକ୍ତର, ଡାକ୍ତରୀ ଛାତ୍ର ଓ ଅନ୍ୟମାନେ ଦିନରାତି ଏକ କରି ଦେଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଓଡ଼ିଶା ସରକାରଙ୍କ ତ୍ବରିତ ଉଦ୍ଧାର କାର୍ଯ୍ୟକୁ ପୁଣି ଥରେ ପ୍ରଶଂସା କରିଛନ୍ତି ।

ଆଜି ଫୋନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବାହାନଗା ଟ୍ରେନ ଦୁର୍ଘଟଣା ନେଇ ଆଲୋଚନା କରିବା ସହ ସ୍ଥିତି ସମ୍ପର୍କରେ ଅବଗତ କରିଥିଲେ । ଏହାସହ ଆହତଙ୍କ ଚାଲିଥିବା ଚିକିତ୍ସା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ, ‘ଆହତଙ୍କ ଜୀବନ ବଞ୍ଚାଇବାକୁ ସମସ୍ତ ପ୍ରକାର ଚେଷ୍ଟା କରାଯାଉଛି । ଡାକ୍ତରୀ ଟିମ୍, ଡାକ୍ତରୀ ଛାତ୍ରଛାତ୍ରୀ ଆହତଙ୍କ ଚିକିତ୍ସାରେ ଲାଗିଛନ୍ତି । ସେହିପରି ଡାକ୍ତର, ଡାକ୍ତରୀ ଛାତ୍ର ଓ ସାଧାରଣ ଲୋକ ବଡ଼ ସଂଖ୍ୟାରେ ଆଗକୁ ଆସି ଆହତଙ୍କ ପାଇଁ ରକ୍ତଦାନ କରୁଛନ୍ତି ।’

ଆଗକୁ ନବୀନ କହିଛନ୍ତି, ‘ଉଦ୍ଧାର କାର୍ଯ୍ୟ ଆରମ୍ଭ ଠାରୁ ଆହତଙ୍କୁ ହସ୍ପିଟାଲ ନେବା, ସେମାନଙ୍କ ଚିକିତ୍ସା ବ୍ୟବସ୍ଥା କରିବା ଓ ସମସ୍ତଙ୍କ ଜୀବନ ବଞ୍ଚାଇବା ପାଇଁ ରାଜ୍ୟ ସରକାର ‘ପ୍ରତ୍ୟେକ ଜୀବନ ମୂଲ୍ୟବାନ’ ନୀତିରେ କାମ କରୁଛନ୍ତି ।

ବର୍ତ୍ତମାନ ସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଅବଗତ କରାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ରାଜ୍ୟର ବିଭିନ୍ନ ହସ୍ପିଟାଲରେ ୧୧୭୫ ଆହତ ଭର୍ତ୍ତି ହୋଇଥିଲେ । ଏମାନଙ୍କ ମଧ୍ୟରୁ ୭୯୩ ଜଣଙ୍କୁ ଡିସଚାର୍ଜ କରାଯାଇଛି । ଅଧିକାଂଶ ଆହତଙ୍କ ସ୍ବାସ୍ଥାବସ୍ଥା ସ୍ଥିର ରହିଛି । ବିଭିନ୍ନ ସରକାରୀ ଓ ବେସରକାରୀ ହସ୍ପିଟାଲରେ ବର୍ତ୍ତମାନ ୩୮୨ ଯାତ୍ରୀଙ୍କ ଚିକିତ୍ସା ଚାଲିଛି ।’

ସଙ୍କଟ ସମୟରେ ରାଜ୍ୟ ସରକାର ଯେଭଳି ପଦକ୍ଷେପ ନେଲେ ଓ ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କଲେ ସେଥିପାଇଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାସହ କେନ୍ଦ୍ର ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରସ୍ତୁତ ଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଦୁର୍ଘଟଣା ପରେ ସାଧାରଣ ଲୋକେ ଉଦ୍ଧାର କାର୍ଯ୍ୟରେ ଯେମିତି ସହଯୋଗ କରିଥିଲେ ସେଥିପାଇଁ ରାଜ୍ୟବାସୀଙ୍କ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ।