spot_img
Home Blog Page 3312

ପାକିସ୍ତାନରେ ସ୍ଥିତି ଗମ୍ଭୀର, ବିକ୍ଷୋଭକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ଗିରଫଦାରୀ ପରେ ଦେଶରେ ଉତ୍ତେଜନା ସୃଷ୍ଟି ହୋଇଛି । ପିଟିଆଇର ସମର୍ଥକମାନେ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ବିଭିନ୍ନ ସ୍ଥାନରେ ଭଙ୍ଗାରୁଜା ସହ ପୋଡ଼ାଜଳା କରିଛନ୍ତି ବିକ୍ଷୋଭକାରୀ । ଏମିତି କି ସେନା ମୁଖ୍ୟାଳୟ ଉପରେ ମଧ୍ୟ ଆକ୍ରମଣ କରିଛନ୍ତି । ପେଶୱାର ସ୍ଥିତ ରେଡିଓ ଷ୍ଟେସନକୁ ନିଆଁ ଲଗାଇଦେଇଛନ୍ତି । ଅନେକ ସ୍ଥାନରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । ଏପରି ସ୍ଥିତିରେ ବିକ୍ଷୋଭକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସାମାଜିକ ଗଣମାଧ୍ୟମରେ ପାକିସ୍ତାନରେ ହୋଇଥିବା ପୋଡ଼ାଜଳା ଏବଂ ଭଙ୍ଗାରୁଜାର ଅନେକ ଚିତ୍ର ଭାଇରାଲ୍ ହେଉଛି । ପୋଲିସ ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ସାରା ଦେଶରେ ୧୪୪ ଧାରା ଲାଗୁ କରିଛି । ସୂଚନାଥାଉକି, ଇମ୍ରାନ ଖାନଙ୍କୁ ଅଲ କାଦିର ଟ୍ରଷ୍ଟ ସହ ସମ୍ବନ୍ଧିତ ମାଲମାରେ ଗିରଫ କରାଯାଇଛି । ଇମ୍ରାନଙ୍କୁ ଗିରଫ କରାଯିବା ପରେ ଇସଲାମାବାଦ, ରାୱଲପିଣ୍ଡି, ଲାହୋର, କରାଚୀ, ଫୈସଲାବାଦ, ମୁଲତାନ, ପେଶାୱର ମର୍ଦନ ସମେତ ଦେଶର ଭିନ୍ନ ଭିନ୍ନ ସ୍ଥାନରେ ପିଟିଆଇ ପକ୍ଷରୁ ବିକ୍ଷୋଭ କରାଯାଉଛି ।

ଏହି ବିକ୍ଷୋଭ ପ୍ରଦର୍ଶନ ମଧ୍ୟରେ ଇସଲାମାବାଦ ପୋଲିସର ୫ ଯବାନ ଆହତ ହୋଇଛନ୍ତି । ସେହିପରି ଆଇନ ଉଲ୍ଲଂଘନ କରିଥିବା ଅଭିଯୋଗରେ ବର୍ତ୍ତମାନ ସୁଦ୍ଧା ୪୩ ଜଣ ଗିରଫ ହୋଇଛନ୍ତି । ସ୍ଥିତି ବିଗୁଡ଼ୁଥିବାର ଦେଖି ଦେଶରେ ମୋବାଇଲ ଇଣ୍ଟନେଟ ସେବା ବନ୍ଦ କରାଯାଇଛି । ପିଟିଆଇ ମୁଖିଆ ଇମ୍ରାନଙ୍କ ଗିରଫଦାରୀ ପରେ ଦେଶରେ ଗୃହଯୁଦ୍ଧ ସ୍ଥିତି ସୃଷ୍ଟି ହେଉଛି ।

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପୁଣି ନୋଟିସ୍

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ସାଂସଦ ରାହୁଲ ଗାନ୍ଧୀଙ୍କୁ ପୁଣି ନୋଟିସ୍ । ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ଭିତରେ ଦେଖା କରିବା ପରେ ରାହୁଲ ଗାନ୍ଧୀଙ୍କୁ ନୋଟିସ ପଠାଯାଇଛି । ପିଜି ଛାତ୍ରଙ୍କ ହଷ୍ଟେଲକୁ ରାହୁଲ ଗାନ୍ଧୀ ଯିବା ସହ ପିଲାଙ୍କ ସହ ଖାଦ୍ୟ ଖାଇଥିଲେ । ବିଶ୍ବବିଦ୍ୟାଳୟର ବିନା ଅନୁମତିରେ କ୍ୟାମ୍ପସ ଭିତରକୁ ପଶିବା ଅପରାଧ ବୋଲି ବିଶ୍ବବିଦ୍ୟାଳୟ ପକ୍ଷରୁ କୁହାଯାଇଛି । ଆଗକୁ ଯେମିତି ଏପରି ନହୁଏ ସେଥିପ୍ରତି ସତର୍କ ହେବାକୁ କୁହାଯାଇଛି । ରାହୁଲ ଗାନ୍ଧୀ ଭେଟିଥିବା ଛାତ୍ରଙ୍କ ସୁରକ୍ଷା ପ୍ରତି ବିପଦ ବୋଲି ବିଶ୍ବବିଦ୍ୟାଳୟ ପକ୍ଷରୁ କୁହାଯାଇଛି । ଛାତ୍ର କଂଗ୍ରେସ ପକ୍ଷରୁ ଏହାକୁ ସମାଲୋଚନା କରାଯିବା ସହ ବିଶ୍ବବିଦ୍ୟାଳୟ ଉପରେ ଚାପ ପଡୁଥିବା ଅଭିଯୋଗ ହୋଇଛି ।

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ ଓ ଜିଆରଏସ୍

ବ୍ରହ୍ମପୁର: ଭିଜିଲାନ୍ସ ହାତରେ କନିଷ୍ଠ ଯନ୍ତ୍ରୀ ଓ ଜିଆରଏସ । ପୁରୁଷୋତ୍ତମପୁର ବ୍ଳକର କନିଷ୍ଠ ଯନ୍ତ୍ରୀ ଜଗଦୀଶ ସାହୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ମନୋରେଗା କାମର ବିଲ୍‌ ପାସ୍ କରାଇଦେବା ପାଇଁ ଜଣେ ଠିକାଦାରଙ୍କ ଠାରୁ ନେଉଥିଲେ ଲାଞ୍ଚ । ୧ ଲକ୍ଷ ୨୪ ହଜାର ଟଙ୍କାର ବିଲ୍‌ ପାସ କରାଇଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ କନିଷ୍ଠ ଯନ୍ତ୍ରୀ ଜଗଦୀଶ । ଲାଞ୍ଚ ଅର୍ଥ କନିଷ୍ଠ ଯନ୍ତ୍ରୀ ଜଗଦୀଶଙ୍କ ଠାରୁ ଗ୍ରହଣ କରିଥିବା ଅଭିଯୋଗରେ ଜଗନ୍ନାଥପୁରର ଜିଆରଏସଙ୍କୁ ମଧ୍ୟ ଧରିଛି ଭିଜିଲାନ୍ସ । ଆଜି ବ୍ଳକ କାର୍ଯ୍ୟାଳୟରେ ଲାଞ୍ଚ ଅର୍ଥ ନେଉଥିବା ବେଳେ ଧରିଛି ବ୍ରହ୍ମପୁର ଭିଜିଲାନ୍ସ । ଉଭୟ କନିଷ୍ଠ ଯନ୍ତ୍ରୀ ଓ ଜିଆରଏସଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ଭିଜିଲାନ୍ସ ।

ଇମ୍ରାନଙ୍କ ଗିରଫ ପ୍ରତିବାଦରେ ସମର୍ଥକଙ୍କ ଜୋରଦାର ବିକ୍ଷୋଭ, ସାରା ଦେଶରେ ୧୪୪ ଧାରା ଲାଗୁ

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫଦାରୀ ପରେ ତାଙ୍କ ସମର୍ଥକମାନେ ରାସ୍ତାକୁ ଓହ୍ଲାଇଛନ୍ତି । ଅନେକ ସ୍ଥାନରୁ ହିଂସାର ଚିତ୍ର ସାମ୍ନାକୁ ଆସିଛି । ପିଟିଆର କର୍ମକର୍ତ୍ତା ମାନେ ଦେଶରେ ବିଭିନ୍ନ ସ୍ଥାନରେ ପୋଡାଜଳା କରିଛନ୍ତି । ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ସାରା ଦେଶରେ ୧୪୪ ଧାରା ଲାଗୁ କରାଯାଇଛି । ପୋଲିସ ବିକ୍ଷୋଭକାରୀଙ୍କୁ ଚେତାବନୀ ଦେଇଛି ଯେ ଯଦି ନିୟମ ଉଲ୍ଲଂଘନ କରାଯାଏ ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଅନ୍ୟପକ୍ଷରେ ସେନା ବିରୋଧରେ ମଧ୍ୟ ପିଟିଆଇ ସମର୍ଥକମାନେ ନାରାବାଜୀ କରିଛନ୍ତି । ଲାହୋରର ଛାବନୀ କ୍ଷେତ୍ରରେ ଜଣେ ସୈନ୍ୟ ଅଧିକାରୀଙ୍କ ଘରେ ପିଟିଆଇ ସମର୍ଥକମାନେ ଅନୁପ୍ରବେଶ କରିଥିବାର ଖବର ରହିଛି ।

ସେହିପରି ସେନାର କୋର କମାଣ୍ଡରଙ୍କ ଘରେ ପଶି ଭଙ୍ଗାରୁଜା କରିଛନ୍ତି ପିଟିଆଇ ସମର୍ଥକ । ସୂଚନାଥାଉକି, ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ପାରାମିଲିଟାରୀ ଫୋର୍ସ ଗିରଫ କରିଛି । ମାମଲାର ଶୁଣାଣି ବେଳେ ଇସଲାମାବାଦ ହାଇକୋର୍ଟ ପରିସରରୁ ଗିରଫ କରିଛି ପାକିସ୍ତାନ ରେଞ୍ଜର୍ସ । ଦୁଇଟି ମାମଲାର ଶୁଣାଣି ପାଇଁ କୋର୍ଟରେ ହାଜର ହୋଇଥିବା ବେଳେ ଓକିଲଙ୍କ ଚ୍ୟାମ୍ବର ଭାଙ୍ଗି ପଶିଥିଲେ ପାକିସ୍ତାନୀ ରେଞ୍ଜର୍ସ । ସେଠାରୁ ଜୋରଜବରଦସ୍ତ ଇମ୍ରାନଙ୍କୁ ଗିରଫ କରିବା ସହ ମାରପିଟ୍‌ କରିଥିବା ମଧ୍ୟ ଅଭିଯୋଗ ହୋଇଛି । ରେଞ୍ଜର୍ସଙ୍କ ମାରପିଟରେ ଇମ୍ରାନଙ୍କ ଓକିଲ ଗୁରୁତର ହୋଇଛନ୍ତି । ରେଞ୍ଜର୍ସ ମାନେ ଇମ୍ରାନଙ୍କୁ ଗିରଫ କରି ଅଜଣା ଯାଗାକୁ ନେଇ ଯାଇଥିବା ଅଭିଯୋଗ ହୋଇଛି ।

ଇମ୍ରାନ ଖାନଙ୍କ ଗିରଫ ପରେ ତାଙ୍କ ଦଳ ପାକିସ୍ତାନ ତହରିକ ଏ ଇନସାଫ ବା ପିଟିଆଇ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ସାରା ଦେଶରେ ବିରୋଧ ପ୍ରଦର୍ଶନ ପାଇଁ ଅପିଲ କରାଯାଇଛି । ଫଳସ୍ବରୁପ ପିଟିଆର କର୍ମକର୍ତ୍ତା ମାନେ ଦେଶରେ ବିଭିନ୍ନ ସ୍ଥାନରେ ପୋଡାଜଳା କରିଛନ୍ତି । ଲିବର୍ଟି ଚୌକରେ ପିଟିଆଇ ସମର୍ଥକ ମାନେ ଏକଜୁଟ ହୋଇଛନ୍ତି । ପାକିସ୍ତାନୀ ରେଞ୍ଜର୍ସ ଇମ୍ରାନଙ୍କୁ ଗିରଫ କରିନାହାନ୍ତି ବରଂ କୋର୍ଟ ପରିସରରୁ ଅପହରଣ କରିନେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଅଜଣାସ୍ଥାନରେ ଇମ୍ରାନଙ୍କୁ ମାରପିଟ କରାଯାଇଛି ବୋଲି ଦଳ ପକ୍ଷରୁ କୁହାଯାଇଛି ।

ଭାଇରାଲ ଭିଡିଓ ମିଛ, ମୋର ଅସଲ ନାଁ ଶେଖ୍ ହମିଦ ମହମ୍ମଦ

ବରଗଡ଼: ମୁଁ ନୁହେଁ ଗୁଡ୍ଡୁ ମୁସଲିମ୍ । ମୋର ଅସଲ ନାଁ ଶେଖ ହମିଦ ମହମ୍ମଦ । ଗଣମାଧ୍ୟମରେ ଘୁରି ବୁଲୁଥିବା ଗୁଡ୍ଡୁ ମୁସଲିମର ସିସିଟିଭି ଭିଡିଓ ମିଛ । ଭିଡିଓରେ ଥିବା ବ୍ୟକ୍ତି ଜଣକ ଗୁଡ୍ଡୁ ମୁସଲିମ ନୁହେଁ ବରଂ ସ୍ଥାନୀୟ ଜଣେ ବ୍ୟକ୍ତି ଶେଖ ହମିଦ ମହମ୍ମଦ । ଏକଥା ନିଜେ କହିଛନ୍ତି ଶେଖ ହମିଦ ମହମ୍ମଦ । ମୁଁ ଗୁଡ୍ଡୁ ମୁସଲିମ ନୁହେଁ ବୋଲି ସେ କହିଛନ୍ତି । ଜାତୀୟ ଗଣମାଧ୍ୟମରେ ଅଯଥାରେ ତାଙ୍କୁ ନିନ୍ଦା କରାଯାଉଛି । ଜଣେ ହାର୍ଡକୋର ଅପରାଧୀ ସହ ତାଙ୍କୁ ଜଡ଼ିତ କରି ଅପମାନିତ କରାଯାଉଛି ବୋଲି ସେ କହିଛନ୍ତି । ଶେଖ ହମିଦ ମହମ୍ମଦ ନମାଜ ପଢି ଫେରୁଥିବା ବେଳେ ତାଙ୍କର ଏକ ଭିଡିଓ ସିସିଟିଭିରେ କଏଦ ହୋଇଥିଲା । ଭିଡିଓରେ ସେ ଏକ ଧଳା ସାର୍ଟ ପିନ୍ଧିଥିଲେ ବୋଲି ଦେଖିବାକୁ ମିଳୁଛି । ପରବର୍ତ୍ତି ଅବସ୍ଥାରେ ଏହି ଭିଡିଓ ଗୁଡ୍ଡୁ ମୁସଲିମ ନାଁରେ ଭାଇରାଲ କରାଯାଇଛି । ଗଣମାଧ୍ୟମରେ ମଧ୍ୟ ଓଡ଼ିଶାରେ ଗୁଡ୍ଡୁ ମୁସଲିମର ସିସିଟିଭି ଭିଡିଓ ମିଳିଥିବା ନେଇ ଜୋରଦାର ଚର୍ଚ୍ଚା ହୋଇଛି । ଏହି ଭିଡିଓକୁ ଗୁଡ୍ଡୁ ମୁସଲିମ ନାଁରେ ପ୍ରସାରିତ କରାଯାଉଥିବା ଦେଖି ତାଙ୍କ ଆଖପାଖ ଲୋକ କହିଥିଲେ । ଯାହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଶେଖ ହମିଦ ମହମ୍ମଦ ।

ସ୍ବପ୍ନରେ ରହିଯିବ କି ସ୍ବପ୍ନର ଘର, ଆପାର୍ଟମେଣ୍ଟ ଦେବାକୁ କହି ବିଲଡର ସଂସ୍ଥା ସମୟ ଗଡ଼ାଉଥିବା ଅଭିଯୋଗ

ଭୁବନେଶ୍ୱର: ଗ୍ରାହକ ବେହାଲ, ବିଲଡର ମାଲାମାଲ । ଟଙ୍କା ନେଲେ ହେଲେ କୋଠା ଦେଲେନି । ସ୍ବପ୍ନରେ ରହିଗଲା ସ୍ବପ୍ନର ଘର । ବିଲଡରଙ୍କୁ ଅଭିଯୋଗ କଲେ ଗୋଡ଼ାଉଛନ୍ତି ବାଉନସର । ୨୦୧୨ରେ ସୁନ୍ଦରପଦାରେ ପ୍ରସ୍ତାବିତ The Prestige ଆପାର୍ଟମେଣ୍ଟରେ 2 BHK ଘର ପାଇଁ ୧୫ ଲକ୍ଷ ୫୦ ହଜାର ଟଙ୍କା ଦେଇ ଏପର୍ଯ୍ୟନ୍ତ ମଧ୍ୟ ଘର ପାଇପାରିନାହାନ୍ତି । କିନ୍ତୁ ୧୧ ବର୍ଷ ପରେ ବି ଘର ନମିଳିବାରୁ ସହିଦନଗର ସ୍ଥିତ ବିଲଡର ଅଫିସ ଘେରାଉ କରିଛନ୍ତି ଠକେଇର ଶିକାର ଲୋକ । ପ୍ରାୟ ୪୨ ଜଣ ୮ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକେଇର ଶିକାର ହେବା ପରେ MD ଅନ୍ତର୍ଯ୍ୟାମୀ ବଡୁଙ୍କୁ ଦେଖା କରିବାକୁ ଚାହିଁଥିଲେ । ହେଲେ ଗଣମାଧ୍ୟମ ସହ କ୍ଷତିଗସ୍ତଙ୍କୁ ଅଟକାଇଥିଲେ ସଂସ୍ଥାର ଭଡ଼ାଟିଆ ଗୁଣ୍ଡା । ଯାହାକୁ ନେଇ ବିଲଡର ଅଫିସରେ ସୃଷ୍ଟି ହୋଇଥିଲା ଅଭାବନୀୟ ସ୍ଥିତି ।

ସିଟିକନ ଇଞ୍ଜିନିୟର୍ସ ଲିମିଟେଡ୍ ଏବେ ତା’ର ନାଁ ପରିବର୍ତ୍ତନ କରି ଆରିୟାନ ଇନଫ୍ରା ପ୍ରୋଜେକ୍ଟ ଲିମିଟେଡ଼ କରିଛି । MD ଅନ୍ତର୍ଯ୍ୟାମୀ ବଡୁଙ୍କ ସହ ଆଲୋଚନା ପରେ ସେ ଆଗାମୀ ୪ ମାସ ମଧ୍ୟରେ ଲୋକଙ୍କୁ ଘର ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ହେଲେ ଲୋକଙ୍କ ଅଭିଯୋଗ ହେଉଛି, ମିଛ ପ୍ରତିଶ୍ରୁତି ଦେବାରେ ଧୁରନ୍ଧର ଅନ୍ତର୍ଯ୍ୟାମୀ । ଆପର୍ଟମେଂଟରେ ଫାୟାର ସେଫ୍ଟି, ସ୍ୱିମିଙ୍ଗ ପୁଲ, ପାର୍କିଂ, ମନ୍ଦିରର କୌଣସି କାମ ହୋଇନାହିଁ । ୧୦ ବର୍ଷ ହେଲା କୋଟି କୋଟି ଟଙ୍କାର ସୁଧ ଦେଇ ତଳିତଳାନ୍ତ ହୋଇଥିବା ଗ୍ରାହକ ଆଗକୁ EOW ଓ ରେରାର ଦ୍ବାରସ୍ତ ହେବେ ବୋଲି କହିଛନ୍ତି ।

ଓଡ଼ିଶା ସରକାର-ଏଚଏସଟିପି ମଧ୍ୟରେ ଚୁକ୍ତି, ସୁଦୃଢ଼ ହେବ ସ୍ୱାସ୍ଥ୍ୟ ସେବା

ଭୁବନେଶ୍ୱର: ରାଜ୍ୟରେ ଆହୁରି ସୁଦୃଢ଼ ହେବ ସ୍ୱାସ୍ଥ୍ୟସେବା । ରାଜ୍ୟ ସରକାରଙ୍କ ପରିବାର କଲ୍ୟାଣ ବିଭାଗ ଓ ହେଲ୍ଥ ସିଷ୍ଟମ ଟ୍ରାନ୍ସଫରମେସନ ପ୍ଲାଟଫର୍ମ (ଏଚଏସଟିପି) ମଧ୍ୟରେ ମିଳିତ ସହମତିରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ସ୍ୱାସ୍ଥ୍ୟ ସେବାର ରୂପାନ୍ତରଣ ଏବଂ ସୁଦୃଢ଼ କରିବା ଦିଗରେ ଏହା ସହାୟକ ହେବ । ଏହି ଅବସରରେ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ କହିଛନ୍ତି ସମଗ୍ର ଜନସଂଖ୍ୟାକୁ ସାର୍ବଜନିକ ସ୍ୱାସ୍ଥ୍ୟ କଭରେଜ ଯୋଗାଇବାରେ ଓଡ଼ିଶା ଦ୍ରୁତ ଗତିରେ ଅଗ୍ରଗତି କରୁଛି ।

ଏଚଏସଟିପି, ଭାରତୀୟ ସ୍ୱାସ୍ଥ୍ୟକ୍ଷେତ୍ରରେ ଏକ ନନପ୍ରଫିଟ ସଂସ୍ଥା ଅଟେ ଯାହା ବ୍ୟବସ୍ଥା ପରିବର୍ତ୍ତନ କରିବାରେ ଲକ୍ଷ୍ୟ ରଖିଛି । ଏହି ସଂଗଠନ ଓଡ଼ିଶାର ଲୋକଙ୍କ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ଫଳାଫଳ ବୃଦ୍ଧି ଦିଗରେ ବିଭାଗକୁ ସହଯୋଗ କରିବ । ଉପଲବ୍ଧ ରିପୋର୍ଟରେ ଦର୍ଶାଯାଇଛି ଯେ ସହଯୋଗର ମୂଖ୍ୟ ବିଷୟବସ୍ତୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଯ୍ୟକାରିତାକୁ ଦୃଢ଼ କରିବା, ଜନସ୍ୱାସ୍ଥ୍ୟ ପ୍ରଦାନକାରୀଙ୍କ ଦକ୍ଷତା ବୃଦ୍ଧି, ପ୍ରାଥମିକ ସ୍ୱାସ୍ଥ୍ୟ ସୁବିଧାରେ ଔଷଧର ସୁବିଧା, ନେତୃତ୍ୱ ବିକାଶ କାର୍ଯ୍ୟକ୍ରମ, ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଦୀର୍ଘକାଳୀନ ବିନିଯୋଗ ଯୋଜନା ପ୍ରସ୍ତୁତ କରିବା ଅନ୍ତର୍ଭୁକ୍ତ ରହିଛି ।

ସ୍ୱାସ୍ଥ୍ୟ ପ୍ରଣାଳୀର ଡିଜାଇନ୍, ରଣନୀତି, ଗବେଷଣା ଏବଂ ଉତ୍ସଗୁଡ଼ିକର ଉପଯୋଗକୁ ସର୍ବୋତ୍କୃଷ୍ଟ କରିବା ଉପରେ ଧ୍ୟାନ ଦିଆଯିବ । ଏହି ସହଭାଗୀତା ମଧ୍ୟ ପ୍ରମାଣ ସିନ୍ଥେସିସ୍ ସୃଷ୍ଟି କରିବ ଏବଂ ଧାରଣା ପ୍ରୋଟୋଟାଇପ୍/ ମଡେଲଗୁଡିକ, ସର୍ବୋତ୍ତମ ଅଭ୍ୟାସ ଏବଂ ଉଦ୍ଭାବନରୁ ଶିକ୍ଷଣର ଡକ୍ୟୁମେଣ୍ଟେସନ୍ ବିକାଶ କରିବ । ଫଳରେ ଓଡିଶା ଏବଂ ଭାରତର ଅନ୍ୟାନ୍ୟ ରାଜ୍ୟ ପାଇଁ ମାପଯୋଗ୍ୟ ଏବଂ ସ୍ଥାୟୀ ମଡେଲ ଆଣିପାରେ ।

ନଷ୍ଟ ହେବନି ଖଣ୍ଡିଏ ବି ହାଡ଼, ଏସସିବିରେ ସ୍ଥାପନ ହେବ ବୋନ୍ ବ୍ୟାଙ୍କ୍

କଟକ: ବଡ଼ ମେଡିକାଲରେ ବଡ଼ ବ୍ୟବସ୍ଥା । ନଷ୍ଟ ହେବନି ଖଣ୍ଡିଏ ବି ହାଡ଼ । ଫିଙ୍ଗା ହେବନି କାମରେ ଲାଗିବ । ଏସସିବିରେ ସ୍ଥାପନ ହେବ ବୋନ୍ ବ୍ୟାଙ୍କ୍ । ଏଣିକି ଅସ୍ତ୍ରୋପଚାର ସମୟରେ କୌଣସି ହାଡ଼ ଫୋପଡ଼ା ହେବନି । ଏହାକୁ ଗଚ୍ଛିତ ରଖି ପରବର୍ତ୍ତୀ ସମୟରେ ଅନ୍ୟ ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯିବ । ରାଜ୍ୟରେ ପ୍ରଥମ କରି କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ପ୍ରତିଷ୍ଠା ହେବ ବୋନ୍ ବ୍ୟାଙ୍କ । ଏଥିପାଇଁ ଭିତ୍ତିଭୂମି ପ୍ରସ୍ତୁତ କରାଯାଉଥିବାବେଳେ ଅନୁଧ୍ୟାନ କରିଛି ଡିଏମଇଟି କାର୍ଯ୍ୟାଳୟର ଅସ୍ଥିଶଲ୍ୟ ବିଭାଗ । ଆବଶ୍ୟକ ମେସିନ୍ ଆଣିବାକୁ ଟେଣ୍ଡର ଡକା ସରିଥିବା ଜଣାପଡ଼ିଛି । ଅତ୍ୟାବଶ୍ୟକ ହ୍ୟୁମାନ ଲ୍ୟୁକୋସାଇଟ ଆଣ୍ଟିଜେନ ତଥା ଏଚଏଲଏ ମ୍ୟାଚିଂ ଲାବୋରେଟୋରୀ ଖୋଲିବା ପାଇଁ ମଧ୍ୟ ଉଦ୍ୟମ କରାଯାଉଛି । ଏଭଳି ସ୍ଥଳେ ବୋନ୍ ବ୍ୟାଙ୍କ ପ୍ରତିଷ୍ଠା କରି ହାଡ଼ ପ୍ରତିରୋପଣ ପାଇଁ ପ୍ରସ୍ତୁତ ହେଉଛି ଏସସିବି ।

ଏଯାଏ ଓଡ଼ିଶାରେ ବୋନ୍ ବ୍ୟାଙ୍କ ନାହିଁ । ଟାଟା ମେମୋରିଆଲ, ଦିଲ୍ଲୀ ଏମ୍ସ, ଚେନ୍ନାଇର କିଛି ଘରୋଇ ହସପିଟାଲରେ ଏହି ବ୍ୟବସ୍ଥା ରହିଛି । ଦୁର୍ଘଟଣା, ଟ୍ୟୁମର କିମ୍ବା କର୍କଟ ରୋଗୀଙ୍କ ଶରୀରର ବିଭିନ୍ନ ଅଙ୍ଗରୁ ହାଡ଼କୁ ଅସ୍ତ୍ରୋପଚାରରେ କାଟି ବାହାର କରିଦିଆଯାଏ । ସାଧାରଣତଃ ଏହାକୁ ଫିଙ୍ଗି ଦିଆଯାଇଥାଏ । ମାତ୍ର ହାଡ଼କୁ ନଫୋପାଡ଼ି ସଦୁପଯୋଗ କରିବାକୁ ନିଆରା ପଦକ୍ଷେପ ନିଆଯାଇଛି । ହାଡ଼କୁ ବୋନ୍ ବ୍ୟାଙ୍କରେ ଗଚ୍ଛିତ ରଖି ପରବର୍ତ୍ତୀ ସମୟରେ ଅନ୍ୟ ରୋଗୀଙ୍କ ଶରୀରରେ ବ୍ୟବହାର କରାଯିବ । ଏସସିବିରେ ଏହା ପ୍ରତିଷ୍ଠା ହେଲେ ରୋଗୀଙ୍କୁ ଆଉ ରାଜ୍ୟ ବାହାରକୁ ଯିବାକୁ ପଡ଼ିବ ନାହିଁ ।

ମୋହନା ହାଇସ୍କୁଲ ପଡ଼ିଆରେ ଲୋକଙ୍କ ସମସ୍ୟା ଶୁଣିଲେ 5T ସଚିବ, ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

ଗଜପତି: ଦୁଇ ଦିନିଆ ଗଜପତି ଗସ୍ତରେ 5T ସଚିବ ଭି.କେ ପାଣ୍ଡିଆନ । ମୋହନାରେ ପହଞ୍ଚି ବିଭିନ୍ନ ସଂଗଠନ, ଗୋଷ୍ଠୀ ଓ ଲୋକଙ୍କ ସହ ଆଲୋଚନା କରିବା ସହ ସେମାନଙ୍କଠାରୁ ସ୍ମାରକପତ୍ର ଗ୍ରହଣ କରିଛନ୍ତି 5T ସଚିବ । ଲୋକଙ୍କ ସହ ସମସ୍ୟା ନେଇ ଆଲୋଚନା କରିଛନ୍ତି । ଲୋକଙ୍କଠୁ ସମସ୍ୟା ସମ୍ପର୍କରେ ଅବଗତ ହୋଇ ସମାଧାନ ପ୍ରତିଶ୍ରୁତି ଦେଇଛନ୍ତି । ବ୍ରହ୍ମପୁରରୁ ମୋହନା ଦେଇ ଜୟପୁର ଯାଏ ହେବ ଏକ୍ସପ୍ରେସ ଓ୍ୱେ-୨ । ‘୩ ବର୍ଷରେ ସରିବ ବିଜୁ ଏକ୍ସପ୍ରେସ ଓ୍ୱେ-୨ର ନିର୍ମାଣ । ଏହାଦ୍ବାରା ମୋହନାବାସୀ ବେଶୀ ଉପକୃତ ହେବେ । ୩ ଘଣ୍ଟା ବଦଳରେ ୪୫ମିନିଟରେ ବ୍ରହ୍ମପୁରରେ ପହଞ୍ଚିବେ ଯାତ୍ରୀ । ସେହିପରି ରାୟଗଡ଼ା ଯିବାକୁ ୪ ଘଣ୍ଟା ବଦଳରେ ଦେଢ଼ ଘଣ୍ଟା ଲାଗିବ । ପରେ ମୋହନାର ଜିରାଙ୍ଗରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରୁଛନ୍ତି 5T ସଚିବ ।

ତାପରଙ୍ଗ ଜଙ୍ଗଲରେ ନକ୍ସଲ-ପୋଲିସ ଗୁଳି ବିନିମୟ ଘଟଣା, ଏୟାରଲିଫ୍ଟ ହେଲେ ଆହତ ଡିଏସପି

ଭୁବନେଶ୍ୱର: କଳାହାଣ୍ଡି ଏମ. ରାମପୁର ତାପରଙ୍ଗ ଜଙ୍ଗଲରେ ନକ୍ସଲ-ପୋଲିସ ଗୁଳି ବିନିମୟ ଘଟଣା । ଏୟାରଲିଫ୍ଟ ହେଲେ ଆହତ ଡିଏସପି । ଏୟାରଲିଫ୍ଟରେ ଭୁବନେଶ୍ୱର ଆଣିବା ପରେ ଗ୍ରୀନ୍ କରିଡରରେ ଏମ୍ସ ନିଆଯାଇଛି । ନକ୍ସଲଙ୍କ ସହ ଗୁଳି ବିନିମୟ ସମୟରେ ଡିଏସପିଙ୍କ ଗୋଡ଼ରେ ଦୁଇଟି ଗୁଳି ବାଜିଛି ବୋଲି ପ୍ରତିକ୍ରିୟା ରଖିଛନ୍ତି ଏଡିଜି ଅପରେସନ୍ ଅମିତାଭ୍ ଠାକୁର । ତେବେ ଏବେ ବି ତାପରଙ୍ଗ ଜଙ୍ଗଲରେ ଏସପିଙ୍କ ନେତୃତ୍ୱରେ ସର୍ଚ୍ଚ ଅପରେସନ ଚାଲିଛି । ତେବେ ଏହି ସର୍ଚ୍ଚ ଅପରେସନରେ AK-47 ସହ ବିଭିନ୍ନ ଅସ୍ତ୍ରଶସ୍ତ୍ର ମିଳିଛି । ସୁରକ୍ଷାକର୍ମୀଙ୍କ ସହ ଗୁଳିକାଣ୍ଡରେ ୩ ମାଓବାଦୀ ନିହତ ହୋଇଛନ୍ତି । ମୃତ ମାଓବାଦୀମାନେ ଛତିଶଗଡ଼ କ୍ୟାଡର ବୋଲି ସନ୍ଦେହ କରାଯାଉଛି ।