ପୁଣେ-ମୁମ୍ବାଇ ଏକ୍ସପ୍ରେସୱେରେ ତେଲ ଟ୍ୟାଙ୍କରରେ ଭୀଷଣ ଅଗ୍ନିକାଣ୍ଡ, ୪ ମୃତ

1 min read

ମୁମ୍ବାଇ: ପୁଣେ-ମୁମ୍ବାଇ ଏକ୍ସପ୍ରେସୱେରେ ବଡ଼ ଧରଣର ଦୁର୍ଘଟଣା ଘଟିଛି । ଦୁର୍ଘଟଣାଗ୍ରସ୍ତ ତୈଳ ଟ୍ୟାଙ୍କରରେ ନିଆଁ ଲାଗିଯିବା କାରଣରୁ ୪ଜଣଙ୍କ ମୃତ୍ୟୁ ହୋଇଯାଇଛି ଏବଂ ୩ଜଣ ଆହତ ହୋଇଛନ୍ତି । ପୋଲିସ ମଙ୍ଗଳବାର ଏହି ସୂଚନା ଦେଇଛି । ଜଣେ ଅଧିକାରୀ କହିଛନ୍ତି ଯେ ଲୋନାୱାଲା ଏବଂ ଖଣ୍ଡାଲା ମଧ୍ୟରେ ଏହି ଘଟଣା ଘଟିଛି । ଟ୍ୟାଙ୍କରରେ କୌଣସି ରସାୟନିକ ପଦାର୍ଥ ଥିବା କୁହାଯାଇଛି । ସେ କହିଛନ୍ତି ଯେ ଦୁର୍ଘଟଣା ହେବାପରେ ଟ୍ୟାଙ୍କରରେ ନିଆଁ ଲାଗିଯାଇଥିଲା ଏବଂ ରସାୟନରେ ବିସ୍ପୋରଣ ହେବା କାରଣରୁ ଏଥିରୁ ଅଙ୍ଗାର ଏଣେ ତେଣେ ଛିଟିକି ପଡ଼ିଥିଲା ।

ରାସ୍ତାରେ ଯାଉଥିବା ଲୋକଙ୍କ ଉପରେ ମଧ୍ୟ ନିଆଁ ଅଙ୍ଗାର ପଡ଼ିଥିଲା । ନିଆଁ ଏତେ ଭୟଙ୍କର ଥିଲା ଯେ ଏହାର ପ୍ରଭାବରେ ଆସିଥିବା ଲୋକଙ୍କୁ ରକ୍ଷା ପାଇବାକୁ ସୁଯୋଗ ମିଳିନଥିଲା । ଲୋନାୱାଲା ଥାନାର ଜଣେ ଅଧିକାରୀ କହିଛନ୍ତି ଯେ ରାସ୍ତାରେ ଯାଉଥିବା ୩ ଗାଡ଼ି ଚାଳକ ଏଥିରେ ଆହତ ହୋଇଛନ୍ତି ଏବଂ ୪ ଜଣଙ୍କ ମୃତ୍ୟୁ ହୋଇଯାଇଛି । ସେ କହିଛନ୍ତି ମୃତକଙ୍କ ମଧ୍ୟରେ ଜଣେ ଲୋକ ଟ୍ୟାଙ୍କରର କର୍ମଚାରୀ ଥିଲେ । ସେହିପରି ଟ୍ୟାଙ୍କରର ଅନ୍ୟ ଦୁଇଜଣ ଲୋକ ଆହତ ହୋଇଛନ୍ତି । ଅଧିକାରୀ କହିଛନ୍ତି ଯେ ଆହତଙ୍କୁ ହସ୍ପିଟାଲ ପଠାଯାଇଛି ଏବଂ ନିଆଁକୁ ଆୟତ୍ତ କରାଯାଇଛି ।