ରଥଯାତ୍ରା ନେଇ ପୋଲିସ ଡିଜିଙ୍କ ସମୀକ୍ଷା ବୈଠକ, ସୁରକ୍ଷାରେ ମୁତୟନ ହେବେ ୧୬୦ ପ୍ଲାଟୁନ ପୋଲିସ ଫୋର୍ସ

ଭୁବନେଶ୍ୱର: ରଥଯାତ୍ରା ପାଇଁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲଙ୍କ ଅଧ୍ୟକ୍ଷତାରେ ଏସପିଙ୍କ କାର୍ଯ୍ୟଳୟରେ ବରିଷ୍ଠ ପୋଲିସ ପଦାଧିକାରୀଙ୍କୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗତବର୍ଷ ଭଳି ଚଳିତବର୍ଷ ରଥଯାତ୍ରାକୁ ଶାନ୍ତିଶୃଙ୍ଖଳା ଓ ସୁରୁଖୁରୁରେ ଶେଷ କରିବା ପୋଲିସ ପ୍ରଶାସନ ପାଇଁ ବଡ ଚ୍ୟାଲେଞ୍ଜ । ଶାନ୍ତିଶୃଙ୍ଖଳାର ସହ ରଥଯାତ୍ରା କେମିତି ହୋଇପାରିବ ସେଦିଗରେ ଆଲୋଚନା ହୋଇଥିଲା । ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ବ୍ୟବସ୍ଥା ପୋଲିସ ପକ୍ଷରୁ କରାଯାଇଛି । ପହଣ୍ଡି, ରଥଟଣା, ଜନଗହଳି ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା, ଭିଭିଆଇପିଙ୍କ ସୁରକ୍ଷା ପାଇଁ ୧୬୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ପୂର୍ବବର୍ଷ ଭଳି ସମସ୍ତଙ୍କ ସହଯୋଗରେ ରଥଯାତ୍ରା ସୁରୁଖୁରୁରେ ଶେଷ ହେବ ବୋଲି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ କହିଛନ୍ତି । ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା, ଅତିରିକ୍ତ ଡିଜି ରାଧାକୃଷ୍ଣ ଶର୍ମା, ଏଡିଜି ସଞ୍ଜୟ କୁମାର, ଅମିତାଭ ଠାକୁର, ଅମେତେନ୍ଦ୍ର ନାଥ ସିହ୍ନା, ଆଶିଷ ସିଂହ, ଅଖିଳେଶ୍ୱର ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।