ରଥଯାତ୍ରାରୁ ଭଲ ଅନୁଭୂତି ନେଇ ଫେରନ୍ତୁ ଭକ୍ତ, ସମସ୍ତଙ୍କ ସହଯୋଗରେ ଶୃଙ୍ଖଳିତ ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର: ରଥଯାତ୍ରା ସୁରୁଖୁରରେ କରିବା ଆମ ଦାୟିତ୍ୱ । ସମସ୍ତଙ୍କ ସହଯୋଗରେ ଶୃଙ୍ଖଳିତ ରଥଯାତ୍ରା ଆୟୋଜନ ପାଇଁ ଶେଷ ସମନ୍ବୟ କମିଟି ବୈଠକରେ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦେଶ ବିଦେଶରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଉପସ୍ଥିତି ରହିବେ। ବାହାରୁ ଆସୁଥିବା ଭକ୍ତମାନେ ଯେପରି ଭଲ ଅନୁଭୁତି ନେଇ ଫେରିବେ ତାହା ଉପରେ ଦୃଷ୍ଟି ଦେବା ଦରକାର। ସମସ୍ତଙ୍କ ସେବା ଓ ସମର୍ପଣ ମନୋଭାବ ଏହାକୁ ସଫଳ କରିବ। ମହାପ୍ରଭୁଙ୍କ ଆଶୀର୍ବାଦ ସବୁବେଳେ ରହିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେହିପରି ସବୁ ବିଭାଗ ପକ୍ଷରୁ ସଂଯୁକ୍ତ ଭାବେ କାମ କରାଯାଉଛି। ମିଳିତ ସହଯୋଗରେ ସୁଚାରୁ ରୂପେ ରଥଯାତ୍ରା ଆୟୋଜନ ଉପରେ ଗୁରୁତ୍ୱ ଦିଆଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ ଦାଶ କହିଛନ୍ତି। ଠିକ୍ ସମୟରେ ନୀତିକାନ୍ତି ସାରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ୧୫ତାରିଖ ସୁଦ୍ଧା ପରିକ୍ରମା ମାର୍ଗ ଖୋଲିବ। ସବୁ ପ୍ରସ୍ତୁତି ସରିଛି, ତେଣୁ ମନରୁ ଦ୍ୱନ୍ଦ୍ୱ ଦୂର କରିଦେବା ଦରକାର ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି। ଶେଷ ସମନ୍ବୟ କମିଟି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଆଇନ ମନ୍ତ୍ରୀ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ, ଶକ୍ତି ମନ୍ତ୍ରୀ, ଗୃହ ରାଷ୍ଟ୍ର ମନ୍ତ୍ରୀ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଯୋଗଦେଇଥିଲେ। ବୈଠକରେ ପୋଲିସ ଡିଜି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଆଇନଶୃଙ୍ଖଳା ଏଡିଜିଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ ।