ଯୌତୁକ ମାଗିବାରୁ ମଙ୍ଗଳ ସୂତ୍ର ଓହ୍ଲାଇଲେ ନବ ବଧୂ

କନ୍ଧମାଳ: ଯୌତୁକ ମାଗିବାରୁ ମଙ୍ଗଳ ସୂତ୍ର ଓହ୍ଲାଇଲେ ନବ ବଧୂ । ବର ବାଇକ ମାଗିବାରୁ ମଙ୍ଗଳ ସୂତ୍ର ଓ ଶଙ୍ଖା ଚୁଡ଼ି ଖୋଲିଦେଇ ବାପା ଘରକୁ ଫେରିଗଲା ନବ ବିବାହିତା । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ତୁମୁଡ଼ିବନ୍ଧ ଥାନା ସୁରୁପଦରର ଦୁର୍ଗମ ଇଲାକାର ଝିଅ ଦେବକୀ ଦିଗାଲ ଗତ ୯ ତାରିଖରେ ବାଲିଗୁଡ଼ା ଥାନା ବରିକିଆ ଗ୍ରାମର ଅର୍ଜୁନ ଦିଗାଲ ନାମକ ଯୁବକଙ୍କୁ ବିବାହ କରିଥିଲେ । ପରେ କନ୍ୟା ପକ୍ଷ ଲୋକେ ବର ଘରକୁ ଆସିଥିବା ସମୟରେ ଯୌତୁକରେ ବାଇକ ଦେବାକୁ ବର ଦାବି କରିଥିଲା । ଆଉ ଏହି ସମୟରେ ନବବଧୂ ଯୌତୁକକୁ ବିରୋଧ କରିବା ସହ ସମସ୍ତଙ୍କ ଆଗରେ ମଙ୍ଗଳ ସୂତ୍ର ସହ ଶଙ୍ଖା ଚୁଡ଼ି ଖୋଲି ଦେଇ ବାପା ଘରକୁ ଚାଲି ଯାଇଥିଲେ । ଦୁର୍ଗମ ଇଲାକାରେ ବସବାସ କରୁଥିବା ଝିଅର ଏଭଳି ନିଷ୍ପତି ସହ ତା’ର ସାହସକୁ ନେଇ ଏବେ ଚର୍ଚ୍ଚାରେ ଜୋର ଧରିଛି । ଅନ୍ୟପଟେ ବର ଘର ଲୋକେ ଯୌତୁକରେ ବାଇକ ମାଗିବା ଘଟଣା ମିଛ ବୋଲି କହିବା ସହ ଆମକୁ ଆମ ବୋହୂ ଦରକାର ବୋଲି କହିଛନ୍ତି ।