spot_img
Home Blog Page 3270

କର୍ଣ୍ଣାଟକ ନିର୍ବାଚନ ଜିତିବା ପରେ ରାହୁଲଙ୍କ ଟ୍ରକ ଯାତ୍ରା, ଡ୍ରାଇଭରଙ୍କ ସହ କଲେ ଆଲୋଚନା

ବେଙ୍ଗାଲୁରୁ: କର୍ଣ୍ଣାଟକ ନିର୍ବାଚନ ଜିତିବା ପରେ ରାହୁଲଙ୍କ ଟ୍ରକ ଯାତ୍ରା । ଦିଲ୍ଲୀରୁ ସିମଲା ଯାଉଥିବା ବେଳେ ଅମ୍ବାଲାରୁ ଚଣ୍ଡିଗଡ଼ ଯାଏଁ ଟ୍ରକରେ ଯାତ୍ରା କରିଛନ୍ତି ରାହୁଲ ଗାନ୍ଧୀ । ସୋମବାର ରାତିର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ସାଧାରଣ ଲୋକଙ୍କ ସହ ରାହୁଲଙ୍କ ଏହି ଭେଟଘାଟକୁ ୟୁଜର୍ସ ବେଶ୍ ପସନ୍ଦ ମଧ୍ୟ କରୁଛନ୍ତି । ଟ୍ରକରେ ଯାତ୍ରା ବେଳେ ରାହୁଲ ଡ୍ରାଇଭରମାନଙ୍କ ସହ ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା ମଧ୍ୟ କରିଛନ୍ତି । କଂଗ୍ରେସର ବହୁ ନେତା ରାହୁଲଙ୍କ ଏହି ଭିଡିଓ ସେୟାର କରିବା ସହ ପୂରା ଦେଶ ରାହୁଲଙ୍କ ସହ ଚାଲୁଛି ବୋଲି କହିଛନ୍ତି । ଟ୍ରକରେ ଯାତ୍ରା ପୂର୍ବରୁ ନୂଆ ସଂସଦ ଭବନ ଉଦଘାଟନକୁ ନେଇ କେନ୍ଦ୍ରକୁ ଟାର୍ଗେଟ କରିଥିଲେ ରାହୁଲ । ରାଷ୍ଟ୍ରପତିଙ୍କ ଦ୍ବାରା ସଂସଦ ଭବନ ଲୋକାର୍ପଣ କରିବା କଥା ବୋଲି ସେ ଟୁଇଟ କରିଥିଲେ ।

୨୦୨୨ ସେପ୍ଟେମ୍ବରରୁ ରାହୁଲ କନ୍ୟାକୁମାରୀରୁ କାଶ୍ମୀର ଯାଏଁ ଭାରତ ଯୋଡ ଯାତ୍ରା କରିଥିଲେ । ୧୩୬ ଦିନର ଏହି ଯାତ୍ରାରେ ୪ ହଜାର କିଲୋମିଟରରୁ ଅଧିକ ଦୂର ପଦଯାତ୍ରା କରିଥିଲେ ରାହୁଲ । ଭାରତ ଯୋଡ଼ ଯାତ୍ରା ପରେ ସାରାଦେଶରେ ରାହୁଲଙ୍କ ଛବିରେ ଅନେକ ସକାରାତ୍ମକ ପରିବର୍ତ୍ତନ ହୋଇଥିବା ପରିଲକ୍ଷିତ ହୋଇଛି । କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ସ୍ପଷ୍ଟ ବହୁମତ ଏହାର ଏକ ଉଦାହରଣ । ଦକ୍ଷିଣ ଭାରତର ଦୁର୍ଗରେ କଂଗ୍ରେସକୁ ଜନତାଙ୍କ ଦୃଢ଼ ସମର୍ଥନ ମିଳିବା ପରେ ଅନ୍ୟ ରାଜ୍ୟରେ ହେବାକୁ ଥିବା ବିଧାନସଭା ଓ ୨୦୨୪ ଲୋକସଭାରେ ବିଜୟୀ ହେବାକୁ କଂଗ୍ରେସ ପ୍ରୟାସ ଚଳାଇଛି ।

ଆରପାରିରେ RRRର ଖଳନାୟକ ରେ. ଷ୍ଟିବେନସନ, ୫୮ ବର୍ଷ ବୟସରେ ପରଲୋକ

ନୂଆଦିଲ୍ଲୀ: ଓସ୍କାର ବିଜେତା ଫିଲ୍ମର ଖଳନାୟକଙ୍କ ପରଲୋକ । ଏସଏସ ରାଜମୌଳୀଙ୍କ ବ୍ଲକ ବଷ୍ଟର ଫିଲ୍ମ RRRର ଖଳନାୟକ ରେ. ଷ୍ଟିବେନସନଙ୍କର ନିଧନ ହୋଇଛି । ୫୮ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିବା ନେଇ  ରେ’ଙ୍କ  ପିଆର ଏଜେନ୍ସି ଇଣ୍ଡିପେଣ୍ଡେଣ୍ଟ ଟାଲେଣ୍ଟ ସୂଚନା ଦେଇଛି । ଆରଆରଆର୍ ଫିଲ୍ମର ଖଳନାୟକ ଭୂମିକରେ ଷ୍ଟିବେନସନଙ୍କ ଭୂମିକା ଦର୍ଶକଙ୍କୁ ବେଶ ପ୍ରଭାବିତ କରିଥିଲା । ଏହି ଫିଲ୍ମ ମଧ୍ୟ ସାରା ଦୁନିଆରେ ଦର୍ଶକଙ୍କ ହୃଦୟଙ୍କୁ ଛୁଇଁପାରିଥିଲା । ଏକାଧିକ ହଲିଉଡ୍ ଫିଲ୍ମରେ ମଧ୍ୟ ଷ୍ଟିବେନସନ୍ ଅଭିନୟ କରିଛନ୍ତି । ବିଶେଷ କରି ଐତିହାସିକ ଫିଲ୍ମ  ୧୨୪୨-ଗେଟୱେ ଟୁ ଦ ୱେଷ୍ଟରେ ଅଭିନୟ କରି ଷ୍ଟିବନସନ ବେଶ ଚର୍ଚ୍ଚାକୁ ଆସିଥିଲେ ।

ଏହାବ୍ୟତୀତ ଡିଜନୀ ପ୍ଲସ ହଟଷ୍ଟାରରେ ଧାରାବାହିକ ଅଶୋକାରେ ଅଭିନୟ କରିବାକୁ ତାଙ୍କୁ କାଷ୍ଟ କରାଯାଇଥିଲା । ଅଭିନେତା ରେ ଷ୍ଟିବେନସନ ୧୯୬୪ ମସିହାରେ ଆୟରଲ୍ୟାଣ୍ଡରେ ଜନ୍ମଗ୍ରହଣ କରିଥିଲେ । ୧୯୯୦ରେ ସେ ଫିଲ୍ମ ଦୁନିଆରେ ପାଦ ରଖିଥିଲେ । ସେ ୟୁରୋପୀୟ ଫିଲ୍ମ ଓ ସିରିଜରେ କ୍ୟାରିୟର କରିବା ଆରମ୍ଭ କରିଥିଲେ । ୧୯୯୮ରେ ସେ ତାଙ୍କର ପ୍ରଥମ ଫିଲ୍ମ ଦ ଥିଓରୀ ଅଫ୍ ଫ୍ଲାଇଟ୍ ରିଲିଜ ହୋଇଥିଲା । ଏହାପରେ ପରେ କିଙ୍ଗ୍ ଆର୍ଥର, ଦ ବୁକ୍ ଅଫ୍ ଏଲୀ ଏବଂ ଦ ଅଦର ଗାଏ ଭଳି ଫିଲ୍ମରେ ତାଙ୍କୁ ଦେଖିବାକୁ ମିଳିଥିଲା ।

ଆଜିଠୁ ମାଟ୍ରିକ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ, ଅନଲାଇନରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ

କଟକ: ଆଜିଠୁ ମାଟ୍ରିକ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ କରିବେ ଛାତ୍ରଛାତ୍ରୀ । ଯେଉଁ ଛାତ୍ରଛାତ୍ରୀ ଫଳାଫଳକୁ ନେଇ ଅସନ୍ତୁଷ୍ଟ ଥିବେ ସେମାନେ କୌଣସି ବିଷୟରେ କମ୍ ମାର୍କ ରହିଛି ବୋଲି ଭାବୁଥିବେ, ସେହି ଛାତ୍ରଛାତ୍ରୀମାନେ ପୁଣି ନିଜ ପରୀକ୍ଷା ଖାତା ଯାଞ୍ଚ କରିପାରିବେ । ଅନଲାଇନରେ ଆବେଦନ କରିହେବ । ସବଜେକ୍ଟିଭ ଓ ଅବଜେକ୍ଟିଭ ବିଷୟରେ ଯାଞ୍ଚ ଓ ପରୀକ୍ଷା ଖାତା ନକଲ ନେବା ପାଇଁ ଦେୟ ଦେବାକୁ ପଡ଼ିବ ।

ବୋର୍ଡ ୱେବସାଇଟରେ ଆବେଦନ କରିବାର ସମସ୍ତ ନିୟମାବଳୀ ଉପଲବ୍ଧ ରହିଛି । ଆସନ୍ତା ଜୁନ୍ ୬ ତାରିଖ ଯାଏ ଅନଲାଇନରେ ଆବେଦନ ପ୍ରକ୍ରିୟା ଚାଲିବ । ଫି’ ଓ ଆବେଦନପତ୍ର ଦାଖଲ କରିବାର କିଛି ଦିନ ମଧ୍ୟରେ ବୋର୍ଡ କର୍ତ୍ତୃପକ୍ଷ ସଂଶୋଧିତ ମାର୍କସିଟ୍ ପ୍ରଦାନ କରିବେ । ଖାତାର ଅବିକଳ ନକଲ ଆବେଦନକାରୀମାନେ ବୋର୍ଡ ୱେବସାଇଟରୁ ଡାଉନଲୋଡ କରିପାରିବେ । ଅନ୍ୟପଟେ ସଂସ୍କୃତ, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟର ପରୀକ୍ଷାର୍ଥୀ ବୋର୍ଡରେ ଅଫଲାଇନ ଆବେଦନ କରିବେ ।

ଭଟଲି ଥାନା ଝିକିଝିକି ଗାଁରେ ବିଭତ୍ସ ହତ୍ୟାକାଣ୍ଡ, ଗୋଟି, ପରିବାରର ୪ ଜଣଙ୍କୁ ହତ୍ୟା

ବରଗଡ଼: ବରଗଡ଼ ଜିଲ୍ଲା ଭଟଲି ଥାନା ଝିକିଝିକି ଗ୍ରାମରେ ଜଘନ୍ୟ ହତ୍ୟାକାଣ୍ଡ । ଗୋଟିଏ ପରିବାରର ୪ ଜଣଙ୍କୁ ଲୁହା ଛଡ଼ରେ ପିଟିପିଟି ହତ୍ୟା କରିଛି ଦାଦା । ଅଭିଯୁକ୍ତ ଦାଦା ଶିବ ବାଗ ନିଜେ ନିଜ ପୁତୁରା ଗୁରୁଦେବ ବାଗ, ଗୁରୁଦେବଙ୍କ ସ୍ତ୍ରୀ ଶିବାଗ୍ରୀ ଓ ସେମାନଙ୍କ ପୁଅ ଚୁଡାମଣି ଓ ଝିଅ ଶ୍ରାବଣୀଙ୍କୁ ହତ୍ୟା କରିଛି । ହତ୍ୟାକାରୀ ଦାଦା ଶିବ ବାଗକୁ ଗିରଫ କରିଛି ଭଟଲି ପୋଲିସ । ଘର ଭିତରେ ୪ ଜଣଙ୍କ ମୃତଦେହ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ ଗ୍ରାମବାସୀ ।

ଖବର ପାଇ ଭଟଲି ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲା । ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଗୁରୁଦେବ ଓ ଦାଦା ଶିବ ବାଗ ମଧ୍ୟରେ ଗଣ୍ଡଗୋଳ ଲାଗି ରହିଥିଲା । ଶିବ ବାଗକୁ ପୋଲିସ ପଚରାଉଚରା କରିବା ପରେ ସେ ନିଜେ ଏଭଳି କାଣ୍ଡ ଭିଆଇଥିବା ସ୍ବୀକାର କରିଛି ।

 

ପୂଜା ପାଣି ଛିଞ୍ଚି ଦେବାରୁ ମାଆକୁ ହାଣିଦେଲା ପୁଅ

ପାରାଦୀପ: ପୂଜା ପାଣି ଛିଞ୍ଚି ଦେବାରୁ ମାଆକୁ ହାଣିଦେଲା ପୁଅ । ପାରାଦୀପ ଭୂତମୁଣ୍ଡାଇ ଗାଁ କୁମ୍ଭାରସାହିରେ ବୀଭତ୍ସ ହତ୍ୟା । ସାମାନ୍ୟ କଥାରୁ ମାଆକୁ ହାଣିଦେଲା ମାନସିକ ବିକୃତ ପୁଅ । ମୃତ ମା’ ସୁଲୋଚନା ଦେବୀ ନୂଆଗଡ଼ ସ୍କୁଲର ଶିକ୍ଷୟିତ୍ରୀ । ସକାଳୁ ପୂଜା ସାରି ପୁଅ ଅଂଶୁମାନ ଉପରକୁ ପୂଜା ପାଣି ଛିଞ୍ଚିଥିଲେ । ଏଥିରେ ରାଗିଯାଇ ପୁଅ ଅଂଶୁମାନ ମାଆର ମୁଣ୍ଡକୁ ହାଣି ଦେଇଥିଲା । ଅଂଶୁମାନ ସୁଲୋଚନାଙ୍କ ସାନ ପୁଅ । ଘଟଣାସ୍ଥଳରେ ଲକ୍ ଥାନା ପୋଲିସ ଓ ପାରାଦୀପ ଅତିରିକ୍ତ ଏସପି ପହଞ୍ଚି ତଦନ୍ତ କରୁଛନ୍ତି । ସାଇଣ୍ଟିଫିକ ଟିମ୍କୁ ଖବର ଦିଆଯାଇଛି।

ସକାଳ ୫.୩୦ ମଧ୍ୟରେ ଏହି ବିଭତ୍ସ ହତ୍ୟାକାଣ୍ଡ ଘଟାଇଛି ଅଂଶୁମାନ। ଏକ କଟୁରୀରେ ସୁଲୋଚନାଙ୍କ ମୁଣ୍ଡକୁ ହାଣି ଟିକ୍ ଟିକ୍ କରିବା ପରେ ଘର ଭିତରକୁ ପଳାଇ କବାଟ ଦେଇଥିଲା। ଘଟଣାସ୍ଥଳରେ ଲକ୍ ଥାନା ପୋଲିସ ପହଞ୍ଚି ଛାତ ଦେଇ ଘର ଭିତରକୁ ପଶି ଅଂଶୁମାନଙ୍କୁ କାବୁ କରିଛି। ତେବେ ଅଂଶୁମାନ ଜଣେ ମେଧାବୀ ଛାତ୍ର ଥିଲେ ଏବଂ ସେ ଇଞ୍ଜିନିୟରିଂ ପଢ଼ିଛନ୍ତି। ଇଞ୍ଜିନିୟରିଂ ସମୟରେ ତାଙ୍କର ମାନସିକ ବିକୃତି ଦେଖା ଦେଇଥିଲା ଏବଂ ଏଥିପାଇଁ ସେ ଦୈନିକ ମେଡିସିନ ଖାଉଥିଲେ। ଗତକାଲି ତାଙ୍କ ଆଇ ମାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଥିବାରୁ, ତାଙ୍କୁ କାର୍ଯ୍ୟ ବ୍ୟସ୍ତତା ଭିତରେ ମେଡିସିନ ଦିଆଯାଇ ନଥିବା ସୂଚନା ମିଳିଛି। ଅଂଶୁମାନକୁ ଥାନାରେ ଅଟକ ରଖାଯାଇଥିବା ବେଳେ, ସାଇଣ୍ଟିଫିକ୍ ଟିମ୍ ତଦନ୍ତ କରିବା ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ।

ଅସାବଧାନତାରୁ ଅଘଟଣ, ହଟମିକ୍ସ ପ୍ଲାଣ୍ଟର ଗରମ ପିଚୁରେ ପଡ଼ି ଡ୍ରାଇଭର ଜୀବନ୍ତ ଦଗ୍ଧ

ରାୟଗଡ଼ା: ଅସାବଧାନତାରୁ ଅଘଟଣ । ହଟମିକ୍ସ ପ୍ଲାଣ୍ଟର ଗରମ ପିଚୁରେ ପଡ଼ି ଡ୍ରାଇଭର ଜୀବନ୍ତ ଦଗ୍ଧ । ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଦୁର୍ଗୀ ବନ୍ଧୁଗୁଡ଼ା ରାସ୍ତା ନିକଟରେ ଏକ ହଟମିକ୍ସ ପ୍ଲାଣ୍ଟର ଗରମ ପିଚୁ କୁଣ୍ଡରେ ପଡ଼ି ଜଣେ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ବିଷମ କଟକ ଥାନା ଅଧୀନର ଦୁର୍ଗୀ ସଦର ପଞ୍ଚାୟତର ଏକ ହଟମିକ୍ସ ପ୍ଲାଣ୍ଟ କାର୍ଯ୍ୟକ୍ଷମ ରହିଥିବା ବେଳେ ଆଜି ଅପରାହ୍ନରେ ଉକ୍ତ ପ୍ଲାଣ୍ଟକୁ ବିଶାଖାପାଟନାମରୁ ଏକ ପିଚୁ ବୋଝେଇ ଟ୍ରକ ଆସିଥିଲା । ଟ୍ରକ ଡ୍ରାଇଭର ପିଚୁ କୁଣ୍ଡରେ ପାଇପ ଯୋଗେ ପିଚୁ ଢାଳୁ ଥିବା ବେଳେ ଅସାବଧାନତା ବଶତଃ ଟ୍ରକ ଡ୍ରାଇଭର ପିଚୁ କୁଣ୍ଡ ଭିତରକୁ ଖସି ପଡ଼ିଥିଲେ ।

ତେବେ ପିଚୁ କୁଣ୍ଡରେ ଗରମ ତରଳ ପିଚୁ ରହିଥିବାରୁ ସେହି କୁଣ୍ଡ ଭିତରେ ହିଁ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଘଟଣା ସଂକ୍ରାନ୍ତରେ ଖବର ପାଇ ବିଷମ କଟକ ପୋଲିସ୍ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀ ପିଚୁ ପ୍ଲାଂଟରେ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି । ବିଷମ କଟକ ପୋଲିସ୍ ଏକ ମାମଲା ରୁଜୁ କରି ଶବ ଜବତ କରିଛି । କେଉଁ ପରିସ୍ଥିତିରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଲା ତା’ର ତଦନ୍ତ ଚଳାଇଛି । ମୃତ ଡ୍ରାଇଭର ଜଣକ ଆନ୍ଧ୍ରପ୍ରଦେଶ ବିଶାଖାପାଟନମ୍ ଅଞ୍ଚଳର ଏ.କ୍ରିଷ୍ଣାରାଜୁ ବୋଲି ଜଣାପଡ଼ିଛି । ମୃତକଙ୍କ ପରିବାର ଆସିବା ପରେ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ।

ଦୀର୍ଘ ୭ ମାସର ଅନ୍ତଃମହାଦେଶୀୟ ଅଭିଯାନ ଶେଷ, ଆଜି ଭାରତୀୟ ନୌସେନାରେ ପୁଣି ସାମିଲ ହେବ INSV ତାରିଣୀ

ନୂଆଦିଲ୍ଲୀ: ଦୀର୍ଘ ୭ ମାସର ଅନ୍ତଃମହାଦେଶୀୟ ଅଭିଯାନ ପରେ ଆଜି ଭାରତୀୟ ନୌସେନାରେ ପୁନଃସାମିଲ ହେବ ଆଇଏନଏସଭି ତାରିଣୀ । ଏହି ଦୀର୍ଘ ଅଭିଯାନରେ ଆଇଏନଏସଭି ତାରିଣୀ ୧୭ ହଜାର ନଟିକାଲ ମାଇଲ ବା ୩୧ ହଜାର ୪୮୪ କିଲୋମିଟର ପଥ ଅତିକ୍ରମ କରିଥିଲା । ଗୋଆସ୍ଥିତ ଇଣ୍ଡିଆ ନାଭାଲ ଓ୍ବାଟରମ୍ୟାନସିପ୍ ଟ୍ରେନିଂ ସେଣ୍ଟରରେ ଏଥିଲାଗି ସ୍ବତନ୍ତ୍ର ଆୟୋଜନ କରାଯାଇଛି ।

ଗତବର୍ଷ ସେପ୍ଟେମ୍ବର ୧୦ରେ ବାହାରିଥିବା ଏହି ଅଭିଯାନରେ ସାମିଲ ହୋଇଥିଲେ ମହିଳା ଲେଫ୍ଟନାଣ୍ଟ କମାଣ୍ଡର ଦିଲନା କେ. ଓ ରୁପା ଏ. ପ୍ରମୁଖ । ଏହି ଜାହାଜ ସାଉଥ ଆଫ୍ରିକାର କେପଟାଉନ ଦେଇ ବ୍ରାଜିଲର ରିଓ ଡି ଜେନେରୋ ଯାଏ ଯାଇଥିଲା । ଅନ୍ତଃମହାଦେଶୀୟ ସମୁଦ୍ରରେ ଏହି ଦୀର୍ଘ ଯାତ୍ରା ନାରୀଶକ୍ତିର ଏକ ବଳିଷ୍ଠ ଉଦାହରଣ ବୋଲି କୁହାଯାଇଛି । ଆଇଏନଏସଭିକୁ ଗ୍ରହଣ କରିବା ଲାଗି ଆୟୋଜିତ ଉତ୍ସବରେ ଉପସ୍ଥିତ ରହିବେ ନୌସେନା ମୁଖ୍ୟ ଆଡମିରାଲ ଆର. ହରିକୁମାର । ଏହି ଅଭିଯାନରେ ସେମାନେ ୫ଟି ଦେଶ, ୪ଟି ଉପମହାଦେଶ, ୩ଟି ସମୁଦ୍ର ଅତିକ୍ରମ କରିଥିଲେ । ୨୦୧୭ରେ ବି ଐତିହାସିକ ନାବିକ ସାଗର ପରିକ୍ରମା ଅଭିଯାନ ହୋଇଥିଲା ଏବଂ ଏଥିରେ ସାମିଲ ଅଫିସରମାନେ ସମସ୍ତେ ମହିଳା ଥିଲେ ।

୧୦୬ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଖୋଲିବ ଏକାଦଶ ଶ୍ରେଣୀ, ୧୦୦ଟିରେ କଳା ଓ ୬ଟିରେ ପଢ଼ାଯିବ ବିଜ୍ଞାନ

ଭୁବନେଶ୍ୱର: ୨୦୨୩-୨୪ ଶିକ୍ଷା ବର୍ଷରେ ରାଜ୍ୟରେ ୧୦୬ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଖୋଲାଯିବ ଏକାଦଶ ଶ୍ରେଣୀ । ଏଥିରୁ ୧୦୦ଟି ବିଦ୍ୟାଳୟରେ କଳା ଓ ୬ଟି ବିଦ୍ୟାଳୟରେ ବିଜ୍ଞାନ ବିଷୟରେ ଶିକ୍ଷାଦାନ ଦିଆଯିବ । ଏହି ବିଦ୍ୟାଳୟଗୁଡ଼ିକରେ ଦୁଇଟି ଲେଖାଏଁ ସେକ୍ସନ ଖୋଲିବାକୁ ନିଷ୍ପତ୍ତି ହୋଇଛି । ପ୍ରତ୍ୟେକ ସେକ୍ସନରେ ୬୪ ଲେଖାଏଁ ମୋଟ୍ ୧୨୮ ଛାତ୍ରଛାତ୍ରୀ ନାମ ଲେଖାଇବେ  । ଏହା ଦ୍ବାରା ୧୦୬ଟି ସରକାରୀ ସ୍କୁଲରେ ମୋଟ ୧୩ ହଜାର ୪୬୮ ସିଟ୍ ନାମ ଲେଖା ପାଇଁ ବୃଦ୍ଧି ପାଇବ । ପ୍ରଧାନଶିକ୍ଷକ ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବା ପାଇଁ ତାଲିମ ଦିଆଯାଇଛି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷାଦାନ ପାଇଁ ଅତିଥି ଶିକ୍ଷକ ନିୟୋଜନ ପ୍ରକ୍ରିୟା ବିଦ୍ୟାଳୟ ସ୍ତରରେ ଚାଲୁ ରହିଛି ।

ଶିକାରୀର ଗୁଳିମାଡ଼ରେ ବନ କର୍ମଚାରୀଙ୍କ ମୃତ୍ୟୁ

ବାରିପଦା: ଶିକାରୀର ଗୁଳିମାଡ଼ରେ ବନ କର୍ମଚାରୀଙ୍କ ମୃତ୍ୟୁ । ଶିମିଳିପାଳ ଅଭୟାରଣ୍ୟ ବାଙ୍ଗରିପୋଷି ରେଞ୍ଜ୍ ଚାକିଡି ବିଟ ଅଞ୍ଚଳରେ ଘଟିଛି ହତ୍ୟାକାଣ୍ଡ । ମୃତକ ହେଲେ ବିମଳ କୁମାର ଜେନା । ଘଟଣାସ୍ଥଳରେ ବାଙ୍ଗିରିପୋଷି ପୋଲିସ ଓ ବନ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଜଙ୍ଗଲ ବିଭାଗର ପାଟ୍ରୋଲିଂ ବେଳେ ସମ୍ପୃକ୍ତି ଶିକାରୀର ବନ୍ଧୁକ ଜବତ କରିଥିଲେ ମୃତ ଫରେଷ୍ଟଗାର୍ଡ । ଏଥିରେ ଉତକ୍ଷିପ୍ତ ହୋଇ ବନ୍ଧୁକ ଛଡ଼ାଇ ଫରେଷ୍ଟଗାର୍ଡଙ୍କୁ ଗୁଳି କରିଥିଲା ଶିକାରୀ । ମୃତ ବିମଳଙ୍କ ପତ୍ନୀ ବି ଜଣେ ଫରେଷ୍ଟ ଗାର୍ଡ । ଉଭୟଙ୍କ ମଧ୍ୟରେ ଫୋନରେ କଥାବାର୍ତ୍ତା ବେଳେ ଦୁର୍ବୃତ୍ତ ଫାୟାରିଂ କରିଥିବା ସୂଚନା ମିଳିଛି ।

ଆଜିଠାରୁ ବଦଳ କରାଯାଇପାରିବ ୨ ହଜାର ଟଙ୍କିଆ ନୋଟ, ବ୍ୟାଙ୍କରେ ଭିଡ଼ ନକରିବାକୁ RBI ଗଭର୍ଣ୍ଣରଙ୍କ ପରାମର୍ଶ

ନୂଆଦିଲ୍ଲୀ: ଆଜିଠାରୁ ବ୍ୟାଙ୍କରେ ୨ ହଜାର ଟଙ୍କିଆ ନୋଟ୍ ବଦଳ କରାଯାଇପାରିବ । ବ୍ୟାଙ୍କରେ ଭିଡ଼ ନକରି ସମୟ ସୁବିଧା ଅନୁସାରେ ନୋଟ ବଦଳାଇବାକୁ ଆରବିଆଇ ଗଭର୍ଣ୍ଣର ପରାମର୍ଶ ଦେଇଛନ୍ତି । ୨ ହଜାର ଟଙ୍କିଆ ନୋଟ୍ ବଜାରରୁ ଫେରିବ । କିନ୍ତୁ ନୋଟ୍ ବୈଧ ରହିବ । ଗ୍ରାହକଙ୍କଠାରୁ ୨ ହଜାର ଟଙ୍କିଆ ନୋଟ୍ ଗ୍ରହଣ କରିବାକୁ ଦୋକାନୀ ମନା କରିପାରିବେ ନାହିଁ । ଏବେ ଏହାର କାରବାର ଚାଲିପାରିବ ବୋଲି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ କହିଛନ୍ତି ।  ଆଗକୁ ବ୍ୟାଙ୍କ ଗୁଡିକ ଆଉ ଦୁଇ ହଜାର ଟଙ୍କିଆ ନୋଟ୍ ଇସ୍ୟୁ କରିବେ ନାହିଁ । ସେଥିପାଇଁ ଆରବିଆଇ ପକ୍ଷରୁ ବ୍ୟାଙ୍କଗୁଡ଼ିକୁ ସ୍ବତନ୍ତ୍ର ଗାଇଡଲାଇନ ଜାରି କରାଯାଇଛି । ୨ ହଜାର ଟଙ୍କିଆ ନୋଟ୍ ବଦଳାଇବା ଓ ଏହାର ବୈଧତାକୁ ନେଇ ଅନେକ ଦ୍ବନ୍ଦ୍ବରହିଥିବା ବେଳେ ଅଯଥାରେ ବ୍ୟାଙ୍କ ନଦୌଡ଼ିବାକୁ ପରାମର୍ଶ ଦିଆଯାଇଛି ।