ଦିବ୍ୟାଙ୍ଗ ବାପାଙ୍କ ସାହାରା ସାଜିଛି କୁନି ଝିଅ; ପିତୃଦିବସରେ ଦେଖନ୍ତୁ ଏହି ନିଆରା ଦୃଶ୍ୟ…

1 min read

ସମ୍ବଲପୁର: ବାପା ତୁମେ ଥକିବନି, ବାପା ତୁମେ ଅସହାୟ ହୋଇ ରହିବନି । ତୁମେ ଚାଲିପାରୁନଥିଲେ କଣ ହେଲା  । ମୁଁ ତୁମ ପାଦ ସାଜିବି, ହାତ ଧରି ବାଟ ଚାଲିବି । ଯେଉଁଠିକୁ ଚାହିଁବ ସେଇଠିକୁ ନେଇଯିବି । ନା ବାଧାଦେବ ଏ ୪୫ ଡିଗ୍ରୀର ଡହଡହ ଖରା ନା ମୋର କୁନି ବୟସ । ପିତୃଦିବସ ଅବସରରେ ସମ୍ବଲପୁର ସାକ୍ଷୀପଡା ଅଞ୍ଚଳରୁ ସାମ୍ନାକୁ ଆସିଛି ବାପା-ଝିଅଙ୍କ ଭଲପାଇବାର ଏମିତି ଏକ ନିଚ୍ଛକ ଦୃଶ୍ୟ।

୪୫ ଡିଗ୍ରୀର ଡହଡହ ଖରାକୁ ଖାତିର ନକରି ବାପାଙ୍କୁ ଟ୍ରାଇସାଇକେଲରେ ଆଗେଇନେଉଛି କୁନି ଝିଅ। ଦିବ୍ୟାଙ୍ଗ ବାପାଙ୍କ ସାହାରା ସାଜି ଏ ସ୍ଥାନରୁ ସେ ସ୍ଥାନକୁ ନେଇଯାଉଛି । ଦର୍ଶକବନ୍ଧୁ ସମ୍ବଲପୁର ଏବେ ରାଜ୍ୟର ସବୁଠୁ ଉତ୍ତପ୍ତ ସହର । ଲଗାତାର ୪୫ଡିଗ୍ରୀ ଉପରେ ରହୁଛି ତାତି  । ଘରୁ ବାହାରିବାକୁ ବି ଡର ଲାଗୁଛି । ରାସ୍ତାଘାଟ ଖାଁ ଖାଁ ଥିବାବେଳେ ଅସହ୍ୟ ଖରାରେ ଝିଅଟି ବାପାଙ୍କୁ ଠେଲିଠେଲି ଆଗକୁ ନେଇଯାଉଛି । କାରଣ ସେ ଜାଣିଛି ଖରାର ଜ୍ବାଳାକୁ ଡରିଗଲେ ସଞ୍ଜକୁ ପେଟର ଜ୍ବାଳା ଡରାଇବ। ଖାସ ସେଇଥିପାଇଁ ମୁହଁରେ ଓଢଣାଟିଏ ଘୋଡ଼େଇ ହୋଇ ବାପାଙ୍କୁ ଆଗକୁ ନେଇଚାଲିଛି।