spot_img
Home Blog Page 3271

ରେସଲରଙ୍କ ସପକ୍ଷରେ ପୁଣି ଚାଷୀ ଜାଗରଣ, ଆଜି ଇଣ୍ଡିଆ ଗେଟ ନିକଟରେ ହେବ ମହମବତି ରାଲି

ନୂଆଦିଲ୍ଲୀ: କୁସ୍ତିଯୋଦ୍ଧା ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ମନମାନି । କୌଣିସି ପ୍ରକାରେ ପଦ ଛାଡ଼ିବାକୁ ନାରାଜ । ସେପଟେ ତେଜିବାରେ ଲାଗିଛି ରେସଲରମାନଙ୍କ ଆନ୍ଦୋଳନ । ରେସଲରମାନଙ୍କୁ ସମର୍ଥନ କରି ଆଜି ଦିଲ୍ଲୀ ଇଣ୍ଡିଆ ଗେଟ୍ ନିକଟରେ ମହମବତି ରାଲି କରିବେ ବହୁ ଖାପ୍ ପଞ୍ଚାୟତ ନେତା ଓ କୃଷକ ସଂଗଠନ ନେତା । ରେସଲରମାନଙ୍କୁ ସମର୍ଥନ ଜଣାଇ ରବିବାର ହରିଆଣାର ରୋହତକରେ ସମବେତ ହୋଇଥିଲେ କୃଷକ ଓ ଅନ୍ୟାନ୍ୟ ବର୍ଗର ନେତା । ମହମବତି ରାଲିରେ ବିଭିନ୍ନ ସଂଗଠନର କର୍ମକର୍ତ୍ତା ସାମିଲ ହେବେ । ଆସନ୍ତା ୨୮ ତାରିଖରେ ନୂଆ ପାର୍ଲାମେଣ୍ଟ ଭବନ ନିକଟରେ ମହିଳା ମହାପଞ୍ଚାୟତ କରିବାକୁ ବି ଘୋଷଣା କରିଛନ୍ତି ସଂଗଠନର ନେତା । ଯୌନ ନିର୍ଯାତନା ଓ ଅପରାଧ ମାମଲାରେ କୁସ୍ତିଯୋଦ୍ଧା ସଂଗଠନ ସଭାପତି ବ୍ରିଜ ଭୂଷଣଙ୍କୁ ହଟାଇବା ଦାବିରେ ଅଟଳ ରହିଛି କୁସ୍ତିଯୋଦ୍ଧା ସଂଗଠନ । ବିନେଶ ଫୋଗଟ, ବଜରଙ୍ଗ ପୁନିଆ, ସାକ୍ଷୀ ମଲିକଙ୍କ ନେତୃତ୍ବରେ ଦିଲ୍ଲୀ ଜନ୍ତର ମନ୍ତରରେ ଏବେ ବି ଜାରି ରହିଛି ଧାରଣା ।

ଗତ ଏପ୍ରିଲରୁ ଚାଲିଥିବା ଏହି ଧାରଣାକୁ କଂଗ୍ରେସ, ଆପ୍ ଓ ବାମପନ୍ଥୀ ଦଳ ସମେତ ବିଭିନ୍ନ ମହଲରୁ ସମର୍ଥନ ଜ୍ଞାପନ କରାଯାଇଛି । ବ୍ରିଜ ଭୂଷଣଙ୍କ ନାମରେ ସଂଗୀନ ଅଭିଯୋଗ ଥିଲେ ବି ତାଙ୍କୁ ଗିରଫ କରାଯାଉନାହିଁ କିମ୍ବା ସେ ପଦ ତ୍ୟାଗ କରୁନାହାନ୍ତି । ବ୍ରିଜ ଭୂଷଣଙ୍କ ବିରୋଧରେ ଦିଲ୍ଲୀ ପୋଲିସକୁ ସୁପ୍ରିମକୋର୍ଟଙ୍କ ନୋଟିସ୍ ପରେ ଗତ ଏପ୍ରିଲ ୨୯ ତାରିଖରେ କୈସରଗଞ୍ଜର ବିଜେପି ସାଂସଦଙ୍କ ବିରୋଧରେ ୨ଟି ମାମଲା ରୁଜୁ ହୋଇଥିଲା । ଏହି ମାମଲାର ତଦନ୍ତ ଲାଗି ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ କରାଯାଇଥିଲା ।

ଆଜିଠୁ ଖୋଲିବ ପାହାଳ ମିଠା ବଜାର, ବର୍ଦ୍ଧିତ ଦରରେ ବିକ୍ରି ହେବ ମିଠା

ଭୁବନେଶ୍ୱର: ଆଜିଠାରୁ ବଢ଼ିବ ମିଠା ଦର । ଗତ ମାସ ୧ ତାରିଖରୁ ଓମଫେଡ୍‌ କ୍ଷୀର ଲିଟର ପ୍ରତି ୪ ଟଙ୍କା ଏବଂ ଗୋଖାଦ୍ୟ ଓ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହୋଇଛି । ତେଣୁ ଭୁବନେଶ୍ବର ଉପକଣ୍ଠ ପାହାଳ ବଜାରକୁ ଛେନା ଯୋଗାଣ କରୁଥିବା ବ୍ୟବସାୟୀ ସଂଘ ମାଧ୍ୟମରେ ଛେନା କିଲୋ ପ୍ରତି ୨୦ ଟଙ୍କା ବୃଦ୍ଧି କରିଛନ୍ତି । ଏଥିପାଇଁ ପାହାଳ ରସଗୋଲା ବ୍ୟବସାୟୀ ସଂଘର ସଭାପତି ଅକ୍ଷୟ କୁମାର ଲେଙ୍କାଙ୍କ ଅଧ୍ୟକ୍ଷତାରେ ରାଧାବଲ୍ଲଭ ମନ୍ଦିର ପ୍ରାଙ୍ଗଣରେ ବ୍ୟବସାୟୀଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ସର୍ବସମ୍ମତିକ୍ରମେ ବିଭିନ୍ନ ମିଠାରେ ବର୍ଦ୍ଧିତ ଦର ଲାଗୁ ହେବ ବୋଲି ସ୍ଥିର କରାଯାଇଛି । ୫ ଟଙ୍କିଆ ମିଠା ୬ ଟଙ୍କା, ୧୦ ଟଙ୍କିଆ ମିଠା ୧୨ ଟଙ୍କା, ୨୦ ଟଙ୍କିଆ ୨୫ ଟଙ୍କା, ଛେନାଗଜା କେଜି ପ୍ରତି ୨୨୦ ଟଙ୍କା ଓ ଛେନାପୋଡ଼ା  କେଜି ପ୍ରତି ୨୮୦ ଟଙ୍କା ସ୍ଥିର କରାଯାଇଛି । ସଂଘରେ ପ୍ରାୟ ୭୦ଟି ମିଠା ବ୍ୟବସାୟ ପ୍ରତିଷ୍ଠାନ ରହିଛି । ଦୈନିକ ପ୍ରାୟ ୪ ଟନ୍ ଛେନାରେ ମିଠା ପ୍ରସ୍ତୁତ କରାଯାଇ ଓଡ଼ିଶାର ପ୍ରାୟ ୨୦ରୁ ଉର୍ଦ୍ଧ୍ୱ ଜିଲ୍ଲାର ବିଭିନ୍ନ ସହରକୁ ଏଠାରୁ ପଠାଯାଇଥାଏ । ଏଥିପାଇଁ ୨୦ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ମିଠା ବ୍ୟବସାୟ ବନ୍ଦ କରିବାକୁ ବ୍ୟବସାୟୀ ସଂଘ ନିଷ୍ପତ୍ତି ନେଇଥିଲା ।

ଦାନା ବାନ୍ଧୁଛି ବିରୋଧୀ ଏକତା, ଆଜି ମମତା ବାନାର୍ଜୀଙ୍କୁ ଭେଟିବେ କେଜ୍ରିଓ୍ବାଲ

ନୂଆଦିଲ୍ଲୀ: ଦାନା ବାନ୍ଧିବାରେ ଲାଗିଛି ବିରୋଧୀ ଏକତା । ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ସେହିପରି ଆସନ୍ତା ୨୪ରେ  ଶିବସେନା ନେତା ଉଦ୍ଧବ ଠାକରେ ଓ ୨୫ରେ ଏନସିପି ମୁଖ୍ୟ ଶରଦ ପାଓ୍ବାରଙ୍କୁ କେଜ୍ରିଓ୍ବାଲ ଭେଟିବା କାର୍ଯ୍ୟକ୍ରମ ରହିଛି । ଦିଲ୍ଲୀ ବନାମ କେନ୍ଦ୍ର ସରକାର ମାମଲାରେ ବିରୋଧୀଙ୍କ ରଣନୀତି ଶକ୍ତିଶାଳୀ ହେଉଥିବାବେଳେ ସମ୍ବିଧାନର ସୁରକ୍ଷା ପାଇଁ ଦିଆଯାଇଛି ବଡ଼ ଆହ୍ବାନ । ଦିଲ୍ଲୀ ଅଧ୍ୟାଦେଶ ପ୍ରସଙ୍ଗରେ ରାଜ୍ୟସଭାରେ ସେମିଫାଇନାଲ ସେଲିବ୍ରେସନ୍ ଲାଗି ପ୍ରସ୍ତୁତ ହେଉଛନ୍ତି ବିରୋଧୀ ।

ଦିଲ୍ଲୀରେ ନିଯୁକ୍ତି ଓ ବଦଳିକୁ ନେଇ କେନ୍ଦ୍ର ସରକାର ଆଣିଥିବା ନୂଆ ଅଧ୍ୟାଦେଶକୁ ଚେକ୍ ଦେବା ଲାଗି ଆରମ୍ଭ ହୋଇଥିବା ପ୍ରଥମ ପର୍ଯ୍ୟାୟରେ ଗତ ୨୧ରେ କେଜ୍ରିଓ୍ବାଲଙ୍କୁ ଭେଟିଥିଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ । ଗତକାଲି ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଭେଟିଥିଲେ ନୀତୀଶ କୁମାର ।

ପେଟ୍ରୋଲିଂ ବେଳେ ଶିକାରୀର ଗୁଳିମାଡ଼ରେ ବନ କର୍ମଚାରୀଙ୍କ ମୃତ୍ୟୁ

ବାରିପଦା: ଶିକାରୀର ଗୁଳିମାଡରେ ବନ କର୍ମଚାରୀଙ୍କ ମୃତ୍ୟୁ । ଶିମିଳିପାଳ ଅଭୟାରଣ୍ୟ ବାଙ୍ଗରିପୋଷି ରେଞ୍ଜ ଚାକିଡି ବିଟ ଅଞ୍ଚଳରେ ଘଟିଛି ହତ୍ୟାକାଣ୍ଡ । ମୃତକ ହେଲେ ବିମଳ କୁମାର ଜେନା । ଘଟଣା ସ୍ଥଳରେ ବାଙ୍ଗିରିପୋଷି ପୋଲିସ ଓ ବନ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଜଙ୍ଗଲ ବିଭାଗର ପାଟ୍ରୋଲିଂ ବେଳେ ସମୃକ୍ତି ଶିକାରୀର ବନ୍ଧୁକ ଜବତ କରିଥିଲେ ମୃତ ଫରେଷ୍ଟଗାର୍ଡ । ଏଥିରେ ଉତକ୍ଷିପ୍ତ ହୋଇ ବନ୍ଧୁକ ଛଡାଇ ଫରେଷ୍ଟଗାଡଙ୍କୁ ଗୁଳି କରିଥିଲା ଶିକାରୀ । ତେବେ ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏନେଇ କୌଣସି ସୂଚନା ମିଳିନାହିଁ ।

ବିଶ୍ୱର ସର୍ବଶ୍ରେଷ୍ଠ ଜାଭେଲିନ ଫିଙ୍ଗାଳି ହେଲେ ନୀରଜ ଚୋପ୍ରା

ଭୁବନେଶ୍ୱର: ଭାରତର ଷ୍ଟାର ଜାଭେଲିନ ଫିଙ୍ଗାଳି ନୀରଜ ଚୋପ୍ରା ପୁଣିଥରେ ଅନ୍ତର୍ଜାତୀୟ ସ୍ତରରେ ସଫଳତା ଅର୍ଜନ କରିଛନ୍ତି । ବିଶ୍ୱର ନମ୍ବର ୱାନ୍ ଜାଭେଲିନ ଫିଙ୍ଗାଳି ହୋଇ ଇତିହାସ ରଚିଛନ୍ତି । ବିଶ୍ୱ ଏଥଲେଟିକ୍ସ ଦ୍ୱାରା ଜାରି କରାଯାଇଥିବା ତାଜା ରାଙ୍କିଂରେ ନୀରଜ ଚୋପ୍ରା ପୁରୁଷ ଜାଭେଲିନ ଥ୍ରୋ ପ୍ରତିଯୋଗିତାରେ ନମ୍ବର ୱାନ ଖେଳାଳି ହୋଇଛନ୍ତି । ଅଲିମ୍ପିକ ଚମ୍ପିଆନ ନୀରଜ ଚୋପ୍ରା ବିଶ୍ୱ ରାଙ୍କିଂରେ ନମ୍ବର ୱାନ୍ ସ୍ଥାନ ହାସଲ କରିବାରେ ପ୍ରଥମ ଭାରତୀୟ ଅଟନ୍ତି ।

ନୀରଜ ଚୋପ୍ରା ପ୍ରଥମଥର ୨୦୨୧ର ଟୋକିଓ ଅଲମ୍ପିକରେ ଟ୍ରାକ୍ ଆଣ୍ଡ ଫିଲ୍ଡ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିଲା । ଷ୍ଟାର ଭାରତୀୟ ଜାଭେଲିନ ଫିଙ୍ଗାଳି ନୀରଜ ଆଣ୍ଡରସନ ପିଟର୍ସଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ଲାଟେଷ୍ଟ ରାଙ୍କିଂ ଅନୁସାରେ ନୀରଜଙ୍କ ପାଖରେ ୧୪୫୫ ଏବଂ ଆଣ୍ଡରସନଙ୍କ ପାଖରେ ୧୪୩୩ ଅଙ୍କ ରହିଛି । ନୀରଜଙ୍କ ପାଖରେ ୨୨ ଅଙ୍କ ଅଧିକ ରହିଛି ।

ରାଜ୍ୟରେ ୧୦୬ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଖୋଲିବ ଏକାଦଶ ଶ୍ରେଣୀ

ଭୁବନେଶ୍ୱର: ୨୦୨୩-୨୪ ଶିକ୍ଷା ବର୍ଷରେ ରାଜ୍ୟରେ ୧୦୬ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଖୋଲାଯିବ ଏକାଦଶ ଶ୍ରେଣୀ । ଏଥିରୁ ୧୦୦ଟି ବିଦ୍ୟାଳୟରେ କଳା ଓ ୬ଟି ବିଦ୍ୟାଳୟରେ ବିଜ୍ଞାନ ବିଷୟରେ ଶିକ୍ଷାଦାନ ଦିଆଯିବ । ଏହି ବିଦ୍ୟାଳୟ ଗୁଡିକରେ ଦୁଇଟି ଲେଖାଏଁ ସେକ୍ସନ ଖୋଲିବାକୁ ନିଷ୍ପତ୍ତି ହୋଇଛି । ପ୍ରତ୍ୟେକ ସେକ୍ସନରେ ୬୪ ଲେଖାଏଁ ମୋଟ୍ ୧୨୮ ଛାତ୍ରଛାତ୍ରୀ ନାମ ଲେଖାଇବେ । ଏହା ଦ୍ବାରା ୧୦୬ଟି ସରକାରୀ ସ୍କୁଲରେ ମୋଟ ୧୩ ହଜାର ୪୬୮ ସିଟ୍ ନାମ ଲେଖା ପାଇଁ ବୃଦ୍ଧି ପାଇବ । ପ୍ରଧାନଶିକ୍ଷକ ମାନେ ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବା ପାଇଁ ତାଲିମ ଦିଆଯାଇଛି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକରେ ଶିକ୍ଷାଦାନ ପାଇଁ ଅତିଥି ଶିକ୍ଷକ ନିୟୋଜନ ପ୍ରକ୍ରିୟା ବିଦ୍ୟାଳୟ ସ୍ତରରେ ଚାଲୁ ରହିଛି ।

ଅଲକାଦିର ଟ୍ରଷ୍ଟ ମାମଲାରେ ପୁଣି ଥରେ ଗିରଫ ହୋଇପାରନ୍ତି ଇମ୍ରାନ ଖାନ୍

ଇସଲାମାବାଦ: ଅଲକାଦିର ଟ୍ରଷ୍ଟ ମାମଲାରେ ପୁଣି ଥରେ ଗିରଫ ହୋଇପାରନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଆସନ୍ତାକାଲି ଏହି ମାମଲାର ତଦନ୍ତରେ ସାମିଲ ହେବାକୁ ଯାଉଥିବାବେଳେ ତାଙ୍କୁ ଗିରଫ କରିବା ଲାଗି ପ୍ରସ୍ତୁତି ଚାଲିଛି ବୋଲି ସେ କହିଛନ୍ତି । ଏପରିକି ତାଙ୍କର ଗିରଫ ସମ୍ଭାବନା ୮୦ ପ୍ରତିଶତ ରହିଛି ବୋଲି ସେ ଆଶଙ୍କା କରିଛନ୍ତି । ସେ କହିଛନ୍ତି- ଅଲ କାଦିର ଟ୍ରଷ୍ଟ ମାମଲାକୁ ରାଜନୀତିକରଣ କରାଯାଇ ତାଙ୍କୁ ଟାର୍ଗେଟ କରାଯାଇଛି ।

ଆସନ୍ତା ନିର୍ବାଚନରେ ଶାସକ ଦଳ ପରାସ୍ତ ହେବା ଆଶଙ୍କା ଥିବାରୁ ସରକାର ତାଙ୍କ ବିରୋଧରେ ଅଭିଯାନ ଜାରି ରଖିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ସେପଟେ ପାକିସ୍ତାନ ତେହରିକ ଇ ଇନସାଫର ୧୦ ହଜାରରୁ ଅଧିକ କର୍ମୀଙ୍କୁ ଗିରଫ କରାଯାଇଛି ଏବଂ ସେମାନଙ୍କ ବିଚାର ମିଲିଟାରୀ କୋର୍ଟରେ କରାଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହିଛନ୍ତି । ଏକ ଦୁର୍ନୀତି ମାମଲାର ବିଚାର ଚାଲିଥିବାବେଳେ ଗତ ମେ ୯ ତାରିଖରେ ପାରାମିଲିଟାରୀ ରଞ୍ଜେର ପକ୍ଷରୁ ତାଙ୍କୁ ଇସଲାମାବାଦ ହାଇକୋର୍ଟ ପରିସରରୁ ଗିରଫ କରାଯାଇଥିଲା ।

ମାଷ୍ଟରକ୍ୟାଣ୍ଟିନ ଛକ ସ୍ଥିତ ପେନ୍ ହସ୍ପିଟାଲ ଦୋକାନରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ନଷ୍ଟ

ଭୁବନେଶ୍ୱର: ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଛକ ନିକଟରେ ଥିବା ପେନ୍ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ । ସର୍ଟ ସର୍କିଟରୁ ଦୋକାନରେ ଲାଗିଲା ନିଆଁ । ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ିଗଲା । ନିଆଁକୁ ଲିବାଇବାକୁ ୫ଟି ଦମକଳ ବାହିନୀ ପହଞ୍ଚିଥିଲେ । ଦୀର୍ଘ ସମୟରେ ଅପରେସନ ପରେ ନିଆଁକୁ ଆୟତ୍ତ କରାଯାଇଛି । ତେବେ ଏଥିରେ କୌଣସି ଜୀବନହାନୀ ହୋଇ ନଥିବା ସୂଚନା ମିଳିଛି । ଦୋକାନ ଭିତରେ ପ୍ରଥମ ପୋଡ଼ା ଗନ୍ଧ ହେବା ପରେ କର୍ମଚାରୀମାନେ ପଦାକୁ ବାହାରି ଆସିଥିଲେ ।

ମେ ୨୯ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା

ଭୁବନେଶ୍ୱର: ମେ ୨୯ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା । ନାମଲେଖା ପାଇଁ ଖୋଲିବ ସାମ୍ସ ପୋର୍ଟାଲ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ମିଳିଛି ସୂଚନା । ରାଜ୍ୟରେ ଚଳିତ ବର୍ଷ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣହାର ଅଧିକ ରହିଛି । ସିବିଏସ୍ଇରେ ୯୩.୬୪%, ଆଇସିଏସଇରେ ୯୮.୫୪% ଏବଂ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶ ପାଇଥିବା ପରୀକ୍ଷାଫଳରେ ଉତ୍ତୀର୍ଣ୍ଣ ହାର ୯୬.୪% ରହିଛି ।

ଚଳିତବର୍ଷ ଦଶମ ଶ୍ରେଣୀରେ ରେଗୁଲାର ଓ ଏକ୍ସ-ରେଗୁଲାର ପିଲାଙ୍କୁ ମିଶାଇ ମୋଟ ୫ ଲକ୍ଷ ୮ହଜାର ୪୦୪ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ରାଜ୍ୟରେ ୨୦୬୭ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା କନିଷ୍ଠ ମହାବିଦ୍ୟାଳୟ ଥିବାବେଳ ଯୁକ୍ତ ଦୁଇ ଶ୍ରେଣୀରେ ମୋଟ ୫ଲକ୍ଷ ୯ହଜାର ସିଟ ରହିଛି। ସେଥିରୁ କଳାରେ ୨ ଲକ୍ଷ ୭୭ ହଜାର ୩୮୮, ବିଜ୍ଞାନରେ ୧ ଲକ୍ଷ ୬୩ ହଜାର ୩୦୪, ବାଣିଜ୍ୟରେ ୪୫ ହଜାର ୩୩୨ ଏବଂ ସଂସ୍କୃତରେ ୧୩ ହଜାର ୩୩୨ଟି ଆସନ ରହିଛି ।

ମଲ୍ଲିକାର୍ଜୁନ ଖଡଗେ ଓ ରାହୁଲଙ୍କୁ ଭେଟିଲେ ନୀତିଶ କୁମାର, ବିରୋଧୀ ଏକତା ନେଇ ପ୍ରସ୍ତୁତ ହେଲା ରଣନୀତି

ନୂଆଦିଲ୍ଲୀ: ଚବିଶ ଲାଗି ଦିଲ୍ଲୀରେ ଗୋଟିଚାଳନା । ନାୟକ ଭୂମିକାରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଦାନା ବାନ୍ଧୁଛି ବିରୋଧୀ ଏକତା । ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳଗୁଡ଼ିକୁ ଏକଜୁଟ କରିବା ପ୍ରୟାସ ତୀବ୍ର କରିଦେଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସହ ହାଇପ୍ରୋଫାଇଲ ଭେଟଘାଟ । ବିରୋଧୀ ଏକତା ନେଇ ରଣନୀତି ପ୍ରସ୍ତୁତ ହୋଇଛି । ବାଠକ ପରେ କଂଗ୍ରେସ ନେତା କେସି ବେଣୁଗୋପାଳ ଏବଂ ଲଲନ ସିଂହ କହିଛନ୍ତି, ଆଜି ଆମ ବୈଠକରେ ବିରୋଧୀ ଏକତାକୁ ନେଇ ଯେଉଂ ସହମତି ହୋଇଥିଲା, ତା ଉପରେ ବିସ୍ତାର ଭାବେ ଆଲୋଚନା ହୋଇଛି ।

ବିରୋଧୀ ଏକତା ପାଇଁ ସମସ୍ତ ଦଳକୁ ନେଇ ଏକ ବୈଠକ ହେବ । ଏଥିପାଇଁ ସ୍ଥାନ, ସମୟ ଏବଂ ତିଥି ଆଗାମୀ ୨ରୁ ୩ ଦିନ ମଧ୍ୟରେ ସ୍ଥିରିକୃତ ହେବ । ଅଧିକତମ ବିରୋଧୀ ନେତାଙ୍କୁ ଏହି ବୈଠକକୁ ଡକାଯିବ । ବିଭିନ୍ନ ବୈଠକରେ ବିରୋଧୀ ମହାମେଣ୍ଟ ଗଠନ ନେଇ ପ୍ରସ୍ତୁତି । ଗତକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଭେଟିଥିଲେ ନୀତୀଶ ଓ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ । ଆସନ୍ତା ଜୁନ ପ୍ରଥମ ସପ୍ତାହରେ ପାଟନାରେ ବିରୋଧୀ ମହାମେଣ୍ଟ ବୈଠକ ବସିପାରେ ବୋଲି ସୂଚନା ମିଳିଛି ।

ତେବେ ଏହା ପୂର୍ବରୁ ମଧ୍ୟ ନୀତିଶ ଅନେକ ନେତାଙ୍କୁ ଭେଟିସାରିଛନ୍ତି । ଗତ ଏପ୍ରିଲ ୨୧ରେ କଂଗ୍ରେସ ନେତା ହରିଶ ରାଓ୍ବତଙ୍କୁ ଭେଟିଥିଲେ ନୀତୀଶ । ଏହାର ୩ ଦିନ ପରେ ୨୪ରେ କୋଲକାତାରେ ମମତା ବାନାର୍ଜୀ ଓ ଲକ୍ଷ୍ମୌରେ ଅଖିଳେଶ ଯାଦବଙ୍କ ସହ କରିଥିଲେ ଆଲୋଚନା । ମେ ୧୦ରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଭେଟିବା ପରେ ୧୧ରେ ମୁମ୍ବାଇରେ ଶିବସେନା ନେତା ଉଦ୍ଧବ ଠାକରେ ଓ ଏନସିପି ସଭାପତି ଶରଦ ପାଓ୍ବାରଙ୍କୁ ଭେଟିଥିଲେ ନୀତୀଶ ।

ମେ ୨୦ରେ କର୍ଣ୍ଣାଟକ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ ଉତ୍ସବରେ ବି ସାମିଲ ହୋଇଥିଲେ ନୀତୀଶ । ଗତକାଲି ଦିଲ୍ଲୀ ସିଏମ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଭେଟି ବିରୋଧୀ ଏକତା ପ୍ରସଙ୍ଗରେ କରିଥିଲେ ଆଲୋଚନା । ଆସନ୍ତାକାଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ୨୪ରେ ଶିବସେନା ନେତା ଉଦ୍ଧବ ଠାକରେ ଓ ୨୫ରେ ଏନସିପି ମୁଖ୍ୟ ଶରଦ ପାଓ୍ବାରଙ୍କୁ ଭେଟିବେ କେଜ୍ରିଓ୍ବାଲ ।