spot_img
Home Blog Page 3256

ଖୋଲିବ ବାଓ୍ୱରିଆ ଗ୍ୟାଙ୍ଗର କଳାଚିଠା, ୭ ଦିନିଆ ରିମାଣ୍ଡରେ ଆଣିବାକୁ ଆବେଦନ କରିବ କମିଶନରେଟ ପୋଲିସ

ଭୁବନେଶ୍ୱର: ବାୱରିଆ ଗ୍ୟାଙ୍ଗର କଳା ଚିଠା ଖୋଲିବ କମିଶନରେଟ ପୋଲିସ । ୭ ଦିନିଆ ରିମାଣ୍ଡରେ ଆଣିବାକୁ ସୋମବାର ହେବ ଆବେଦନ । ରାଜ୍ୟ ବାହାରକୁ ଯିବା ପାଇଁ ୨ଟି ଟିମ୍ ଗଠନ । ୟୁପି ଓ ଦିଲ୍ଲୀରେ ଯାଞ୍ଚ କରିବ ସ୍ପେଶାଲ ଟିମ୍ । ଗ୍ୟାଙ୍ଗର ଅପରାଧ ଇତିହାସ ଓ ସହଯୋଗୀଙ୍କ ସମ୍ପର୍କରେ ତଥ୍ୟ ନେବ ପୋଲିସ । ୟୁପିରୁ ଆସି ରାଜ୍ୟ ସାରା ଲୁଟି ପୁରୀରେ ଅୟସ କରୁଥିଲେ ଲୁଟେରା । ୪ ଜଣଙ୍କୁ ଗିରଫ କରିଥିଲା ସ୍ପେଶାଲ ସ୍କ୍ବାର୍ଡ । ସେମାନଙ୍କ ନାଁରେ ଓଡ଼ିଶାରେ ୨୮ଟି କେସ୍ ରହିଛି । ଖୁବଶୀଘ୍ର ଜେଲରେ ଟିଆଇ ପରେଡ଼ କରିବ ପୋଲିସ । ତେବେ ଗିରଫ ହୋଇଥିବା ସମସ୍ତ ୪ ଜଣଙ୍କ ଘର ୟୁପି ସାମଲି ଜିଲ୍ଲାରେ ।

ପୋଲିସ ପରିଚୟ ଦେଇ ମହିଳାଙ୍କଠୁ ନେଇଗଲେ ସୁନା ଗହଣା, ପ୍ରାୟ ୩ ଲକ୍ଷ ଟଙ୍କାର ଲୁଟ୍ ଅଭିଯୋଗ

ଭଦ୍ରକ: ପୋଲିସ ପରିଚୟ ଦେଇ ମହିଳାଙ୍କୁ ଲୁଟିଲେ । ଭଦ୍ରକ ହେଡପୋଷ୍ଟ ଅଫିସ ଛକରେ ଥିବା ତେଲ ଟାଙ୍କି ସାମ୍ନାରେ ଲୁଟ୍  । ଭୁବନେଶ୍ୱରରୁ ବସରେ ଆସୁଥିବା ପୁଅ ଓ ଝିଅକୁ ଘରକୁ ନେବାକୁ ବାଲେଶ୍ବର ମଇତାପୁରର ନିରୋଦବାଳା ମହାନ୍ତି ଗାଁରୁ ଅଟୋ ଯୋଗେ ଆସିଥିଲେ ଭଦ୍ରକ । ପୋଲିସ ଚେକିଂ ଆଳରେ ସୁନା ଅଳଙ୍କାର ପିନ୍ଧିଥିଲେ ଓହ୍ଲାନ୍ତୁ ନହେଲେ ୫୦ହଜାର ଫାଇନ ଦିଅନ୍ତୁ ବୋଲି କହିଥିଲେ ଲୁଟେରା । ଅଟୋରେ ବସିଥିବା ନିରୋଦବାଳାଙ୍କୁ ୪ ଜଣ ଯୁବକ ଘେରି ପକାଇଥିଲେ । ହାତରେ ପିନ୍ଧିଥିବା ଦୁଇ ଦୁଇ ଭରିର ସୁନା ଅଳଙ୍କାର ଛଡ଼ାଇନେଇଥିଲେ ।

ସେହିପରି ନିକଟରେ ଥିବା ଅନ୍ୟ ଦୁଇ ଜଣ ମହିଳା ପିନ୍ଧିଥିବା ଅଢେଇ ଭରି ଓଜନର ହାରକୁ ମଧ୍ୟ୍ୟ ଲୁଟି ନିମିଷକେ ଫେରାର ହେଇଯାଇଥିଲେ। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୩ ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ଅଭିଯୋଗ ହୋଇଛି । କିଛି ବୁଝିବା ଆଗରୁ ୪ ଲୁଟେରା ସଙ୍ଗେ ସଙ୍ଗେ ସୁନା ଅଳଙ୍କାର ନେଇ ଚମ୍ପଟ ମାରିଥିଲେ। ପରେ ଏନେଇ ମହିଳା ଜଣଙ୍କ ନିକଟସ୍ଥ ସହରାଞ୍ଚଳ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି CCTV ଯାଞ୍ଚ କରିବା ସହ ଏନେଇ ଅଧିକ ତଦନ୍ତ ଜାରିରଖିଛି ।

ଟାଙ୍ଗୀ କମାଗୁରୁ ରାସ୍ତାରେ ଦନ୍ତା ଆତଙ୍କ, କୂଅ ଖୋଳିବାକୁ ଯିବା ବେଳେ ଆକ୍ରମଣରେ ଜଣେ ମୃତ

ଟାଙ୍ଗୀ: ଟାଙ୍ଗୀ ମୟୂରଝାଲିଆ କମାଗୁରୁ ରାସ୍ତାରେ ଦନ୍ତା ଆତଙ୍କ। ଦନ୍ତା ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ସତ୍ୟ ବେହେରା । ସୂଚନା ଅନୁସାରେ, ରଣପୁର ବ୍ଲକ ନରସିଂହପୁର ପଞ୍ଚାୟତ ନାଟିମୀ ଗ୍ରାମର ୩ ଜଣ ବ୍ୟକ୍ତି କମାଗୁରୁ ଗ୍ରାମକୁ କୂଅ ଖୋଳିବାକୁ ଯାଉଥିଲେ । ସାଇକେଲରେ ଯିବା ସମୟରେ ଏକ ଦନ୍ତା ଜଙ୍ଗଲରୁ ବାହାରି ଆସିଥିଲା । ଦନ୍ତାକୁ ଦେଖି ୨ ଜଣ ଦୌଡ଼ି ପଳାଇଥିଲେ । ହେଲେ ସତ୍ୟ ବେହେରା ଯାଇ ନପାରିବାରୁ ଦନ୍ତା ତାଙ୍କୁ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।

ତେବେ ଘଟଣାସ୍ଥଳରେ ବନ ଅଧିକାରୀ ବିଳମ୍ବରେ ପହଞ୍ଚିବାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଭୁଷଣ୍ଡପୁର ଫରେଷ୍ଟର ସହ ବନ କର୍ମଚାରୀଙ୍କୁ ଅଟକ ରଖିଛନ୍ତି ଗ୍ରାମବାସୀ । ଖବର ପାଇ ସିକୋ ଫାଣ୍ଡି ପୋଲିସ୍ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି । ଶ୍ରମିକଙ୍କ ମୃତଦେହକୁ ରଖି କ୍ଷତିପୂରଣ ଦାବି କରିବା ପ୍ରତିବାଦ କରିଛନ୍ତି ଗ୍ରାମବାସୀ ।

ଆର୍ମେନିଆ-ଆଜରବୈଜାନ ଓ୍ବାରଜୋନରେ ବ୍ୟବହାର କରାଯାଇଛି ପେଗାସସ୍ ସଫ୍ଟଓ୍ୱେର

ନୂଆଦିଲ୍ଲୀ: ଏନଏସଓ ଗ୍ରୁପର ପେଗାସସ୍ ସଫ୍ଟଓ୍ବେରକୁ ନେଇ ପୁଣି ଚାଞ୍ଚଲ୍ୟକର ତଥ୍ୟ । ବିଭିନ୍ନ ରାଜନୈତିକ ଦଳ ଓ ଅଧିକାର ସଂଗଠନ ପକ୍ଷରୁ ସମାଲୋଚନାର ଶିକାର ହୋଇଥିବା ପେଗାସସକୁ ଓ୍ବାର ଜୋନରେ ବ୍ୟବହାର କରାଯାଇଛି ବୋଲି ତଥ୍ୟ ପଦାକୁ ଆସିଛି । ଆର୍ମେନିଆର ବହୁ ସାମ୍ବାଦିକ, ମାନବାଧିକାର ସଂଗଠନ, ଆଇନଜୀବୀ, ଜାତିସଂଘର ଜଣେ ଅଧିକାରୀ ଆଦି ବ୍ୟକ୍ତିବିଶେଷଙ୍କୁ ପେଗାସସ ଜରିଆରେ ଟାର୍ଗେଟ କରାଯାଇଛି ବୋଲି ରିପୋର୍ଟ ପ୍ରକାଶ ପାଇଛି । ଆର୍ମେନିଆର ନାଗୋର୍ଣ୍ଣୋ-କାରାବାଖ ଅଞ୍ଚଳରେ ସଂଘର୍ଷ ଜାରି ରହିଥିବାବେଳେ ପେଗାସସକୁ ବ୍ୟବହାର କରାଯାଇଥିଲା । ବିବାଦୀୟ ନାଗୋର୍ଣ୍ଣ-କାରାବାଖ ଅଞ୍ଚଳକୁ ନେଇ ଦୀର୍ଘ ବର୍ଷ ଧରି ଆର୍ମେନିଆ ଓ ଆଜରବୈଜାନ ମଧ୍ୟରେ ସଂଘର୍ଷ ଜାରି ରହିଛି । ଏହି ଅଞ୍ଚଳ ଆଜରବୈଜାନର ହୋଇଥିଲେ ସୁଦ୍ଧା ଆର୍ମେନିଆ ଏହାକୁ ନିଜର ବୋଲି ଦାବି କରୁଛି । ଉଭୟ ପକ୍ଷରୁ ଯୁଦ୍ଧ ଅପରାଧ ଘଟାଯାଉଥିବାବେଳେ ଆର୍ମେନିଆର ଯୁଦ୍ଧବନ୍ଦୀଙ୍କୁ ଗଣହତ୍ୟା କରାଯାଉଛି ବୋଲି ଆର୍ମେନିଆ ଅଭିଯୋଗ କରିଆସୁଛି ।

୨୦୨୧ରେ ଆର୍ମେନିଆର ବୈଦେଶିକ ବ୍ୟାପାର ବିଭାଗ ମୁଖପାତ୍ର ଆନ୍ନା ନାଗଦାଲ୍ୟାନଙ୍କ ଆଇ-ଫୋନକୁ ଏକ ବିଦେଶୀ ସରକାରଙ୍କ ଦ୍ବାରା ହ୍ୟାକ କରାଯାଉଛି ବୋଲି ପ୍ରମାଣ ମିଳିଥିଲା । ଏହା ସହ ଜାତିସଂଘର ଜଣେ କର୍ମକର୍ତ୍ତାଙ୍କ ସମେତ ବହୁ ବ୍ୟକ୍ତିଙ୍କୁ ପେଗାସସ୍ ଜରିଆରେ ଟାର୍ଗେଟ କରାଯାଇଥିବା ସୂଚନା ମିଳିଥିଲା । ୨୦୧୧ରେ ଏନଏସଓ ଗ୍ରୁପ ଯେଉଁ ମିଲିଟାରୀ ଗ୍ରେଡର ସ୍ପାଏଓ୍ବେର ପେଗାସସର ବଜାର ପ୍ରବେଶ କରାଇଥିଲା ତାହା ଜରିଆରେ ବହୁ ବେଆଇନ କାର୍ଯ୍ୟକଳାପ ଚାଲିଥିଲା । ୟୁଜରଙ୍କ ଅଜଣାତରେ ସେମାନଙ୍କ ଫୋନରୁ ପେଗାସସ ଜରିଆରେ ସମସ୍ତ ଗୋପନ ତଥ୍ୟକୁ ହ୍ୟାକ କରାଯାଉଥିଲା । ବିଶେଷ କରି ସାମ୍ବାଦିକ, ବିରୋଧୀ ଦଳ, ସମାଲୋଚକ, ଅଧିକାର କର୍ମୀ, ନେତା, ମନ୍ତ୍ରୀ, ବିଚାରପତି ପ୍ରମୁଖଙ୍କୁ ଟାର୍ଗେଟ କରିବା କ୍ଷେତ୍ରରେ ପେଗାସସର ବହୁଳ ବ୍ୟବହାର ହୋଇଥିବା ନେଇ ଅଭିଯୋଗ ହୋଇଆସୁଛି । ଗତବର୍ଷ ଏହି ପ୍ରସଙ୍ଗକୁ ନେଇ ଜାତିସଂଘ ବି କ୍ଷୋଭ ପ୍ରକାଶ କରିଥିଲେ । ୨୦୨୧ ପରଠାରୁ ବିଶ୍ବର ୧୨ରୁ ଅଧିକ ରାଷ୍ଟ୍ରରେ ଏହାର ଅପପ୍ରୟୋଗ ହୋଇଆସୁଥିବାରୁ ଏହାର ବ୍ୟବହାର ଉପରେ କଟକଣା ଲଗାଇବାକୁ ଏହି ସମସ୍ତ ରାଷ୍ଟ୍ର ପକ୍ଷରୁ ଦାବି ହୋଇଆସୁଛି । ବିଶ୍ବରେ ପେଗାସସର ବ୍ୟାପକ ଦୂରୁପଯୋଗ ହୋଇଥିବା ନେଇ ୧୭ଟି ମିଡିଆ ଏଜେନ୍ସିକୁ ନେଇ ହୋଇଥିବା ଯାଞ୍ଚରୁ ଜଣାପଡ଼ିଥିଲା । ଭାରତରେ ବି ପେଗାସସ ଜରିଆରେ ୫୦ ହଜାରରୁ ଅଧିକ ଫୋନକୁ ହ୍ୟାକ୍ କରାଯାଇଥିବା ତଥ୍ୟକୁ ନେଇ ଝଡ ସୃଷ୍ଟି ହୋଇଥିଲା ।

ଆନ୍ଦୋଳନରତ କୁସ୍ତିଯୋଦ୍ଧାଙ୍କ ସପକ୍ଷରେ ଖୋଲାଖୋଲି ବାହାରିଲେ ବାବା ରାମଦେବ

ନୂଆଦିଲ୍ଲୀ: ଆନ୍ଦୋଳନରତ କୁସ୍ତିଯୋଦ୍ଧାଙ୍କ ସପକ୍ଷରେ ଖୋଲାଖୋଲି ବାହାରିଲେ ବାବା ରାମଦେବ । କିଛି ସପ୍ତାହ ଧରି ଦିଲ୍ଲୀ ଯନ୍ତର ମନ୍ତରରେ ଚାଲିଥିବା ଆନ୍ଦୋଳନକୁ ବିଭିନ୍ନ ରାଜନୈତିକ ଦଳ, ସଂଗଠନ ସମର୍ଥନ କରିଥିବା ବେଳେ ରାମଦେବ ଏବେ ନିଜର ସମର୍ଥନ ଘୋଷଣା କରିଛନ୍ତି । ଏପରିକି କୁସ୍ତିଯୋଦ୍ଧା ସଂଗଠନ ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ବିଷୋଦଗାର କରିବା ସହ ତାଙ୍କୁ ଜେଲରେ ପୂରାଇବା ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । ବାବା ରାମଦେବ ବିବୃତିରେ କହିଛନ୍ତି, କୁସ୍ତିଯୋଦ୍ଧା ସଭାପତିଙ୍କ ବିରୋଧରେ ଆନ୍ଦୋଳନରତ ଯୋଦ୍ଧାମାନେ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ଲଜ୍ଜାଜନକ । ଏହି ଧରଣର ଲୋକଙ୍କୁ ତୁରନ୍ତ ଗିରଫ କରିବା ସହ ଜେଲରେ ପୂରାଇବା ଜରୁରୀ । ବ୍ରିଜଭୂଷଣଙ୍କ ନାଁରେ ଯେଉଁ ସବୁ ଅଭିଯୋଗ ଆସିଛି ତାହା ଅତ୍ୟନ୍ତ ନିନ୍ଦନୀୟ ।

ରାଜସ୍ଥାନର ଭିଲଓ୍ବାରାରେ ଆୟୋଜିତ ତିନିଦିନିଆ ଯୋଗ ଶିବିର ଅବସରରେ ରାମଦେବ ଏହି ସୂଚନା ଦେଇଛନ୍ତି । ରାମଦେବ କହିଛନ୍ତି, ସେ ବୌଦ୍ଧିକତା ଦୃଷ୍ଟିରୁ ଠିକ୍ ଅଛନ୍ତି । ମାନସିକ ବା ବୌଦ୍ଧିକ ଭାବେ ସେ ଉନ୍ନତ ଅଛନ୍ତି । ଦେଶ ଲାଗି ତାଙ୍କର ଦୂରଦୃଷ୍ଟି ରହିଛି । ବ୍ରିଜଭୂଷଣଙ୍କ ବିରୋଧରେ ସଂଗୀନ ଦଫାରେ ମାମଲା ରୁଜୁ ହୋଇଥିବା ସତ୍ତ୍ବେ ତାଙ୍କୁ ଗିରଫ କରାଯାଉନାହିଁ ।

ଆଗକୁ ମୌସୁମୀ, ଜଳବନ୍ଦୀ ସମସ୍ୟାର ସମାଧାନ ପାଇଁ ବିଏମସିର ଆଗୁଆ ପଦକ୍ଷେପ

ଭୁବନେଶ୍ୱର: ଆଗକୁ ମୌସୁମୀ। ବର୍ଷା ଦିନରେ ଭୁବନେଶ୍ୱର ସହରର ବିଭିନ୍ନ ଖାଲୁଆ ଅଂଚଳ ଜଳମଗ୍ନ ହେବା ଜଳବନ୍ଦୀ ସ୍ଥିତି ଉପୁଜେ । ଏହି ସମସ୍ୟାର ସମାଧାନ ପାଇଁ ବିହିତ ପଦକ୍ଷେପ ଗ୍ରହଣ କରାଯାଉଥିଲେ ହେଁ ସ୍ଥାୟୀ ପ୍ରତିକାର ହୋଇପାରୁନାହିଁ। ଫଳରେ ଏଭଳି ସମସ୍ୟାର ସମାଧାନ ପାଇଁ ବିଏମସି ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି। ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବା ସହ ଖାଲୁଆ ଅଂଚଳରେ କିଭଳି ଜଳ ନିଷ୍କାସନ ହେବ ସେଥିପ୍ରତି ଧ୍ୟାନ ଦିଆଯାଇଛି।

ଡ୍ରେନଗୁଡିକୁ ପ୍ରଶସ୍ଥ କରି ସଫା କରିବା ଓ ଜାଲି ଲଗାଇ ବର୍ଜ୍ୟ ବସ୍ତୁକୁ ବାହାର କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଜଳବନ୍ଦୀ ହେଉଥିବା ୫୦ରୁ ଅଧିକ ସମ୍ବେଦନଶୀଳ ସ୍ଥାନ ଚିହ୍ନଟ କରି ଅଗ୍ନିଶମ ବିଭାଗର ସହଯୋଗରେ ପମ୍ପ ଲଗାଇ କିଭଳି ବର୍ଷା ଜଳ ନିଷ୍କାସନ ହୋଇ ପାରିବ ସେନେଇ ନିୟମିତ ସମୀକ୍ଷା କରାଯାଉଥିବା କହିଛନ୍ତି ବିଏମସି କମିଶନର।

ବଜ୍ରପାତ ଜାଳିଦେଲା ୬ ବଖରା ଘର, ୨ ଗୁରୁତର

ପାରାଦୀପ: ବଜ୍ରପାତ ଜାଳିଦେଲା ଘର । ଜଳିଯାଇଛି ୩ଟି ପରିବାରର ୬ ବଖରା ଘର । ୨ ଜଣ ଗୁରୁତର ହୋଇ କଟକ ସ୍ଥାନାନ୍ତର ହୋଇଛନ୍ତି । ପାରାଦୀପ କୁଜଙ୍ଗ ବ୍ଲକ ଜିଲ୍ଲାନାସୀ ବରିହାଡିଆ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ବରିହାଡିଆ ଗାଁର ରାଧେଶ୍ୟାମ ପରିଡ଼ା ଓ ଗୌରହରି ପରିଡ଼ା, ମଥୁରୀ ପରିଡ଼ାଙ୍କ ଘରେ ଘଡ଼ଘଡିରୁ ନିଆଁ ଲାଗିଥିଲା । ଏହାସହ ଗ୍ୟାସ୍ ସିଲିଣ୍ଡର ଫାଟିଥିଲା । ଏଥିରେ ମଥୁରୀ ପରିଡ଼ାଙ୍କ ସ୍ତ୍ରୀ ଲତିକା ପରିଡ଼ା ଓ ପୁଅ ସଞ୍ଜୟ ପରିଡ଼ା ଗୁରୁତର ଭାବେ ଆହତ ହୋଇ ପ୍ରଥମେ କୁଜଙ୍ଗ, ପରେ ଜଗତସିଂହପୁର ଓ ଏବେ କଟକ ସ୍ଥାନାନ୍ତର କରାଯାଇଛି ।

 

ଆଜି କର୍ଣ୍ଣାଟକରେ ପ୍ରଥମ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ, ମନ୍ତ୍ରୀ ଭାବେ ଶପଥ ନେବେ ୨୪ ବିଧାୟକ

ବେଙ୍ଗାଲୁରୁ: ଆଜି କର୍ଣ୍ଣାଟକରେ ପ୍ରଥମ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ । ମନ୍ତ୍ରିମଣ୍ଡଳରେ ସାମିଲ ହେବେ ୨୪ ବିଧାୟକ । ସିଦ୍ଧରମୈୟା ସରକାରରେ ୨୪ ବିଧାୟକ ମନ୍ତ୍ରୀ ଭାବେ ନେବେ ଶପଥ । ଏନେଇ ଦଳ ତରଫରୁ ତାଲିକା ଜାରି କରାଯାଇଛି । ଏଚ.କେ ପାଟିଲ, ରହିମ ଖାନ୍, ବି. ସୁରେଶଙ୍କ ସହ ୨୪ ନେତା ସିଦ୍ଧରମୈୟା ସରକାରରେ ମନ୍ତ୍ରୀ ଭାବେ ଶପଥ ନେବେ । ପୂର୍ବରୁ ୩୪ ମନ୍ତ୍ରୀଙ୍କ କଥା ଚର୍ଚ୍ଚା ହେଉଥିଲା । ୨୦ ମେ’ରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଓ ଡେପୁଟି ସିଏମ୍ ଶିବକୁମାରଙ୍କ ସହ ୮ ଜଣ କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀ ଶପଥ ନେଇଥିଲେ । ଏବେ ସୁଦ୍ଧା ବିଭାଗ ବଣ୍ଟନ ହୋଇନି । ଏନେଇ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଦଳର ହାଇକମାଣ୍ଡଙ୍କ ସହ ଆଲୋଚନା କରିଛନ୍ତି ।

କାହାକୁ କେଉଁ ବିଭାଗ ମିଳିବ ସେନେଇ ହାଇକମାଣ୍ଡଙ୍କ ସହ ସମସ୍ତ ଆଲୋଚନା ଶେଷ ହୋଇଛି । ଆଜି ଶପଥ ଗ୍ରହଣ ପରେ ସଂଧ୍ୟା ସୁଦ୍ଧା ବିଭାଗ ବଣ୍ଟନ କରାଯିବ । ନୂଆ ମନ୍ତ୍ରୀଙ୍କ ମଧ୍ୟରେ କିଛି ଉପମୁଖ୍ୟମନ୍ତ୍ରୀ ଶିବକୁମାରଙ୍କ ସମର୍ଥକ ଥିବା ଜଣାପଡିଛି । କର୍ଣ୍ଣାଟକର ୨୨୪ଟି ଆସନରୁ ୧୩୫ ସିଟରେ ବିଜୟ ହୋଇ କଂଗ୍ରେସ ସରକାର ଗଠନ କରିଛି ।

ରାଜ୍ୟରେ ଆଉ ୪ ଦିନ ଖରା ବର୍ଷାର ଲୁଚକାଳି ଖେଳ, ଆଜି ୨୧ ଜିଲ୍ଲାକୁ କାଳବୈଶାଖି ସତର୍କତା

ଭୁବନେଶ୍ୱର: ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ଖରା ବର୍ଷାର ଲୁଚକାଳି ଖେଳ। ରାଜ୍ କରିବ କାଳବୈଶାଖୀ । ମଧ୍ୟାହ୍ନରେ ତାତି ରହିଲେ ମଧ୍ୟ ଅପରାହ୍ନରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିବ। ଏଥିପାଇଁ ଉତ୍ତର, ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଆଜି ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାକୁ ବାଦ୍ ଦେଲେ ବାକି ୨୧ଟି ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ସମୟରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ ।

ବିହାରଠାରୁ ଉତ୍ତର ଓଡ଼ିଶା ଦେଇ ଝାଡଖଣ୍ଡ ପର୍ଯ୍ୟନ୍ତ ଲମ୍ବିଥିବା ଟ୍ରପଲାଇନ୍ ପ୍ରଭାବରେ ରାଜ୍ୟରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି । କାଳବୈଶାଖୀକୁ ଦୃଷ୍ଟିରେ ରଖି ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସଆରସି। ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ସହ ଲୋକଙ୍କୁ ସଚେତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଶେଷ କରି କାଳବୈଶାଖୀ ସମୟରେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି ।

 

ଖରା ତାତିଠୁ ବଳିଗଲାଣି ହାଣ୍ଡିଶାଳ ତାତି, ୩ ଗୁଣ ବଢିଛି ଅଦା ଓ ରସୁଣ ଦାମ

ଭୁବନେଶ୍ୱର: ଖରାର ତାତିଠାରୁ ବଳିଗଲାଣି ହାଣ୍ଡିଶାଳର ତାତି । ଡାଲି, ସୁଜି, ମଇଦାଠାରୁ ଆରମ୍ଭ କରି ଅଦା ଓ ରସୁଣ ପର୍ଯ୍ୟନ୍ତ ସବୁର ମୂଲ୍ୟ ଆକାଶଛୁଆଁ । କିଲୋ ପିଛା ରସୁଣ ମୂଲ୍ୟରେ ଦୁଇଗୁଣା ଓ ଅଦାରେ ୩ ଗୁଣା ବୃଦ୍ଧି ପ୍ରଥମ ଥର ପାଇଁ ହୋଇଛି। ହୋଲସେଲ ମାର୍କେଟରେ ରସୁଣ କିଲୋପିଛା ୧୦୦ ଟଙ୍କା । ସେହିଭଳି ଅଦାର ମୂଲ୍ୟ ୨୫୦ ଟଙ୍କା । ମାର୍ଚ୍ଚ ମାସରେ ଉଭୟ ରସୁଣ ଓ ଅଦାର ମୂଲ୍ୟ ଯଥାକ୍ରମେ କିଲୋ ପିଛା ୨୦ରୁ୩୦ ଓ ୫୫ରୁ୬୦ ଟଙ୍କା ରହୁଥିଲା। ମାତ୍ର ତାହା ବର୍ତ୍ତମାନ ଦୁଇରୁ ତିନିଗୁଣା ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ମୁଖ୍ୟତଃ ରସୁଣ ରାଜସ୍ଥାନ ଓ ଉତ୍ତରପ୍ରଦେଶରୁ ଏବଂ ଅଦା ବେଙ୍ଗାଳୁରୁ, ମହାରାଷ୍ଟ୍ର ଓ ସିଲିଗୁଡି ସମେତ ଓଡ଼ିଶାର କୋରାପୁଟ ଓ କନ୍ଧମାଳରୁ ଉତ୍ପାଦନ ହୋଇଥାଏ ।

ଚଳିତବର୍ଷ ବର୍ଷାର ଅଭାବ ଏବଂ ଖରା ଯୋଗୁ ବହୁଳଭାବରେ ଉତ୍ପାଦନ ହ୍ରାସ ପାଇଛି । ଦରଦାମ ନିୟନ୍ତ୍ରଣରେ କେନ୍ଦ୍ର ସରକାର ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି ଜନସାଧାରଣ । ଦରଦାମ ବୃଦ୍ଧି ମଧ୍ୟବିତ୍ତ ଓ ଗରିବ ଶ୍ରେଣୀଙ୍କ ଚିନ୍ତାର କାରଣ ସାଜିଛି। ସେପଟେ ହରଡ଼ ଡାଲି ଓ ଗହମର ମୂଲ୍ୟବୃଦ୍ଧି ଅଧିକ ଚିନ୍ତା ବଢାଇଛି । ଗ୍ରୀଷ୍ମକାଳୀନ ମୂଲ୍ୟବୃଦ୍ଧି କେବଳ ଖାଉଟିଙ୍କ ସମସ୍ୟା ନୁହଁ ବରଂ ଏହି ସମୟରେ ବ୍ୟବସାୟୀଙ୍କୁ ଅନେକ କ୍ଷତି ସହିବାକୁ ପଡୁଥିବା କହିଛନ୍ତି ରାଜ୍ୟ ବ୍ୟବସାୟୀ ମହାସଂଘ ମହାସଚିବ ।