spot_img
Home Blog Page 3255

ଅବତରଣ ପୂର୍ବରୁ ବିମାନର ଏମର୍ଜେନ୍ସି ଗେଟ୍ ଖୋଲିଦେଲେ ଯାତ୍ରୀ

ଦକ୍ଷିଣ କୋରିଆ: ବିମାନ ଅବତରଣ କରିବାକୁ ମାତ୍ର କେଇ ମିନିଟ ଥିଲା । ଏତିକି ବେଳେ ଏମର୍ଜେନ୍ସି ଡୋର ଖୋଲିଦେଲେ ଜଣେ ଯାତ୍ରୀ । ବିମାନରେ ଥିବା ଯାତ୍ରୀ ଆତଙ୍କିତ ହୋଇଯିବା ସହ ବଞ୍ଚିବାର ଆଶା ଛାଡ଼ି ଦେଇଥିଲେ ।

ଏପରି ଏକ ଘଟଣା ଘଟିଛି ଦକ୍ଷିଣ କୋରିଆର ଡାଏଗୁ ଏୟାରପୋର୍ଟରେ । ୧୯୪ ଜଣ ଯାତ୍ରୀଙ୍କୁ ନେଇ ଆସୁଥିବା ଏସିଆନା ଏୟାରଲାଇନ୍ସର ଏକ ବିମାନ ଲାଣ୍ଡିଂ ବେଳେ ଜଣେ ଯାତ୍ରୀ ବିମାନର ଏମର୍ଜେନ୍ସି ଦ୍ବାର ଖୋଲିଦେଇଥିଲେ । ବିମାନଟି ଭୂପୃଷ୍ଠରୁ ୨୫୦ ମିଟର ଉପରେ ଥିବାବେଳେ ଏପରି ଘଟଣା ଘଟିଛି । ବିମାନ ଅବତରଣ କରିବାକୁ ଥିବାରୁ ଫ୍ଲାଇଟ୍ ଆଟେଣ୍ଡାଣ୍ଟ ଏମର୍ଜେନ୍ସି ଡୋର ବନ୍ଦ କରିପାରି ନଥିଲେ ।

ଏଥିପାଇଁ ବିମାନ ଭିତରେ ପ୍ରବଳ ପବନ ପିଟି ହୋଇଥିଲା । ଏହି ସମୟରେ ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ । କିଛି ଯାତ୍ରୀ ନିଶ୍ବାସ ନେବାରେ କଷ୍ଟ ଅନୁଭବ କରିଥିଲେ । ଏହି ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି । ଉକ୍ତ ଯାତ୍ରୀଙ୍କୁ ପୋଲିସ ଗିରଫ କରିଛି ।

ବେରୋଜଗାରୀ ହ୍ରାସ କରିବାରେ ଓଡ଼ିଶା ଦେଶରେ ଆଗୁଆ, ବିଭିନ୍ନ ସର୍ଭେରେ ସାମ୍ନାକୁ ଆସିଲା ରିପୋର୍ଟ

ଭୁବନେଶ୍ୱର: ବେରୋଜଗାରୀ କମାଇବାରେ ଓଡ଼ିଶା ଦେଶରେ ଆଗରେ । ବିଭିନ୍ନ ସର୍ଭେ ରିପୋର୍ଟରେ ଏହା ପ୍ରକାଶ ପାଇଛି । ରାଜ୍ୟ ସରକାର ୧୦ଟି ବିଭାଗରେ ୬୦ ଲକ୍ଷ ପିଲାଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି । କେବଳ ନିଯୁକ୍ତି ନୁହେଁ ଜୀବନଶୈଳୀ ପରିବର୍ତ୍ତନ ପାଇଁ ପ୍ରଶିକ୍ଷଣ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ ପରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ପ୍ରୀତିରଂଜନ ଘଡେଇ। ସୌର ଶକ୍ତିରେ ଅଧିକ ପିଲାଙ୍କ ଦକ୍ଷତା ବିକାଶ କରାଯିବ । ୧୧ଟି ନୂଆ ଆଇଟିଆଇ ଖୋଲାଯିବ। ରାଜ୍ୟରେ ଛାତ୍ରଛାତ୍ରୀଙ୍କ ବିକାଶ ଲାଗି ଭିତ୍ତିଭୂମି ସଂପ୍ରସାରଣ, ନବୀକରଣକୁ ପ୍ରାଥମିକତା ଦିଆଯାଇଛି ବୋଲି କହିଛନ୍ତି ମନ୍ତ୍ରୀ ।

ଚିଲିକାରେ ପହଞ୍ଚିଲେ ମହାନଦୀ ଟ୍ରିବ୍ୟୁନାଲ ପ୍ରତିନିଧି ଦଳ

ବ୍ରହ୍ମଗିରି: ଚିଲିକାରେ ପହଞ୍ଚିଲେ ମହାନଦୀ ଟ୍ରିବ୍ୟୁନାଲ ପ୍ରିତିନିଧି ଦଳ । ସାତପଡ଼ାରୁ ମୀର୍ଜାପୁର ଯାଇ ସେଠାରୁ ବୋଟ୍‌ ଯୋଗେ ଚିଲିକା ମୁହାଣକୁ ଯାଇଛନ୍ତି । ଚିଲିକା ଯାଇ ସେଠାରେ ମୁହଣର ସ୍ଥିତି ଅନୁଧ୍ୟାନ କରିବେ ଟ୍ରିବ୍ୟୁନାଲ୍ ପ୍ରତିନିଧି ଦଳ । ଏହି ଟିମରେ ୪ ଜଣ ଅବସରପ୍ରାପ୍ତ ବିଚାରପତି ସାମିଲ ଅଛନ୍ତି । ଏବଂ ଛତିଶଗଡ଼ର ଉଚ୍ଚ ଅଧିକାରୀ ଓ ବିଶେଷଜ୍ଞମାନେ ସାମିଲ ଅଛନ୍ତି । ଏଥିରେ ଓଡ଼ିଶାର ବିଶେଷଜ୍ଞ କମିଟି ଓ ପୁରୀ ଜିଲ୍ଲାପାଳ ମଧ୍ୟ ସାମିଲ ଅଛନ୍ତି ।

ଶିକ୍ଷକ ନେଇଗଲେ ମୋବାଇଲ, ସ୍କୁଲରେ ନିଆଁ ଲଗାଇଦେଲା ଛାତ୍ରୀ, ୨୦ ମୃତ

ଓ୍ବାସିଂଟନ: ୧୪ ବର୍ଷିୟ ଜଣେ ଛାତ୍ରୀ ସ୍କୁଲରେ ନିଆଁ ଲଗାଇଦେଇଛି । ଆଉ ଏହି ନିଆଁ ଏତେ ଭୟଙ୍କର ହେଲା ଯେ, ୨୦ ଜଣ ମୃତ୍ୟୁ ବରଣ କରିଛନ୍ତି । କୁହାଯାଉଛି, ଶିକ୍ଷକ ଉକ୍ତ ଛାତ୍ରୀଠାରୁ ମୋବାଇଲ ଛଡ଼ାଇ ନେଇଥିଲେ, ଏଥିପାଇଁ ଛାତ୍ରୀ ଜଣଙ୍କ ରାଗରେ ଥିଲା । ନିଆଁ ଲଗାଇବା ଆଗରୁ ସେ ଗାଳି ବି ଦେଇଥିଲା ।

ଏହି ଘଟଣା ଘଟିଛି ସାଉଥ ଆମେରିକାରେ । ଗତ ସୋମବାର ମହଦିଆ ସେକେଣ୍ଡାରୀ ସ୍କୁଲର ଗାର୍ଲ୍ସ ହଷ୍ଟେଲରେ ନିଆଁ ଲାଗିଥିଲା । ଦେଖୁଦେଖୁ ନିଆଁ ସ୍କୁଲର ଏକ ବଡ଼ ଭାଗକୁ ନିଜ ଆୟତ୍ତକୁ ନେଇଯାଇଥିଲା । ଅନେକ ଛାତ୍ରୀ ରୁମ ଭିତରେ ଫସି ଯାଇଥିଲେ । ଅଗ୍ନିସମ ବାହିନୀ ଆସିବା ପୂର୍ବରୁ ୨୦ଜଣଙ୍କ ଜୀବନ ଚାଲି ଯାଇଥିଲା ।

ପୋଲିସ ତଦନ୍ତରୁ ଜଣାପଡ଼ିଥିଲା ଯେ, ନିଆଁ ଆଉ କେହି ନୁହେଁ ସ୍କୁଲର ଜଣେ ଛାତ୍ରୀ ହିଁ ଲଗାଇଛି । ଶିକ୍ଷକ ଛାତ୍ରୀଙ୍କ ମୋବାଇଲ ଜବତ କରିଥିବାରୁ ରାଗରେ ଆସି ଛାତ୍ରୀ ଜଣଙ୍କ ଏପରି କରିଛନ୍ତି ।

ପୋଲିସ୍ ଏ ବିଷୟରେ ଅଧିକ ଦତନ୍ତ କରି ଜାଣିବାକୁ ପାଇଛି ଯେ, ଛାତ୍ରୀଜଣଙ୍କ ବାହାର ଜଣେ ଖରାପ ବ୍ୟକ୍ତିଙ୍କ ସହ ସମ୍ପର୍କରେ ଥିଲେ । ଏଥିପାଇଁ ସ୍କୁଲ କର୍ତୃପକ୍ଷ ଏପରି ନିଷ୍ପତ୍ତି ନେଇଥିଲେ । ଛାତ୍ରୀର ବୟସ ୧୪ ବର୍ଷ । ମୋବାଇଲ ଛଡ଼ାଇ ନେଲାବେଳେ ଛାତ୍ରୀ ନିଆଁ ଲଗାଇଦେବ ବୋଲି ଧମକ ଦେଇଥିଲା ।

ଆହାର କେନ୍ଦ୍ରରେ ଅଚାନକ ଯାଞ୍ଚ, ଖାଦ୍ୟର ମାନ ପରିଖିଲେ ନୋଡାଲ ଅଧିକାରୀ

ଭୁବନେଶ୍ୱର: ଆହାର କେନ୍ଦ୍ରରେ ଅଚାନକ ଯାଞ୍ଚ । ଖାଦ୍ୟର ମାନ ପରିଖିଲେ ନୋଡାଲ ଅଧିକାରୀ । ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ ପରିସରରେ ଥିବା ଆହାର କେନ୍ଦ୍ରକୁ ପରିଦର୍ଶନ କରି ସେଠାରେ ଲୋକଙ୍କ ସହ ଆଲୋଚନା କରିଛନ୍ତି ଆହାରର ରାଜ୍ୟ ନୋଡାଲ ଅଧିକାରୀ ସାରଦା ପ୍ରସାଦ ପଣ୍ଡା । ଖାଦ୍ୟର ମାନ ଯାଞ୍ଚ କରିବା ସହିତ ଆହାର କେନ୍ଦ୍ରର ପରିବେଶ ଓ ପରିଚ୍ଛନ୍ନତା ଅନୁଧ୍ୟାନ କରିଛନ୍ତି । କ୍ୟାପିଟାଲ ହସ୍ପିଟାଲ ପରିସରରେ ଥିବା ଆହାର କେନ୍ଦ୍ରରେ ଲୋକଙ୍କ ସଂଖ୍ୟା ଅଧିକ ରହୁଛି । ଭିଡ଼ ପାଇଁ ଆଉ ଟିକେ ଅଧିକ ସ୍ଥାନ ଦରକାର ବୋଲି କହିଛନ୍ତି ସାରଦା ପ୍ରସାଦ ପଣ୍ଡା । ରାଜ୍ୟର କିଛି ସ୍ଥାନରେ ଥିବା ଆହାର କେନ୍ଦ୍ରରେ ଏସି ଲଗାଯାଇଛି । ଏଠାରେ ଲୋକଙ୍କ ସଂଖ୍ୟା ଅଧିକ ଥିବାରୁ ଆଗକୁ ଏସି ଲଗାଯିବା ନେଇ ଚିନ୍ତା କରାଯିବ ବୋଲି ସେ କହିଛନ୍ତି । ସବୁ ଆହାର କେନ୍ଦ୍ରକୁ ପରିଷ୍କାର ରଖିବା ସହ ଖାଦ୍ୟର ମାନ ଉତ୍ତମ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସାରଦା ପ୍ରସାଦ ପଣ୍ଡା ।

ରାଜନୀତି ବିଜ୍ଞାନ ପାଠ୍ୟକ୍ରମରୁ ହଟିବ ପାକିସ୍ତାନର ଜାତୀୟ କବିଙ୍କ ନାମ

ଦିଲ୍ଲୀ: ଦିଲ୍ଲୀ ବିଶ୍ବବିଦ୍ୟାଳୟ ରାଜନୀତି ବିଜ୍ଞାନ ପାଠ୍ୟକ୍ରମରୁ ହଟିବ ମହମ୍ମଦ ଇକବଲଙ୍କ ନାମ । ପାକିସ୍ତାନର ଜାତୀୟ କବି ଭାବେ ଖ୍ୟାତିଲାଭ କରିଥିବା ଇକବଲଙ୍କ ନାଁ ପାଠ୍ୟକ୍ରମରୁ ହଟାଇବା ନେଇ ଦିଲ୍ଲୀ ବିଶ୍ବବିଦ୍ୟାଳୟ ଆକାଡେମିକ କାଉନସିଲ ପକ୍ଷରୁ ଏକ ପ୍ରସ୍ତାବ ଗୃହିତ ହୋଇଛି ।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଭାରତର ପ୍ରଖ୍ୟାତ ସଂଗୀତ ସାରେ ଜାହାଁ ସେ ଆଚ୍ଛାର ରଚୟିତା ଥିଲେ ଇକବଲ । ଆଲାମା ଇକବଲ ନାମରେ ବି ଜଣାଶୁଣା ଇକବଲ ଅବିଭକ୍ତ ଭାରତର ସିଆଲକୋଟରେ ୧୮୭୭ରେ ଜନ୍ମ ଗ୍ରହଣ କରିଥିଲେ ।

ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ବ୍ୟାଚଲର ଅଫ ଆର୍ଟସ ଲାଗି ଉଦ୍ଦିଷ୍ଟ ମଡର୍ଣ୍ଣ ଇଣ୍ଡିଆନ ପଲିଟିକାଲ ଥଟ ବିଷୟରେ ଇକବଲଙ୍କ ବିଷୟ ରହିଛି । ଆକାଡେମିକ କାଉନସିଲର ନିଷ୍ପତ୍ତିକୁ ବିଶ୍ବବିଦ୍ୟାଳୟର ଏକଜିକ୍ୟୁଟିଭ କାଉନସିଲରେ ଦାଖଲ କରାଯାଇଛି । କାଉନସିଲର ନିଷ୍ପତ୍ତି ଚୂଡ଼ାନ୍ତ ହେବ । ବିଶ୍ବବିଦ୍ୟାଳୟର ଏହି ନିଷ୍ପତ୍ତିକୁ ସ୍ବାଗତ କରିଛି ଏବିଭିପି । ପାଠ୍ୟପୁସ୍ତକରେ ରାମ ମୋହନ ରୟ, ପଣ୍ଡିତ ରମାବାଈ, ସ୍ବାମୀ ବିବେକାନନ୍ଦ, ମହାତ୍ମା ଗାନ୍ଧି, ବି.ଆର. ଆମ୍ବେଦକରଙ୍କ ନାମ ସ୍ଥାନୀତ ରହିଥିବାବେଳେ ଇକବଲଙ୍କୁ ଟାର୍ଗେଟ କରାଯାଇଛି ।

ସମ୍ପ୍ରସାରିତ ହେଲା କର୍ଣ୍ଣାଟକ ମନ୍ତ୍ରିମଣ୍ଡଳ, ଶପଥ ନେଲେ ୨୪ ନୂଆ ମନ୍ତ୍ରୀ

ବେଙ୍ଗାଲୁରୁ: ସମ୍ପ୍ରସାରିତ ହେଲା କର୍ଣ୍ଣାଟକ ମନ୍ତ୍ରିମଣ୍ଡଳ । ସାମିଲ ହେଲେ ୨୪ ନୂଆ ମନ୍ତ୍ରୀ । ଶପଥ ନେଇଥିବା ମନ୍ତ୍ରୀଙ୍କ ମଧ୍ୟରେ ଅଛନ୍ତି ଦିନେଶ ଗୁଣ୍ଡୁରାଓ, କ୍ରିଷ୍ଣା ବାଇରେ ଗୌଡା, ଈଶ୍ବର ଖାଣ୍ଡାରେ, ରହିମ ଖାନ, ସନ୍ତୋଷ ଲାଡ, କେ.ଏନ. ରାଜାନ୍ନା, କେ. ଭେଙ୍କଟେଶ, ଏଚ ସି ମହାଦେବାପ୍ପା, ବାଇରଥି ସୁରେଶ, ଶିବରାଜ ତାଙ୍ଗାଡି, ଆର.ବି. ତିମ୍ପୁର, ବି. ନାଗେନ୍ଦ୍ର, ଲକ୍ଷ୍ମୀ ହେବଲକର, ମଧୁ ବାଙ୍ଗରାପ୍ପା. ଡି. ସୁଧାକର ପ୍ରମୁଖ । ନୂଆ ମନ୍ତ୍ରୀଙ୍କ ମଧ୍ୟରେ ରହିଛନ୍ତି ୯ ଜଣ ନୂଆ ମୁହଁ ଓ ଜଣେ ମହିଳା ।

ମନ୍ତ୍ରୀମାନଙ୍କ ମଧ୍ୟରେ ଅଛନ୍ତି ୬ଜଣ ଭୋକାଲିଗା ସମ୍ପ୍ରଦାୟର, ୮ ଜଣ ଲିଙ୍ଗାୟତ୍ତ ବର୍ଗର । ଏସସି ବର୍ଗର ୪ ଜଣ, ଏସଟି ବର୍ଗର ୨ ଜଣ ଓ ଓବିସି ଅନ୍ତର୍ଗତ କୁରୁବା, ରାଜୁ, ମରାଠା, ଏଡିଗା ଓ ମୋଗବୀରା ସମ୍ପ୍ରଦାୟରୁ ୫ ଜଣଙ୍କୁ ସାମିଲ କରାଯାଇଛି । ପୂର୍ବରୁ ଗତ ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା, ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର ଓ ଅନ୍ୟ ୮ ମନ୍ତ୍ରୀ ଶପଥ ନେଇଥିଲେ ।  ଏହି ୨୪ଜଣଙ୍କ ନାମ ସିଦ୍ଧରମୈୟା, ଶିବକୁମାର, ଏଆଇସିସି ସାଧାରଣ ସମ୍ପାଦକ କେ.ସି. ଭେନୁଗୋପାଲ ଓ ରଣଦୀପ ସୂର୍ଜେଓ୍ବାଲାଙ୍କୁ ନେଇ ହୋଇଥିବା ଆଲୋଚନାରେ ସ୍ଥିରୀକୃତ ହୋଇଥିଲା । ଚୂଡ଼ାନ୍ତ ତାଲିକାକୁ ମଞ୍ଜୁର କରିଥିଲେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ କଂଗ୍ରେସ ନେତା ରାହୁଲ ଗାନ୍ଧି ।

ଦିଲ୍ଲୀରେ ବର୍ଷାର ତାଣ୍ଡବ, ଜନଜୀବନ ଅସ୍ତବ୍ୟସ୍ତ

ନୂଆଦିଲ୍ଲୀ: ବର୍ଷାରେ ବେହାଲ ଦିଲ୍ଲୀ । ପବନ ସହ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ । ବର୍ଷାରେ ରାଜଧାନୀ ଭିଜିବା ପରେ ତାତିରୁ ମିଳିଛି ଆଶ୍ବସ୍ତି । ଆଭ୍ୟନ୍ତରୀଣ ଦିଲ୍ଲୀ ସମେତ ନୋଏଡା, ଗାଜିଆବାଦରେ ବି ବର୍ଷାର ତାଣ୍ଡବ ଦେଖିବାକୁ ମିଳିଛି । ଦିଲ୍ଲୀ-ଏନସିଆର ଆକାଶ ମେଘାଚ୍ଛନ୍ନ ଥିବାବେଳେ ବର୍ଷା ଲାଗି ରହିଥିବା ସୂଚନା ମିଳିଛି । କେତେକ ସ୍ଥାନରେ ଘଣ୍ଟା ପ୍ରତି ପ୍ରାୟ ୭୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି ବୋଲି ଆକଳନ କରିଛି ପାଣିପାଗ ବିଭାଗ । ବର୍ଷା ଯୋଗୁ ଦିଲ୍ଲୀ ବିମାନ ବନ୍ଦରରେ ବିମାନ ଚଳାଚଳ ପ୍ରଭାବିତ ହୋଇଥିବା ସୂଚନା ମିଳିଛି ।

ଚଳିତ ସପ୍ତାହରେ ଦିଲ୍ଲୀର ତାପମାତ୍ରା ୪୫ ଡିଗ୍ରୀରୁ ଅଧିକ ହୋଇଥିବାରୁ ଜନଜୀବନ ବ୍ୟାପକ ପ୍ରଭାବିତ ହୋଇଥିଲା । ତେବେ ଭୀଷଣ ବର୍ଷା ଯୋଗୁ ତାତିରୁ ଆଶ୍ବସ୍ତି ମିଳିଛି । ସେପଟେ ହିମାଚଳ ପ୍ରଦେଶର ଲାଉଲ, ସ୍ପିତି ଓ ଉତ୍ତରାଖଣ୍ଡର ବିଭିନ୍ନ ଅଞ୍ଚଳରେ ତୁଷାରପାତ ହୋଇଥିବା ଦେଖାଯାଇଛି । ପ୍ରଚଣ୍ଡ ତାପରେ ଦେଶ ଛଟପଟ ହେଉଥିବାବେଳେ ଏହି ଦୁଇ ରାଜ୍ୟରେ ତୁଷାରପାତ ଘଟିଛି । ତେଣେ ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗରେ ବରଫ ଭିତରେ ଫସିଥିବା ଜଣେ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛନ୍ତି ଏସଡିଆରଏଫ ଟିମ୍ ।

SHG ମହିଳାଙ୍କ ପାଇଁ ଗଠନ ହେବ ସ୍ଵତନ୍ତ୍ର ପାଣ୍ଠି, ୩- ୪ ମାସରେ ହେବ କାର୍ଯ୍ୟକାରୀ

ଭୁବନେଶ୍ୱର: SHG ମହିଳାଙ୍କ ପାଇଁ ଗଠନ ହେବ ସ୍ଵତନ୍ତ୍ର ପାଣ୍ଠି । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଢାଞ୍ଚାରେ ଗଠନ ହେବ ଏହି ପାଣ୍ଠି । କୌଣସି ମହିଳା ରୋଗଗ୍ରସ୍ତ, ଦୁର୍ଘଟଣାର ଶିକାର ହେଲେ କିମ୍ବା ମୃତ୍ୟୁ ମୁଖରେ ପଡ଼ିଲେ, ଏହି ପାଣ୍ଠିରୁ ସେମାନଙ୍କୁ ଆର୍ଥିକ ସହାୟତା ଦିଆଯିବ । ୩-୪ ମାସ ମଧ୍ୟରେ ଏହି ଫଣ୍ଡ କାର୍ଯ୍ୟକାରୀ ହେବ । ଏଥିଲାଗି ରାଜ୍ୟ ବଜେଟରୁ ଅର୍ଥ ବ୍ୟୟବରାଦ କରାଯିବ । ମିଶନ ଶକ୍ତି ବିଭାଗର ରିପୋର୍ଟ କାର୍ଡ ପ୍ରଦାନ ଅବସରରେ ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ଏହି ସୂଚନା ଦେଇଛନ୍ତି। ସେହିଭଳି SHG ମହିଳାଙ୍କୁ ନେତୃତ୍ୱ ଦେବା ପାଇଁ ରାଜ୍ୟସ୍ତରୀୟ SHG ଫେଡେରେସନ ଗଠନ ହେବ । ରାଜ୍ୟସ୍ତରରେ ବିଭିନ୍ନ ଯୋଜନାରେ କିଭଳି ଅଧିକ କାମ କରିହେବ, ସେନେଇ କାମ କରିବ ଫେଡେରେସନ୍ ।

୮ ବର୍ଷରେ SHGଙ୍କୁ ଋଣ ସହାୟତା ୧୯ ଗୁଣା ବୃଦ୍ଧି ହୋଇଛି ବୋଲି କହିଛନ୍ତି ସଚିବ । SHG ଋଣ ସହାୟତା ୫୦୦ କୋଟି ଟଙ୍କାରୁ ବଢି ୨୦୨୨-୨୩ରେ ଏହା ୧୧ ହଜାର କୋଟି ଟଙ୍କାରେ ପହଞ୍ଚିଛି । SHG ଦ୍ଵାରା ଋଣ ପରିଶୋଧରେ ଓଡ଼ିଶାର ଉଲ୍ଲେଖନୀୟ ସଫଳତା ହାସଲ କରିଛି । SHGଙ୍କ କ୍ଷେତ୍ରରେ ଅନାଦେୟ ଋଣ ବା NPA ମାତ୍ର ୧.୯୯% । ଏଥିଲାଗି କେନ୍ଦ୍ର ଠାରୁ ପ୍ରଶଂସା ପାଇଛି ଓଡ଼ିଶା । ଓଡ଼ିଶାର ୮୬.୫% ମହିଳାଙ୍କ ପାଖରେ ରହିଛି ବ୍ୟାଙ୍କ ଖାତା । ଯାହାକି ଜାତୀୟ ହାର ୭୮.୬% ଠାରୁ ଢେର ଅଧିକ । ସେହିପରି ମିଶନ ଶକ୍ତି ବିଭାଗର ୪ଟି ବଡ଼ ସଫଳତା ବଖାଣିଛନ୍ତି ସଚିବ।  ଆର୍ଥିକ ପରିଚାଳନା ୮ ବର୍ଷରେ ୧୯ ଗୁଣା ବୃଦ୍ଧି ପାଇଛି। ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରାଯାଉଛି । ମହିଳା ସଂଗଠନ ଗୁଡିକୁ ସଶକ୍ତ କରାଯାଉଛି । ଭିତ୍ତିଭୂମି ଯୋଗାଇ ଦିଆଯାଉଛି, ପ୍ରତି ବ୍ଲକରେ ମିଶନ ଶକ୍ତି ଗୃହ ନିର୍ମାଣ କରାଯାଇଛି । କୋଭିଡ ସମୟରେ ମହିଳାମାନଙ୍କ ଉଲ୍ଲେଖନୀୟ କାମ ଯୋଗୁ ପ୍ରଶଂସା କରାଯାଇଛି। ୨ କୋଟି ମିଲ ପ୍ରସ୍ତୁତ କରିବାସହ ୭୫ ଲକ୍ଷ ମାସ୍କ ଦେଇଥିଲେ।

ସରକାରୀ କାର୍ଯ୍ୟରେ ଅବହେଳା ପାଇଁ ୨୨୩ କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ

ଭୁବନେଶ୍ୱର: ୨୨୩ କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ । ସରକାରୀ କାର୍ଯ୍ୟରେ ଅବହେଳା ପାଇଁ ଉଚ୍ଚଶିକ୍ଷା ବିଭାଗ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବାରମ୍ବାର ଜଣାଇବା ସତ୍ତ୍ବେ ୨୨୩ କଲେଜର ଅଧ୍ୟକ୍ଷମାନେ ଆବଶ୍ୟକ ସୂଚନା ପ୍ରଦାନ କରିନଥିଲେ । ଉଚ୍ଚଶିକ୍ଷା ବିଭାଗର ସହକାରୀ ନିର୍ଦ୍ଦେଶକଙ୍କ ଚିଠିର ଉତ୍ତର ଦେଇନଥିବାରୁ ଏସବୁ କଲେଜ ଅଧ୍ୟକ୍ଷ ଏବଂ ମୁଖ୍ୟ କିରାଣିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ବିଭାଗୀୟ ଚିଠିର ଉତ୍ତର ନଦେବାର ଅର୍ଥ, ସରକାରୀ କାର୍ଯ୍ୟ ନିର୍ବାହରେ ବଡ଼ ଅବହେଳା । ଏବଂ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ପାଳନ‌ରେ ବିଫଳତା ବୋଲି କୁହାଯାଇଛି । କାର୍ଯ୍ୟରେ ଚରମ ଅବହେଳା ପାଇଁ ମେ’ ମାସର ଦରମା ନ ଉଠାଇବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।