ଫୋପାଡ଼ି ଦେଇଥିଲା ମାଆ, କୋଳେଇ ନେଲେ ଆମେରିକା ଦମ୍ପତି

କଟକ: ଜଣେ ଫୋପାଡ଼ି ଦେଇଥିଲା । ଜଣେ କୋଳେଇ ନେଲା । ସେଦିନ ବୁଦା ମୂଳରେ କଇଁ କଇଁ କାନ୍ଦୁଥିବା କୁନି ଝିଅ ଆଜି ସ୍ବପ୍ନର ସହରକୁ ଯାଉଛି । ଆମେରିକାରେ ବଡ଼ ହେବ ଅଲୋଡ଼ା ଶିଶୁକନ୍ୟା ଲିଲିୟାନା । ଅପରିଚିତ ଅତୀତକୁ ପିଠି କରି ସେ ଗଢିବ ଭାଗ୍ୟଶାଳୀ ଭବିଷ୍ୟତ । ହୁଏତ ଏ ଗହଳି ଭିତରେ ସେ ବିଦେଶୀଙ୍କୁ ବୁଝିପାରୁନି । ବସୁନ୍ଧରାର କୋଳରୁ ବିଦେଶୀଙ୍କ କୋଳକୁ କାହିଁକି ଯାଇଛି ତାହା ବି ଜାଣି ପାରୁନି । ହେଲେ ଏବେ ତା ବାପା ଡେଭିଡ୍ ଆଉ ମାଆ ଆନା । ମାଆ ଥାଇ ବି ଅନାଥ ହୋଇ ଯାଇଥିବା ଏ ଝିଅକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି ଆମେରିକାର ଏହି ଦମ୍ପତି ।

୪ ବର୍ଷ ତଳେ ଲିଲିୟାନାକୁ ନନ୍ଦନକାନନ ନିକଟ ଏକ ବୁଦାମୂଳେ ତା ଜନ୍ମକଲା ମାଆ ଫୋପାଡ଼ି ଦେଇ ଚାଲିଯାଇଥିଲା । କୁନି ଝିଅକୁ ଝୁଣି ଅଧାମଲା କରି ଦେଇଥିଲେ ବୁଲା କୁକୁର। ହେଲେ ସେଦିନ ମୃତ୍ୟୁକୁ ପରିହାସ କରି ଅପରିଚିତା ପାଲଟିଥିଲା ଅପରାଜିତା । ଖୋଳି ହୋଇଯାଇଥିଲା ଗୋଟିଏ ଆଖି । ମୁହଁର ୬୦ ପ୍ରତିଶତ ନଷ୍ଟ ହେବା ପରେ ଆହୁରି ଅଚିହ୍ନା ହୋଇଯାଇଥିଲା କଅଁଳା ଝିଅ । ଦୁଇ ମାସର ଚିକିତ୍ସା ପରେ ସୁସ୍ଥ ହୋଇ ଏଇ ବସୁନ୍ଧରାରେ ବଢୁଥିଲା ଲିଲିୟନା । ଜନ୍ମକଲା ମାଆ ସିନା ତାକୁ ଦୁନିଆର ଆଲୋକ ଦେଖାଇବାକୁ ଚାହିଁ ନଥିଲା, ହେଲେ ସେ କିନ୍ତୁ ହାରି ନଥିଲା ପରିସ୍ଥିତି ପାଖରେ । ଆଉ ଏବେ ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ରରେ ଜୀବନର ଦ୍ବିତୀୟ ଇନିଂସ ଆରମ୍ଭ କରିବାକୁ ଯାଉଛି ଲିଲିୟାନା ।

ସେଦିନ ମାଆର ସ୍ତନକୁ ଝୁଣି ଖାଉଥାନ୍ତା ଝିଅ । ହେଲେ କୁକୁର ତାକୁ ଝୁଣି ଖାଉଥିଲେ । ଆମେ ତ ଜାଣିନୁ କେଉଁ ପରିସ୍ଥିତିରେ ମାଆ ତାକୁ ମୃତ୍ୟୁର କୋଳରେ ଛାଡ଼ି ଦେଇଥିଲା । ସେଥିପାଇଁ ଏମିତିଆ ମାଆ ପାଇଁ ଆମେ ଶବ୍ଧହୀନ ।