ଏକାମ୍ରକ୍ଷେତ୍ରର ବଦଳିବ ରୂପରେଖ ; ଲିଙ୍ଗରାଜ ମନ୍ଦିର ଯାଇ ଅନୁଧ୍ୟାନ କଲେ 5T ସଚିବ

1 min read

ଭୁବନେଶ୍ୱର :  ଆସନ୍ତା ଜୁନ୍ ୨୬ରୁ ଆରମ୍ଭ ହେବ ଏକାମ୍ରକ୍ଷେତ୍ର ଆମେନିଟିଜ୍ ଆଣ୍ଡ ମନ୍ୟୁମେଣ୍ଟସ୍ ରିଭାଇଭାଲ୍ ପ୍ଲାନ କାମ । ହୋମଯଜ୍ଞ, ବେଦପାଠ, ମନ୍ତ୍ରଧ୍ବନୀ ଓ ସଙ୍କୀର୍ତ୍ତନରେ ଆଧ୍ୟାତ୍ମିକ ପରିବେଶରେ ପ୍ରକମ୍ପିତ ହେବ ଏକାମ୍ରକ୍ଷେତ୍ର । ଏହାପୂର୍ବରୁ ପ୍ରଭୁ ଲିଙ୍ଗରାଜ ମନ୍ଦିର ଯାଇ ଅନୁଧ୍ୟାନ କରିଛନ୍ତି ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ । ପ୍ରଥମେ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବା ପରେ ଯଜ୍ଞ ହେବାକୁ ଥିବା ସ୍ଥାନକୁ ଯାଇ ଅନୁଧ୍ୟାନ କରିଥିଲେ । ବିଡିଏ ଉପାଧ୍ୟକ୍ଷ ବଲଓ୍ବନ୍ତ ସିଂ, ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ ଫାଇଭ-ଟି ସଚିବ ।

କାର୍ଯ୍ୟର ଅଗ୍ରଗତି ନେଇ ତଦାରଖ କରିବା ପରେ ମାର୍କେଟ କମ୍ପ୍ଲେକ୍ସ ଯାଇଥିଲେ ଫାଇଭ-ଟି ସଚିବ । ସେଠାରେ ଲାଇଟ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ । ନୂଆ ରୂପ ନେବାକୁ ଯାଉଛି ଏକାମ୍ର ନଗରୀ । ବହୁ ପ୍ରତିକ୍ଷିତ ଏକାମ୍ରକ୍ଷେତ୍ର ଆମେନିଟିଜ୍ ଆଣ୍ଡ ମନ୍ୟୁମେଣ୍ଟସ୍ ରିଭାଇଭାଲ୍ ପ୍ଲାନକୁ ଅନୁମୋଦନ ମିଳିବା ପରେ ଜୁନ୍ ୨୬ରୁ କାମ ଆରମ୍ଭ ହେବ । ଜୁନ୍ ୨୫ରୁ ୨୮ ଯାଏ ଲାଇଟ୍ ବ୍ୟବସ୍ଥାରେ ଚମକିବ ପୁରୁଣା ଭୁବନେଶ୍ବର । ଏଥିସହ ଶ୍ରୀଲିଙ୍ଗରାଜ ମନ୍ଦିରର ସାମ୍ନା ଓ ବାହାର କାନ୍ଥରେ ପ୍ରୋଜେକସନ୍ ଲଗାଯିବ । ଜୁନ୍ ୨୬ ରାତିରୁ ହୋମଯଜ୍ଞ, ବେଦପାଠ, ମନ୍ତ୍ରଧ୍ବନୀ ଓ ସଙ୍କୀର୍ତ୍ତନରେ ଆଧ୍ୟାତ୍ମିକ ପରିବେଶରେ ପ୍ରକମ୍ପିତ ହେବ ଏକାମ୍ରକ୍ଷେତ୍ର ।

ଜୁନ୍ ୨୮ରେ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ପରେ ପୂର୍ଣ୍ଣାହୁତିରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ଲିଙ୍ଗରାଜ ମାର୍କେଟ କମ୍ପ୍ଲେକ୍ସରେ ବି ପ୍ରଦର୍ଶନୀ ଲାଗିବା ସହ ପ୍ରୋଜେକସନ୍ ମ୍ୟାପିଂ କରାଯିବ । ଭଜନ ସମାରୋହରେ ଦେଶର ନାମୀଦାମୀ କଳାକାର ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ପ୍ରକଳ୍ପ ଜରିଆରେ ଲିଙ୍ଗରାଜ ଏଣ୍ଟ୍ରି ପ୍ଲାଜା, ଭଜନ ମଣ୍ଡପ, ହେରିଟେଜ୍ ପାର୍କ, କେଦାର ଗୌରୀ ପ୍ଲାଜା, ବିନ୍ଦୁ ସାଗର କଡ଼ରେ ପଦଚାରୀଙ୍କ ପାଇଁ ରାସ୍ତା କାମ, ପୁଷ୍ପରିଣୀ ଗୁଡ଼ିକର ନବୀକରଣ, କେଦାର ଗୌରୀ ଓ ମୁକ୍ତେଶ୍ବର ମନ୍ଦିରର ପରିସରର ବିକାଶ, ଇ-ଅଟୋ ସର୍ଭିସ୍ ଓ ଟ୍ରାଫିକ୍ ମ୍ୟାନେଜମେଣ୍ଟ କାମ କରାଯିବ ।