ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଅଗ୍ରିଆ ସମାଜ । ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । କିଛି ଦିନ ତଳେ ସେମାନଙ୍କ ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ଭୁବନେଶ୍ବରରେ ଅଧ ଏକର ଜମି ଓ ଭବନ ନିର୍ମାଣ ପାଇଁ ୩ କୋଟି ଟଙ୍କା ମଞ୍ଜୁର କରିଥିଲେ ମୁଖ୍ୟମନ୍ତ୍ରୀ । ଅଗ୍ରିଆ ସମାଜର ଅଧିକାଂଶ ଲୋକେ ଝାରସୁଗୁଡା ଓ ସୁନ୍ଦରଗଡ଼ରେ ବସବାସ କରନ୍ତି । ଚାଷ କରି ଜୀବିକା ନିର୍ବାହ କରନ୍ତି ।
ଭୁବନେଶ୍ବରରେ ଖୋଲିଲା କନସେନଟ୍ରିକ୍ସ କଷ୍ଟମର ଏକ୍ସପେରିଏନ୍ସ ସେଣ୍ଟର
ଭୁବନେଶ୍ୱର: ଓଡ଼ିଶା ଲେଖୁଛି ସଫଳତାର କାହାଣୀ । ଶିକ୍ଷା, ସ୍ବାସ୍ଥ୍ୟ ଓ କ୍ରୀଡ଼ା ପର ଆଇଟି ହବ୍ ପାଲଟିଛି ଭୁବନେଶ୍ବର । ଆଇଟି ଓ ବିପିଓ କ୍ଷେତ୍ରରେ ବିଶ୍ବସ୍ତରୀୟ ହେଉଛି ଓଡ଼ିଶା । ଓଡ଼ିଶାରେ ଖୋଲୁଛି ଗୋଟିଏ ପରେ ଗୋଟିଏ ଆଇଟି ଓ ବିପିଓ କମ୍ପାନୀ । ଏହି କ୍ରମରେ ଆଜି ଭୁବନେଶ୍ବରରେ ଖୋଲିଛି କନସେନଟ୍ରିକ୍ସ କଷ୍ଟମର ଏକ୍ସପେରିଏନ୍ସ ସେଣ୍ଟର । ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଦ୍ବାରା ଓଡ଼ିଶାରେ ୨ ହଜାରରୁ ଅଧିକ ନିଯୁକ୍ତି ସୃଷ୍ଟି ହୋଇପାରିବ । ପୂର୍ବରୁ ଭୁବନେଶ୍ବରରେ ଆଇବିଏମ, ହାପିଏଷ୍ଟ ମାଇଣ୍ଡ, ଇନଟେକଚର ଟେକ୍, ଇନୋଭେୟାର ଓ ଡେଲଏଟ ଭଳି ଆଇଟି କମ୍ପାନୀ ଓଡ଼ିଶାରେ ନିଜର ଶାଖା ଖୋଲି ସାରିଛନ୍ତି ।
ଝାରସୁଗୁଡ଼ାରେ ବିଜେପିର ଡାର୍ଟି ପଲିଟିକ୍ସ ରିପିଟ୍ ଅଭିଯୋଗ, ହାରିବା ଭୟରେ ହିଂସା ରଚୁଛି ବିଜେପି
ଝାରସୁଗୁଡ଼ା: ଝାରସୁଗୁଡ଼ାରେ ବିଜେପିର ଡାର୍ଟି ପଲିଟିକ୍ସ ରିପିଟ୍ ଅଭିଯୋଗ । ଝାରସୁଗୁଡ଼ାରେ ହାରିବା ଭୟରେ ବିଜେପୁର ଓ ପଦମପୁର ପରି ବିଜେପି ହିଂସା ରାଜନୀତି ଆପଣାଇଥିବା ଅଭିଯୋଗ ହୋଇଛି । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେଡି । ଗତ ୨ ତାରିଖରେ ଗୌଡ଼ପଡ଼ାର ବିଜେଡି କର୍ମୀ ଗୋବିନ୍ଦ ଝରା ପ୍ରଚାର କରୁଥିବା ବେଳେ ବିଜେପି କର୍ମୀ ବିପ୍ର ବନଛୋର ଓ ଆଉ କିଛି ବିଜେପି ସମର୍ଥକ ଗୋବିନ୍ଦଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏ ସମ୍ପର୍କିତ ଫଟୋ ଓ ଭିଡିଓ ସିଇଓଙ୍କୁ ବିଜେଡି ପ୍ରତିନିଧି ଦଳ ହସ୍ତାନ୍ତର କରିଛନ୍ତି ।
ହାରିବା ସୁନିଶ୍ଚିତ ଜାଣି ବିଜେପି ହିଂସାର ପନ୍ଥା ଆପଣାଇଥିବା ବିଜେଡି ଅଭିଯୋଗ କରିଛି । ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତିଙ୍କ ନେତୃତ୍ବରେ ୪ ଜଣିଆ ପ୍ରତିନିଧି ଦଳ ସିଇଓଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।
କେନ୍ଦୁପତ୍ର ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି, ଦ୍ବିତୀୟ ପର୍ଯ୍ୟାୟରେ ମିଳିବ ୧୧୧ କୋଟି ଟଙ୍କାର ସହାୟତା
ଭୁବନେଶ୍ୱର: କେନ୍ଦୁପତ୍ର ହିତାଧିକାରୀ ଦ୍ବିତୀୟ ପର୍ଯ୍ୟାୟରେ ୧୧୧ କୋଟି ଟଙ୍କା ସହୟତା ପାଇବେ । ଉପକୃତ ହେବେ ୮ ଲକ୍ଷରୁ ଅଧିକ ହିତାଧିକାରୀ । ୨୦୨୨ ଫସଲ ବର୍ଷରେ ସର୍ବକାଳୀନ ରେକର୍ଡ ପରିମାଣର ସହାୟତା – ୧୯୪ କୋଟି । କେନ୍ଦୁପତ୍ର ହିତାଧିକାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ବିତୀୟ ପର୍ଯ୍ୟାୟରେ ୧୧୧ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି । ୨୦୨୨ ଫସଲ ବର୍ଷ ପାଇଁ ଏହି ସହାୟତା ମିଳିବ। ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ୮୩ କୋଟି ଟଙ୍କାର ସହାୟତା ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ଜମା କରାଯାଇଛି । ଦୁଇଟି ପର୍ଯ୍ୟାୟକୁ ମିଶାଇ କେନ୍ଦୁପତ୍ର ହିତାଧିକାରୀମାନେ ୧୯୪ କୋଟି ଟଙ୍କାର ସହାୟତା ପାଇବେ, ଯାହା କି ଗୋଟିଏ ଫସଲ ବର୍ଷରେ ଏକ ସର୍ବକାଳୀନ ରେକର୍ଡ । ୮ ଲକ୍ଷରୁ ଅଧିକ କେନ୍ଦୁପତ୍ର ହିତାଧିକାରୀ ଉପକୃତ ହେବେ। ୭.୭୫ ଲକ୍ଷ କେନ୍ଦୁପତ୍ର ତୋଳାଳୀ ଏବଂ ୪୦ ହଜାର ବନ୍ଧାଳୀ ଓ ସିଜିନାଲ ଷ୍ଟାଫଙ୍କୁ ଏହି ସହାୟତା ମିଳିବ। ପ୍ରତ୍ୟେକ ତୋଳାଳୀଙ୍କୁ ଏକ ହଜାର ଟଙ୍କାର ଆର୍ଥିକ ସହାୟତା ସହିତ ପାଣିବୋତଲ ଓ ଚପଲ ପାଇଁ ଯଥାକ୍ରମେ ୨୦୦ ଓ ୧୬୦ ଟଙ୍କା ମିଳିବ।
ସେହିପରି ପ୍ରତ୍ୟେକ ବନ୍ଧାଳୀ ଓ ସିଜିନାଲ ଷ୍ଟାଫଙ୍କୁ ଆର୍ଥିକ ସହାୟତା ଭାବରେ ୧୫୦୦ ଟଙ୍କା ଦିଆଯିବ । କେନ୍ଦୁପତ୍ର ସଂଗ୍ରହ ହେଉଥିବା ରାଜ୍ୟର ୨୨ଟି ଜିଲ୍ଲା ମଧ୍ୟରୁ ଝାରସୁଗୁଡା ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲାର ହିତାଧିକାରୀମାନେ ଏହି ସହାୟତା ପାଇବେ । ନିର୍ବାଚନ ଆଚରଣ ବିଧି ଉଠିବା ପରେ ଝାରସୁଗୁଡାର ହିତାଧିକାରୀମାନଙ୍କୁ ଏହି ସହାୟତା ମିଳିବ । ପ୍ରଥମ ପର୍ଯ୍ୟାୟରେ ହିତାଧିକାରୀମାନଙ୍କୁ ୮୩ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । କେନ୍ଦୁପତ୍ର ହିତାଧିକାରୀମାନେ, ଯେଉଁମାନେ କି ମୁଖ୍ୟତଃ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଅଟନ୍ତି, ସେମାନଙ୍କ ଜୀବନଧାରଣ ମାନର ଉନ୍ନତିରେ ଏହି ଘୋଷଣା ସହାୟକ ହେବ ।
ବରଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ, ୧୦ରୁ ଅଧିକ ଆହତ
ଝାରସୁଗୁଡ଼ା: ବରଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ । ୧୦ରୁ ଅଧିକ ଆହତ । ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଝାରସୁଗୁଡ଼ାରୁ ରାଉରକେଲା ଯାଉଥିବା ବେଳେ ବାଇପାସ୍ ନିଟକରେ ହେଇଛି ଦୁର୍ଘଟଣା । ବରଯାତ୍ରୀ ବସ୍ ଏକ ହାଇୱାକୁ ପଛ ପଟୁ ଧକ୍କା ଦେଇଥିଲା। ଫଳରେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ବସରେ ଥିବା ୪୦ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୦ରୁ ଅଧିକ ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।
ସର୍ବିଆରେ ଫୁଟିଲା ଗୁଳି, ୮ ମୃତ
ନୂଆଦିଲ୍ଲୀ: ସର୍ବିଆରେ ଫୁଟିଲା ଗୁଳି । ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ରାଜଧାନୀ ବେଲଗ୍ରେଡରୁ ପ୍ରାୟ ୬୦ କିଲୋମିଟର ଦୂରରେ ଫୁଟିଲା ଗୁଳି । ଚଳନ୍ତା ଗାଡ଼ିରୁ ମେସିନ୍ ଗନରେ ଅନ୍ଧାଧୁନ ଗୁଳିକରି ଫେରାର ହୋଇଯାଇଛି ଦୁର୍ବୃତ୍ତ । ଆତତାୟୀକୁ ଖୋଜୁଛି ପୋଲିସ ।
ସୋରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଦୁଇ ଯୁବକ ମୃତ
ସୋର: ସୋରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାସ୍ତାକଡ଼ରେ ଠିଆ ହୋଇଥିବା ମିନି ଟ୍ରକକୁ ଧକ୍କା ଦେଲା ଅଜଣା ଗାଡ଼ି । ଦୁଇ ଯୁବକ ମୃତ ଓ ଦୁଇ ଯୁବକ ଗୁରୁତର । ସୂଚନା ଅନୁସାରେ ୧୬ ନମ୍ୱର ଜାତୀୟ ରାଜପଥ କଲେଜ ଛକ ଜଗନ୍ନାଥ ଢାବା ନିକଟରେ କୁକୁଡ଼ା ଟ୍ରକଟି ଛିଡ଼ା ହୋଇଥିବା ବେଳେ ଅଜଣା ଗାଡ଼ି ଧକ୍କା ଦେଇଥିଲା । ଘଟଣାସ୍ଥଳରେ ପଶ୍ଚିମବଙ୍ଗର ଦୁଇ ଯୁବକ ସୈଫୁଲ ଗାଜି ଓ ଅଶ୍ରଫ ସର୍ଦ୍ଦାରଙ୍କର ମୃତ୍ୟୁ ହୋଇଛି । ଟ୍ରକରେ ଥିବା ଅନ୍ୟ ଦୁଇ ଯୁବକ ସେଫ ସର୍ଦ୍ଦାର ଓ ଆଲମ୍ ଗିରିକୁ ଉଦ୍ଧାର କରିଥିଲେ । କୁକୁଡ଼ା ଗାଡିରେ ଅଟକିଥିବା ଦୁଇ ଯୁବକଙ୍କୁ ସୋର ଦମକଳ ବାହିନୀ ଗ୍ୟାସ କଟରରେ କାଟି ଉଦ୍ଧାର କରି ଡାକ୍ତରଖାନା ଆଣିଥିଲେ ଡାକ୍ତର ମୃତ ଘୋଷଣା କରିଥିଲେ । ପଶ୍ଚିମବଙ୍ଗରୁ ଖୋର୍ଦ୍ଧା ଫେରୁଥିବା ବେଳେ ଭୋର ୫ଟାରେ ଏହି ଦୁର୍ଘଟଣା ଘଟିଛି ।
ଝାରସୁଗୁଡ଼ାରେ ଜମୁଛି ପ୍ରଚାର, ମଇଦାନରେ ଷ୍ଟାର ପ୍ରଚାରକଙ୍କ କ୍ୟାମ୍ପେନ
ଝାରସୁଗୁଡ଼ା: ଝାରସୁଗୁଡ଼ାରେ ଜମୁଛି ପ୍ରଚାର । ଦିନ ସରୁଥିବାବେଳେ କ୍ୟାମ୍ପେନକୁ ଆହୁରି ଜୋରଦାର କରିଛନ୍ତି ସବୁଦଳ । ଏବେ ମଇଦାନରେ ଚାଲିଛି ଷ୍ଟାର ପ୍ରଚାରକଙ୍କ ଲଢେଇ । ଗାଁରୁ ଗାଁକୁ ବୁଲି ଭୋଟ ମାଗୁଛନ୍ତି ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ବରିଷ୍ଠ ନେତାଙ୍କ ସହ ଶୋଭାଯାତ୍ରା, ବାଇକ ରାଲି, ଡୋର ଟୁ ଡୋର କ୍ୟାମ୍ପେନ ଓ ମହିଳା ସମାବେଶ ମାଧ୍ୟମରେ ଲୋକଙ୍କ ନିକଟର ହେଉଛନ୍ତି । ସବୁଠି ଦୀପାଳିଙ୍କୁ ମହିଳାମାନେ କୋଳେଇ ନେଉଛନ୍ତି ।
ସେପଟେ ଆଉ ଦିନକ ପରେ ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ । ଆସନ୍ତା ୭ ତାରିଖରେ ଦୀପାଳି ଦାସଙ୍କ ପାଇଁ ନବୀନ ମାଗିବେ ଭୋଟ୍ । ଏଥିପାଇଁ ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ସୃଷ୍ଟି ହୋଇଛି । ଦୀପାଳି କହିଛନ୍ତି, ପରୀକ୍ଷା ସମୟରେ ମୁଖ୍ୟମନ୍ତ୍ରୀ ଆସିଲେ ପାଖରେ ବାପା ଛିଡ଼ା ହେଲା ଭଳି ଲାଗିବ । ମନୋବଳ ବଢ଼ିବ । ଝାରସୁଗୁଡ଼ା ଲୋକ ବିକାଶ ସହ ଅଛନ୍ତି ଓ ନବୀନ ହିଁ ବିକାଶର ବିନ୍ଧାଣୀ ବୋଲି ଜାଣିଛନ୍ତି । ସେପଟେ କଂଗ୍ରେସ ଏବଂ ବିଜେପି ମଧ୍ୟ ପ୍ରଚାରକୁ ଜୋରଦାର କରିଛନ୍ତି ।
କାଲି ବଙ୍ଗୋପସାଗରରେ ସୃଷ୍ଟିହେବ ଘୂର୍ଣ୍ଣିବଳୟ; ୯ରେ ନେବ ବାତ୍ୟାର ରୂପ !
ଭୁବନେଶ୍ୱର : ଆସନ୍ତାକାଲି ବଙ୍ଗୋପସାଗରରେ ସୃଷ୍ଟିହେବ ଘୂର୍ଣ୍ଣିବଳୟ । ଏହା ୭ରେ ଲଘୁଚାପ ଓ ୮ରେ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି। ୯ତାରିଖ ବେଳକୁ ବାତ୍ୟା ରୂପ ନେଇପାରେ। ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏହାର ତୀବ୍ରତା, ଗତିପଥ ସଂପର୍କରେ ଜଣାପଡିବ। ତେବେ ବାତ୍ୟାର ଗତିପଥ କେନ୍ଦ୍ରୀୟ ବାଙ୍ଗୋପସାଗର ଦେଇ ମିଆଁମାର ଆଡକୁ ଯିବା ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହଯାଇଛି।
ଓଡ଼ିଶା ଉପକୂଳରେ ମତ୍ସ୍ୟଜୀବୀଙ୍କ ପାଇଁ ୱାର୍ଣ୍ଣିଂ ନାହିଁ । ୭ତାରିଖ ଠାରୁ ଆଣ୍ଡାମାନ ନିକୋବର ଉପକୂଳରେ ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ବାତ୍ୟା ୧୧ତାରିଖ ଯାଏଁ ସମୁଦ୍ର ମଧ୍ୟରେ ରହିବ ବୋଲି ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି । ସମୁଦ୍ରରେ ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୫୦ରୁ ୨୦୦ କିମି ରହିବା ସମ୍ଭାବନା ରହିଛି। ବାତ୍ୟା ୧୨ ତାରିଖ କିମ୍ବା ଏହା ପରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି। ୯ ତାରିଖ ବେଳକୁ ବାତ୍ୟା ନେଇ ସଠିକ ଆକଳନ କରିହେବ। ଆସନ୍ତାକାଲିଠୁ ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇପାରେ । ୭ତାରିଖ ବେଳକୁ ରାଜ୍ୟର କିଛି ସ୍ଥାନରେ ତାପମାତ୍ରା ୪୦ଡିଗ୍ରୀ ଛୁଇଁବା ନେଇ ଆକଳନ କରାଯାଇଛି।

