ମଳ ପରିଚାଳନାକୁ ବିଏମସିର ଗୁରୁତ୍ବ, ନିୟମ ଖିଲାପକାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ମଳ ପରିଚାଳନାକୁ ବିଏମସିର ଗୁରୁତ୍ବ । ସରକାରଙ୍କ ଗରିମା ଯୋଜନା ଅଧିନରେ ସେସପୁଲ୍‌ ଗାଡିର ସମସ୍ତ ନିୟମ ବିଧିବଦ୍ଧ ଭାବେ ରହିଥିବା ବେଳେ ଏହାର ଖିଲାପ ବେଳେବେଳେ ଦେଖିବାକୁ ମିଳୁଛି । ଦଣ୍ଡ ବିଧାନ ମଧ୍ୟ କରାଯାଉଛି । ଏନେଇ ବିଏମସିର ଏକ ବୈଠକରେ ଆଲୋଚନା ହୋଇଛି। ତେବେ ଏଥିପାଇଁ ସଂପୃକ୍ତ ବିଭାଗର ସମ୍ମିଳିତ କାର୍ଯ୍ୟାନୁଷ୍ଠାନ ଏହି ସେବାକୁ ଆହୁରି ଗୁଣାତ୍ମକ କରିପାରିବ । ମଳ ପରିଚାଳନା ନିୟମ ଅନୁଯାୟୀ ଯେତେବଡ଼ ମଳଟାଙ୍କି ହେଉନା କାହିଁକି, ଅଢ଼େଇବର୍ଷରୁ ତିନିବର୍ଷ ମଧ୍ୟରେ ଏହାକୁ ଖାଲି କରାଯିବା ଆବଶ୍ୟକ । ଏଥିପାଇଁ ପୌରସଂସ୍ଥା କିମ୍ବା ପଞ୍ଜିକୃତ ଘରୋଇସେବା ପ୍ରଦାନକାରୀଙ୍କ ସହଯୋଗରେ କରିବାକୁ ହେବ । ଏହି କାର୍ଯ୍ୟର ବିଜ୍ଞାନ ସମ୍ମତ ପରିଚାଳନାରେ କୌଣସି ପ୍ରକାରର ସାଲିସ୍‌ କରାଯିବନାହିଁ । ଟାଙ୍କିରୁ ନିୟମିତ ମଳ ଖାଲି କରାଯିବା, ଏହାକୁ ସେସ୍‌ପୁଲରେ ନେବା, ନେବା ବେଳେ ଆବଶ୍ୟକୀୟ ଯତ୍ନନେବା, ମଳ ଉପଚାର କେନ୍ଦ୍ରରେ ଏହି ସଂଗୃହିତ ମଳକୁ ପକାଇବା ଉପରେ ଗୁରୁତ୍ବ ଦିଆଯିବା ଆବଶ୍ୟକ ।

ସମସ୍ତ ଗାଡିରେ ଜିପିଏସ୍ ମଧ୍ୟ ରହିବ । ଯେଉଁ ଗାଡ଼ି ପଞ୍ଜୀକୃତ ହୋଇନାହାନ୍ତି ଶୀଘ୍ର ସେମାନେ ଆରଟିଓଙ୍କ ସହିତ ଯୋଗାଯୋଗ କରି ଗାଡି ଗୁଡିକର ଫିଟନେସ୍‌ କରି ପଞ୍ଜୀକୃତ କରିବାକୁ ନିର୍ଦ୍ଦେଶ । ବର୍ତ୍ତମାନ ସୁଦ୍ଧା ବିଏମସି ଅଧିନରେ ୨୬ ଗୋଟି ସେସପୁଲ୍‌ଗାଡି ପଞ୍ଜିକୃତ ହୋଇଥିବା ବେଳେ ବିଏମ୍‌ସିର ୯ଟି ଗାଡ଼ି ରହିଛି ।