କଟକ: ବାଲେଶ୍ବର ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଗଲା ଆଉ ଜଣଙ୍କ ଜୀବନ । ଚିକିତ୍ସାଧୀନ ଅବସ୍ଥାରେ ଏସସିବିରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ବିହାରର ବିଜୟ ଦର୍ଶନ । ସେଣ୍ଟ୍ରାଲ ଆଇସିୟୁରେ ଚିକିତ୍ସିତ ହେଉଥିଲେ ବିଜୟ । ମୃତଦେହକୁ ପ୍ରଶାସନ ଗାଡ଼ି ଯୋଗେ ବିହାର ପଠାଇବ । ଗତ ଜୁନ୍ ୨ ତାରିଖ ଶୁକ୍ରବାର ସନ୍ଧ୍ୟାରେ ହୋଇଥିଲା ଭୟଙ୍କର ଟ୍ରେନ୍ ଦୁର୍ଘଟଣା । ଦୁର୍ଘଟଣାର ୧୨ ଦିନ ପରେ ଚିକିତ୍ସାଧୀନ ଅବସ୍ଥାରେ ବିଜୟଙ୍କ ମୃତ୍ୟୁ ହୋଇଛି ।
ଜୁଲାଇ ୧୨ରୁ ୧୯ ତାରିଖ ମଧ୍ୟରେ ଲଞ୍ଚ ହେବ ଚନ୍ଦ୍ରାୟନ ୩
ନୂଆଦିଲ୍ଲୀ: ଜୁଲାଇ ୧୨ରୁ ୧୯ ତାରିଖ ମଧ୍ୟରେ ଲଞ୍ଚ ହେବ ଚନ୍ଦ୍ରାୟନ ୩ । ଚନ୍ଦ୍ରକୁ ଭାରତର ମିଶନର ଏହା ହେବ ତୃତୀୟ ଅଧ୍ୟାୟ । ଏନେଇ ଘୋଷଣା କରିଛନ୍ତି ଭାରତୀୟ ମହାକାଶ ଗବେଶଷଣା ସଂସ୍ଥା ବା ଇସ୍ରୋ ଅଧ୍ୟକ୍ଷ ଏସ. ସୋମନାଥ । କୋଟାୟମଠାରେ ଏକ କଲେଜରେ ଇସ୍ରୋ ପକ୍ଷରୁ ଆୟୋଜିତ ଦିନିକିଆ ଓ୍ବାର୍କସପରେ ଏନେଇ ଇସ୍ରୋ ଅଧ୍ୟକ୍ଷ ସୂଚନା ଦେଇଛନ୍ତି । ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ସ୍ପେସ୍ ଷ୍ଟେସନ ଲଞ୍ଚ ପ୍ୟାଡରେ ଚନ୍ଦ୍ରାୟନ ପହଞ୍ଚି ସାରିଛି । ଚଳିତ ମାସ ଶେଷ ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷ ହେବ । LVM-3 ରକେଟ ଯୋଗେ ଚନ୍ଦ୍ରାୟନ-୩ ଉତକ୍ଷେପଣ କରାଯିବ । ଏହି ଅଭିଯାନ ଲାଗି ଆବଶ୍ୟକ ଏକ ସ୍ବଦେଶୀ ଲ୍ୟାଣ୍ଡର ମଡ୍ୟୁଲ, ଏକ ପ୍ରପଲସନ ମଡ୍ୟୁଲ ଓ ଏକ ରୋଭର ।
ଚନ୍ଦ୍ରପୃଷ୍ଠରେ ସେଫ ଓ ସଫ୍ଟ ଲ୍ୟାଣ୍ଡିଂ ଓ ରୋଭିଂକୁ ଅଧିକ ସୁଗମ କରିବା ଲାଗି ଚନ୍ଦ୍ରୟାନ-୩ ଅଭିଯାନ ଆରମ୍ଭ ହେବ । ଏହା ସହ ଚନ୍ଦ୍ର ପୃଷ୍ଠରେ ରୋଭରର ପ୍ରଶିକ୍ଷଣ, ବିଭିନ୍ନ ବୈଜ୍ଞାନିକ ଗବେଷଣା ଆଦି ଲାଗି ଏହି ଅଭିଯାନ ଉଦ୍ଦିଷ୍ଟ । ୨୦୦୮-୦୯ରେ ଚନ୍ଦ୍ରୟାନ-୧ ହୋଇଥିବାବେଳେ ଚନ୍ଦ୍ର ପୃଷ୍ଠରେ ଜଳର ସନ୍ଧାନ ମିଳିଥିଲା । ୨୦୧୯ ଅଗଷ୍ଟରେ ହୋଇଥିବା ଚନ୍ଦ୍ରୟାନ-୨ ବିଫଳ ହୋଇଥିଲା । ମାତ୍ର ଚନ୍ଦ୍ରଯାନ-୨ରେ ଚନ୍ଦ୍ର ପୃଷ୍ଠକୁ ପଠାଯାଇଥିବା ଅର୍ବିଟର ଏବେ ବି ସଫଳତାର ସହ କାର୍ଯ୍ୟ କରୁଛି ।
ଅସହ୍ୟ ତାତି ଓ ଗୁଳୁଗୁଳିରୁ ସାମାନ୍ୟ ଆଶ୍ବସ୍ତି, ଉପକୂଳରେ ଜାରି ରହିଛି କାଳବୈଶାଖୀ
ଭୁବନେଶ୍ୱର: ସିଭିୟର ହିଟ୍ ଓ୍ବେଭ ପରେ ବଦଳିଲା ଉପକୂଳ ଓଡ଼ିଶାର ପାଗ । କାଳବୈଶାଖୀ ବର୍ଷାରେ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, ଗଞ୍ଜାମ, ଗଜପତି ଓ ନୟାଗଡ଼ରେ ଝିପି ଝିପି ବର୍ଷା ସହ ପବନ ଜାରି ରହିଛି । ଆଜି ଉପକୂଳରେ ମେଘ ସମୁହ ଏକାଠି ହେଉଥିବା ବେଳେ, ଦିନ ତମାମ ଆକାଶ ମେଘାଚ୍ଛନ୍ନ ରହିବ ବୋଲି ଆକନ କରିଛି ପାଣିପାଗ ବିଭାଗ । ଝିପି ଝିପି ବର୍ଷାରୁ ଅସହ୍ୟ ଗରମ ଓ ଗୁଳିଗୁଳିରୁ ସାମାନ୍ୟ ଆଶ୍ବସ୍ତି ମିଳିଛି । ସେପଟେ ପଶ୍ଚିମ ଓଡ଼ିଶାରେ ଜାରି ରହିଛି ତାତି । ଆଜି ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ ଓ ବଲାଙ୍ଗୀରରେ ସିଭିୟର ହିଟ୍ ଓ୍ବେଭ୍ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।
ସେହିପରି ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାର ୧୩ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ଅନ୍ୟପଟେ ଆରବ ସାଗରରେ ସୃଷ୍ଟ ବାତ୍ୟା ବିପର୍ଯ୍ୟୟ ଭୀଷଣ ବାତ୍ୟା ପରିଣତ ହୋଇ ଉପକୂଳ ମୁହାଁ ହୋଇଛି । ଫଳରେ ଓଡ଼ିଶାକୁ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ପ୍ରବାହ ଆରମ୍ଭ ହୋଇଛି । ଏହା ସହ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବା ସହ ଧିରେ ଧିରେ ଅଗ୍ରସର ହେଉଛି । ଦିନେ ଦୁଇ ଦିନ ମଧ୍ୟରେ ଓଡ଼ିଶାରେ ପ୍ରାକ୍ ମୌସୁମୀ ବର୍ଷା ହେବାର ସମ୍ଭାବନା ରହିଛି ।
କୋଭିଡ ପରଠାରୁ ଚୀନରେ ବିଚିତ୍ର ସ୍ଥିତି, ୨୦୨୧ ତୁଳନାରେ ୨୦୨୨ରେ ୮ ଲକ୍ଷ ବିବାହ କମ୍
ବେଜିଂ: ଚୀନରେ ବ୍ୟାପକ ହ୍ରାସ ପାଉଛି ବିବାହ । ଦେଶର ଜନସଂଖ୍ୟା ଲଗାତାର ହ୍ରାସ ପାଇବାରେ ଲାଗିଥିବାବେଳେ ଗତବର୍ଷ ବିବାହ ସଂଖ୍ୟା ସର୍ବାଧିକ ହ୍ରାସ ପାଇଥିବା ରିପୋର୍ଟରେ ଦର୍ଶାଯାଇଛି । ଲଗାତାର କିଛି ବର୍ଷ ଧରି ଏହି ହାର କମୁଥିବା ଯୋଗୁ ଉଦବେଗ ପ୍ରକାଶ ପାଇଛି । ବିଶେଷ କରି କୋଭିଡ ଲକଡାଉନ ପରଠାରୁ ଏହି ଅବସ୍ଥା ଅଧିକ ଉତ୍କଟ ହୋଇଛି । ୨୦୨୨ରେ ଦେଶରେ ୬.୮୩ ନିୟୁତ ବିବାହ ପଞ୍ଜିକୃତ ହୋଇଥିବାବେଳେ ଏହି ସଂଖ୍ୟା ୨୦୨୧ ତୁଳନାରେ ୮ ଲକ୍ଷ କମ୍ ଥିବା ସୂଚନା ମିଳିଛି । ଗତବର୍ଷ କୋଭିଡ କଟକଣା କାରଣରୁ ଲକ୍ଷ ଲକ୍ଷ ଲୋକ ଘର ଭିତରେ ବା କମ୍ପାଉଣ୍ଡ ପରିସରରେ ରହିବାକୁ ବାଧ୍ୟ ହୋଇଥିଲେ । ଏହି କାରଣରୁ ଦେଶରେ ବିବାହ ହାର ହ୍ରାସ ପାଉଥିବା ସହ ଜନ୍ମହାର ଓ ତଦଜନିତ ଜନସଂଖ୍ୟା ବି କମିବା ଦେଖାଯାଇଛି ।
୨୦୨୨ରେ ପ୍ରଥମ ଥର ଲାଗି ଗତ ୬ ଦଶନ୍ଧିରେ ଚୀନ ଜନସଂଖ୍ୟା ହ୍ରାସ ପାଇଥିଲା । ଗତବର୍ଷ ଦେଶର ଜନ୍ମହାର ପ୍ରତି ୧ ହଜାର ଲୋକଙ୍କ କ୍ଷେତ୍ରରେ ଥିଲା ୬.୭୭ ପ୍ରତିଶତ । ଏହି ହାର ଚୀନ ଇତିହାସରେ ପ୍ରଥମ ବୋଲି କୁହାଯାଇଛି । ୨୦୨୧ରେ ଏହି ହାର ଥିଲା ୭.୫୨ ପ୍ରତିଶତ । ଜନସଂଖ୍ୟା ବିଶାରଦଙ୍କ ମତରେ ଚୀନର ଏହି ଅବସ୍ଥା ଦେଶ ଲାଗି ଶୁଭଙ୍କର ନୁହେଁ ଏବଂ ଏହା ଯୋଗୁ ଦେଶର ଶ୍ରମଶକ୍ତି ହ୍ରାସ ପାଇବ ଏବଂ ବୟସ୍କ ଲୋକଙ୍କ ଲାଗି ଅଧିକ ବ୍ୟୟ ବରାଦ ହେଉଥିବାରୁ ଜାତୀୟ ଅର୍ଥନୀତି ଉପରେ କୁପ୍ରଭାବ ପଡ଼ିବ । ଆଞ୍ଚଳିକ ସରକାରମାନେ ବି ଆର୍ଥିକ ସଂକଟର ସମ୍ମୁଖୀନ ହେବେ । ଏହାକୁ ଦୃଷ୍ଟିରେ ରଖି ଦେଶର ୨୦ଟି ସହରରେ ବିବାହ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହ ଗର୍ଭଧାରଣ ସଂସ୍କୃତିକୁ ଅଧିକ ବ୍ୟାପ୍ତ କରିବା ଲାଗି ପାଇଲଟ ପ୍ରକଳ୍ପ ଆରମ୍ଭ କରାଯାଇଛି । ଏପରିକି କେତେକ ପ୍ରଜାତନ୍ତ୍ରରେ ନବବିବାହିତଙ୍କୁ ସବେତନ ବୈବାହିକ ଛୁଟି ପ୍ରଦାନ କରୁଛନ୍ତି କେତେକ ପ୍ରଜାତନ୍ତ୍ର ।
ହ୍ବାଇଟ ହାଉସରୁ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ ନେବା ଅଭିଯୋଗ ପ୍ରସଙ୍ଗ, ଟ୍ରମ୍ପଙ୍କ ବିରୋଧରେ ମିଆମି କୋର୍ଟରେ ଆଜି ଶୁଣାଣି
ଓ୍ୱାଶିଂଟନ: ହ୍ବାଇଟ ହାଉସରୁ ପେଣ୍ଟାଗନ, ସିଆଇଏ, ନ୍ୟାସନାଲ ସିକ୍ୟୁରିଟି ଏଜେନ୍ସିର ଅନେକ ନଥି ନେବା ଘଟଣା । ଆଜି ମିଆମି କୋର୍ଟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ବିରୋଧରେ ମାମଲାର ହେବ ଶୁଣାଣି । ୪୯ ପୃଷ୍ଠାର ଚାର୍ଜସିଟରେ ଅନେକ ଗୁରୁତର ଅଭିଯୋଗ ଦର୍ଶାଯାଇଥିବାବେଳେ ବିଭିନ୍ନ ମାମଲାର ଶୁଣାଣି ହେବ । ହ୍ବାଇଟ ହାଉସ ପରିତ୍ୟାଗ କରିବା ପରେ ସେ ଆଣବିକ ଓ ପ୍ରତିରକ୍ଷା ସମ୍ପର୍କିତ ଅନେକ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ ଫ୍ଲୋରିଡାସ୍ଥିତ ନିଜ ମାର-ଏ-ଲାଗୋ ପ୍ରାସାଦକୁ ନେଇଥିଲେ ବୋଲି ଚାର୍ଜସିଟରେ ଦର୍ଶାଯାଇଛି । ଟ୍ରମ୍ପ ନେଇଥିବା ଡକ୍ୟୁମେଣ୍ଟ ମଧ୍ୟରେ ରହିଛି ପେଣ୍ଟାଗନ, ସିଆଇଏ, ନ୍ୟାସନାଲ ସିକ୍ୟୁରିଟି ଏଜେନ୍ସିର ଅନେକ ଗୁରୁତ୍ବପୂର୍ଣ୍ଣ ରେକର୍ଡ । ଏପରିକି ଆମେରିକାର ମିଲିଟାରୀ ଅପରେସନ ସଂକ୍ରାନ୍ତ କେତେକ ଦଲିଲକୁ ସେ ନ୍ୟୁଜର୍ସି ଗଲଫ୍ କ୍ଲବରେ ପ୍ରଦର୍ଶିତ କରିଥିଲେ ବୋଲି ଦର୍ଶାଯାଇଛି ।
ଟ୍ରମ୍ପଙ୍କୁ ଏହି ସବୁ ଘଟଣାରେ ସହାୟତା କରିବା ଅଭିଯୋଗରେ ସହଯୋଗୀ ଓ୍ବାଲ୍ଟ ନାଉଟାଙ୍କ ନାମ ବି ଚାର୍ଜସିଟରେ ସ୍ଥାନ ପାଇଛି । ଏପରିକି ପ୍ରତିରକ୍ଷା ଓ ଆମେରିକା ତଥା ଅନ୍ୟାନ୍ୟ ଦେଶର ଅସ୍ତ୍ରଶସ୍ତ୍ର ସାମର୍ଥ୍ୟ ସଂକ୍ରାନ୍ତ ଦଲିଲକୁ ମଧ୍ୟ ଟ୍ରମ୍ପ ନେଇଯାଇଥିଲେ ବୋଲି ଗୁରୁତର ଅଭିଯୋଗ ଅଣାଯାଇଛି । ଏହାସହ ଆମେରିକାର ସବୁଠାରୁ ଗୋପନୀୟ ଆଣବିକ କାର୍ଯ୍ୟକ୍ରମ, ସାମରିକ ଆକ୍ରମଣ ଓ ଏହାର ମୁକାବିଲା କ୍ଷେତ୍ରରେ ଆମେରିକା ଓ ସହଯୋଗୀ ରାଷ୍ଟ୍ରର ଦୁର୍ବଳତା ସଂକ୍ରାନ୍ତ ଫାଇଲ ବି ଟ୍ରମ୍ପ ନେଇଥିଲେ ବୋଲି ଚାର୍ଜସିଟରେ ଉଲ୍ଲେଖ ରହିଛି ।

