ପାଠ ଘର ଶୂନ, କିନ୍ତୁ ରାଜସ୍ବ ବିଭାଗ ନିଯୁକ୍ତି ପରୀକ୍ଷାରେ ଟପ୍ପର

ଭୋପାଳ: ମଧ୍ୟପ୍ରଦେଶରେ ରାଜସ୍ବ ବିଭାଗରେ ନିଯୁକ୍ତି ନେଇ ବଡ଼ ହେରଫେର । ନିଯୁକ୍ତି ପାଇଁ ଅନୁଷ୍ଠିତ ହୋଇଥିବା ପରୀକ୍ଷାରେ ବଡ଼ ଧରଣର ହେରଫେର ହୋଇଥିବା ଅଭିଯୋଗ କରିଛି କଂଗ୍ରେସ । ରାଜ୍ୟରେ ପୂର୍ବରୁ ହୋଇଥିବା ବ୍ୟାପମ୍ ସ୍କାମ ଭଳି ଏହି ସ୍କାମ୍ ବୋଲି ଅଭିଯୋଗ ହୋଇଛି । ଗତ ଏପ୍ରିଲରେ ରାଜସ୍ବ ବିଭାଗର କିଛି ପଦବୀ ପାଇଁ ପରୀକ୍ଷା ହୋଇଥିବା ବେଳେ ମେ’ ଓ ଜୁନ୍ ମାସରେ ଫଳ ବାହାରିଥିଲା । ଗୋଟିଏ ପରୀକ୍ଷା ସେଣ୍ଟରରେ ପରୀକ୍ଷା ଦେଇଥିବା ପିଲାଙ୍କ ମଧ୍ୟରେ ୭ ଜଣ ଟପ୍ପର ହୋଇଥିବା ନେଇ ଜଣାପଡ଼ିବା ପରେ ବିବାଦ ଆରମ୍ଭ ହୋଇଥିଲା । ସେମାନେ ଯେଉଁ କଲେଜରେ ପରୀକ୍ଷା ଦେଇଥିଲେ, ସେହି କଲେଜ ଜଣେ ବିଜେପି ବିଧାୟକଙ୍କର ବୋଲି ଜଣାପଡ଼ିଛି । ସେହି ୭ ଜଣ ଟପ୍ପରଙ୍କ ମଧ୍ୟରେ ପୁନମ ରାଜାଓ୍ବତ ମଧ୍ୟ ଅଛନ୍ତି । ତାଙ୍କ ରାଙ୍କ ଥିଲା ୩ । କିନ୍ତୁ ତାଙ୍କର ପାଠପଢାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ । ସେ କେଉଁ ବିଷୟରେ ପରୀକ୍ଷା ଦେଇଥିଲେ ପଚାରିଲେ କହିପାରୁନାହାନ୍ତି । ପରୀକ୍ଷାରେ ପଡିଥିବା କୌଣସି ପ୍ରଶ୍ନର ମଧ୍ୟ ଉତ୍ତର ଦେଇପାରୁନାହାନ୍ତି । ସେ ଯେଉଁ ୮ଟି ବିଷୟରେ ପରୀକ୍ଷା ଦେଇଥିଲେ ତାହା ମଧ୍ୟ ତାଙ୍କୁ ଜଣାନାହିଁ ବୋଲି କହିଛନ୍ତି ପୁନମ୍ ।

ପୂରା ରାଜ୍ୟରେ ପୁନମ ତିନି ନମ୍ବର ସ୍ଥାନରେ ଥିବା ବେଳେ ତାଙ୍କର ସାମାନ୍ୟ ତମ ଜ୍ଞାନ ନଥିବା ଜଣାପଡ଼ିଛି । ପରେ ପରେ ପୁନମଙ୍କ ଉତ୍ତର ଖାତା ମଧ୍ୟ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ଅନେକ ଉତ୍ତର ଭୁଲ ଲେଖିଥିଲେ । ତା ସତ୍ବେ ସିଲେକସନ ହୋଇଥିବା ୯ ହଜାର ପିଲାଙ୍କ ମଧ୍ୟ ସେ କେମିତି ତିନି ନମ୍ବର ସ୍ଥାନରେ ରହିଲେ ତାହା ଏବେ ପ୍ରଶ୍ନବାଚୀ ପାଲଟିଛି । ଯାହାକୁ ନେଇ କଂଗ୍ରେସ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ସରକାରଙ୍କ ଉପରେ ବର୍ଷିଥିବା ବେଳେ ବିଜେପି ଶାସିତ ରାଜ୍ୟରେ ବେଆଇନ୍ କାମ ଚାଲିଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ।