ମହିଳା ପୋଷ୍ଟ ମାଷ୍ଟର ହତ୍ୟା ମାମଲାର ପର୍ଦ୍ଦାଫାସ, ପ୍ରେମ ବ୍ୟାପାରରୁ ଛୁରିରେ ଭୁସି ଜୀବନ ନେଇଥିଲା ପ୍ରେମିକ

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ମହିଳା ପୋଷ୍ଟ ମାଷ୍ଟର ସ୍ନିଗ୍ଧା ପ୍ରଧାନ ହତ୍ୟା ମାମଲାର ପର୍ଦ୍ଧାଫାସ୍ । ପ୍ରେମ ବ୍ୟାପାରକୁ ନେଇ ହତ୍ୟା କରାଯାଇଥିବା ଜଣାପଡ଼ିଛି । ପ୍ରେମିକ ନୟନ ସେଠ୍ ଛୁରିରେ ସ୍ନିଗ୍ଧାଙ୍କୁ ବାରମ୍ବାର ଭୁସି ହତ୍ୟା କରିଥିଲା । ସ୍ନିଗ୍ଧାଙ୍କ ପରିବାର ଲୋକ ଉଭୟଙ୍କୁ ଅଲଗା କରିବାକୁ ଚେଷ୍ଟା କରୁଥିବା ପ୍ରେମିକ ସନ୍ଦେହ କରୁଥିଲା । ସୋମବାର ଭେଟ ହେବା ପରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଯାହାକୁ ନେଇ ସ୍ନିଗ୍ଧାଙ୍କୁ ହତ୍ୟା କରିଥିଲା ନୟନ ।

ସ୍ନିଗ୍ଧାଙ୍କୁ ମାରିବାକୁ ନୟନ ପୂର୍ବରୁ ଯୋଜନା କରିଥିଲା । ଜେରା ବେଳେ ପୋଲିସ ଆଗରେ ସବୁ ସତ କଥା କହିଛି ନୟନ । ସୁନ୍ଦରଗଡ଼ ଲେଫ୍ରିପଡ଼ା ଥାନା ବେଲସରିଆପଡ଼ା ଜଙ୍ଗଲ ନିକଟ ବିଲରେ ସ୍ନିଗ୍ଧାଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିଲା । ହତ୍ୟା ପରେ ସ୍ନିଗ୍ଧାଙ୍କ ମାଆଙ୍କୁ ହ୍ୱାଟ୍ସଆପରେ ମେସେଜ କରି ଲୋକେସନ ସେୟାର କରିଥିଲା ଅଭିଯୁକ୍ତ ପ୍ରେମିକ ନୟନ । ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିବ ଲେଫ୍ରିପଡ଼ା ପୋଲିସ ।